ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା – Part 2

Spread the love

ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା – Part 2

ମୁଁ ଶ୍ରୀମନ୍ଦିର କହୁଛି।
ତମେ ଦେଖିନ ମୁଁ ଦେଖିଚି।
ଆକବର, ବାବର ଆଉ ଔରଙ୍ଗଜେବମାନଙ୍କର ଇତିହାସ ଲେଖି ଲେଖି ତମେ ସିନା କ୍ଲାନ୍ତ।ନାନାସମ୍ମାନ ଭୂଷିତ ଓ ଉପଢୌକନବନ୍ତ।
କିନ୍ତୁ ମୁଁ?ମୁଁ ତ ପ୍ରତିମୁହୂର୍ତରେ ସ୍ମରଣ କରିଛି ସେଇମାନଙ୍କୁ, ଯୋଉମାନେ କାଠଖଣ୍ଡକୁ ଭଲପାଇ ଉଜାଡ଼ି ଦେଇଛନ୍ତି ନିଜକୁ।କାଠଖଣ୍ଡକୁ ମୋ ଗମ୍ଭୀରା ଭିତରେ ସୁରକ୍ଷିତ ରଖି ସଗର୍ବେ ବାହୁଡିଛନ୍ତି ସ୍ୱର୍ଗକୁ।
କେତେ ଯେ ଚରିତ୍ର।
କେତେ ଯେ ଭକ୍ତ!
କାହା କଥା କହିବି?
ମନେ ପଡୁଛି, ମନେପଡୁଛି ବ୍ରହ୍ମଗିରି କୋକଲ ଗାଁର ସେ ଏଗାର ବର୍ଷର ଶିଶୁ।
ମଙ୍ଗୁଳି।
ମଙ୍ଗୁଳି ମଳିକ ।
ଗାଁ ସାରା ଲୋକ ତାକୁ ରଥ ମଙ୍ଗୁଳି ବୋଲି ଡାକନ୍ତି।
ବୋପା ଲକ୍ଷ୍ମଣ ମଲିକ ଗଛ କାଟେ।ତାର ନଅଟା ଛୁଆରୁ ମୋ ମଙ୍ଗୁଳି ଥିଲା ଷଷ୍ଠ।
ବୋଉ କହେ ମଙ୍ଗୁଳିରେ ଗଣ୍ଡେ ଖାଇଦେ।ତା’ପରେ ଖେଳିବୁ।ଉସୁମାନିଆ ମଙ୍ଗୁଳି କିନ୍ତୁ ଶୁଣେନି ମା’ର ଡାକ।ଚିରା ନାଲି ଗାମୁଛାଟିକୁ ନଙ୍ଗୁଟି କରି ଅଣ୍ଟାରେ ଖୋସେ। ବାହାରି ପଡେ ନଡ଼ିଆ ବାଡି। ସେଇଠି ବାହୁଙ୍ଗା ସିଢେଇ ଝୁଣୁକା କାଢେ ।ଗୋଟମା ଗୋଟେଇ ଆରମ୍ଭ କରେ ରଥଟେ।ପାଞ୍ଚ ଗୋଟମା କୁ ଆଠ ଝୁଣୁକା।ତିଆରି ହେଇଯାଏ ରଥ। ତାପରେ ମଙ୍ଗୁଳି ଧାଏଁ ଓକଲ ମୌଜାର ଡେଙ୍ଗା ଗହୀର ଆଡେ।ଖୁବ ସଚେତନତା ସହ କୁମ୍ଭାର ପୁଅର ମାଟି ଖାଲରୁ ଦି ବିଉଁଳା ଚକଟା ମାଟି ଧରି ସେ ଧାଇଁବା ଆରମ୍ଭ କରେ ନଡ଼ିଆବାଡି ଆଡେ।ପବନ ବେଗରେ ଧାଉଁ ଥାଏ, ଏଣେ ଡକାପାରୁଥାଏ ଓକଲ ଗାଁର ମଳିକ ସାହିର ପିଲାମାନଙ୍କୁ।
-ହଇରେ ପବନା!
ନଣ୍ଡା !!
ପୋଇନାଟି!!! ,
ମଳିକ ସାହିର ଯେତେ ଛୁଆ ଆଅରେ।ରଥରେ ମାହାପୁରୁ ବଇବେ। ହଇବେ କାଲାପୁଅ ରଘୁଆ!ଆଉନୁ ବେ,ତତେ ଶୁଗୁନି କିରେ! ନ ଆଇଲେ ପଞ୍ଚୁଆକୁ ଠାକୁର ରାଜା କରିଦେମି ଯେ, କାନ୍ଦୁଥୁମୁ ପୁଅ।
ମଙ୍ଗୁଳି ପାଟିରୁ କଥା ନସରୁଣୁ ଆଉ ଦଳେ ନଙ୍ଗଳା ଛୁଆ ଧାଆଁନ୍ତି ମଙ୍ଗୁଳି ପଛରେ।ମୋ ଦିହୁଡ଼ିଆ ସେବକ ଦିହୁଡ଼ି ଧରିଲେ ,ଯେମିତି ତା ପଛେ ପଛେ ଝରିପୋକ ଗୋଡାନ୍ତି।ସେମିତି।ଠିକ ସେମିତି ସେ ଦୃଶ୍ୟ।
ତା’ପରେ ଚଞ୍ଚଳ ହୁଏ ମଙ୍ଗୁଳିର ପାପୁଲି।ଆଖି ପିଛୁଳାକେ ମଙ୍ଗୁଳି କାଦୁଅ ଚକଡ଼ି ଗଢିବା ଆରମ୍ଭ କରେ ମାହାପୁରୁଙ୍କୁ।ଥାଳିପଟ ମୁହଁକୁ ଲମ୍ବା ଲମ୍ବା ହାତ। ଆଉ ସାନ ଟେଳାଏ କାଦୁଅକୁ ହାତରେ ବଳି ତାକୁ ଧନୁର ଆକାର ଦିଏ ମଙ୍ଗୁଳି।ପିଞ୍ଚେଇ ଦିଏ ମାହାପୁରୁଙ୍କ ମୁହଁ ଅଧାରେ।କହେ -,ଦେଖମେ, ମାହାପୁରୁଙ୍କ ପାଟି।
କାଲା ପୁଅ ରଘୁଆ ଠାକୁର ରାଜା ହେବାକୁ ତା ବୋପାର ମଳିଚିଆ ଗାମୁଛାକୁ ପଗଡ଼ି ପାଗ କରୁ କରୁ ପଚାରେ-କିବେ ମଙ୍ଗୁଳି!ଏଡ଼େ ପାଟି କଣ ମେ?ଆମ ମଳିକ ସାହିରେ ଇଡେ ପାଟି ତ କାହାର ନାହିଁ।
-ତୁ ଜାଣିନୁ କିମେ!ମାହାପୁରୁ ପା ହାଣ୍ଡିରେ ଖାଇମେ।ପାଟି ହାଣ୍ଡି ଭଳିଆ ହେଲେ ସିନା ହାଣ୍ଡିରେ ଖାଇମେ।ତୁ ଆଗରୁ ଉଠମେ।ନହେଲେ ତେତେ ଖାଇମେ।
କାଲା ପୁଅ ରଘୁଆ ଡରିଯାଏ। ସତ ସତିକା ପାଖେଇ ଯାଏ।ଏଣ୍ଡୁଳା ପରି ଆଖି କରି ମଙ୍ଗୁଳି ହାତର ଅଧାଗଢା ମାହାପୁରୁଙ୍କୁ ଚାହେଁ।ଗାମୁଛାରେ ପଗଡ଼ି ଭିଡା ବନ୍ଦ କରି ବାଁ ହାତ ପାପୁଲିକୁ ନାକରେ ଘସେ।ସିଙ୍ଗାଣି ପୋଛେ।
ଭାବେ ଏ ମାହାପୁରୁ ଏମିତିଆ କି ମାହାପୁରୁ ମେ?ଥରେ ମୁଁ ପା ହାତ ପୁରେଇ ମାଟି ହାଣ୍ଡିରୁ ଗଂଅଠେ ମାଣ୍ଡିଆ ଜାଉ ଖାଇଲି ବୁଲି, ମୋ ବୋଉ ପିଜୁଳି ଡାଳିଆ ରେ ବାଡେଇ ମୋ ପିଠିରେ ନୋଳ ପକେଇ ଦେଇଥେଲା।ବାପା କୋଚିଆ ଧରି ଯାଇଥେଲା ଯେ, ଆଇକି ବୋଉଠୁ ଶୁଣି ମୋତେ ଫେଣେ ତାନେ ମାଇଲା।ଏ ମାହାପୁରୁଙ୍କ ବାପାବୋଉ ନାଆନ୍ତି ନା କଣ ମେ?
ଏତେବେଳକୁ ମଙ୍ଗୁଳି ଝୁଣୁକା ଖୋଦେଇ କରି ଫିଟାଏ ମାହାପୁରୁଙ୍କ ଆଖି ।କଷି କେନ୍ଦୁ ଦି’ଟା ଆଖି ମଝିରେ ଗେଞ୍ଜି କହେ-ଦେଖମେ, ମାହାପୁରୁଙ୍କ ଡୋଳା।
ମୁଣ୍ଡିଆ ମାରୁନ, ଚାହିଁଛ କଣ ମେ ପେଲେଇପୁଅ? ମଙ୍ଗୁଳି ମୁହଁରୁ ଏକଥା ଶୁଣି କୋକଲ ମଳିକସାହିର ଗୋଟାଯାକ ଛୁଆ ଗଛକାଟିଲା ପରି ଭୁଇଁରେ ପଡନ୍ତି।ସାଷ୍ଟାଙ୍ଗ ମୁଦ୍ରାରେ।କାଲା ପୁଅ ରଘୁଆ ଚତୁରି ମାସିଆ ବେଙ୍ଗ ପରି ଡେଇଁ ପଡ଼ି କହେ-ଘୁଞ୍ଚ ମେ।ମେତେ ମଝି ଠା ଛାଡ଼, ମୁଁ ପା ଠାକୁର ରାଜା।
ବିଶ୍ୱାସ ହେଉନି ନା?ଆଜିକୁ ପାଞ୍ଚଶ ବର୍ଷ ତଳେ ଏହାଥିଲା ଭାବ-ଭକ୍ତିର ଧାର ନଧାରି ମହାପ୍ରଭୁଙ୍କୁ ଆମୋଦ ଉଦ୍ଧେଶ୍ୟ ରେ ଭଲପାଉଥିବା ଶିଶୁମାନଙ୍କ ଜୀବନ ଶୈଳୀ।ବ୍ରହ୍ମଗିରି ମୂଲକର କୋକଲ ଗାଁରେ। ହଁ କେହି କେହି ଗଡ଼କୋକଲ ବୋଲି କୁହନ୍ତି ଏ ଗାଁକୁ।
ସମୟ ଆଗକୁ ବଢ଼ୁଥିଲା।
ବଢ଼ୁଥିଲା ବି କୋକଲ ଗାଁର ମଳିକ ସାହିର ପିଲାମାନଙ୍କର ବୟସ।ସେତେବେଳକୁ ଅନ୍ଧାର ଓ ଅପନ୍ତରାରେ ଭରା କୋକଲ ମୂଲକ।ଏଣେ ମୋ ଉପରେ ,ମାନେ ଏ ଶ୍ରୀମନ୍ଦିର ଉପରେ ଘନ ଘନ ବାହ୍ୟ ଶତ୍ରୁଙ୍କର ଆକ୍ରମଣ।କୋକଲ ମଳିକ ସାହିର ସେ ଛ ସାତ ବର୍ଷର ପିଲାମାନଙ୍କୁ ଏବେ ଏଗାର ବାର ବର୍ଷ ହେଇସାରିଥିଲା।ତାଙ୍କ ବୋପା ମା ମାନେ ଜମିଦାରଙ୍କ ଜାଗିରି ଖାଉଥିଲେ ଆଉ ପ୍ରତିଦାନରେ ହାଡ଼ ଭଙ୍ଗା ଖଟଣୀ ଖଟୁଥିଲେ ଯମିଦାରଙ୍କ ପାଇଁ।
ସେତେବେଳକୁ ଏକରାମ ଖାନର ଆକ୍ରମଣ କାଳ।ମସିହା 1692।ମାସ ବୈଶାଖ।ହଠାତ ଖୋର୍ଦ୍ଧା ଆଉ ଚିଲିକା ଅଂଚଳରେ ଖେଳିଗଲା ଗୁଜବ।ଔରଙ୍ଗଜେବର ସେନାପତି ଏକରାମ ଖାଁ ବଡ଼ ଦେଉଳକୁ ଭାଙ୍ଗି ସେ ପଥର ଗଦା ଉପରେ ଆଲ୍ଲା ହୋ ଆକବର ଡାକିଲା।ବଡ଼ଠାକୁର ଓ ସୁଭଦ୍ରାଙ୍କୁ ଚୁଲିର ଜାଳ ବନେଇ ନିଜ ପାଇଁ କିଆଫୁଲରେ ଅତର ରାନ୍ଧିଲା।ଆଉ କାଫେର ମାନଙ୍କ ଦେବତା ଜଗନ୍ନାଥଙ୍କୁ ଔରଙ୍ଗଜେବକୁ ଉପହାର ଦେବାକୁ ସେ ବ୍ରହ୍ମଗିରି ଦେଇ ଚିଲିକା କୂଳକୁ ଯାଉଛି।ସେଠୁ ଯିବ ବିଜଗପତମ।ବିଜଗପତମ(ଆଜି ଭାଇଜାଗ)ରୁ ନବାବ ନୁର ପଟୋଦିଙ୍କୁ ସାଙ୍ଗରେ ଧରି ସ୍ଥଳ ପଥରେ ଲେଉଟିବ ଦିଲ୍ଲୀ ଦରବାର।ଗାଁ ଗାଁରେ ଭୟ।ପଡିଗଲା ତାଟି କବାଟ।ପଡିବନି କେମିତି ?ଲୋକ କହୁଛନ୍ତି ଏକ୍ରମ ଖାଁ ଫେରିଲା ବେଳେ ରକ୍ତମୁଖା।ଯାହାକୁ ଦେଖୁଚି ହାଣୁଛି।ସୁନ୍ଦର ଝିଅ ବୋହୁଙ୍କୁ ଦେଖିଲେ ତାଙ୍କୁ ନେଇ ତୋଫା ଦେଉଛି ତା ସୈନ୍ୟ ମାନଙ୍କୁ।କାହା ଘର ଆଗରେ ଉଚ୍ଚା ଚଉରା ଟେ ଦେଖିଲେ ଫିଙ୍ଗି ଦେଉଛି ଗୋରୁ ମାଂସ।ଉଚା ପିଣ୍ଡାଥିବା ଲୋକଙ୍କ ଘରେ ପଶି ବୋହି ନେଉଛି ସିନ୍ଦୁକ।ଭାଙ୍ଗି ଦେଉଛି ଅଁମାର।
ଖରଦିନିଆ ପବନ ପରି ଏକଥା ବି ପହଂରି ସାରିଥିଲା କୋକଲ ଗାଁରେ।ଚିହିଁକି ଉଠିଲା ମଙ୍ଗୁଳି। ଆମ ଗେଟମା ଗୋସେଇଁ ମାହାପୁରୁଙ୍କୁ ପେଲେଇ ପୁଅ ପଠାଣ ନେଇଜିମ ଭାବିଛି।ଛାଡିମିନି।କାଲା ପୁଅ ରଘୁଆ କହିଲା-ଅନାନି ମୁଁ ଠାକୁର ରାଜା, ମାରିବି ବାଟୁଳିଖଡା ଯେ, ନଅ ଦିନ ଘରେ ଶୋଇମ ମିଆଁ।ଦଶ ବାର ବର୍ଷର ପିଲାମାନଙ୍କ ଏ ବାଚଳାମୀ ଦେଖି ମଳିକ ସାହିର ଲୋକ ମାନେ ହସୁଥିଲେ।
ତହିଁ ଆରଦିନ ସକାଳ।କଣାସ ମଠର ମହନ୍ତ ଙ୍କ ତରଫରୁ ଗାଁ ଗାଁ ଡେଙ୍ଗୁରା ବୁଲିଲା।ଶୁକ୍ରବାର ଶନିବାର ଗାଁ ଲୋକ ଘରୁ ବାହାରକୁ ବହାରିବନି।ଏକ୍ରମ ଖାଁ ତା ଫୌଜ ସହ ଏଇବାଟେ ଚିଲିକା ଫେରୁଛି।
ହଉ, ଦେଖିମା।କୋଉ ବାଟେ ଯିବ ସେ ଏକ୍ରମ ଖାଁ।
ଗାଁର ସବୁ ଲୋକ ତାଟି କବାଟ ପକେଇ ଶୋଇ ସାରିଥିଲେ।ରାତିର ଅନ୍ଧାର ବହଳ ହେଇ ସାରିଥିଲା।କୋକଲ ମଳିକ ସାହିରୁ ବାହାରିଥିବା ନାବାଳକ ସେନା ତାଙ୍କ ଗେଟମା ଗୋସେଇଁ ମହାପ୍ରଭୁଙ୍କୁ ବଞ୍ଚେଇବାକୁ ଯାଇ ପହଁଚି ସାରିଥିଲେ କୋକଲ ଗାଁ ମୁଣ୍ଡରେ ଥିବା ଭୁତ ବରଗଛ ପାଖରେ।ବିଶାଳ ଏକ୍ରମ ସେନାକୁ ବିରୋଧ କରିବେ ମାତ୍ର ନଅଟି ଶିଶୁ।ହୀନବୀର୍ଯ୍ୟ ମାନେ ପତ୍ନୀକୁ କୋଳରେ ଧରି ଅନେକ ଆଗରୁ ଶୋଇ ସାରିଥିଲେ।ଏଇ ଶୁଭିଲାଣି ଘୋଡାଟାପୁ।ଦିଶିଲାଣି ଦିହୁଡ଼ି।ମଙ୍ଗୁଳି ଗଛର ଦୁଇ ଦୁଇ ଟା ଡାଳକୁ ଏକାଠି ଭିଡିଦେଲା ଗୋଟିଏ ଲେଖା କତା ଦୌଡିରେ।କାଲା ପୁଅ ଠାକୁର ରାଜା ହାତରେ କଟୁରି ଧରି ବସିଲା ଗଛ ଉପରେ।ଆଅରେ ପଠାଣ ,ଦେଉଛି ଏଥର।ପଠାଣ ଘୋଡା ଚଢି ଆସିବେ ତ ସେ କଟୁରି ରେ ଚୋଟ ପକେଇବ ଦୌଡିକୁ।ଭିଡା ହେଇଥିବା ଗଛଡ଼ାଳ ନିଜ ସ୍ଥାନକୁ ଫେରିବା ବେଳେ ଉଡେଇ ନେବ ଏକ୍ରମ ଖାଁ ର ମୁଣ୍ଡ।
ଦିହୁଡ଼ି ଦିଶିଲାଣି।ଆଗ କହିଲା ପୋଇନାଟି।ସମସ୍ତେ ପ୍ରସ୍ତୁତ।ଆସୁଛି ଏକ୍ରମ ସେନାର ଗୋଟେ ଦଳ।କିଏ ଏକ୍ରମ, କିଏ ସେନା ଚିହ୍ନିବା କଷ୍ଟ।ସୈନ୍ୟ ବରଗଛ ପାଖ ହେଲା ବେଳକୁ ଆଖି ଠାର ଦେଲା ମଙ୍ଗୁଳି।ଏବେ କାଲା ପୁଅକୁ ରୋକେ କିଏ?ଠୋ ଫଟାସ ଚୋଟଟା ଦେଲା ବରଗଛର ଡାଳକୁ।ମହାବାତ୍ୟା ଶବ୍ଦର ଭ୍ରମ ସୃଷ୍ଟି କରି ଡାଳ ଯାଇ ସିଧା ଏକ୍ରମ ସେନାର ସୈନିକ ମାନଙ୍କୁ ଚଟାଣ ପୋଛିବା ପରି ପୋଛି ପକେଇଲା।ତେର ଜଣିଆ ଦଳରୁ ଚାରି ପଞ୍ଚଜଣ ମୃତ ପ୍ରାୟ।ବାକି ଦଳକ କିଛି ବୁଝିବା ଆଗରୁ ସେମାନେ ଛିଟିକି ପଡ଼ିଥିଲେ ନିଜ ନିଜର ଘୋଡା ଉପରୁ। ପୋଇନାଟି ଗଛ ଉପରୁ ଚିତ୍କାର କରୁଥିଲା ଗେଟମା ଗୋସେଇଁ ମାହାପୁରୁ ଙ୍କର…।କୋକଲର ଠାକୁର ରାଜା କାଲା ପୁଅ ରଘୁଆର….।ମଙ୍ଗୁଳିଆ ମଳିକର….।ବାକି ଅନ୍ୟମାନେ ଜୟ ଜୟକାର କରୁଥିଲେ।ବିଳମ୍ବ ନକରି ଚତୁର ପଠାଣ ଗଣ ଧାଇଁ ଆସିଲେ ବୃକ୍ଷ ଆଡକୁ।ସେମାନେ ମଳିକ ସାହିର ଧର୍ମ ବିପ୍ଲବୀ ମାନଙ୍କୁ ଧରିବା ପୂର୍ବରୁ ଖସିଗଲେ ସଭିଏଁ।କାଲା ପୁଅ ଯିବାକୁ ବାହାରିବା ବେଳେ ମଙ୍ଗୁଳି କହିଲା-ଠାକୁର ରାଜା ହେଇକି ଡରୁଛୁ କଣ?ଚାଲୁନୁ ନଢ଼ିବା ତାଙ୍କ ସାଙ୍ଗରେ।ଆଉନୁ।ଦେଖିମା କଣ କରିବେ ଆମର?
କିଛି ସଶସ୍ତ୍ର ସୈନ୍ୟଙ୍କ ସହ ବା ଦଶ ଏଗାର ବର୍ଷର ଦିଇଟା ଛୁଆ କେତେ ସମୟ ଲଢ଼ି ପାରିବେ?
ରାତିର ଅନ୍ଧାର ଆହୁରି ନିଷ୍ଠୁର କରିଦେଲା ପଠାଣ ଦଳକୁ।
ପହିଲି ରଜର ଛିଣ୍ଡା ବରଷା ପରି କେଇ ଧାର ରକ୍ତ ଛିଟିକି ପଡିଲା କୋକଲ ମାଟିର କଅଁଳ ଘାସ ଚାଦର ଉପରେ।
ଆଃ…..!ଏମିତି ଏକ ବିକଟାଳ ଶବ୍ଦ।ତା ପରେ ସବୁ କିଛି ଚୁପ।
ଖୁବ କ୍ରୁର ଭାବେ ମଙ୍ଗୁଳି ଓ କାଲା ପୁଅଙ୍କ ମୁଣ୍ଡ କାଟିଲେ ଏକ୍ରମ ସେନା।ପାଇଟଳକୁ ଲଗେଇ କୋଉ ବୁଦାମୂଳେ ଫିଙ୍ଗିଦେଲେ ଦୁଇ ଗୋଟି ଦେହକୁ।ଧର୍ମ ଶାସ୍ତ୍ର ନପଢ଼ି ,ଭାବ ଭକ୍ତି ନଜାଣି ମହାପ୍ରଭୁଙ୍କୁ ଗେଟମା ଗୋସେଇଁ ମହାପୁରୁ ବୋଲି ଡାକୁଥିବା ମଳିକ ସାହିର ଦୁଇ ଧର୍ମ ଯୋଦ୍ଧାଙ୍କୁ।ହୁଏ ତ ସେ ଦୁଇଟା ପିଲା ମଲା ବେଳେ ମନେ ପକେଇଥିବେ ତାଙ୍କ ଗେଟମା ଗୋସେଇଁଙ୍କୁ।ଆଠଟି ନଡିଆ ଝୁଣୁକା ଆଉ ପାଞ୍ଚଟି ଗେଟମା ସାମ୍ରାଜ୍ୟର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ।
କଠୋରପନ୍ଥୀ ପଠାଣ ଦଳ ଛୁଆ ଗୁଡାଙ୍କ ବେକ କାଟିବା ବେଳେ କେତେ କରୁଣ ଦିଶୁଥିବ ସେ ଛୁଆ ଦି’ଟାଙ୍କ ମୁହଁ।
ମରିବା ଭୟରେ ଗେଟମା ଗୋସେଇଁ ଗେଟମା ଗୋସେଇଁ ହେଇ ଡାକ ପକେଇଥିବେ ବିକଳରେ।
ମନେ ପଡୁଥିବ ବୋଉ ର ଗାଳି।ବାପର ଶରଧା।ଶୀତ ଦିନେ ଚୁଲିମୂଳେ ବାପା ସାଙ୍ଗରେ ମୋଟା ଚାଉଳ ଭାତକୁ କରାଣ୍ଡି ଝୋଳ ହାପୁଡ଼ା।ମରିବା ଆଗରୁ ତାଙ୍କ ଚକା ଆଖିଆ ଗେଟମା ଗୋସେଇଁଙ୍କୁ କହିଥିବେ-ଆମେ ଯାଉଛୁ ହେ ଗେଟମା ଗୋସେଇଁ ମାହାପୁରୁ।ଆଜିଠୁ କୋକଲ ଗାଁର ସବୁ ନଡ଼ିଆ ଗଛରେ ଶଳା ଗୋଟମା ଥିବ। ପଧାନ ବାଡ଼ିରେ ଅଭାବ ହବନି ଝୁଣୁକା।କୁମ୍ଭାର ଖଣିରେ ନିଅଂଟ ହବନି ମାଟି।ଖାଲି ଆମେ ଦି ଟା ନଥିବୁ ଯାହା।ଆଇମୁ ଯେ, ଫେଣେ ଆଇମୁ। ଫେଣେ ଆର ଜନ୍ମରେ ଆଇମୁ କୋକଲ ଗାଁକୁ।ଗଢିମୁ ଗେଟମା ରଥ।
ଓଃ ଏକ କାଳୀନ ଦୁଇଟି ସୂର୍ଯ୍ୟର ଅସ୍ତ, କୋକଲ ଗାଁର ଆକାଶ ରେ।
ସତ୍ୟ କିନ୍ତୁ ଆଉ କିଛି ଅଲଗା ଥିଲା।
ପ୍ରକୃତରେ ଏକ୍ରମ ଶ୍ରୀଜଗନ୍ନାଥଙ୍କୁ ନେବା, ବଳଭଦ୍ର ସୁଭଦ୍ରା ପ୍ରତିମାକୁ ଜାଳିବା କେବଳ ଗୁଜବ ଥିଲା।ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ନପାଇ ଏକ୍ରମ କଲିକତା ମୁହାଁ ହେଇଥିଲା।ଏକ୍ରମ ସେନାର ଗୋଟେ ତେରଜାଣିଆ ଦଳ ବିଜୟପତମ ଯାଉଥିଲେ ନୁର ପଟୋଦି ଙ୍କୁ କିଛି ବିଶେଷ ସମ୍ବାଦ ଦେବା ପାଇଁ।
ଏ ଘଟଣାକୁ କିନ୍ତୁ ଗୁରୁତ୍ୱର ସହ ନେଲା ଏକ୍ରମ ସେନା।ଏମିତି ଶିଶୁମାନଙ୍କୁ ବ୍ୟବହାର କରିବାର ଯୋଜନା ନିଶ୍ଚୟ ଗଜପତିଙ୍କର ହେଇଥିବା।ଗେଟମା ଗୋସେଇଁ ଶବ୍ଦରୁ ଚତୁର ଯବନ ଦଳ ଅନେକ କିଛି ବୁଝି ସାରିଥିଲେ।ଅଞ୍ଚଳବାସୀ ଭୟରେ ସହଯୋଗ କଲେ ଏକ୍ରମ ସେନାକୁ।ଡେଙ୍ଗୁରା ବାଜିଲା।ଗେଟମା ରଥ ଗଢୁଥିବା ପିଲାମାନଙ୍କୁ ଆଗକୁ ଆଣ।ପୂଛତାଜ କରିବା।କଥା କଣ ଜାଣିବା।କହିବା ବାହୁଲ୍ୟ କୋକଲ ଓ ଆଖପାଖ ମୂଳକର ହଜାର ହଜାର ନଙ୍ଗଳା ଛୁଆ, କଙ୍କାଳ ସମ ଶରୀର ଧରି ଠିଆ ହେଲେ ରାସ୍ତାରେ।ହାତରେ ଶିକୁଳି ଟେ।ଶିକୁଳି ଲାଗିଛି ଗେଟମା ରଥର ଝୁଣୁକାରେ।ଭିତରେ ମାଟି କାଦୁଅରେ ଗଢ଼ା ଗୋଟେ ଗୋଟେ ଦରଖଣ୍ଡିଆ ଠାକୁର।
ଶିଶୁମାନଙ୍କର ଏ ବିଶାଳ ଓ ନିରୀହ ନୀରବ ସେନାକୁ ଦେଖି ଡରିଗଲେ ଏକ୍ରମ ସେନା।ଜଣେ ସୈନିକ ଦଳପତିଙ୍କ କାନରେ କହିଲା-ଏ ବଚେ କାଫେର ସଂଖ୍ୟାମେ ଇତନା ହେ କି, ହମ ଲୋକ ଇନକେ ସାଥ ଲଢ ନେହିଁ ପାଏଂଗେ।ଅଗର ଏ ଲୋଗ ମିଲକେ ପିଶାପ ଭି କରେଂଗେ ନା ତୋ ବିନା ଘୋଡେମେ ହମ ତୋ ସିଧା ଦିଲ୍ଲୀ ମେ ଲଗେଙ୍ଗେ।
ଭୟାଳୁ ଏକ୍ରମ ସେନା ଯାଇସାରିଥିଲେ।ମଙ୍ଗୁଳି ବାପା ଲକ୍ଷ୍ମଣ ମଳିକ ବି ଖୁସୀରେ ନାଚୁଥିଲା।ଆମ ଜଗନ୍ନାଥଙ୍କର କିଛି ହେଇନିରେ।ଆମ ମାହାପୁରୁ ଭଲରେ ଅଛନ୍ତି।ଗାଁ ଗାଁରେ ହରିବୋଲ ହୁଳହୁଳି ପଡୁଥିଲା।ଏକ୍ରମ ସେନା ଦାଉରୁ ସେମାନେ ବଂଚିଗଲେ ବୋଲି।
ମଙ୍ଗୁଳି ଆଉ କାଲା ପୁଅର ଶବ ଗନ୍ଧ ପହଁରୁଥିଲା ପବନରେ।ଲୋକମାନେ ନାକରେ ହାତ ଦେଉଥିଲେ।
ଗାଁ ଲୋକ ଖୋଜି ଖୋଜି ପାଇଲେ ଦୁଇଟି ମୁଣ୍ଡ ନଥିବା ଶବ।ଶୋଇଥିଲେ ଗେଟମା ଗୋସେଇଙ୍କ ଦୁହିଁ ପରମ ଭକ୍ତ।ମଙ୍ଗୁଳି ଆଉ କାଲା ପୁଅ।
ଲକ୍ଷ୍ମଣ ମାଇପ ମଙ୍ଗୁଳିର ମୁଣ୍ଡ ନଥିବା ଦେହକୁ ଧରି ବାହୁନୁଥିଲା-
ନୂଆ ନୂଆବୋହୁ ମୁଣ୍ଡରେ ବାଳ
ହେ ବଡ଼ ଠାକୁର
ମୋ ଛୁଆକୁ ହେଲା ତୋ ରଥ କାଳ
ହେ ବଡ଼ଠାକୁର
ନଅ ଛୁଆରୁ ମୋ ଏକ ଗଲା
ହେ ବଡ଼ ଠାକୁର
ତାକୁ ମାରି ତତେ କିଶ ମିଳିଲା
ହେ ବଡ଼ ଠାକୁର
ବେଳକୁ ବେଳ କୋକଲ ଗାଁକୁ ଉତ୍କଟ କରୁଥିଲା ଦୁଇ ଶବର ଗନ୍ଧ।
କୋକଲ ଗାଁରୁ ମୋ ଦେଉଳ ଯାଏଁ ଭାସି ଆସୁଥିଲା ସେ କାନ୍ଦଣା।
ଓଃ କି କରୁଣ ସେ କାନ୍ଦଣା?
ପଥର ହେଇ ବି ଫାଟିଯାଉଥିଲା ମୋ ଛାତି।
ମହାପ୍ରଭୁ….
ମହାପ୍ରଭୁ…
ମହାପ୍ରଭୁ….
ମୁଁ ଦେଖିଛି ଓଡ଼ିଆ ଜାତିର ଏ ଜଗନ୍ନାଥ ପ୍ରିତୀକୁ।
ମୁଁ ଶ୍ରୀମନ୍ଦିର।
ମୁଁ ଦେଖିଚି ଏସବୁ।
ସେତେବେଳେ ମୋର ଇଚ୍ଛା ହେଉଥିଲା-ଗେଟମା ରଥଟେ ନହେଇ ମୁଁ କାହିଁକି ଶ୍ରୀମନ୍ଦିର ହେଲି ହାଏ?
ଏବେ ମୁଁ କହିବି ମୋର ଏମିତି ଅନେକ ଅତୀତର କଥା।ରଙ୍ଗଭରା ତରଙ୍ଗର ପରଦାରେ।

ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା - Part 2
ମୁଁ ଶ୍ରୀମନ୍ଦିର କହୁଛି – ଉପସ୍ଥାପନା ଶରଣାବିନ୍ଦ ଓଝା – Part 2

ଶ୍ରୀମନ୍ଦିର।ଖୁବଶୀଘ୍ର ତରଙ୍ଗରେ।

ବି. ଦ୍ର*ମୂଳ ଲୋକ କଥାଟି ସେ ଅଂଚଳର ଜଣେ ସମାଜ ସେବୀ ବାନାମ୍ବର ବାରିକଙ୍କ ଠାରୁ ଶୁଣିଥିଲି। ଯେବେ ଭାରତୀୟ ଆଇନ ସେବା ପ୍ରାଧିକରଣ ର ଏକ ପ୍ରାମାଣିକ ଚଳଚିତ୍ର ପ୍ରସ୍ତୁତ କରିବାକୁ ସେ ମୁଲକକୁ ଯାଇଥିଲି।ସେଥିରେ ଏକ୍ରମ ଖାନର ଆଗମନୀ କାଳ ଓ ଯାତ୍ରାପଥ କୁ ନେଇ ଯଦିଓ ସଂଶୟ ଅଛି।କିନ୍ତୁ ଗୋଟେ ଗେଟମା ରଥ ଓ ରଥକୁ ନେଇ ଓଡ଼ିଆ ଜାତିର ଭାବପ୍ରବଣତାକୁ ନେଇ ଏକଥା ପରିପୁଷ୍ଟ।
ଆବେଗ ଆଉ ଇତିହାସକୁ ଗୋଟେ ପଲାରେ ପକେଇ ହୁଏନି।
ତଥାପି ଇତିହାସକୁ ଉଲ୍ଲଂଘନ ନକରିବାକୁ ଚେଷ୍ଟା କରିଛି।
ଆପଣ ମାନଙ୍କ ପାଖରେ ଯଦି କିଛି ତଥ୍ୟ ଥାଏ ,ଦେଲେ ଖୁସୀ ହେବି।
ସମ୍ପ୍ରତି ସେ ଗ୍ରାମଟି ଗଡ଼କୋକଲ।
ଏ ଲେଖକ ମଧ୍ୟ ସେ ଗାଁକୁ ଯାତ୍ରା କରିଛି।
ଏବଂ ହରିଜନ ସାହିର ପୁରୁଖା ଲୋକମାନଙ୍କୁ ଭେଟିଛି।ଆଜକୁ 8 ବର୍ଷ ତଳେ।ସେମାନଙ୍କ ଠୁ ଏ ବିଷୟରେ କିଛି ଭିଡିଓ ବି ସଂଗ୍ରହ କରିଛି।ମୁଁ ଐତିହାସିକ ନୁହେଁ।ଯୋଉ ଲୋକ କଥା ମୋ ଜାତିକୁ ସ୍ୱତନ୍ତ୍ର କରେ, ସେ ଲୋକ କଥାକୁ ବଞ୍ଚେଇବାର ଏହା ଚେଷ୍ଟା ମାତ୍ର। ଭୁଲ ଥିଲେ କ୍ଷମା ଦେବେ।

No comments.

Leave a Reply