≈ ବାହାସ୍ପୋଟ ≈ ଓଡିଆ ଗପ ଉପସ୍ଥାପନା ଦୀପକ ଦାସ

Spread the love

≈ ବାହାସ୍ପୋଟ ≈ – ଦୀପକ

ଜଣେ କଙ୍କଡା ଧରାଳି ସବୁଦିନ ନଈକୂଳରେ ବୁଲିବୁଲି କଙ୍କଡା ଗାତରେ ହାତ ପୁରାଇ କଙ୍କଡା ଧରେ । ଗୋଟେ ଗାତରେ ଧଣ୍ଡସାପଟିଏ ରହୁଥିଲା । କଙ୍କଡା ଧରାଳି ପ୍ରତ୍ୟେକ ଦିନ କଙ୍କଡା ଧରିବା ପାଇଁ ଅନ୍ୟ ଗାତ ଭଳି ସେହି ଗାତରେ ମଧ୍ୟ ହାତ ପୁରାଏ, ଏବଂ ଗାତ ଭିତରେ କଙ୍କଡା ବଦଳରେ ସାପକୁ ପାଇ ତାକୁ ବାହାରକୁ ଛାଟିଦିଏ ।

ଧଣ୍ଡସାପ ନିଜ ଗାତ ଭିତରେ ରହିପାରୁ ନ ଥିବାରୁ ମନ ଦୁଃଖରେ ଥାଏ । ଦିନେ ନାଗସାପ ସେହି ବାଟରେ ଯାଉଯାଉ ଧଣ୍ଡସାପ ସହିତ ଦେଖା ହେବାରୁ ତା’ର ମନଦୁଃଖର କାରଣ ପଚାରିଲା ।

ଧଣ୍ଡସାପ ଦୁଃଖରେ କହିଲା, “କଣ କହିବି ଭାଇ, ଗୋଟାଏ ମଣିଷ ମୋତେ ମୋ ଗାତରେ ରଖାଇ ଦେଉନାହିଁ, ସବୁଦିନ ଗାତରୁ ବାହାର କରିଦେଉଛି ।”

ସେଇଠୁ ନାଗସାପ ଫଣା ଟେକି ଫୁଟାଣିମାରି କହିଲା, “ଓଃ, ଏଇ କଥା ! ଛାର ମଣିଷଟାକୁ ତୁ ପାରୁନାହୁଁ, ଗୋଟିଏ ଚୋଟରେ ସଫା ହେଇଯିବ । କାଲି ତୋ ଗାତରେ ମୁଁ ରହିବି; ମଣିଷ ଆସି ଗାତ ଭିତରକୁ ହାତ ପୁରାଇଲେ ଏମିତି ଗୋଟେ ଚୋଟ ପକାଇବି ଯେ, ଆଉ ସେ ମଣିଷ ରହିବ ନା ତୋତେ ତୋ ଗାତରୁ ବାହାର କରିବ ।”

ତା’ପର ଦିନ କଙ୍କଡା ଧରାଳି ଆସି କଙ୍କଡା ଧରିବା ପାଇଁ ସେହି ଗାତରେ ହାତ ପୁରାଇଲା । ନାଗସାପ ଅଣଓସାରିଆ ଗାତଟିରେ ଜାକିଜୁକି ହୋଇ ରହିଥିଲା, ଫଣା ଟେକିବା ପାଇଁ ଆଉ ଜାଗା ନ ଥିଲା । ତେଣୁ ସେ ଫଣା ଟେକି ପାରିଲା ନାହିଁ କି ଚୋଟ ମାରି ପାରିଲା ନାହିଁ । ଏପଟେ କଙ୍କଡା ଧରାଳି ଗାତ ଭିତରେ ପୁଣି ସାପକୁ ପାଇ ବିରକ୍ତ ହେଲା, ‘ଏଇ ସାପ ହିଁ ସବୁ କଙ୍କଡା ଖାଇଦେଉଛି, ମୋତେ କିଛି ମିଳୁ ନାହିଁ । ରହ ଆଜି ତୋତେ ମଜା ଚଖାଉଛି ।’

ରାଗରେ କଙ୍କଡା ଧରାଳି ଗାତ ଭିତରୁ ନାଗସାପକୁ ଧରି ବୁଲାଇ ବୁଲାଇ ଏତେ ଜୋରରେ ଫିଙ୍ଗିଲା ଯେ, ମାଇଲେ ଦୂରରେ ପଡି ନାଗସାପର ଅଣ୍ଟାପିଠି ଜଖମ ହେଇଗଲା ।

ଧଣ୍ଡସାପ ନାଗସାପକୁ ଖୋଜିଖୋଜି ଯାଇ ସେଠି ପହଞ୍ଚିଲା, ଆଉ ତାର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଇଗଲା, “ଆରେ ଭାଇ, ମଣିଷ ତୁମର ଇଏ କି ଅବସ୍ଥା କଲା ? ମୋତେ ତ ଖାଲି ଗାତ ବାହାରେ ପକାଇ ଦେଉଥିଲା, ତୁମ ଭଳି ବିଷଧରକୁ ତ ମାଇଲେ ଦୂରକୁ ଫୋପାଡି ଅଣ୍ଟା ଭାଙ୍ଗି ଦେଲା ।”

ନାଗସାପ ବହୁତ କଷ୍ଟରେ ଉତ୍ତର ଦେଲା, “କୁହନି ଭାଇ ସେ କଥା, ମୁଁ ଜାଣି ନ ଥିଲି ଗାତ ଭିତରଟା ଏତେ ସଙ୍କୁଚିତ ବୋଲି । ସେଠି ଫଣା ଟେକି ହୁଏନି କି ଚୋଟ ମାରି ହୁଏନି ।”

ଆମର ବର୍ତ୍ତମାନର ବୀରପୁଙ୍ଗବମାନେ ଏମିତି ଗୋଟିଏ ଗୋଟିଏ ନାଗସାପ; ବାହାରେ ଥାଇ ଫଣା ଟେକି ବହୁତ ଫଁ ଫଁ ହୁଅନ୍ତି । କିନ୍ତୁ କ୍ଷମତାର ଚୌକିରେ ବସିଲେ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଗାତ ଭିତରେ ଏଭଳି ଆବଦ୍ଧ ହୋଇଯାଆନ୍ତି ଯେ, ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ ଆଉ ଫଣା ଟେକି ପାରନ୍ତି ନାହିଁ କି ସମାଜର ଅନିଷ୍ଟକାରୀ ଶତ୍ରୁକୁ ଦଂଶନ କରିପାରନ୍ତି ନାହିଁ ।


No comments.

Leave a Reply