ଆଜି ପବିତ୍ର ମାଘ ସପ୍ତମୀ, ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ବ୍ରହ୍ମଲୀନ ଦିବସ ।

Spread the love

ଆଜି ପବିତ୍ର ମାଘ ସପ୍ତମୀ, ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ବ୍ରହ୍ମଲୀନ ଦିବସ ।
ଶ୍ରୀ ଚୈତନ୍ୟ ଙ୍କ ଇହଲୀଳା ସମ୍ବରଣ କରିବାର ୧୬ ବର୍ଷ ପରେ ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ପରମ ଧାମ ଗମନ କରିଥିଲେ। ବଡଓଡ଼ିଆ ମଠ ତ୍ୟାଗ କରି ସେ ସମୁଦ୍ର କୂଳ ନିକଟରେ ଅବଢ଼ା କୁଡୁଆରେ କୁଡ଼ିଆ କରି ପ୍ରତିଦିନ ଭଗବଦ ଆରାଧନା , ହରିନାମ କୀର୍ତ୍ତନ , ଶିଷ୍ୟ ଓ ଜନସାଧରଣ ଙ୍କୁ ଜ୍ଞାନ ମିଶ୍ରିତ ଭକ୍ତି ତତ୍ତ୍ୱ ଓ ମହାପ୍ରଭୁଙ୍କ ଲୀଳା ବ୍ୟାଖ୍ୟାନ କରୁଥିଲେ ।

ଆଜି ପବିତ୍ର ମାଘ ସପ୍ତମୀ, ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଙ୍କ ବ୍ରହ୍ମଲୀନ ଦିବସ ।

ଏଥି ମଧ୍ୟରେ ୧୬ ବର୍ଷ ଅତିବାହିତ ହୋଇଯାଇଥିଲା। ଇହଲୀଳା ତ୍ୟାଗ କରିବା ସମୟ ଆସିବା ପୂର୍ବରୁ ଅତିବଡ଼ି ନିଜ ଶିଷ୍ୟମାନଙ୍କୁ କହିଥିଲେ :-
ସମସ୍ତ ଶିଷ୍ୟଗଣ ଚାହିଁ । ସ୍ୱାମୀ କହିଲେ ଦୟା ବହି ।।
ଯୁଗଳ ପ୍ରେମ ଭାବୁଥିବ । ଏ ସୁଖ କେବେ ନ ଛାଡିବ।।
କାଷ୍ଠ ପାଦୁକା ପାଦୁ ଫେଇ । ବୋଇଲେ ପୂଜା କର ଯାଇ ।।
ଶୁଣିଣ ହରିଦାସ ଗଲେ । କାଷ୍ଠ ପାଦୁକା ପୂଜା କଲେ।।
ସମସ୍ତେ କଲେ ସିଉକାର । ପୀଠେ ପାଇଲେ ଅଧିକାର।।
ତାହାଙ୍କୁ ଦେଲେ ଅଧିକାର । ସମସ୍ତ ଘେନି ରାଜ୍ୟ କର ।।
ଅତିବଡ଼ି ନିଜ ପାଦୁକା ଦ୍ୱୟ ନିଜ ଶିଷ୍ୟମାନଙ୍କୁ ଅର୍ପଣ କରି ତାହାକୁ ପୂଜା କରିବା ପାଇଁ ଉପଦେଶ ଦେଇ କୁଶାସନରେ ବସି ମହାପ୍ରଭୁଙ୍କୁ ଧ୍ୟାନ କରିଥିଲେ ।
ଏମନ୍ତ ଆଜ୍ଞାକରି ସ୍ୱାମୀ । ଚିନ୍ତିଲେ ଧ୍ୟାନେ ଅନ୍ତର୍ଯ୍ୟାମୀ ।।
ଶ୍ରୀହରି ମନ୍ଦିର କପାଳେ । ତୁଳସୀ ଧଣ୍ଡା ହୃଦୟରେ ।।
ଦୟାଣା ଲଲାଟେ ବେଢ଼ାଇ । ନିର୍ମାଲ୍ୟ ଅଧରେଣ ଦେଇ।।
ଶଙ୍ଖ ଚକ୍ର ଚିହ୍ନ ଅଙ୍ଗରେ । ବସିଲେ କୁଶ ଆସନରେ।।
ଦେଉଳ ସମଗ୍ର ଦେଖିଲେ। ନିଳଚକ୍ରକୁ ଦୃଷ୍ଟି ଦେଲେ।।
ରାଧାକୃଷ୍ଣ ଯୁଗଳ ମନ୍ତ୍ର । ଧ୍ୟାନବସ୍ଥିତ କଲେ ଚିତ୍ତ।।
ପ୍ରଣାତି ପବନକୁ ତୋଳି। ଚକ୍ରେ ଚକ୍ର ଭେଦ ନିରୋଳି।।

ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଅତିବଡ଼ି ଗୋପନରେ ଦିବ୍ୟ ଶରୀର ଧାରଣ କରି ମରଦେହରୁ ବହିର୍ଗତ ହୋଇ ମେଘମାଳରେ ବିଜୁଳି ଚମକିଲା ପରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲୀନ ହୋଇଗଲେ।
ଜଗନ୍ନାଥଙ୍କ ଦାସ ଯେଣୁ । ସେ ନାମ ଦାସ ପଦ ତେଣୁ ।।
ନିତ୍ୟରେ ଅଂଶ ରାଧା ନାମ । ସ୍ୱରୂପ ଭକ୍ତି ପୂର୍ଣ୍ଣକାମ ।।
ସେ ସତ୍ୟ ଦାସ ଜଗନ୍ନାଥ । ସ୍ୱାମୀଙ୍କି ବୋଲନ୍ତି ଜଗତ ।।
ଏ ଭକ୍ତି ପ୍ରେମ ତରଙ୍ଗିଣୀ । ବଳେ ପ୍ରାଣୀଙ୍କି ନିଏ ଟାଣି ।।
ଯେମନ୍ତେ ସମୁଦ୍ର ଲହରୀ । ପ୍ରାଣୀଙ୍କୁ ବଳେଣ ଓଟାରି ।।
ପ୍ରାଣୀଙ୍କ ଏ ପ୍ରେମ ଭକତି। ଉପଦେଶ ମାତ୍ରେ ପ୍ରପାତି।।
ଶ୍ରୀ ମନ୍ତ୍ରରାଜ ଉପାସନ । କିଶୋରୀ କିଶୋରଙ୍କ ଧ୍ୟାନ।।
ଏ ଭକ୍ତି ସଂସାରେ ସ୍ଥାପିଲେ। ତଦନ୍ତେ ତିରୋଧାନ ହେଲେ ।।
ଶୁକଳ ସପ୍ତମୀ ମକର । ଅପ୍ରକଟ ସେହି ଦିନର।।

ଅତିବଡ଼ି ଜଗନ୍ନାଥ ଦାସ ୬୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ଶିଷ୍ୟମାନେ ତାଙ୍କର ପାର୍ଥିବ ଶରୀରକୁ ସାତଲହଡ଼ି ମଠର ଭଜନ କୁଟୀର ରେ ହିଁ ସମାଧି ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଏକ ମଣିମୟ ବିଗ୍ରହ ସ୍ଥାପନ ହୋଇ ପୂଜାର୍ଚ୍ଚନା କରାଯାଉଛି।
ଏ ଅନ୍ତେ ଛତିଶ ବରଷ । ପ୍ରେମ ସାଧିଲେ ଅହର୍ନିଶ।।
ଷାଠିଏ ବରଷ ବୟସରେ । ପ୍ରେମ ସ୍ଥାପି ସ୍ଥାପି ଗମିଲେ।।

src Jai Jagannath

No comments.

Leave a Reply