Odia kabita – Kichhi Odia Lekhakanka Lekhani ru “କିଛି ଓଡିଆ ଲେଖକଙ୍କ ଲେଖନୀ ରୁ ପଦେ ……”- Lekhak Soumya Saraswata Dash #Odia #Odisha
ବର୍ଷାମୁଖର ସଞ୍ଜରେ…
ନିଃସଙ୍ଗତା ସହ କବିତାଟିଏ ଲେଖିବସିଲା ବେଳେ,
ଶବ୍ଦମାନେ ହେଇଯାଆନ୍ତି ନିର୍ବାକ,
ଠିକ୍ ଯେମିତି ଜହ୍ନ ପାଲଟିଯାଏ ପଥର,
ତାରାମାନେ ଆଖି ସମ୍ମୁଖରେ ଟଳିପଡ଼ୁଥିବାବେଳେ…
ମୋ ରଙ୍ଗିନ୍ ସହରରେ,
ତମେ ବିଞ୍ଚିଦେଲ ମୁଠାମୁଠା ଅନ୍ଧକାର,
ଆଉ ମୁଁ ସବୁ ସାଉଁଟି ରଖିଲି,
ମୋ ହୃଦୟର ଗମ୍ଭିରୀ ଭିତରେ,
ମୁଁ ଜାଣିଥିଲି,
ଅନ୍ଧକାର ନିହାତି ଜରୁରୀ,
ନୂଆ ନୂଆ ସ୍ୱପ୍ନ ସବୁ ଦେଖିବା ପାଇଁ…
==========================
ତମେ ମୋତେ ଭଲ ପାଅ କି ନ ପାଅ,
ମୁଁ କିନ୍ତୁ ଭଲ ପାଏ ,ନିଃସର୍ତ୍ତ, ନିରବଛିନ୍ନ …
ଆଉ ଅପେକ୍ଷା କରେ,
ଏକାକୀତ୍ୱ ସହ ଏକ ନିରୋଳା ଶୀତ ସଞ୍ଜକୁ,
ଯେବେ ତୁମ ଉଷୁମ୍ ଚୁମ୍ବନ ସହ ମୁଁ ପାଇଯିବି ମୋକ୍ଷ,
ପଥପ୍ରାନ୍ତର ପାଷାଣୀ ଅହଲ୍ୟା ପରି…
==========================
ବେଳେବଳେ ଇଚ୍ଛା ହୁଏ,
ତୁମ ଓଠର ରଙ୍ଗରେ,
ଲେଖି ଦିଅନ୍ତି,ମୋ ପରିଣତ ବୟସର ଦସ୍ତାବିଜ୍,
ଅଥଚ଼…
ତୁମ ଗୋଟିଏ ପ୍ରତ୍ୟୁତ୍ତରରେ,
ସ୍ୱପ୍ନ ସବୁ ବତୁରି ଯାଆନ୍ତିଝଡ଼ି ବର୍ଷାର କାଗଜଡଙ୍ଗା ପରି…
==========================
ତୁମକୁ ଭଲ ପାଇବା ଆଗରୁ,
ମୁଁ ସାଇତି ରଖେ ପାପୁଲିଏ ନିଃଶ୍ୱାସ,
ମୁଁ ଜାଣେ,
ଅଣନିଃଶ୍ୱାସୀ ହେଇଯିବାଟା ସ୍ୱାଭାବିକ୍,
ଖାସ୍ ତୁମକୁ ପ୍ରେମ କଲା ପରେ…
==========================
ତୁମ ସିନ୍ଥିରେ ସିନ୍ଦୁର ଦେଖିଲେ,
ମୋ ହୃତ୍ ପିଣ୍ଡରେ ଛୁରୀ ଚଲେଇ ଦିଏ,
ମୋ ଅସହାୟତା…
ତଥାପି ମୁଁ ହସେ,
ତମ ଖାଲି ପାଦକୁ,
ମୋ ରକ୍ତବିନ୍ଦୁ ସଜେଇ ଦେଲା ପରେ…
==========================
ତମେ ମୋତେ କଣ ବୋଲି କହିବ?
ଯଦି ମୁଁ କହେ ମୁଁ ଭଲ ପାଏନି କିଆ,କେତକୀ,
ଅଥବା ସତେଜ ଦେହ ପାଇଁ ଫୁଲେଇ ହେଉଥିବା ଗୋଲାପକୁ…
ବରଂ ମୁଁ ପ୍ରେମ କରେ,
ମଧୁ ସଞ୍ଜକୁ ମହକେଇ ଦେଉଥିବା ମଧୁମାଳତୀକୁ…
==========================
ବସନ୍ତ ପାଲଟି ଯାଏ ବୟସ୍କ,
ଯେତେବେଳେ ତୁମେ ସାଉଁଟୁ ଥାଅ,
ବଉଳର ବାସ୍ନା ସାଙ୍ଗେ ଦରଫୁଟା ଯୌବନ,
ଆଉ ମୁଁ ଖୋଜୁଥାଏ ତୁମ ଓଠର ଉଷ୍ମତା,
ଚଇତିର ଚୁମ୍ବନ ମଧ୍ୟରୁ…
==========================
ତୁମ ପ୍ରତ୍ୟେକ ଈଶାରାରେ,
ପଥିକ ପାଲଟି ଯାଏ ତୃଷାର୍ତ୍ତ…
ଆଉ ତୁମେ ଢାଳିଦିଅ ଆଞ୍ଜୁଳାଏ ଶୋଷ,
ମରୀଚିକାର ଅପର ପାର୍ଶ୍ବରୁ…