Parichaya ପରିଚୟ - ସୁଷମା ତ୍ରିପାଠୀ
ସୁଷମା ତ୍ରିପାଠୀ
ଝରକା ବାଟେ ବାହାରକୁ ଚାହିଁ ରହିଥିଲା ମନୀଷା |ଜ୍ୟୋସ୍ନାପ୍ଲୁତ ରଜନୀ |ଜହ୍ନ ଫିକ୍ କିନା ହସି ଦେଲା ପରି କିରଣ ରାଶି ସବୁ ବିଂଚି ହୋଇ ପଡିଥିଲା |ଦିନବେଳା ସୁର୍ଯ୍ୟ ପୁଣି ରାତିରେ ଜ୍ୟୋତ୍ସ୍ନାର ଆଲୋକରେ ଆଲୋକିତ ଏ ଧରଣୀ | ତେବେ ଅନ୍ଧକାର ପୁଣି କେଉଁଠି ?ହୁଏତ କିଛି ସମୟ ପାଇଁ ବାଦଲ୍ ତାର କଳା ଓଢଣୀ ରେ ଢାନ୍କି ଦେଇପାରେ ,କିନ୍ତୁ ସିଏବା କେତେ ସମୟ ପାଇଁ ?
‘ ଆ ଜହ୍ନ ମାମୁଁ ଶରଦ ଶଶୀ ,ମୋ କାହ୍ନୁ ହାତରେ ପଡରେ ଖସି |’
ଜହ୍ନ କୁ ଦେଖିଲେ କାହିଁକି କେଜାଣି ଏ ପଦଟି ମନେ ପଡିଯାଏ |ବିଷାଦ ସତ୍ତ୍ବେ ,ଚେନାଏ ହସ ଖେଳିଗଲା ମନୀଷା ଓଠରେ | ସତରେ ,କେଉଁ ଅମୃତବେଳାରେ କବିଂକ ଲେଖନୀ ରୁ ଝରି ପଡିଥିଲା ଏ ପଦକ | ଅନିଚ୍ଛା ସତ୍ତ୍ବେ ଝରକା ପାଖରୁ ଫେରି ଆସିଲା ସେ |କ୍ଲାନ୍ତ ମନ ଆଉ ଅବଶ ଶରୀର ଟାକୁ ଶେଯ ଉପରେ ବିଛାଇ ଦେବାକୁ ଭାବୁଥିଲା ,କିନ୍ତୁ …………ନା …………ମନ ତାର ଭୀଷଣ ଭାବରେ ଅସ୍ତବ୍ୟସ୍ତ ହେଉଥିଲା |କଣ କରିବ ,କଣ ନ କରିବ ଭାବୁ ଭାବୁ ,ଲ୍ୟାପ୍ ଟପ୍ ଧରି ବସିପଡିଲା | ସେ ଯେ ‘ମା’ ହେବାକୁ ଯାଉଛି ,ଏ ଖବରଟି ତାକୁ ଖୁସି କରିବା ପରିବର୍ତ୍ତେ ,ଅଧିକରୁ ଅଧିକ ବିବ୍ରତ କରି ଚାଲିଛି | ଯେତେବେଳେ ସମ୍ପୁର୍ଣ୍ଣ ଭାବରେ ସେ ନିଜକୁ ,ତାର କର୍ମକ୍ଷେତ୍ର ରେ କେନ୍ଦ୍ରୀଭୂତ କରିବାକୁ ଚାହୁଁଥିଲା ,ସେତିକିବେଳେ ପୁଣି ଏ ଖବର |ପଂଚତାରକା ହୋଟେଲ୍ ର ରାତ୍ରୀଭୋଜନ ମଧ୍ୟ ଆଜି ତାକୁ ତୃପ୍ତି ଦେଇପାରିନଥିଲା |ଏ ଅବସନ୍ନ ମନଟି କୁ ସେ ଯେତିକି ପ୍ରସନ୍ନ କରିବାକୁ ଚେଷ୍ଟା କରୁଥିଲା ତାହା ଅଧିକରୁ ଅଧିକ ଦ୍ବନ୍ଦ ରେ ଭରି ଯାଉଥିଲା |
ଇଏ ପୁଣି କେଉଁ ପ୍ରକାରର ଦ୍ବନ୍ଦ ?ମାତୃତ୍ବର ଏହି ସମ୍ଭାବନାଟିକୁ ,ନା ସେ ଗ୍ରହଣ କରିପାରୁଛି ,ନା ନିଜକୁ ସେଥିରୁ ମୁକ୍ତ କରିପାରୁଛି ?ଖବରଟି ଜାଣିବା ସଂଗେ ସଂଗେ ସିଏ ତ ,ନିଷ୍ପତ୍ତି ନେଇସାରିଥିଲା ,’ମା’ହେବାର ଏହି ସମ୍ଭାବନାଟିକୁ ମୁଳପୋଛ କରିଦେଇ ସେ ନିଜର କାର୍ଯ୍ୟକ୍ଷେତ୍ର ରେ ମନୋନିବେଶ କରିବ |କିନ୍ତୁ ……………ନା ……………..ନା …..ନିଜର ଏ ନିଷ୍ପତ୍ତି ସଂଗେ ନିଜେ ମଧ୍ୟ ସାଲିସ୍ କରିପାରିଲାନାହିଁ |କେଉଁ ଏକ ଅଦମ୍ୟ ଭରସାର ସହିତ ଜୀବନଟିଏ ତାକୁ ଆଶ୍ରୟ କରି ବଢିବା ପାଇଁ ଆଗେଇ ଆସିଛି ,ତାକୁ ମୂଳପୋଛ କରି ସେ କେମିତି ବା ତୁଟାଇ ଦେଇ ପାରିବ ତାର ବିଶ୍ବାସ ଆଉ ଭରସାକୁ ?ଏହା କଣ ହୋଇ ପାରିବ ତାର କର୍ତ୍ତବ୍ୟ ?
ଏବେ ମନୀଷା ଭିତରେ ଚାଲିଥିଲା ଅହରହ ସଂଗ୍ରାମ |ପୁଣି ସେ ଭାବି ଚାଲିଥିଲା ,ତା ଭିତରର ଏ ସମ୍ଭାବନା ଟିକୁ ନିର୍ବାପିତ କରିଦେଲେ ,ସତରେ କଣ ସେ ସେଥିରୁ ସମ୍ପୁର୍ଣ୍ଣ ମୁକ୍ତ ହୋଇଯାଇ ପାରିବ ?ରାକେଶ ତ ସମସ୍ୟାର ସମାଧାନ ବତାଇ ଦେଇ ଚାଲିଗଲେ ,କିନ୍ତୁ ଏଇଟା କଣ ସତରେ ହେଇପାରିବ ତା ପାଇଁ ସମାଧାନର ବାଟ ?
ଅନ୍ୟ ପକ୍ଷରେ ନିଜ ପାଇଁ ଏତେ କଷ୍ଟ କରି ଗଢି ତୋଳିଥିବା ଏଇ କ୍ୟାରିଅର ଟିକୁ ମଧ୍ୟ ଅବହେଳିତ କରି ଛାଡିଦେବା କଥା ଚିନ୍ତା କରି ପାରୁନଥିଲା ସେ |ଏହା କେବଳ ତା ପାଇଁ ନ ଥିଲା ଏକ ବୃତ୍ତିର କଥା ,ଏହି ବୃତ୍ତି ମାଧ୍ୟମରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସେ ସୃଷ୍ଟି କରି ଚାଲିଥିଲା |ତେବେ ……ତେବେ ଏ ବିବାହ କଣ ଥିଲା ,ତାର ଏକ ଭୁଲ ନିଷ୍ପତ୍ତି ?ଅତୀତ ର ସେହି ଦିନ ଗୁଡିକ ଆଜି ତା ଆଖି ଆଗରେ ନାଚି ଯାଉଥିଲା |ଅତ୍ୟାଧୁନିକ ଜୀବନଶୈଳୀ ରେ ବଢି ଆସିଥିବା ମନୀଷା ,ନିଜ ଜୀବନ କୁ ନେଇ କେତେ ଯେ ସ୍ବପ୍ନ ଦେଖି ନ ଥିଲା ………|ନିଜର ଏହି ପରିଚୟ ଟିକକ ସୃଷ୍ଟି କରିବା ପାଇଁ କେତେ ଯେ ପରିଶ୍ରମ କରି ନ ଥିଲା ?ଖାସ୍ ସେଇଥି ପାଇଁ ‘ମା’ ନୁହଁନ୍ତି ,’ବାପା ‘ଥିଲେ ତାର ଆଦର୍ଶ (ରୋଲ୍ ମଡେଲ୍ )|ଜୀବନର ପ୍ରତିଟି ପାଦରେ ନିଜକୁ ତୁଳି ଚାଲିଥିଲା ବାପାଂକ ସହିତ |
ବିବାହ ……….ସେ ଦିଗଟି ପ୍ରତି ସେ ଥିଲା ସମ୍ପୁର୍ଣ୍ଣ ଉଦାସୀନ |ସତେ ଯେପରି ସ୍ବପ୍ନର ଯେଉଁ ସିଡିରେ ସେ ଚଢିବାକୁ ଚାହୁଁଥିଲା ,ବିବାହ ଥିଲା ସେଥିରେ ଅନ୍ତରାୟ |ଆଜି ବି ଜଳ ଜଳ ହୋଇ ମନେ ପଡିଯାଉଛି ,ସେଇ ଦିନର କଥା ,ଯେଉଁ ଦିନ ରାକେଶ୍ ତାକୁ ବିବାହର ପ୍ରସ୍ତାବ ଦେଇଥିଲେ |ହଠାତ୍ ତାକୁ ସେ ଗ୍ରହଣ କରିପାରି ନ ଥିଲା |ଅବଶ୍ୟ ରାକେଶ୍ ସହିତ ତାର ବନ୍ଧୁତା ଥିଲା ନିବିଡ |କିନ୍ତୁ ବିବାହ ………..ନା ………,ଆଖିରେ ଆଖିଏ ସ୍ବପ୍ନକୁ ନେଇ ଯେଉଁ ସିଡିରେ ସେ ପାଦ ପକାଇ ଉପରକୁ ଉଠିବାର ଚେଷ୍ଟା ଚଳାଇଥିଲା ,ସେଥିରେ କୌଣସି ପ୍ରକାରର ପ୍ରତିବନ୍ଧକକୁ ପ୍ରଶ୍ରୟ ଦେବା କଥା ସେ ଚିନ୍ତା କରି ପାରୁ ନ ଥିଲା |
ସେଦିନ ରାକେଶ୍ ତାକୁ ଯେତେବେଳେ ପଚାରିବସିଥିଲେ ,ଆମର ଏ ବନ୍ଧୁତା କଣ ଗୋଟିଏ ସମ୍ପର୍କରେ ପରିଣତ ହୋଇପାରିବନି ?ହସିଦେଇ ପ୍ରତିଉତ୍ତରରେ ପଚାରିଥିଲା କେମିତିକା ସମ୍ପର୍କର କଥା ତୁମେ କହୁଛ ରାକେଶ୍ ?
ରାକେଶ୍ “ସାରା ଜୀବନ ଏକାଠି ଚାଲିବାର ପ୍ରତିଶ୍ରୁତି |”
“କିନ୍ତୁ ରାକେଶ୍ ତୁମେ କିଛି ଭୁଲ୍ କରୁନାହଁ ତ ?ତୁମେ ଭଲ ଭାବରେ ଜାଣିଛ ମୋ ଜୀବନରେ କ୍ୟାରିଅର ର ମାନେ କଣ
?ମୋ ଜୀବନର ସ୍ବପ୍ନ ,ମୋ ନିଜର ପରିଚୟ ,ମୋ ନିଜକୁ ମୁଁ କେଉଁଠି ଦେଖିବାକୁ ଚାହେଁ |କେବଳ ସେତିକି ନୁହେଁ ,ମୋ ପରିଚୟ ମାଧ୍ୟମରେ ମୁଁ ଜାଣିବାକୁ ଚାହେଁ ଏକ ନାରୀର ପରିଚୟ |”
“ତମେ ଜାଣିଛ ରାକେଶ୍ ……..?ଆଜି ମଧ୍ୟ ଯେଉଁ ପ୍ରଶ୍ନଟି ମୋଟ ବିବ୍ରତ କରେ,……..ଘର ସଂସାର ,ଆଉ ତାଭିତରେ ବାନ୍ଧି ହୋଇ ରହିଯିବା ,କଣ ଗୋଟିଏ ନାରୀର ପରିଚୟକୁ ଯଥାର୍ଥତା ଦେଇପାରେ ? ଏଇ ପ୍ରଶ୍ନର,ଉତ୍ତର ର ସନ୍ଧାନରେ ଏବେବି ମୁଁ ଜଣେ ଦିଗହରା ପଥିକ |”
ରାକେଶ୍ “କିନ୍ତୁ ମନୀଷା ,ତୁମେ କାହିଁକି ଭାବୁଛ ବିବାହ ନାରୀର ପରିଚୟକୁ ସୀମିତ କରିଦିଏ ?ରାଣୀ ଲକ୍ଷ୍ମୀବାଈ କୁହ ,ବା ଆଧୁନିକ ଯୁଗର ଥାଚର୍ କୁହ ,ଏମାନେ କଣ ବିବାହ କରିନଥିଲେ ?”
ମନୀଷା ହଠାତ୍ ଉତକ୍ଷି ପ୍ତ ହୋଇଯାଇଥିଲା |”ରାକେଶ୍ ,ମୁଁ ତୁମ ସହିତ କୌଣସି ଅବାନ୍ତର ଯୁକ୍ତି କରିବାକୁ ଚାହେଁନି |ତେବେ ତ ସବୁ ନାରୀ ଜଣେ ଜଣେ ଲକ୍ଷ୍ମୀବାଇ ,ନ ହେଲେ ଥାଚର୍ ହୋଇଯାଇଥାନ୍ତେ |ଆଜିର ଏକବିଂଶ ଶତାବ୍ଦୀରେ ଗୋଟିଏ ନାରୀକୁ ତାର ପରିଚୟ ଖୋଜିବା କଥା ଚିନ୍ତା କରିବାକୁ ପଡୁ ନ ଥାନ୍ତା |”
ରାକେଶ୍ “ମୁଁ ତମ ମନର ଆବେଗକୁ ବୁଝି ପାରୁଛି ମନୀଷା ,ତୁମକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ |କିନ୍ତୁ ଥରେ ବିଚାର କରି ଦେଖ ସତରେ କଣ କୌଣସି ପୁରୁଷ ଚାହିଁଲେ ,ନାରୀର ପରିଚୟକୁ ମ୍ଲାନ କରିଦେଇ ପାରିବ ?ଅବଶ୍ୟ ମୁଁ ତୁମ ଭିତରେ କେତେ ବିଶ୍ବାସ ସୃଷ୍ଟି କରିପାରିବି ସେ କଥା ଜାଣେନି ,କିନ୍ତୁ ଜୀବନ ଯାତ୍ରାରେ ସାଥିଟିଏ ହେବାର ପ୍ରତିଶ୍ରୁତି ନିଶ୍ଚୟ ଦେଇପାରିବି |”
ତେବେ ସେଦିନ ରାକେଶ୍ ର କଥା ପଦକରେ ସେ କଣ ଭଳି ଯାଇଥିଲା ?ବିବାହ କଣ ,କେବଳ ଥିଲା ତା ମନର ଏକ ଦୁର୍ବଳତା ?ଗୋଟିକୁ ପାଇବାକୁ ହେଲେ କଣ ଆଉ ଗୋଟିକୁ ଛାଡିବାକୁ ପଡିବ ?ତା ହେଲେ ଆଜି ପର୍ଯ୍ୟନ୍ତ ନିଜ ପାଇଁ ବାଛି ନେଇଥିବା ରାସ୍ତା ଟି କଣ ଭୁଲ୍ ଥିଲା ?ଏ ମାତୃତ୍ବ କଣ ଦେଇ ପାରିବ ତାକୁ ତାର ପରିଚୟ ? ଆଜି ଯେତେବେଳେ ଜୀବନର ଅନେକ ବାଧା ,ବିଘ୍ନ ଅତିକ୍ରମ କରି ସେ ସଫଳତାରେ ପାଦ ପକାଇବାକୁ ଯାଉଛି ,ସେତିକିବେଳେ ଏ ପୁଣି କେଉଁ ପ୍ରକାରର ଦ୍ବନ୍ଦ ?କେଉଁ ପ୍ରକାରର ପରୀକ୍ଷା ?ଆଜି କଣ ସେ ହାରି ଯାଇଛି ?
ସବୁଦିନେ ତା’ ପାଇଁ ଦୂର ଦିଗବଳୟରେ ଛିଡା ହୋଇଥିବା ,ବାପାଂକ ସ୍ଥାନରେ ଆଜି ଥିଲେ ‘ମା’ |କେମିତି ଏକ ତେଲ ଲୁଣ ଭରା ସଂସାରକୁ ଗ୍ରହଣ କରିପାରିଥିଲେ ସେ |ନିଜ ପାଇଁ କଣ ଏକ ପରିଚୟର ଆବଶ୍ୟକତା ନ ଥିଲା ତାଂକର ?
ତା ମନର ଧର୍ମକ୍ଷେତ୍ରରେ ଆରମ୍ଭ ହୋଇଯାଇଥିଲା ,ମହାଭାରତ ଯୁଦ୍ଧ |ଦ୍ବନ୍ଦ,ବିଷାଦ ଗସ୍ତ ଅର୍ଜୁନ ,ଆଗରେ ରଣଭୂମି ,ଶରୀର ପ୍ରକମ୍ପିତ ,ହାତରୁ ଗାଣ୍ଡିବ ଖସି ପଡୁଛି |
……………ନା ………………..ନା …………………….ନା……….. ଏତେ ଶୀଘ୍ର ପରାଜୟ କୁ ସେ ଗ୍ରହଣ କରିପାରୁ ନ ଥିଲା |
କେଉଁ ନିବୃତ୍ତ କୋଣରେ ଥିବା ଗପଟି ,ସତେ ଯେପରି ତାର ଲ୍ୟାପ୍ ଟପ୍ ପରଦାରେ ଭାସି ଉଠୁଥିଲା ……………….ଦେବୀ ପାର୍ବତୀଂକ ସଂଗ୍ରାମ ,ତାହା ପୁଣି ଦେବ ଦେବ ମହାଦେବଂକ ସହିତ ,ଅଜଣାତରେ ଯିଏ ହୋଇଯାଇଛନ୍ତି ,ତାଂକ ଶିଶୁଟିର ମୃତ୍ୟୁ ର କାରଣ |ଦେବୀଂକର ଦୃଢ ପ୍ରତିଜ୍ଞା ,ପୁତ୍ର ଯେବେ ଜୀବନ ଫେରି ନ ପାଇବ,ତେବେ ସିଏ କରିଦେବେ ଏ ସୃଷ୍ଟିକୁ ଧ୍ବଂସ |ସେଥିପାଇଁ ସେ କରି ଚାଲିଛନ୍ତି ଚଣ୍ଡି ,ଚାମୁଣ୍ଡା ପରି ଅସଂଖ୍ୟ ଶକ୍ତି ମାନଂକର ସୃଷ୍ଟି |ଦେବୀଂକୁ ଶାନ୍ତ କରିବାର ଆଉ କୌଣସି ଉପାୟ ନ ପାଇ ,ଶେଷରେ ହାର ମାନିଥିଲେ ଦେବ ଦେବ ମହାଦେବ |ଜୀବନ ଦାନ ପାଇଥିଲେ ପୁତ୍ର ଗଣେଶ |………………… …………. ଇଏ ହେଉଛନ୍ତି ସେହି ଦେବୀ ,ଯିଏକି କୌଣସି ଏକ ଜନ୍ମରେ, ସେହି ସ୍ବାମୀଂକ ପ୍ରତି ଅସମ୍ମାନକୁ ବରଦାସ୍ତ କରି ନ ପାରି ପିତ୍ରାଳୟରେ ,ନିଜକୁ ଯଜ୍ଞ କୁଣ୍ଡରେ ବିସର୍ଜନ ଦେଇଥିଲେ |କେତେବେଳେ ପୁଣି ସନ୍ତାନର ରକ୍ଷା ନିମନ୍ତେ ,ସ୍ବାମୀଂକ ବିରୁଦ୍ଧରେ ସଂଗ୍ରାମ ………………………………….?
ହଁ ………………………….ମାତୃତ୍ବ …….ଏକ ,ସଂଗ୍ରାମ ନିଶ୍ଚୟ ………,ନ ହେଲେ, ବନ୍ୟା ,ବାତ୍ୟା ଭଳି ପ୍ରାକୃତିକ ତାଣ୍ଡବଲୀଳା ରେ ମଧ୍ୟ ,ଏକ ଆସନ୍ନପ୍ରସବା ନାରୀ ,ମୃତ୍ୟୁ ନୁହେଁ ,ଜୀବନକୁ ଦେଖିପାରେ କିପରି ?ବିଭିଷିକା ମୟ ପରିସ୍ଥିତିରେ କେବଳ ସନ୍ତାନ ଜନ୍ମ ଦେଇ,କର୍ତ୍ତବ୍ୟ ଶେଷ ହୋଇଗଲା ବୋଲି ଭାବି ନ ଥାଏ ସେ ,ବରଂ ପ୍ରତିକୂଳ ପରିସ୍ଥିତି ସହ ସଂଘର୍ଷ କରି ଜୀବନକୁ ଆଗକୁ ବଢ଼ାଇ ନେବାର ପ୍ରତିଶ୍ରୁତି କୁ ବହନ କରିଥାଏ ସେ |
ମନୀଷାର ମନ ଭିତରେ କେହି ଯେପରି ,କହି ଚାଲିଥିଲା ,…….ନା …….ନାରୀ ……..ଅବଳା ,ଦୁର୍ବଳା ନୁହେଁ ,କୌଣସି ଦୁର୍ବଳ ପକ୍ଷରେ ଏଭଳି ଦାୟିତ୍ବ ଗ୍ରହଣ କରିବା ସମ୍ଭବ ନୁହେଁ ,ବରଂ ଦୁର୍ବଳତା କୁ ପ୍ରଶ୍ରୟ ଦେବା ନାରୀ ପକ୍ଷରେ ଏକ ଅପରାଧ ସମାନ |ଏଥିପାଇଁ ଯୁଗ ଯୁଗ ଧରି ନାରୀକୁ କେତେ ଯେ ,ସଂଗ୍ରାମର ସମ୍ମୁଖିନ ହେବାକୁ ପଡିଛି |ନାରୀ ଯେବେ ସଂଗ୍ରାମରୁ ବିରତ ହୋଇଛି ,ଅଥବା ସଂଗ୍ରାମରୁ ନିଜକୁ ଦୁରେଇ ନେଇଛି ,ସେତେବେଳେ ସମାଜ ତାର ଗତିଶୀଳତା ହରାଇଛି |ସମାଜ ଦୁର୍ବଳ ହେବା ସଂଗେ ସଂଗେ ନାରୀ ମଧ୍ୟ ଦୁର୍ବଳ ବୋଲି ଉପହସିତ ହୋଇଛି …………….|
ଆଜି ତା ଭିତରେ ଚାଲିଥିବା ଏଇ ସଂଗ୍ରାମ ଆଗରେ ,ବିଗତ ଦିନର ସଂଗ୍ରାମ ସତେ ଯେପରି ଫିକା ଫିକା ଲାଗୁଥିଲା ମନର ସମୁଦ୍ରରେ ,ଅନେକ ଲହଡି ,ଅନେକ ପ୍ରଶ୍ନ ଆଉ ଅନେକ ଉତ୍ତର ର ଲହଡି |କେଉଁ ପ୍ରଶ୍ନର ଉତ୍ତର ନ ଥିଲା ,ତ ପୁଣି କେଉଁ ଉତ୍ତରର ପ୍ରଶ୍ନ ନ ଥିଲା |କେଉଁ ପ୍ରଶ୍ନ ବିରାଟ ଲହଡ଼ି ଭାଂଗି ଆସୁଥିଲା ତ କେଉଁ ଉତ୍ତର ନିଜ ପାଇଁ ଛୋଟ ଲହରୀଟିଏ ମଧ୍ୟ ପ୍ରସ୍ତୁତ କରି ପାରୁନଥିଲା |ତଥାପି ସେମାନେ ଆସୁଥିଲେ ଆଉ ଯାଉଥିଲେ |
କେହି ଯେମିତି ତା’ କାନେ କାନେ କହି ଯାଉଥିଲା ,”ମାତୃତ୍ବ ଯେବେ ସଂଗ୍ରାମରୁ ବଂଚିତ ହେବ ,ସେଥିରୁ ଜାତ ସନ୍ତାନମାନେ ,ଜୀବନ ସଂଗ୍ରାମରେ ଲଢିବା ପାଇଁ ପ୍ରେରଣା ପାଇବେ କେଉଁଠାରୁ ?” ବାହାରକୁ ଚାହିଁଲା ମନୀଷା ,ରାତ୍ରୀ ଗଭୀରରୁ ଗଭୀରତର ହେଉଥିଲା |ଆଉ ସେଇ ଗଭୀର ରାତ୍ରୀ ନିରବରେ ନିଜକୁ ପ୍ରସ୍ତୁତ କରୁଥିଲା ସକାଳର ସୂର୍ଯ୍ୟ ନ୍କୁ ସ୍ବାଗତ କରିବା ପାଇଁ |
Comments
Powered by Facebook Comments