ପ୍ରେରଣା ଓ ଆଦର୍ଶର ଉତ୍ସ ଶିକ୍ଷକ – ସ୍ବର୍ଗତ ଶ୍ରୀ ରାମକୃଷ୍ଣ ନନ୍ଦ

Spread the love

୧୯୪୧ ମସିହା ଦିସେମ୍ବର ମାସ ଘଟଣା । ବାରିପଦା ହାଇସ୍କୁଲ ଯାହା ଏବେ [ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରୂପେ ପରିଚିତ] ସେହି ସ୍କୁଲରେ ଚରମ ବିଶୃଙ୍ଖଳା। ପ୍ରଧାନ ଶିଖକଙ୍କ ଅପାରଗତା ଯୋଗୁଁ ଛାତ୍ରମାନେ ଆନ୍ଦୋଳନ କରି ମ୍ୟାଟ୍ରିକ ଟେଷ୍ଟ ପରୀକ୍ଷା ବନ୍ଦ କରିଦେଲେ। ବିଦ୍ୟାଳୟରେ ବିଶୃଙ୍ଖଳା ସୀମା ଟପିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ଉଚ୍ଚକର୍ତ୍ତୃପକ୍ଷ ବିଚାର କଲେ। ନବ ବର୍ଷ ପ୍ରାରମ୍ଭରେ ଉପର ମହଲରୁ ନିର୍ଦ୍ଦେଶ ଆସିଲା ସମସ୍ତ ଦାୟିତ୍ୱ ବୁଝାଇଦେଇ ପ୍ରଧାନ ଶିକ୍ଷକଙ୍କ ତିନିଦିନ ଭିତରେ ସ୍କୁଲ ରୁ ବିଦାୟ ନେବେ। ରାତିକ ଭିତରେ ରାଜେନ୍ଦ୍ରବାବୁ ହେଡ଼ମାଷ୍ଟର ପଦବୀରୁ ଖସି ଫକୀର ହୋଇଗଲେ। ସରକାରୀ ଆଦେଶ ଅନୁସାରେ ସେ ମୋତେ ସ୍କୁଲ ର କାଗଜପତ୍ର ତ ବୁଝାଇଦେଲେ କିନ୍ତୁ ସବୁଠାରୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲ। , ତାଙ୍କ କ୍ୱାଟର୍ସର ଚାର୍ଜ ଦେବା।

 ପିଲାଛୁଆଙ୍କୁ ଧରି ତିନିଦିନ ଭିତରେ ବସା ଛାଡ଼ିଯିବା ତାଙ୍କ ପକ୍ଷରେ କଷ୍ଟକର ହେବ ଜାଣି ସେ ମୋର ଅନୁଗ୍ରହ ଭିକ୍ଷା କଲେ। ଆଉ ଦୁଇ ଚାରିଦିନ ରହି ସୁବିଧାରେ ବସା ଛାଡ଼ିବାକୁ ଅକୁଣ୍ଠିତ ଚିତ୍ତରେ ମୁଁ ତାଙ୍କୁ ଅନୁମତି ଦେଲି। ସେତିକିବେଳେ ମୋର ମନେ ପଡ଼ିଲା ଯେ, କିପରି ମୋର ନ୍ଯାର୍ଯ୍ୟ ପ୍ରାପ୍ଯ କ୍ୱାଟର୍ସରୁ କୂଟକୌଶଳ କରି ମୋତେ ସେ ବାହାର କରି ଦେଇଥିଲେ । ଆଜି ତାଙ୍କ କ୍ୱାଟର୍ସରେ ଆଉ ଦୁଇ ଚାରିଦିନ ରହିବା ପାଇଁ ସେ ମୋର ଅନୁଗ୍ରହପ୍ରାର୍ଥୀ । ଭଗବାନଙ୍କ ଦରବାର ରେ ବିଚାର ଓ ଶାସ୍ତିବିଧାନ ଏହିପରି ସାଙ୍ଗେ ସାଙ୍ଗେ ହୁଏ। ନାଲି ଫିତାର ଜାଲଫିସାଦି ତାକୁ ଦଣ୍ତେ ଅଟକାଇ ରଖିପାରେ ନାହିଁ।

ପ୍ରେରଣା ଓ ଆଦର୍ଶର ଉତ୍ସ ଶିକ୍ଷକ -  ସ୍ବର୍ଗତ ଶ୍ରୀ ରାମକୃଷ୍ଣ ନନ୍ଦ
ପ୍ରେରଣା ଓ ଆଦର୍ଶର ଉତ୍ସ ଶିକ୍ଷକ – ସ୍ବର୍ଗତ ଶ୍ରୀ ରାମକୃଷ୍ଣ ନନ୍ଦ

“ଏହା ୧୯୪୨ ମସିହା ଜାନୁଆରି ପ୍ରଥମ ସପ୍ତାହର ଘଟଣା । ସେହି ମାସ ୨୦ ତାରିଖ ଆଡ଼କୁ ପଡ଼ିଲା ସରସ୍ୱତୀ ପୂଜା। ସ୍କୁଲରେ କିପରି ଶୃଙ୍ଖଳାର ସହ ପୂଜାକାର୍ଯ୍ଯ ସାରି ବିସର୍ଜନ ଅନୁଷ୍ଠିତ ହେବ, ସେ ବିଷୟରେ ମୁଁ ଚିନ୍ତିତ ହୋଇ ପଡ଼ିଲି। ପୂଜାକାର୍ଯ୍ୟ ସାରି ବିସର୍ଜନ ଦିନ ହାଇସ୍କୁଲ୍ ଛାତ୍ରମାନେ ସହରର ପ୍ରଧାନ ରାସ୍ତା ଦେଇ ବୁଢ଼ାବଳଙ୍ଗ ନଦୀକୁ ଯାଆନ୍ତି ମେଢ ସହିତ ପଟୁଆର କରି। ଦୀର୍ଘ ପଥ। ପୂର୍ବ ବର୍ଷ ମାନଙ୍କରେ ଏହି ଉପଲକ୍ଷେ କେତେଥର ଗଣ୍ତଗୋଳ ଘଟିଛି। ଏଥର ପୁଣି ଛାତ୍ରମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଏକ ସମ୍ପୂର୍ଣ୍ଣ ଅଭିନବ ଉପାୟରେ ଟେଷ୍ଟ ପରୀକ୍ଷା ବନ୍ଦ କରିଦେଇଛନ୍ତି। ତା’ ସତ୍ତ୍ୱେ ହେଡ଼୍ ମାଷ୍ଟରଙ୍କର ଚାକିରି ବରଂ ଯାଇଛି, ସେମାନ ଙ୍କର କିଛି କ୍ଷତି ହୋଇନାହିଁ।

ମଣିଷ ନିଜର ସତ୍ଯନିଷ୍ଠା, ସାଧୁତା ଓ ସ୍ପଷ୍ଟବାଦିତା ବଳରେ କିପରି ସଫଳ ହୋଇଥାଏ, ତା’ର ଜ୍ଳନ୍ତ ଦୃଷ୍ଟଟାନ୍ତ ହେଲେ ସ୍ୱର୍ଗୀୟ ରାମକୃଷ୍ଣ ନନ୍ଦ । ଦୃଢ଼ ଆତ୍ମପ୍ରତ୍ଯୟ ଓ ଗଣତାନ୍ତ୍ରିକ ମୂଲ୍ଯବୋଧ ବଳରେ ସେ ଆଠ ଶହ ଉଚ୍ଛଶୃଙ୍ଖଳ ଛାତ୍ରଙ୍କୁ ଆୟତ୍ତ କରି ନିର୍ବିଘ୍ନରେ ପୂଜା କାର୍ଯ୍ଯ ତୁଲାଇବାକୁ ସ୍ଥିର କରିଲେ। ପୂଜାର ସପ୍ତାହକ ପୂର୍ବରୁ ଦିନେ ସେ ଶିକ୍ଷକଙ୍କବନ୍ଧୁମାନଙ୍କୁ କହିଲେ ମୁଁ, “ଟିକିଏ ଆଜି ଉପର ଚାରି ଶ୍ରେଣୀର ଛାତ୍ରମାନଙ୍କୁ ହଲ୍ ରେ ଏକୁଟିଆ ଭେଟିବି। ଆପଣମାନେ ତଳ ଶ୍ରେଣୀର ପିଲାମାନଙ୍କୁ ସମ୍ଭାଳି ରଖିଥାନ୍ତୁ।”

ଉପର ମହଲାର ଗୋଟିଏ ହଲ୍-ରେ ପ୍ରାୟ ଚାରି ଶହ ଛାତ୍ରଙ୍କୁ ନେଇ ସେ ଆନଲୋଚନା ଆରମ୍ଭ କଲେ । ପୂର୍ବରୁ ପ୍ରଧାନ ଶକ୍ଷକ ଓ ତିରିଶ ଜଣ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରମାନେ ନାନା ଗଣ୍ତଗୋଳ କରୁଥିଲେ। ମାତ୍ର ଉକ୍ତ ଦିନ ସେ ଏକାକୀ ସେମାଙ୍କର ସମ୍ମୁଖୀନ ହେଲେ ଏବଂ କହିଲେ, -“ପିଲାମାନେ, ଏଥିମଧ୍ଯରେ ଯାହାସବୁ ଘଟିଯାଇଛି ସେଥିରୁ ସାଧାରଣ ଲୋକଙ୍କର ଏବଂ ମହାରାଜାଙ୍କର ମଧ୍ଯ ଧାରଣା ହୋଇଛି ଯେ, ହାଇସ୍କୁଲ ପିଲାମାନେ ନିତ୍ଯନ୍ତ ଅଭଦ୍ର ଓ ବଜାରୀ ପାଲଟି ଗଲାଣି। ଘଟଣା ଦୃଷ୍ଟିରୁ ସେମାନଙ୍କର ଏପରି ଧାରଣା ହେବା ଅସ୍ୱାଭାବିକ ନୁହେଁ। କିନ୍ତୁ ମୋର ବିଶ୍ୱାସ, ତୁମ୍ଭେମାନେ ଯେଉଁ ଭୁଲ୍ କରିଛ, ସେଥିଲାଗି ଆମେ ଅଧିକାଂଶରେ ଦାୟୀ। ତୁମ୍ଭେମାନ ପ୍ରକୃତରେ ବଜାରୀ ବା ଅଭଦ୍ର ନୁହଁ। ସମସ୍ତେ ଭଦ୍ରଘରର ପିଲା। କିନ୍ତୁ ତୁମମାନଙ୍କୁ ଏହାର ପ୍ରମାଣ ଦେବାକୁ ହେବ। ବାରିପଦା ସହରବାସୀଙ୍କୁ ଦେଖାଇବାକୁ ହେବ ଯେ ତୁମ୍ଭେମାନେ ସମସ୍ତେ ଭଦ୍ରଘରର ସନ୍ତାନ ଏବଂ ଭଦ୍ର ବ୍ଯବହାର ଶିଖିଛ। କ’ଣ ପାରିବ ନାହିଁ?

ଛାତ୍ରମାନେ ଏକ ସ୍ୱରରେ କହିଲେ, “ହଁ ସାର, ନିଶ୍ଚୟ ପାରିବୁ।” ହଲ୍ ଟି ପ୍ରକମ୍ପିତ ହୋଇ ପୁଣି ନୀରବ ହୋଇଗଲା।

ରାମ କୃଷ୍ଣ ବାବୁ କହିଲେ – “ସବୁବର୍ଷ ପୂଜା ପଟୁଆରରେ ଶିକ୍ଷକ , ହେଡ୍ ମାଷ୍ଟର ଓ ଲାଠିଧାରୀ ପୋଲିସ୍ ତୁମ ସାଥିରେ ଚାଲନ୍ତି। କିନ୍ତୁ ଏଥର ତୁମ ସାଥି ରେ କେହି ଯିବେ ନାହିଁ । ମୁଁ ବି ଯିବି ନାହିଁ । ତୁମ୍ଭମାନଙ୍କୁ ନିଜ ଦାୟିତ୍ୱରେ ଶୃଙ୍ଖଳାର ସହିତ ପୂଜା ପଟୁଆର ପରିଚାଳନା କରିବାକୁ ହେବ । କ’ଣ କହୁଛ ? ସେହି ଗୋଟିଏ ଉତ୍ତର , “ହଁ ସାର୍, ନିଶ୍ଚୟ କରିପାରିବୁ” । ତା’ ଆରଦିନ କୋଡିଏ ଜଣ ସ୍ୱେଚ୍ଛାସେବକଙ୍କ ପାଇଁ ବ୍ଯାଜ୍ ତିଆରି କରାଗଲା। ପ୍ରତ୍ଯେକଙ୍କ ଛାତିରେ ଗୋଟିଏ ଲେଖାଏଁ ମାରିଦିଆଗଲା। ସେମାନଙ୍କ ମନରେ ଖୁବ୍ ଆନନ୍ଦ ଓ ଉତ୍ସା ହ ଭରିଗଲା। ସେମାନେ ଶୃଙ୍ଖଳାରେ ପିଲାମାନଙ୍କୁ ଧାଡ଼ିରେ ନେଇ ପୂଜାକାର୍ଯ୍ଯ ସମ୍ପାଦନ କଲେ। ବାରିପଦାବାସୀ ପିଲାମାନଙ୍କର ଶୃଙ୍ଖଳାଜ୍ଞାନ ଦେଖି ଅବାକ୍ ହେଲେ। ରାମକୃଷ୍ଣ ବାବୁ ଛାତ୍ରମାନଙ୍କୁ ଖୁବ୍ ପ୍ରଶଂସା କଲେ। ବିଦ୍ଯାଳୟରେ ଶାନ୍ତିଶୃଙ୍ଖଳା ଓ ସଦ୍-ଭାବର ବାୟୁମଣ୍ତଳ ଖେଳିଗଲା।

ଓଡ଼ିଶାର ସ୍ୱନାମଧନ୍ଯ ଶକ୍ଷାବିତ୍ ଓ ଶିଶୁସାହିତ୍ଯସ୍ରଷ୍ଟା ରାମକୃଷ୍ଣ ନନ୍ଦ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ମାତା ଲକ୍ଷ୍ମୀଦେବୀ ଓ ପିତା ମଧୂସୁଦନଙ୍କ କୋଳରେ କଟକ ଜିଲ୍କା ଗୋବିନ୍ଦପୁର ଥାନାର ବାଈରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମଧୁସୂଦନ ସେତେବେଳେ ମାଟ୍ରିକ ଯାଏ ପାଠ ପଢ଼ଥିଲେ ହେଁ ସରକାରୀ ଚାକିରି କରିନଥିଲେ। କୁଳୀନ ବ୍ରାହ୍ମଣ ପରିବାର ହେଲେ ମଧ୍ଯ ସେ ନିମ୍ନମଧ୍ଯବିତ୍ତ ଶ୍ରେଣୀ। ମାତ୍ର ତାଙ୍କ ସହଧର୍ମଣୀ, ଧର୍ମବତୀ, ସୁଗୃହିଣୀ ଓ ଲକ୍ଷ୍ମୀ ସ୍ୱରୂପିଣୀ ଥିଲେ।

ସେ କାଳରେ ଚାହାଳି ପିଲାମାନଙ୍କ ପାଇଁ ଥିଲା ଯମଭୁବନ। ସେଠାରେ ରାମକୃଷ୍ଣ ପାଠପଢ଼ା ଆରମ୍ଭ କରିଥିଲେ ହେଁ ସାତବର୍ଷ ବୟସରେ ତାଙ୍କର ପିତା ପୁତ୍ରର ଶିକ୍ଷାଭାର ନେଇଥିଲେ । ନିଜ ଗ୍ରାମ ନି.ପ୍ରା. ସ୍କୁଲର ପ୍ରଧାନ ଶିକ୍ଷକ ପଦରେ ରହି ସେ ରାମକୃଷ୍ଣଙ୍କୁ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଥିଲେ । ସେ ନି.ପ୍ରା. ବୃତ୍ତି ପରେ ମାଇନର୍ ବୃତ୍ତି ଲାଭ କରିଥିଲେ । ତା’ପରେ ସେ ରେଭେନସା କଲିଜିଏଟରେ ପାଠ ପଢ଼ିଲାବେଳେ ପ୍ରାୟ ପ୍ରତ୍ଯେକ ଶ୍ରେଣୀରେ ପ୍ରଥମ ହେଉଥିଲେ ସେ ମାଟ୍ରିକ ସେକେଣ୍ଡ କ୍ଳାସରୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଅସହଯୋଗ-ବାର୍ତ୍ତାବହ ଭାବରେ ସେ କାର୍ଯ୍ଯ କରୁଥିଲେ । ସତ୍ଯବାଦୀ ଜାତୀୟ ବିଦ୍ଯାଳୟରେ ସେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଉକ୍ତ ବିଦ୍ଯାଳୟରୁ ସେ ହିନ୍ଦି ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀ ରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ ।

ମାତ ୧୯ ବର୍ଷ ବୟସରେ ସେ ବିବାହ କରିଥିଲେ ଏବଂ ସେହିବର୍ଷ ସେ ରେଭେନସା କଲିଜିଏଟ୍ ସ୍କୁଲରୁ ଘରୋଇ ଛାତ୍ର ଭାବରେ ଦ୍ୱିତୀୟ ଶ୍ରେଣୀ ରେ ମାଟ୍ରିକ୍ ପାସ୍ କରିଥିଲେ। ସେ ତତ୍କାଳୀନ ଆ ଇ.ଏ. ଶ୍ରେଣୀରେ ନାମ ଲେଖାଇ ରେଭେନ୍ସା କଲେଜରୁ ପାଟଣା ବିଶ୍ୱବିଦ୍ଯାଳୟରେ ପ୍ରଥମ ଶ୍ରେଣୀରେ ପଞ୍ଚମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ତା’ ପରେ ସେ କୋଡିଏ ଟଙ୍କାର ଏକ ମାସିକ ବୃତ୍ତି ଲାଭ କରି ଉକ୍ତ କଲେଜରେ ବିଏ ଅଧ୍ଯୟନ କଲେ ଏବଂ ଇଂରାଜି ଅନର୍ସ ସହିତ ବି.ଏ ପାସ୍ କଲେ। ୧୯୨୯-୩୦ ମସିହା ରେଭେନ୍ସା କଲେଜ ରେ ଏମ୍.ଏ. ଶ୍ରେଣୀରେ ନାମ ଲେଖାଇଲେ । ମାତ୍ର ଏକ ପକ୍ଷରେ ଅର୍ଥ ସଂକଟ ଓ ଅନ୍ଯ ପକ୍ଷରେ ଦେଶର ସ୍ୱାଧୀନତା ଆନ୍ଦୋଳନ ରାମକୃଷ୍ଣଙ୍କ କୃତିତ୍ୱପୂର୍ଣ୍ଣ ଛାତ୍ରଜୀବନର ପରିସମାପ୍ତି ଘଟାଇ ଲା।

ଛାତ୍ରବସ୍ଥାରେ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ଏବଂ ‘ସହକାର’ , ‘ନବଭାରତ’ ଓ ‘ଭଞ୍ଜପ୍ରଦୀପ’ ଆଦି ପତ୍ରିକାଗୁଡିକରେ ତାଙ୍କର ଲେଖାମାନ ପ୍ରକାଶିତ ହୋଇଥିଲା । କଟକ ଟ୍ରେଡିଂ କମ୍ପାନୀର ମ୍ଯାନେଜର ଉମାଚରଣ ମହାନ୍ତି ରାମକୃଷ୍ଣ ଲିଖିତ “ତୁଳସୀ ଦାସ” ପାଣ୍ଡୁଲିପିଟି ପ୍ରକାଶ କରିଥିଲେ। ପୁସ୍ତକଟିର ଭାଷା ଓ ଭାବ ସରସ ହୋଇଥିବାରୁ ଅଷ୍ଟମ ଶ୍ରେଣୀର ଅତିରିକ୍ତ ପାଠ୍ଯପୁସ୍ତକ ରୂପେ ମନୋନୀତ ହୋଇଥିଲା । ସାଥିରୁ ଲେଖକଙ୍କ ପ୍ରାପ୍ଯ ଅର୍ଥ ଲାଭ କରି ରାମକୃଷ୍ଣ ଖୁବ୍ ଉତ୍ସାହିତ ହୋଇଥିଲେ । ଏହିପରି ସେ ସାହିତ୍ଯକ୍ଷେତ୍ରରେ ପ୍ରବେଶ କରି ନିଜର କୃତିତ୍ୱ ପ୍ରଦର୍ଶନ କରିପାରିଥିଲେ।

ରାମକୃଷ୍ଣ ଶିକ୍ଷକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିବାକୁ ପ୍ରଥମେ ସ୍ଥିର କରିଥିଲେ। କାରଣ ଶିକ୍ଷାଦାନ ମାଧ୍ଯମରେ ସୁନାଗରିକ ଗଠନ କରିବାରେ ତାଙ୍କର ଆଗ୍ରହ ଥିଲା। ସେ ପ୍ରଥମେ କଟକ ଜିଲ୍ଲାବୋର୍ଡ଼ର ସୂତାକଟା ଶିକ୍ଷକ ଭାବରେ ୨୦ଟଙ୍କା ଦରମାରେ ନିଯୁକ୍ତି ପାଇଥିଲେ। ୧୯୩୦-୩୧ରେ ଡମପଡା ହାଇସ୍କୁଲରେ ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ଯ କଲେ। ତା’ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ କାନୁନଗୋ ରାମକୃଷ୍ଣଙ୍କର କର୍ତ୍ତବ୍ଯନିଷ୍ଠ, ଛାତ୍ରବତ୍ସଳତ। ଓ ଶିକ୍ଷାଦାନଦକ୍ଷତାରେ ମୁଗ୍ଧ ହୋଇଥିଲେ। ମାତ୍ର ବାଙ୍କିରେ ଅସ୍ଥାୟୀ ଚାକିରିକାଳ ସମାପ୍ତି ପରେ ବାରିପଦା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ ୧୯୩୧ ଜୁଲାଇ ୯ ତାରିଖରେ ୭୦ ଟଙ୍କା ବେତନରେ ସେ ନିଯୁକ୍ତି ପାଇଲେ। ଛାତ୍ରାବସ୍ଥାରୁ ଶିକ୍ଷକ ଜୀବନରେ ସେ ବନ୍ଯାବିପନ୍ନ ଓ ଦୁଃସ୍ଥ ଜନସାଧାରଣଙ୍କ ସେବା କରିବାରେ ଆନନ୍ଦ ଲାଭ କରୁଥିଲେ।

ବାରିପଦାରେ ସାରସ୍ୱତ ସାଧନା ପାଇଁ ଅନୂକୁଳ ପରିବେଶ ପାଇ ରାମକୃଷ୍ଣ ସେ ଦିଗରେ ମନ ଦେଇଥିଲେ। ୧୯୩୩ରେ ବିଶିଷ୍ଟ ଲେଖକ ଓ କବିମାନଙ୍କ କେତେକ ରଚନା ସଂଗ୍ରହ କରି ‘ପ୍ରତିଧ୍ୱନି’ ନାମକ କ୍ଷୁଦ୍ର ପୁସ୍ତିକାଟିଏ ସେ ସଂଚଳନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ‘ସାହିତ୍ଯ ସୋପାନ; ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ ‘ସାହିତ୍ଯବୋଧ’ ପାଠ୍ଯପୁସ୍ତକ ସେ ଏଠାରେ ରଚନା କରିଥିଲେ। ତାଙ୍କର ସୁପରିଚିତ ପ୍ରାର୍ଥନା ଗୀତ – ଆହେ ଦୟାମୟ ବିଶ୍ୱବିହାରୀ, ଘେନ, ଦୟାବହି ମୋର ଗୁହାରି” ଏବଂ ଅନ୍ଯ କେତେକ ଶିଶୁକବିତା ଏହି ସମୟର ରଚନା। ବାରିପଦାରେ ସହକର୍ମୀ ଥିବା ବାସୁଦେବ ମହାପାତ୍ର ଓ ରାମକୃଷ୍ଣ ବାବୁ ଏକତ୍ର ମିଶି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଉପଯୋଗୀ ‘ ରଚନା ଦର୍ପଣ’ ପୁସ୍ତକଟି ପ୍ରଣୟନ କରିଥିଲେ। ବାରିପଦା ରେ ମଧ୍ୟ ତାଙ୍କର ପ୍ରସିଦ୍ଧ ଡନକୁସ୍ତି ପାଣ୍ଡୁଲିପି ପ୍ରସ୍ତୁତ ହୋଇଥିଲା । ତାଙ୍କର ଅନ୍ୟତମ ରଚନା “ସଂଗ୍ରାମ ଓ ସାଧନା” ର ପ୍ରଥମ ଭାଗ ଏଠାରେ ରଚିତ ଓ ପ୍ରକାଶିତ। ସେଥିରେ ସ୍ଥାନିତ ହୋଇଥିବା କେତୋଟି ଚିତ୍ର ରାମକୃଷ୍ଣ ବାବୁ ନିଜେ ଅଙ୍କନ କରି ତାଙ୍କର କଳାତ୍ମକ ପ୍ରତିଭା ର ପରିଚୟ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଆଦି ଓଡିଆ ଓ ଇଂରେଜୀ ଭାଷାରେ ଲିଖିତ ଓ ପ୍ରକାଶିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କର କେତେକ ସହାୟକ ପୁସ୍ତକ ରଚନା କରିଥିଲେ ।

ରାମକୃଷ୍ଣଙ୍କ କୃତିତ୍ୱ ବହୁମୁଖୀ । ସେ ଅବସର ପାଇଲେ ଖଟଫିତା, ସତରଞ୍ଜି ଆସନ ଆଦି ବୁଣାବୁଣି କରୁଥିଲେ । ଛାତ୍ର ଓ ସହକର୍ମୀମାନଙ୍କ ସହିତ ଭଲି , ବ୍ୟାଡମିଣ୍ଟନ, ଟେନିସ୍ ଆଦି ଖେଳୁଥିଲେ । ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା। ବାରିପଦା ରେ ଅବସର ବିନୋଦନ ପାଇଁ ସେ ଏକ ନୂଆ ବିଦ୍ୟା ଫାଟୋଗ୍ରାଫି ଶିକ୍ଷା କରିଥିଲେ। କ୍ୟାମେରା ଓ ତା’ର ଛାପିବାର ଉପକରଣମାନ କିଣି ଫଟୋ ଉଠାଇବା, ଧୋଇବା ଓ ଛାପିବାର ବ୍ୟବସ୍ଥା କରିଥିଲେ । ଫଟୋ ଉଠାଇବାର ମାଦଳତାରେ ସେ ବିଭୋର ହୋଇ ଭୋକଶୋଷ ଭୁଲିଯାଉଥିଲେ।

Read More – Guru Gomke Raghunath Murmu – Great Personalities of Odisha #Mayurbhanj

ଏହିସବୁ ସାରସ୍ୱତ କୃତିତ୍ୱ ଓ ପ୍ରତିଷ୍ଠା ମଧ୍ଯରେ ଅତି ସ୍ପଷ୍ଟ ହୋଇ ଶୋଭାପାଊଛି ତାଙ୍କର ଆଦର୍ଶ ଶିକ୍ଷକ ଜିବନ ଓ ବ୍ଯକ୍ତିତ୍ୱର ବିକଚ ଶତଦଳ। ତାଙ୍କର ସାହି ଅନାବିଳ, ନିଷ୍ଠାପର ଓ ନୀତିସିଦ୍ଧ ଶିକ୍ଷକତା ହିଁ ସବୁ ସ୍ତରରେ ତାଙ୍କର କାର୍ଯ୍ଯକୁ ଉଚ୍ଚକୋଟୀରେ ସ୍ଥାନିତ କରିଥିଲା। ନିୟମାନୁବର୍ତ୍ତିତା, ସାଧୁତା, ଅକୁତୋଭୟତା, କର୍ମନିଷ୍ଠା ଆଦି ମହାନ୍ ମାନବିକ ମୂଲ୍ଯବୋଧ ତାଙ୍କ ଶିକ୍ଷକ ଜୀବନକୁ ମହିମାମୟ ଓ ସାର୍ଥକ କରିବ ସଂଗେ ସଂଗେ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥାଏ। ରାମକୃଷ୍ଣ ବାବୁଙ୍କ ପାର୍ଥିବ ଜୀବନ ୧୯୦୬ ମସିହା ଫେବୃଆରୀ ୧୫ ତାରିଖରୁ ୧୯୯୪ ମସିହା ଅକଟୋବର ୨୯ ତାରିଖ ମଧ୍ଯରେ ସୀମିତ ହୋଇଥିଲେ ହେଁ ବହୁଦିଗସ୍ପର୍ଶୀ ତାଙ୍କ କୃତିତ୍ୱ ଅନନ୍ତ ଦ୍ଯାତନାରେ ଚିର ସମୁଜ୍ଜ୍ୱଳ।

‘‘ଆହେ ଦୟାମୟ ବିଶ୍ଵବିହାରୀ ।ଘେନ ଦୟାବହି ମୋ’ର ଗୁହାରି। ଜଳ, ସ୍ଥଳ, ବନ, ଗିରି, ଆକାଶ, ତୁମ ଲୀଳା ସବୁଠାରେ ପ୍ରକାଶ।’’

ଓଡ଼ିଆ ମାଧ୍ୟମ ସ୍କୁଲରେ ପାଠ ପଢିଥିବା ପ୍ରତିଟି ମଣିଷ ଏହି ଗୀତ ସହ ଜଡିତ ଥିବେ। ହେଲେ ଆପଣ ଜାଣନ୍ତି କି ଏ ଗୀତଟିକୁ କିଏ ଲେଖିଥିଲେ? ବାସ୍ତବରେ ଏହି ଗୀତଟିର ରଚୟିତା ହେଉଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ପଣ୍ଡିତ ରାମକୃଷ୍ଣ ନନ୍ଦ। ଫେବୃୟାରୀ ୧୫ ଅର୍ଥାତ୍ ଆଜିର ଦିନରେ କଟକ ଜିଲ୍ଲା ଓଲଟପୁର ନିକଟରେ ଜନ୍ମଗ୍ରହଣ କରିଥିଲେ ଓଡ଼ିଶାର ଏହି ମହାନ ବରପୁତ୍ର। ତାଙ୍କ ଜନ୍ମଦିନରେ ଓଟିଭି ପକ୍ଷରୁ ଆତ୍ମବିଭୋର ଶ୍ରଦ୍ଧାଞ୍ଜଳି।

Article by Rushiraj Pattanayak – You Can submit Article also...

Reference:- Ideal Teachers by Professor Jagannath Mohanty


Proud Odia

No comments.

Leave a Reply