mini-banner-gif

#କ୍ଷୁଦ୍ରଗଳ୍ପ – ଗୋଟିଏ ପ୍ରିୟତମ କର୍ମ – କ୍ଷୁଦ୍ର ଗଳ୍ପ ଲେଖକ ଜ୍ୟୋତି ନନ୍ଦ #ଓଡିଆ #ଗଳ୍ପ

Spread the love

#କ୍ଷୁଦ୍ରଗଳ୍ପ – ଗୋଟିଏ ପ୍ରିୟତମ କର୍ମ – କ୍ଷୁଦ୍ର ଗଳ୍ପ ଲେଖକ ଜ୍ୟୋତି ନନ୍ଦ #ଓଡିଆ #ଗଳ୍ପ

II ଗୋଟିଏ ପ୍ରିୟତମ କର୍ମ II

ଏହା ନିଶ୍ଚିତ ଭାବରେ ଗୋଟିଏ ପ୍ରିୟତମ କର୍ମ।ଆପଣ ମାନେ ସମସ୍ତେ ମୋ ସହ ଆଦୌ ଅସହମତ ହେବେନାହିଁ।
ଏହି କର୍ମ ଟି ଯେତେକ ଶତୃ ବା ହତ୍ଯାକାରୀ ବା ଘୃଣାରେ ଜର୍ଜରିତ ବ୍ଯକ୍ତି ବିଶେଷ ଅଛନ୍ତି ସେମାନେ ନିଜେ ସଂପାଦନ କରିବା ପାଇଁ ପୂର୍ଣ୍ଣ ମାତ୍ରାରେ ଅସମର୍ଥ ।ଅନ୍ଯ ଭାବରେ କହିଲେ ଏଇ କାମଟି କରିଦେଲେ ଶତୃ ଟିଏ ଆଉ ଶତୃ ହୋଇ ରହିବ ନାହିଁ।ହତ୍ଯାକାରୀ ଟି ଭୁଲିଯିବ ତାହାର ସମସ୍ତ ସୁଚତୁର ଅସ୍ତ୍ର ଚାଳନାର କୌଶଳ।ବ୍ଯକ୍ତିଗତ ଅଭିଧାନରୁ ଝାପସା ଦିଶିବ ଘୃଣା ଓ ତାହାର ସମଗୋତ୍ରୀୟ ଯେତେ ଶବ୍ଦ।


କଳ୍ପନା କରନ୍ତୁ ଶତୃତା,ହତ୍ଯା ବା ଘୃଣା ବିମୁକ୍ତ ଏକ ପୃଥିବୀକୁ।ସେହିଭଳି ଏକ କଳ୍ପିତ ପୃଥିବୀର ସୁନ୍ଦରତମ ସବୁଜିମାକୁ ଦେଖିବା ପାଇଁ ଆମ ମାନଙ୍କର ଆଖିର ସହାୟତା ଆଦୌ ଲୋଡା ପଡିବ ନାହିଁ। ଆଖିଠାରୁ ଆମେ ଢେର୍ ବେଶି ଦେଖୁ ଅନ୍ଯ ବାଟରେ।ତାହା ଆପଣମାନେ ବେଶ୍ ଭଲଭାବରେ ଜାଣନ୍ତି।
ଗୋଟିଏ ସରଳ କାମଟିଏ କରିଦେଲେ ଯଦି ପୃଥିବୀର ଆମୂଳ ପରିବର୍ତ୍ତନ ଘଟିଯାଇ ପାରିବ ତେବେ ଆମେ ସେଇ କାମଟି କରୁନାହୁଁ କାହିଁକି ?ବାଧା ଟି ଆସୁଛି କେଉଁଠୁ ?ଆମେ କ’ଣ ସୁନ୍ଦର ପୃଥିବୀଟିଏ ଚାହୁଁ ନାହୁଁ?ରକ୍ତପାତ କ’ଣ ଏତେ ଉତ୍ତେଜକ ଯାହା ଆମର ପବିତ୍ର ସୌନ୍ଦର୍ଯ୍ୟବୋଧ ର ନିଷ୍ପାପ ଆନନ୍ଦ ଠାରୁ ଅଧିକ ମନୋହର ?ଏହାର ଗୋଟିଏ ଉତ୍ତର ବାହାର କରାଯାଇ ପାରେ।
ଉତ୍ତର ଟି ହେଉଛି ସରଳ ବନାମ ଜଟିଳର ଫୁଟବଲ୍ ଖେଳ।
ପ୍ରସଂଗକ୍ରମେ ଆସିଥିବା ପ୍ରଶ୍ନ ଗୁଡିକ ଜଟିଳ।ଜଟିଳ ପ୍ରଶ୍ନ ପାଇଁ ସବୁବେଳେ ଆମର ଭରସା ଜଟିଳ ଉତ୍ତର ଉପରେ ରହିଛି। ଯଦି ସରଳ ଉତ୍ତର ଟିଏ କିଏ କହିଦେଲା ତେବେ ଅନେକ ସମୟରେ ଆମର ଭିତରର ସରଳତା ପ୍ରତି ଏକ ପ୍ରକାରର ଅନାସ୍ଥା ଲୁଚି ବସିରହେ ନାହିଁ।ଆମ ମୁହଁରୁ ବାହାରି ଆସେ,ଠିକ୍ ଯେ … ତଥାପି ଏମିତି କ’ଣ ହେବ ? ହୋଇପାରିବ? ପୁଣି ପ୍ରଶ୍ନ ର ଗୋଲକଧଂଦା ଭିତରକୁ ଆମେ ପଶିଯିବୁ।
ଜଣେ ଶିକ୍ଷକ ହିସାବରେ ଦେଖିଛି ଆମର ସରଳତା ପ୍ରତି ଅସୂୟାକୁ।ଆମର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆମେ ସବୁ ସମୟରେ ଜଟିଳରୁ ଜଟିଳତର ପ୍ରଶ୍ନ ମାନଙ୍କୁ ସମାଧାନ କରିବା ପାଇଁ ଯୋଗ୍ଯ ଓ ସକ୍ଷମ କରିବାରେ ଚେଷ୍ଟିତ।ସେମାନେ କିଂତୁ ସରଳ ପ୍ରଶ୍ନ ଟିଏ ଦେଖିଲେ ବିବ୍ରତ ହୋଇଯାଆନ୍ତି।ସେମାନଙ୍କର ମୁଣ୍ଡ ସାରା ଜଟିଳତାର ବୁଢିଆଣୀ ଜାଲ।
ଜଟିଳତା କୁ ଆମେ ପାଣ୍ଡିତ୍ଯର ଗୁଣସୂତ୍ର ବୋଲି ଧରିଥାଉ।ଆଉ ସରଳତା ହେଉଛି ମୂର୍ଖ ମାନଙ୍କର ବିଚିତ୍ର ପୃଥିବୀ।
ବିଚିତ୍ର ପୃଥିବୀକୁ ପ୍ରବେଶ କରିବାର ସାମର୍ଥ୍ଯ କେବଳ ଆଲିସ୍ ବୋଲି ସେଇ ସରଳ ବାଳିକା ର ରହିଛି।
ଆଲିସ୍ ର ଦୃଷ୍ଟିକୁ ଧାର ନେଇ ପ୍ରଥମରୁ କୁହାଯାଇଥିବା ସରଳ କାମ ଟି କୁ ଦେଖାଯାଉ ।
ଗୋଟିଏ ତଥ୍ଯ ଅନୁସାରେ ଆମେ ସମସ୍ତେ ଆମର ଜୀବଦ୍ଦଶାରେ ଏଇ କାମଟି ପ୍ରାୟ ଦୁଇ ସପ୍ତାହ ବ୍ଯାପୀ କରିଥାଉ। ତେଣୁ ଏମିତିରେ କହିଲେ ଆମର ପୃଥିବୀ ଆମ ପ୍ରତ୍ଯେକ ଙ୍କ ପାଇଁ ଅନ୍ତତଃ ଦୁଇ ସପ୍ତାହ ସବୁଠାରୁ ଅଧିକ ସୁନ୍ଦର ହୋଇ ରହିଥାଏ।ପୃଥିବୀ ସୁନ୍ଦର ହେଲେ ଆମେ ପ୍ରତ୍ଯେକେ ବି ସୁନ୍ଦର ।ଅବଶ୍ଯ ଏହି କାମଟି ଥରେ କଲେ ଆମର ଶରୀରରୁ ୨୬କାଲୋରୀ ର ଶକ୍ତି ନିଃଶେଷ ହୋଇଥାଏ ଆଉ ଏଥିରେ ଆମ ଶରୀରର ୨୯ଟି ମାଂସପେଶି ସକ୍ରୀୟ ହୋଇ ଆମର କ୍ଲାନ୍ତି ଅପନୋଦନ କରିଥାନ୍ତି।
୧୫୬୨ ଖ୍ରୀଷ୍ଟାବ୍ଦରେ ଇଟାଲୀର ନେପଲସ୍ ସହରରେ ଏଇ କାମଟିକୁ ନିଷିଦ୍ଧ ଘୋଷଣା କରାଯାଇଥିଲା।ଏଥିପାଇଁ ବିଧାନ ରଖାଯାଇଥିଲା ମୃତ୍ୟୁଦଣ୍ଡ ର। କିନ୍ତୁ ଏଇ ଅଦ୍ଭୁତ ନିୟମର ଆୟୁଷ ଥିଲା ମାତ୍ର ଗୋଟିଏ ଦିନ।ଏଇ ନିୟମର ପ୍ରବର୍ତ୍ତକ ସଂଭ୍ରାନ୍ତ ଜଣକ ଯେତେବେଳେ ଦେଖିଲେ ତାଙ୍କର ର ନିଜର ନେପଲସ୍ ରାଜଉଆସରେ ଏଇ ନିୟମର ବ୍ଯାପକ ଉଲ୍ଲଂଘନ ହେଉଛି ସେତେବେଳେ ନିୟମକୁ ପ୍ରତ୍ଯାହାର କରିବା ବ୍ଯତୀତ ତାଙ୍କର ଅନ୍ଯ ଉପାୟ ନଥିଲା ।
ଏକଦା ରୁଷିଆର ଜାର୍ ଏଇ କାମଟି କରିବା ଅର୍ଥ ଜଣକୁ ସର୍ବୋଚ୍ଚ ସମ୍ମାନ ରେ ଭୂଷିତ କରିବା ବୋଲି ବୁଝାଯାଉଥିଲା।
ଆଜିର ସ୍ବଚ୍ଛ ଭାରତ ଅଭିଯାନ ପରିପ୍ରେକ୍ଷୀ ରେ କୁହାଯାଇ ପାରିବ ଯେ ଅନ୍ଯଜଣକୁ ଏହି କାମଟି ଦ୍ବାରା ଅଭିନନ୍ଦନ ଜଣାଇବାର କ୍ରୀୟା ଟି ହେଉଛି ସବୁଠାରୁ ସ୍ବାସ୍ଥ୍ୟପ୍ରଦ।
ଏହି ପ୍ରିୟତମ କର୍ମ ଟିର ଗୋଟିଏ ବୈଜ୍ଞାନିକ ନାମ ଇଂରେଜୀ ରେ ରହିଛି।ତାହା ହେଉଛି Philematology ।
ଏହି ପ୍ରିୟତମ କର୍ମ କୁ ଚୁମ୍ବନ ବୋଲି କୁହାଯାଏ ।

No comments.

Leave a Reply