ନାରୀ – Naari – Odia Kabita ra Lekhika Rosy Malik #Odia #Poetry #ଓଡିଆ #ଓଡିଶା
ନାରୀ – Naari – Odia Kabita ra Lekhika Rosy Malik #Odia #Poetry #ଓଡିଆ #ଓଡିଶା
ଯାହାକୁ ତୁମେ ବୁଝିଛ, ଅଥଚ ବୁଝିନାହଁ;
ଯିଏ ନିଜକୁ ବୁଝିଛି,
ହେଲେ ବୁଝେଇ ପାରିନି ଯେ,
ସେ କୋମଳ କିନ୍ତୁ ଦୁର୍ବଳ ନୁହେଁ ।
ଯେବେ ଯାଏଁ ଡେଇଁ ନ ଥିବ ତୁମେ
ତୁମ ମିଛ ଅହଙ୍କାରର ସୀମା,
ସେବେ ଯାଏଁ ତୁମେ ଅଟକି ଯାଇଥିବ……
ତାର କଳାମେଘ କବରୀ ପାଖରେ,
ଛୁଇଁପାରିବନି ତାର ଚିନ୍ତା ଓ ଚେତନାକୁ,
ଜାଣିବ କେମିତି?
ଯେ ସେ ବି ଦେଖି ପାରେ,
ତୁମ ପରି ଆକାଶକୁ ଛୁଇଁବାର ସ୍ଵପ୍ନ,
ଭରସି ପାରେ ଲଙ୍ଘିବାକୁ ପର୍ବତ ।
ସେବେ ଯାଏଁ ତୁମେ ଅଟକି ଯାଇଥିବ,
ତାର ଦୁଇ ଭ୍ରୂଲତା ମଝିରେ,
ଦେଖି ପାରିବନି ତା ଆଖିରେ
ଚମକୁଥିବା ଆତ୍ମବିଶ୍ଵାସ,
ବୁଝି ପାରିବନି ତା ଆଖିର ଭାବକୁ,
ଯେ ଅନାୟାସେ ବଦଳି ଯାଏ
ସୁଖରେ ଦୁଃଖରେ ।
ଯେତେ ଯେତେ ବାନ୍ଧି ଚାଲିଥିବ,
ତୁମ ସଙ୍କୀର୍ଣ୍ଣତାର ଲକ୍ଷ୍ମଣ ରେଖା
ତା ପାଦରେ,
ସେ ପାଲଟେଇ ଦେଉଥିବ
ସବୁ ଶୃଙ୍ଖଳକୁ ନୁପୁର ନିକ୍ଵଣରେ,
ସଙ୍ଗୀତମୟ କରୁଥିବ
ପରୋକ୍ଷରେ ତୁମରି ହିଁ ଜୀବନ ।
ଯେବେ ଯାଏଁ ତୁମେ ଡେଇଁବନି
ସନ୍ଦେହର ସୂକ୍ଷ୍ମ ବଳୟ;
ସେ ବାରମ୍ବାର କରୁଥିବ ନିଜକୁ
ଅଗ୍ନିଲୀନା, ତୁମ ସନ୍ଦେହର ପରୀକ୍ଷାରେ,
ତ କେବେ ହେଉଥିବ ଭୂମିଗତା
ନିଜ ସ୍ବାଭିମାନର ସୁରକ୍ଷାରେ ।
ଯେବେ ଯାଏଁ ତୁମେ ଖୋଜି ବୁଲୁଥିବ
ତାକୁ ତାର ଦେହର ଦେହଳୀ ପରିସୀମାରେ,
ସେ ମନେହେଉଥିବ ସେତିକି ଦୁର୍ବୋଧ୍ୟ ।
ତଥାପି ସେ ବିଶ୍ବାସ ରଖିଥାଏ ;
ଦିନେ ଯେବେ ତୁମେ ବୁଝିଯିବ……
ସେ ମଧ୍ୟ ଈଶ୍ଵରଙ୍କ ରଚିତ ତୁମ ପରି,
ତୁମେ ଉପେକ୍ଷା କରି ପାରିବନି;
ତାର ଅସ୍ତିତ୍ଵକୁ, ଆଉ ସର୍ବୋପରି
ତାର ସ୍ଵୟଂ ସୃଷ୍ଟିକର୍ତ୍ତ୍ରୀ ହେବାର ଗାରିମାକୁ…..