ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି – ରଶ୍ମି ମିଶ୍ର

Spread the love

ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି – ରଶ୍ମି ମିଶ୍ର

ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି।ସେଥିପାଇଁ ଆଜିକାଲି ଭୋଜିରେ ଠିଆ ହେଇ ଖାଇବା ହଉଚି।ବଫେ (buffet system),ହାତ ରେ ଖାଇବା  ଥାଳି ଧରି ମାଗି ମାଗି ବୁଲି ବୁଲି ଖାଇବା।ଏଥିରେ ପରଶିବା ହଇରାଣ ନାହିଁ, ଅଳପ ଯାଗା ରେ ବହୁତ ଲୋକ ଖାଇବେ।ଆଜିକାଲି ର ଭୋଜି ବି କାହିଁ ରେ କଣ।ସୁପ୍,ସାଲାଡ୍,ଷ୍ଟାଟର,ମେନ କୋର୍ସ,ଡେଜର୍ଟ ,କୋଲ୍ଡ ଡ୍ରିଙ୍କସ୍,ନିଆଁ ଲଗା ପାନ ଆହୁରି କେତେ କଣ।କଣ ଖାଇବ,କେତେ ଖାଇବ ଖାଉଥା।ଆଇଁଷ ରେ ଦଶ ପ୍ରକାର ,ନିରାମିଷ ରେ ପନ୍ଦର ପ୍ରକାର ।କେତେ ଖାଇବ।

ଏସବୁ ହୁଏତ ବର୍ତ୍ତମାନ ସମୟ ର ଆବଶ୍ୟକତା।

ଆଉ କାହାକୁ କଣ ଲାଗେ ମୁଁ ଜାଣିନି।ହେଲେ ଏସବୁ ଭୋଜିର ଖାଦ୍ୟ ମୁଁ ପସନ୍ଦ କରି ପାରେନି।ମେଞ୍ଚା ମେଞ୍ଚା ତେଲ,ମସଲା ଆଉ ଛଣା ଛଣି ର ବ୍ୟଞ୍ଜନ।କିଛି ଖାଇବା ପରେ ଛାତି ଜଳା ଆଉ ଆମ୍ବିଳା ଏଉଡି ଆସେ।ଆଉ ଭୋଜି ପର ଦିନ ମନ ହୁଏ ପାଣିପୁରା ପଖାଳ ଆଉ ଆଳୁ ବାଇଗଣ,ଟମାଟୋ ,ବଡି ଲୁଣପାଣି,।ନହେଲେ ଭାତ ଆଉ ଡାଲମା ଟିକେ।ଆଃ କି ଶାନ୍ତି।

ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି - ରଶ୍ମି ମିଶ୍ର
ଠିଆ ହେଇ ଖାଇଲେ ବୋଧେ ନଈ ବାଲି ସରେନି – ରଶ୍ମି ମିଶ୍ର

 ମୋ ପିଲାଦିନ ସମୟ ର ଭୋଜି କଥା ଭାରି ମନେ ପଡୁଚି ।ତଳେ ବସି ଶାଳ ପତ୍ର ଖଲି ରେ ଭୋଜି ଖାଇବା କି ଆନନ୍ଦ।ଶାଳପତ୍ର ର ଗୋଟିଏ ସ୍ୱତନ୍ତ୍ର ବାସ୍ନା ଥାଏ।ସେଥିରେ ଭାତ,ବହଳିଆ ମୁଗ ଡାଲି, ତରକାରୀ, ଖଟା ଆଉ ଖିରୀ।କି ବାସ୍ନା କି ସୁଆଦ।ଶୀତ ଦିନିଆ ଭୋଜି ହେଲେ ପତ୍ରକୋବି ତରକାରୀ ଆଉ ଟମାଟୋ ଖଟା ନିଶ୍ଚୟ ହେଇଥିବ।କେହି କେହି ପତ୍ରକୋବି ରେ ସରୁ ଚିଙ୍ଗୁଡି ପକେଇ ତରକାରୀ କରିଥାନ୍ତି।ସେ ସମୟ ର ସେ କୋବି ର ବାସ୍ନା ଆଉ ସ୍ବାଦ ଆଜି କାଲି ର କୋବିରେ ଆଉ ନାହିଁ।ଏବେ ତ ସବୁ କେମିକାଲ ସାର ପିଡିଆ ଦିଆ ପରିବା।ସେଥିରୁ ଅସଲି ମହକ ଆସିବ କୋଉଠୁ। ଏବେ ତ ସବୁ ଋତୁ ରେ ସବୁ ପରିବା ବି ମିଳୁଚି।ବର୍ଷ ସାରା କୋବି,ଟମାଟୋ, ଧନିଆପତ୍ର ମିଳୁଚି।ହେଲେ ମୋ ପିଲା ଦିନ ସମୟ ରେ କେବଳ ଶୀତ ଦିନରେ ଏସବୁ ମିଳେ।ଶୀତ ଦିନ ବାଦ୍ ଅନ୍ୟ ସମୟ ରେ ହୁଏ ଘାଣ୍ଟ ତରକାରୀ।ଆହା କି ସୁଆଦ।ଆଳୁ,ଖମ୍ବଆଳୁ,ସାରୁ,କଖାରୁ ବାଇଗଣ, କଞ୍ଚା କଦଳୀ ଆଉ ବୁଟ ପଡି ସେ ତରକାରୀ ହୁଏ।ପାତୁଆ ମାଛ ଟିକିଏ ପଡିଲେ ତ ତାର ସ୍ବାଦ କାହିଁ କେତେ ବଢିଯାଏ।ଆଜି କାଲି ର ଏସବୁ ଚିଲି ଚିକେନ,ମଟନ ରୋଗନ,ବାଲିପ୍ରନ,ପନୀର,ମଶରୁମ ସେ ସମୟ ମୁଢିଘାଣ୍ଟ ର ସ୍ବାଦ ଆଗରେ କିଛି ନୁହେଁ।।ସେ ସ୍ବାଦ ମନେ ପଡିଲେ ଏବେ ବି ପାଟି କୁ ପାଣି ଆସି ଯାଉଚି।ଭୋଜିରେ ଅଧିକ ପ୍ରକାର ହୁଏନି।ଯେତିକି ହୁଏ ସମସ୍ତେ ପେଟ ପୁରେଇ ମନ ଶାନ୍ତିରେ ଖାଆନ୍ତି।ସମସ୍ତେ ତଳେ ନହେଲେ ବେଞ୍ଚ ରେ ବସି ଖାନ୍ତି।ପରଷିବା ପାଇଁ ଲୋକ ଥାଆନ୍ତି।ମନ ଜାଣି ଖାଦ୍ୟ ପରଷି ଦିଅନ୍ତି।କେହି ବି ଖାଦ୍ୟ ନଷ୍ଟ କରନ୍ତିନି।ଆଜିକାଲି ଯେତିକି ଖାଦ୍ୟ ନଷ୍ଟ ହଉଚି ଦେଖିଲେ ଖରାପ ଲାଗୁଚି।

ସବୁ କିଛି ତ ସମୟ ସହ ତାଳ ଦେଇ ବଦଳି ଚାଲିଚି।ସେମିତି ଖାଦ୍ୟ ପାନୀୟ ବି ସମୟ ରୁଚି ଅନୁସାରେ ବଦଳି ଚାଲିଚି।

More About Writer – Rashmi Mishra , She is a Poet, short story writer, narrator about our culture and festivals. 


Proud Odia

No comments.

Leave a Reply