stories of Jadumani || Jadumani Rahasya ||- ଧରମ ଦିଅର

Spread the love

|| ଯଦୁମଣି ରହସ୍ୟ ||

~ ଧରମ ଦିଅର ~jadumani

 ଉପସ୍ଥାପନା :- ସୁନିଲ ପଣ୍ଡା

 

କବି ଯଦୁମଣି ରଥଯାତ୍ରା ଦେଖିବାକୁ ପୁରୀ ଯାଇଥାନ୍ତି | ଦିଅଁ ରଥରେ ବସି ସାରିଲେଣି | କବି ଠାକୁରଙ୍କୁ ପ୍ରଣାମ କରିସାରି ଲୋକମାନଙ୍କ ଭିତରେ କ’ଣ ଖୋଜି ବୁଲୁଥାନ୍ତି | କବି ମନରେ କେତେ ଚିନ୍ତା, କେତେ ଭାବନା? ଆମେ ସିନା ଉପର ଠାଉରିଆରେ ଦେଖି ନେଉ ହେଲେ କବି ଆଖିରେ ତାହା ନୂଆ ରୂପନିଏ |

ଲୋକ ଗହଳି ଭିତରେ ଜଣେ ଯୁବତୀ ଙ୍କୁ ଦେଖି ତାଙ୍କ ଆଖି ଲାଖି ରହିଲା | ଏତେ ସୁନ୍ଦରୀ ଝିଅ ସେ କେବେହେଲେ ଦେଖିନଥିଲେ | ପାଖକୁ ଗଲେ ଯୁବତୀର ମଥାରେ ବିନ୍ଦୁଏ ସିନ୍ଦୂର ସୀମନ୍ତରେ ସିନ୍ଦୂର ଗାର, ତେବେ ବିବାହିତା ହେଉ ସେଥିରେ ଯାଏ ଆସେ କେତେ ? ଫୁଲକୁ ଛୁଇଁଲେ କି ଦଳିମକଚି ଦେଲେ ସିନା ପାପ; ଦେଖିଲେ, ସୌନ୍ଦର୍ଯ୍ୟରେ ମୁଗ୍ଧ ହେଲେ ଅପରାଧ କେଉଁଠି ରହିଲା ?

ଯୁବତୀ ପିଛାଧରି କବି ତେର ସମର ଯାଏ ପଛେ ପଛେ ବୁଲିଲେ | ତା’ର ନିକଟକୁ ଯାଇ ଗାଇଲେ :–

 

ତୋ’ର ମୁଁ ହୁଅନ୍ତି ଦିଅର ଥରେ,

କଥା କହୁଥାନ୍ତି ଦିଅର ଥରେ |

ବିଜେ କରିଛନ୍ତି ଦିଅଁ ରଥରେ,

ସଂ କଳ୍ପ କରି ଦିଅ ରଥରେ |

ସେ ନବବଧୂ ସାଧାରଣ ସ୍ତ୍ରୀ ନଥିଲା, ସେ ମଧ୍ଯ ଯଦୁମଣି ଙ୍କ ଠାରୁ ବଳି ରସିକା | ସେ ହସି ହସି ଯଦୁମଣି ଙ୍କ ହାତକୁ ଟାଣିଆଣି ରଥକୁ ଛୁଆଁଇ କହିଲା – ହଁ, ମୁଁ ନିୟମ କରି କହୁଛି, ତୁମେ ଆଜିଠାରୁ ମୋ ଦିଅର ହେଲ, ତୁମ ସହିତ ସଂପର୍କ ଜୀବନ ଥିବା ପର୍ଯ୍ୟନ୍ତ ରହିବ | ତୁମ ଥଟ୍ଟା ନକଲକୁ ମୁଁ ସହିବି |

ସେଇ ନବବଧୂ ର ଘର ଥିଲା ପୁରୀ ଜିଲ୍ଲାର ବାଘମାରୀ | ଶାଶୁ, ଶ୍ବ୍ଶୁର ସହିତ ରଥଯାତ୍ରା ଦେଖିବା ପାଇଁ ପୁରୀ ଯାଇଥିଲା |

ଭବିଷ୍ୟତରେ ଯଦୁମଣିଙ୍କ ସହିତ ତା’ର ପ୍ରୀତି ବାନ୍ଧିବା ବହୁତ ଦିନ ପର୍ଯ୍ୟନ୍ତ ରହିଲା | ସେ ଧରମ ଦିଅର ହୋଇଗଲେ | ଗାଁ ଲୋକମାନେ ଓ ଯୁବତୀର ସ୍ବାମୀ ସେହି ସଂପର୍କକୁ ଗ୍ରହଣ କରିଗଲେ | ଯଦୁମଣି ପୁରୀ ରୁ ଫେରି ଧରମ ଭାଉଜ ଘରେ ଚାରିମାସ ଆନନ୍ଦର ସହିତ ରହିଥିଲେ |


Comments are closed.