ମାତୃଭୂମି – ସ୍ବଭାବ କବି ଗଙ୍ଗାଧର ମେହେର

Spread the love

ମାତୃଭୂମି -ସ୍ବଭାବ କବି ଗଙ୍ଗାଧର ମେହେର

ଯେ କାଳେ ବାଳକ ବୁଲି ଯାଇପାରେ
ପଡ଼ୋଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା’ ସଙ୍ଗୀ ବାଳକଙ୍କର୤
ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡ଼ୋଶୀ ପଡ଼ାକୁ
ଆପଣାର ମଣିଥାଏ୤
ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର୤
ଆପଣା ଗ୍ରାମର ନଦୀ ପୁଷ୍କରଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ; ପୁଣି ସେହି-
ସବୁକୁ ମଣଇ ଭଲ୤
ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚ଼ରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ-
ଲୋକଙ୍କର ଶ୍ରେଷ୍ଠପଣ୤
ହାତୀ ଘୋଡ଼ାଠରୁ ଛେଳି ମେଣ୍ଢାଯାଏ
ସବୁ ତା ରାଜ୍ୟର ଭଲ,
ସକଳ ସୁଖର ଆକାର ତାହାରି
ରାଜ୍ୟଟି ଅଟେ କେବଳତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ବର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର୤
ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି୤
ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ବପତିଙ୍କର ବିଶ୍ବଗୃହେ ଅଟେ
ସେ ତେତେ ଯୋଗ୍ୟେ କୁମାର୤
ଏହିରୂପେ ଗ୍ରାମ- କଥା, ରାଜ୍ୟକଥା,
ଦେଶକଥା, ବିଶ୍ବକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା୤
ମାତୃଭୂମି ମାତୃ- ଭାଷାରେ ମମତା
ଯା ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନି- ଗଣରେଗଣିବା
ଅଜ୍ଞାନ ରହିବେ କାହିଁ ?


Proud Odia

No comments.

Leave a Reply