୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ଶଲା ବୁଢ଼ା , କାଲିର ଅତୀତ, ଶ୍ରୀକ୍ଷେତ୍ର ରୁ ସାହିଜାତ #NationalFilmAwards2019

Spread the love

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ଶଲା ବୁଢ଼ା , କାଲିର ଅତୀତ, ଶ୍ରୀକ୍ଷେତ୍ର ରୁ ସାହିଜାତ #NationalFilmAwards2019

2019 ବର୍ଷ ଲାଗି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ବିଚାରକ ମଣ୍ଡଳୀ। ଚଳିତ ଥର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ‘ଶଲାବୁଢ଼ାର୍ ବଦଲା’ ଓ ‘କାଲିର ଅତୀତ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ମିଳିଛି। ନ୍ୟୁ ଜେନେରେସନ ଫିଲ୍ମସ ପ୍ରଯୋଜନାରେ ନିର୍ମିତ ‘ଶଲା ବୁଢ଼ାର୍ ବଦଲା’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। ସେହିପରି ଏଲିନୋରା ଇମେଜେସ୍ ପ୍ରାଃ ଲିଃ ପ୍ରଯୋଜନାରେ ନିର୍ମିତ ‘କାଲିର ଅତୀତ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ନୀଳମାଧବ ପଣ୍ଡା। ଏହି ଦୁଇଟି ଚଳଚ୍ଚିତ୍ରକୁ ରଜତ କମଳ ସହିତ ମିଳିତ ଭାବେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ଅନୁରୂପ ଭାବେ ଶ୍ରେଷ୍ଠ କଳା ଓ ସଂସ୍କୃତି ଚଳଚ୍ଚିତ୍ର ପୁରସ୍କାର ମିଳିଛି ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ର ରୁ ସାହିଜାତ’କୁ। ଏ ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆଶୁତୋଷ ପଟ୍ଟନାୟକ। ପୁରସ୍କାର ସ୍ବରୂପ ରଜତ କମଳ ଓ 50 ହଜାର ଟଙ୍କା ପ୍ରଦାନ କରାଯିବ।

ଅଣଫିଚର ଫିଲ୍ମ ବର୍ଗରେ ‘ଆନ୍ ଇଞ୍ଜିନିଅର୍ଡ ଡ୍ରିମ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିବା ବେଳେ ମାଲାୟଲମ ଚଳଚ୍ଚିତ୍ର ‘ମାରାକ୍କାର-ଅରବିକ୍କାଦଲିନ୍ତେ-ସିଂହମ’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରିୟଦର୍ଶନ।  ‘କସ୍ତୁରୀ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ମିଳିଛି।

ସିକିମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ପୁରସ୍କାର ମିଳିଥିବା ବେଳେ ସାଓନୀ ରବିନ୍ଦ୍ରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ପୁରସ୍କାର ମିଳିଛି। ମରାଠି ଚଳଚ୍ଚିତ୍ର ‘ବରଦୋ’ର ଗୀତ ‘ରାନ ପାଟେଲା’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଗିରିଶ ଗଙ୍ଗାଧରନଙ୍କୁ ମାଲାୟାଲମ ଚଳଚ୍ଚିତ୍ର ‘ଜାଲିକାଟ୍ଟୁ’ ନିମନ୍ତେ ଶ୍ରେଷ୍ଠ ସିନେମାଟୋଗ୍ରାଫୀ ପୁରସ୍କାର ପ୍ରଦାନ କରାଯାଇଛି।

ସଞ୍ଜୟ ସୁରୀଙ୍କ ଦ୍ବାରା ରଚିତ ‘ଏ ଗାନ୍ଧୀଆନ୍ ଆଫାୟାର : ଇଣ୍ଡିଆସ୍ କ୍ୟୁରିଅସ୍ ପୋଟ୍ରେୟାଲ ଅଫ ଲଭ୍ ଇନ ସିନେମା’କୁ ଚଳଚ୍ଚିତ୍ର ଉପରେ ରଚିତ ଶ୍ରେଷ୍ଠ ପୁସ୍ତକ ପୁରସ୍କାର ମିଳିଛି। ସେହିପରି ମରାଠି ଭାଷାରେ ରଚିତ ‘ସିନେମା ପାହାନାରା ମାନୁଷ’ ଏବଂ କନ୍ନଡ଼ରେ ରଚିତ ‘କନ୍ନଡ଼ ସିନେମା:ଜଗତିକା ସିନେମା ବିକାଶ-ପ୍ରିରାନେ-ପ୍ରଭାବ’ ପୁସ୍ତକକୁ ବିଶେଷ ପୁରସ୍କାର ପ୍ରଦାନ କରାଯାଇଛି। ଇଂରାଜୀ ଭାଷାରେ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି।

ତେଲୁଗୁ ଚଳଚ୍ଚିତ୍ର ‘ମହର୍ଷି’ ଶ୍ରେଷ୍ଠ ମନୋରଞ୍ଜନଧର୍ମୀ ପୁରସ୍କାର ମିଳିଛି। ହିନ୍ଦୀ ଚଳଚ୍ଚିତ୍ର ‘ଭୋନ୍ସଲେ’ ପାଇଁ ମନୋଜ ବାଜପେୀଙ୍କୁ   ଏବଂ ତାମିଲ ଚଳଚ୍ଚିତ୍ର ‘ଅସୁରନ’ ପାଇଁ ଧନୁଷଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିବ। ସେହିପରି ହିନ୍ଦୀ ଚଳଚ୍ଚିତ୍ର ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନସୀ ଏବଂ ପଙ୍ଗା ପାଇଁ କଙ୍ଗନା ରାଣାଓ୍ବତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବ।  ‘ବାହତ୍ତର ହୁରେଁ’ ପାଇଁ ସଞ୍ଜୟ ପୁରନ ସିଂ ଚୌହାନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶନା ନିମନ୍ତେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ‘କେଶରୀ’ ଚଳଚ୍ଚିତ୍ରର ‘ତେରି ମିଟ୍ଟି’ ଗୀତ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦ ପଟ୍ଟ ଗାୟକ ପୁରସ୍କାର ପାଇବେ ବି. ପ୍ରାକ୍।

ପୁରସ୍କାର ଘୋଷଣା ପୂର୍ବରୁ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଏବଂ ଅନ୍ୟ ସଦସ୍ୟମାନେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକରଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ପ୍ରଦାନ କରିଥିଲେ। ବିଚାରକ ମଣ୍ଡଳୀରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ଭାରତୀୟ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷମାନଙ୍କୁ ସାମିଲ କରାଯାଇଛି। କେନ୍ଦ୍ରୀୟ ପ୍ୟାନେଲ ଅଧ୍ୟକ ଏନ. ଚନ୍ଦ୍ରା, ଅଣ ଫିଚର ଫିଲ୍ମ ବିଚାରକ ମଣ୍ଡଳୀ ଅଧ୍ୟକ୍ଷ ଅରୁଣ ଚଢ଼ା, ଶ୍ରେଷ୍ଠ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ବିଚାରକମଣ୍ଡଳୀ ଅଧ୍ୟକ୍ଷ ଶାହଜୀ ଏନ. କରୁଣ ଏବଂ ଶ୍ରେଷ୍ଠ ଚଳଚ୍ଚିତ୍ର ରଚନା ଉପରେ ଗଠିତ ବିଚାରକ ମଣ୍ଡଳୀର ଅଧ୍ୟକ୍ଷ ଶୈବାଳ ଚାଟାର୍ଜୀଙ୍କ ଦ୍ବାରା ପୁରସ୍କାର ଘୋଷଣା କରାଯାଇଥିଲା।

67ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ଶଲାବୁଢ଼ାର୍ ବଦଲାକାଲିର ଅତୀତକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ର ରୁ ସାହିଜାତ’କୁ ଶ୍ରେଷ୍ଠ କଳା ସଂସ୍କୃତି ପୁରସ୍କାର

ସିକ୍କିମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅନୁକୂଳ ରାଜ୍ୟ ପୁରସ୍କାର

ଅଣଫିଚର ଫିଲ୍ମ ବର୍ଗରେ ‘ଆନ୍ ଇଞ୍ଜିନିଅର୍ଡ ଡ୍ରିମ୍’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ମାରାକ୍କାର-ଅରବିକ୍କଦଲିନ୍ତେ-ସିଂହମକୁ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପୁରସ୍କାର

ଚମତ୍କାର ମନୋରଞ୍ଜନ ପ୍ରଦାନ କରିଥିବା ଚଳଚ୍ଚିତ୍ର ବର୍ଗରେ ମହର୍ଷିକୁ ଶ୍ରେଷ୍ଠ ପୁରସ୍କାର

କେଶରୀ ଚଳଚ୍ଚିତ୍ରର ‘ତେରି ମିଟ୍ଟି’ ଗୀତ ପାଇଁ ବି ପ୍ରାକଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ପୁରସ୍କାର

ସାମାଜିକ ପ୍ରସଙ୍ଗରେ ଆନନ୍ଦୀ ଗୋପାଳକୁ ମିଳିଲା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର
ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିତ ଭାବେ ପାଇବେ ଧନୁଷ ଓ ମନୋଜ ବାଜପେୟୀ

ମଣିକର୍ଣ୍ଣିକା-ଦ କୁଇନ୍ ଅଫ୍ ଝାନସୀ ଓ ପଙ୍ଗା ପାଇଁ କଙ୍ଗନାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ

୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର - ଶଲା ବୁଢ଼ା , କାଲିର ଅତୀତ, ଶ୍ରୀକ୍ଷେତ୍ର ରୁ ସାହିଜାତ #NationalFilmAwards2019
୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର – ଶଲା ବୁଢ଼ା , କାଲିର ଅତୀତ, ଶ୍ରୀକ୍ଷେତ୍ର ରୁ ସାହିଜାତ #NationalFilmAwards2019


Proud Odia

No comments.

Leave a Reply