ଭଦ୍ରକର ଅଧିଧାତ୍ରୀ ଦେବୀ : ମା ଭଦ୍ରକାଳୀ – ଲେଖିକା ଶୁଭ ସନ୍ଧ୍ୟା

Spread the love

ଭଦ୍ରକର ଅଧିଧାତ୍ରୀ ଦେବୀ : ମା ଭଦ୍ରକାଳୀ – ଲେଖିକା ଶୁଭ ସନ୍ଧ୍ୟା

“ଜୟନ୍ତୀ ମଙ୍ଗଳା କାଳି ଭଦ୍ରକାଳୀ କପାଳିନୀ।

ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ”।

ଓଡିଶା ରେ ପ୍ରତିଷ୍ଠିତ ବିଭିନ୍ନ ଶକ୍ତି ପୀଠ ମଧ୍ୟରୁ ମା ଭଦ୍ରକାଳୀ ଙ୍କ ପୀଠ ଅନନ୍ୟ । ଏହା ସର୍ବ ପୁରାତନ ଶକ୍ତି ପୀଠ ମଧ୍ୟରୁ ଗୋଟିଏ । ମା ଭଦ୍ରକାଳୀ ହେଉଛନ୍ତି ମାତା ସତୀ ଙ୍କ ଅଂଶ। ମାତା ସତୀ ଙ୍କ ଅଂଶବିଶେଷ ରୁ ମା” ଜନ୍ମି ଥିବାରୁ, ମାତା ଙ୍କ ପୀଠ ଏକ ଶକ୍ତି ପୀଠ ଭାବେ ସର୍ବଜନ ବିଦିତ। ମା ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଥିବା ଆହାରପଦା ଗ୍ରାମ ରେ ଅବସ୍ଥିତ ।

ମହାଲକ୍ଷ୍ମୀ ବେଶ

ଏଠାରେ ଚତୁର୍ଭୁଜା ମା ” ଭଦ୍ରକାଳୀ ସିଂହପୃଷ୍ଠରେ ପଦ୍ମାସନରେ ବିରାଜମାନ କରିଛନ୍ତି । ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍‌ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି ମା କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହି ପୀଠକୁ “ଦୂର୍ଗା ମାଧବ ପୀଠ” ମଧ୍ୟ କୁହାଯାଏ ।

ପ୍ରାଚୀନ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ପ୍ରାୟ ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ପରିଚିତ ଲାଭ କରିଛି ।

କଥା ରେ ଅଛି ମହାଦେବ ରୁଦ୍ର ଯେତେବେଳେ ମା ସତୀ ଙ୍କ ମରାଶରୀର କୁ ଧରି ତାଣ୍ଡବ କରୁଥିଲେ, ମା ସତୀଙ୍କ ଶରୀର ର ବିଭିନ୍ନ ଅଂଶ ଧରାପୃଷ୍ଠ ରେ ଆସି ପତିତ ହୋଇଥିଲା । ଯାହାକି ପରବର୍ତ୍ତୀ କାଳରେ ବିଭିନ୍ନ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କଲା ଏବଂ ମା ସେଠାରେ ପୂଜା ପାଇଲେ । ପୁରାଣ ରେ ବର୍ଣ୍ଣିତ ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ନିଜର ମତ ଦେଇଥିଲେ । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ମଧ୍ୟରେ – ଝଙ୍କଡ଼ ରେ ମା ଶାରଳା, କଟକରେ ମା ଚଣ୍ଡୀ, ବ୍ରହ୍ମ‌ପୁରର ଭଗବତୀ, ଖିଚିଙ୍ଗର ମା କୀଚକେଶ୍ୱରୀ, ବାଙ୍କୀର ମା ଚର୍ଚ୍ଚିକା, କାକଟପୁରର ମା ମଙ୍ଗଳା, ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ମା ସମଲେଶ୍ଵରୀ ଏବଂ ଭଦ୍ରକର ମା ଭଦ୍ରକାଳୀ ଅନ୍ୟତମ ।

ବେଦମାତା ବେଶ
ବେଦମାତା ବେଶ

ପୌରାଣିକ କଥାନୁସାରେ ଦେବୀ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲେ । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କ ପାଖରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନ‌ଦୀର ରୂପ ନେଲା । ଯେହେତୁ ଏହି ନ‌ଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନ‌ଦୀର ଜଳକୁ ପାନ କଲେ । ଏହାପରେ ଋଷି ଙ୍କ ଆତ୍ମା ପରମାତ୍ମା ସହ ମିଶିଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ ।

ଏକଦା ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବେ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସ‌ହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ ।

ଜଗଦ୍ଧାତ୍ରୀ ବେଶ

ଏକଦା ଦୁଇ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଯାଇ ଗୋଟିଏ ଘଞ୍ଚ ଜଙ୍ଗଲରେ ପହଁଚିଲେ । ଅଚାନ‌କ ସେମାନେ ଏକ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାର ପିଛା କରି କରି ଯାଇ ଏକ କୁଡ଼ିଆରେ ପ‌ହ‌ଞ୍ଚିଲେ । ସେହି କୁଡ଼ିଆଟି ଥିଲା ଯୋଗୀ ଭଦ୍ରନାଥଙ୍କର ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା । ସେହି କୁଡ଼ିଆରେ ର‌ହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଏକଦା ସେହି ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ କିଛି ଦୂରରେ ଗୋଟିଏ ଜାଗାରେ ପ‌ହଞ୍ଚିଲେ । ସେଠାରେ ପ‌ହ‌ଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହା ଦ୍ୱାରା ସେ ସେହି କ୍ଷେତ୍ରର ପଥପ୍ରଦର୍ଶକ ବନିପାରିବେ। ପରଦିନ ସେହି ଯୁବକଟି ଦେବୀଙ୍କ ପାଖରୁ ପାଇଥିବା ଫୁଲଟି ଧରି ମl ଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସ‌ହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନ‌ଦୀର ଶୁଖିଲା ବାଲି ରେ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ପୌରାଣିକ ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମ‌ହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆ ମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର, କୁବେରର ଭୁଇଁଆ ଏବଂ ନ‌ଦୀଗାଆଁର କାନୁନ୍‌ଗୋ ପରିବାର ଭାବରେ ଜଣା ।

ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ପରିସର ରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ। ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିରେ ପାଲି ଭାଷାରେ ଉଲ୍ଲେଖ ରହିଛି ।

ଅନ୍ୟ ଏକ ପୌରାଣିକ କଥାବସ୍ତୁ ଅନୁସାରେ ଓଡ଼ିଶାରେ ମୁସଲମାନ ଶାସନ ରେ କଳାପାହାଡ ଯେତେବେଳେ ଓଡିଶା ଆକ୍ରମଣ କରିଥିଲା ସେତେବେଳେ ଓଡ଼ିଶାରେ ବିଭିନ୍ନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀର ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନ‌ଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।

ଏକଦା ସ୍ଥାନୀୟ ପିଲାମାନେ ସେହି ନ‌ଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ଦେବୀ ସେଠାରେ ଆସି ପିଲାମାନଙ୍କ ସ‌ହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ‘ଆହାରପଦା’ (ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନାନ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ‘ଭଦ୍ରକାଳୀ ଗଣ୍ଡ’ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ନଷ୍ଟ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି ।

କିଛି ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ‘ଭଦ୍ରକ’ ସହର ର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ଯେପରି ସମଲେଇରୁ ସମ୍ବଲପୁର, ଭୁବନେଶ୍ଵରୀରୁ ଭୁବନେଶ୍ୱର ଏବଂ ସେପରି ଦେବୀ ଭଦ୍ରକାଳୀଙ୍କ ଠାରୁ ଭଦ୍ରକ ହୋଇଛି ।

ପୂଜା ଓ ପାର୍ବଣ :

ବର୍ତ୍ତମାନ ଦୀକ୍ଷିତ ବଂଶର ପରିବାରଗଣ ଦେବୀଙ୍କର ପୂଜାକାର୍ଯ୍ୟ କରୁଛନ୍ତି । ଭଦ୍ରକାଳୀ ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ । ପ୍ରାତଃରେ ମଙ୍ଗଳ ଆରତି ଓ ସ୍ନାନ ଆଦି ସମାପନ ପରେ କଦଳୀ, କ୍ଷୀର, ଉଖୁଡା ଓ ଫଳମୂଳ ଦ୍ଵାରା ଭୋଗ ଲାଗି ହୋଇଥାଏ । ଦ୍ଵିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ । ପ୍ରତିବର୍ଷ ମହାବିଷୁବ ସଂକ୍ରାନ୍ତି, ରଜପର୍ବ, ଦୁର୍ଗାପୂଜା, କାଳୀପୂଜା, ଓ ଚୈତ୍ର ପୂର୍ଣ୍ଣିମା ଇତ୍ୟାଦି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତିରେ ଝାମୁ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ପାର୍ଶ୍ୱ ଦେବଦେବୀ :

ମା ଭଦ୍ରକାଳୀ ପୀଠ ମଧ୍ୟରେ ପୂଜା ପାଉଥିବା ଅନ୍ୟ ଦେବଦେଵୀ ଙ୍କ ମଧ୍ୟରେ ଯଥା ବାବା ଭଦ୍ରେଶ୍ୱର ମହାଦେବ, ନବଗ୍ରହ ମୂର୍ତ୍ତି, ଏବଂ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଙ୍କ ତୃତୀୟ ମୂରତି.


Proud Odia

No comments.

Leave a Reply