Tume by Himanshu Parida
ତୁମେ ( tume) By Himanshu Parida
ତୁମେ
ତୁମ କବିତାରେ ତୁମେ ବହୁତ କଥା କୁହ
ମୁଁ ବି ଅର୍ଥ କାଢେ ଯାହା ମୋ ପାଇଁ ଦରକାର ।
ସୁନ୍ଦର ସୁନ୍ଦର ଶବ୍ଦରେ ମନକୁ ବାଢି ଦିଅ
କଳ୍ପନାର ଛଟା ଦିଅ
ହୃଦୟ କୁ କର ଯେତିକି ଲୋଭନୀୟ
ସେତିକି ସୁନ୍ଦର ।
ତୁମେ କୁହ; ମନ କଥା ଦେଖାଇଲେ ହିଁ
କହିବା କଥା ସୁନ୍ଦର !
ତୁମ କଥା ତୁମ କବିତା
ମୋ ପାଇଁ ଅତି ପ୍ରିୟ
ଯାହା ସୃଷ୍ଟି କରେ
ମୋ ମନରେ ଆକର୍ଷଣ ର ଉତ୍ସ ,
ଯେମିତି ବହୁଥିବା ଝରଣା ର ଅବିରତ ଧାର ।
ଆଖି ଆଗେ ଖେଳୁଥାଏ
କାଚ କେନ୍ଦୁ ଜଳ ରେ ସୁନାର ମାଛ ।
ମୁଁ ଦେଖେ ତୁମର ଦେହକୁ
ଯେ ସୃଷ୍ଟି କରି ପାରେ ଏତେ ସୁନ୍ଦର ସୃଷ୍ଟି !
ଧାଇଁ ଯାଏ ଧରିବାକୁ
ଯେତେ ଯେତେ ପାଏ ଲାଗେ ସେତେ ବାକି ରହିଲା
ପାଇବାକୁ,
ମୋ ଆଗରେ ଝଲମଲ ତୁମେ ସୁନାର ହରିଣ ,
ଜୀବନ ମୋ ହୋଇଯାଏ ତୁମର ପଶ୍ଚାଦ୍ଧାବନ ।
ବସି ଭାବୁଥାଏ ଯେତେବେଳେ
ଲାଗୁଥାଏ ସବୁ ଭଲ
ଯେମିତି ଉଠିଯାଏ ଧରିବାକୁ ତାକୁ
ଭାବେ କରିବି ନିଜର
ସେ ଧାଉଁ ଥାଏ ସେତେ ସେତେ ଦୂର ।
ଦୂର ଆକାଶ ର ତାରା ଯେମିତି
ଲାଗେ ଏତେ ପାଖରେ
ପାଇବାକୁ କେତେ ଯେ ଦୂର !
ମୋ ଦେହରେ ଝଲସୁ ଥାଏ
ତାର ଆଲୋକର ଧାର ।
ଏବେ ଜାଣେ ;
ଦେଖିବାକୁ ତୁମେ ବୁଝିବାକୁ ଯାହା
ଧରିବାକୁ ଗଲେ ତୁମେ ଅଲଭ୍ୟ ।
ଯେମିତି ସୁନା ଫରୁଆ ଭିତରେ ଭଅଁର
ପୋତି ହୋଇଛି
ଖୋଜି ଖୋଜି ଚାଲିଛି ମୁଁ
ସାତ ତାଳ ଜଳ ।
ତୁମେ ଭାସୁଥାଅ ପଦ୍ମ ଫୁଲ ପରି
ହୋଇପାରେ ତୁମ ସୃଷ୍ଟି ମୋର କଲ୍ପନାରେ
ଯୋଡି ହୋଇଯାଇଛ
ମୋ ସଙ୍ଗେ ଯେମିତି ମୋ ନାଭି କେନ୍ଦ୍ର ।
ଧାଉଁ ଥାଏ ଧରିବାକୁ
ତୁମକୁ କରିବି ନିଜର
ଖୋଜିବା ସରେନା
ତୁମେ ହୁଅ ଜୀବନରେ ମୋର
ଚରମ ରହସ୍ୟ ।
ମତେ ଲାଗେ ବହୁତ କିଛି ବାକି ରହିଥାଏ
ବୁଝିବାକୁ ତୁମକୁ
ତୁମେ ଜଳି ଜଳି ଆଲୋକ ସୃଷ୍ଟି କରୁଥିବା ସୂର୍ଯ୍ୟ
ନ ଜୋଛନା ର ଅଣାୟତ୍ତ ଚନ୍ଦ୍ର ?
ମୁଁ ଧାଉଁଥାଏ ତୁମକୁ ପାଇବା ପାଇଁ
ମୋର ସାରା ଜୀବନର ଲକ୍ଷ୍ୟ ।
ଦେହରେ କ୍ଳାନ୍ତି
ମନରେ ଅବସାଦ ଭରା
ଯେମିତି ଦିନଯାକର ଚେଷ୍ଟା ପରେ
ଭାଙ୍ଗି ଯାଇଛି ପାଉ ପାଉ ସ୍ଵପ୍ଣ ।
