ପ୍ରିୟମ୍ବଦା – ଲେଖିକା ଆଶାରାଣୀ ବେଉରା

Spread the love

ପ୍ରିୟମ୍ବଦା – ଲେଖିକା ଆଶାରାଣୀ ବେଉରା

ପ୍ରିୟମ୍ବଦା
ମୁଁ ଯେ ଏକ ବିଷାଦିତ ୠତୁର ରାଗିଣୀ
ଡେଣା ଝାଡ଼ି ଉଡିଯିବି ଭାବିଲା ବେଳକୁ
ତୁଟୁ ନାହିଁ ମାଟି ମୋହ, ଫିଟୁ ନାହିଁ ମାୟାର ଢ଼ାଙ୍କୁଣୀ
ଅଧାଲେଖା ବହିର ମୁଁ ଅକୁହା କାହାଣୀ
ପ୍ରିୟମ୍ବଦା
ଏବେ ଏବେ ନିଃଶ୍ୱାସରେ ପହଁରୁଛି ନୀଳକଣ୍ଠି ବିଷ
ବିଶ୍ୱାସର ବ୍ୟାସ ସରୋବରେ ଲୁଚିଲେ ବି ନିଅଣ୍ଟ ଆୟୁଷ
ସବୁଠି ବାରୁଣାବନ୍ତ ଲାକ୍ଷାଗୃହେ ଲିଭୁନାହିଁ ବହ୍ନି
ଅଗ୍ନିସ୍ନାନ କରୁଛି ମେଦିନୀ
ଆସିବ ଆସିବ ବୋଲି କହୁଛ ଯେ
ଫଗୁଣର ଫୁଲବନେ ନିଆଁ
ଏ ବେଳରେ ଆସ ନାହିଁ ପ୍ରିୟା
ପ୍ରିୟମ୍ବଦା
ଯହିଁ ଅଛ ତହିଁ ରହିଥାଅ
କନକ କିରଣ ହୋଇ ପୂର୍ବଦିଗେ ଫିଟି ପଡୁଥାଅ
କୋମଳ ସୂର୍ଯ୍ୟାସ୍ତ ହୋଇ ପଶ୍ଚିମରେ ଲୋଟି ପଡୁଥାଅ
ନେତ୍ର ପଥେ ରହିଥାଅ ଦିବ୍ୟ ଦ୍ୟୁତି ହୋଇ
ଆଲୋକ ବର୍ତ୍ତିକା ହୋଇ ପଥ ଦେଖାଇବ
ପ୍ରିୟା ! ମୋର ଅପେକ୍ଷାରେ ଥିବ


Proud Odia

No comments.

Leave a Reply