mini-banner-gif

PRATHAMASTAMI ≈ ପ୍ରଥମାଷ୍ଟମୀ ≈ The Festival of Hindus #Odisha #Festival #OdishaCulture

Spread the love

Odisha Festival Info – PRATHAMASTAMI ≈ ପ୍ରଥମାଷ୍ଟମୀ ≈ The Festival of Hindus #Odisha #Festival #OdishaCulture ଉପସ୍ଥାପନା: ଦୀପକ

ଫୁଲ ଗଛରେ ପ୍ରଥମ ଫୁଲ ଫୁଟିଲେ, ଫଳ ଗଛରେ ପ୍ରଥମ ଫଳ ଫଳିଲେ, ଗାଈ ପ୍ରଥମ ବାଛୁରୀ ଜନ୍ମ କଲେ ବହୁତ ଖୁସି ଲାଗେ । ଗଛର ପ୍ରଥମ ଫୁଲ ବା ଫଳ ଠାକୁରଙ୍କୁ ଅର୍ପଣ କରାହୁଏ । ନାରୀଟିଏ ଯେତେବେଳେ ମାଆ ହୁଏ, ଦଶମାସ ଦଶଦିନ ଗର୍ଭରେ ଧରି ବହୁ କଷ୍ଟ ସହି ପ୍ରଥମ ସନ୍ତାନକୁ ଜନ୍ମ ଦିଏ, ସେତେବେଳେ ତା’ର ନାରୀ ଜୀବନ ପୂର୍ଣ୍ଣତା ଲାଭ କରେ; ପ୍ରଥମ ସନ୍ତାନ ପାଇଁ ଘରେ ସମସ୍ତଙ୍କ ମନରେ ଆନନ୍ଦ ଖେଳିଯାଏ । ପ୍ରଥମ ବା ଜ୍ୟେଷ୍ଠ ସନ୍ତାନ ହିଁ ଘରର ଦୀପଶିଖା; ପିତାମାତାଙ୍କ ପରେ ସେ ଘର ସମ୍ଭାଳେ, ପରିବାରର ଭଲମନ୍ଦ ସେ ବୁଝେ । ତେଣୁ ଜ୍ୟେଷ୍ଠ ସନ୍ତାନକୁ ସମ୍ମାନ ଜଣାଇ ତା’ର ସୁଖ ସମୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମାର୍ଗଶୀର ମାସ କୃଷ୍ଣ ଅଷ୍ଚମୀ ଦିନ ପାଳିତ ହୁଏ ‘ପ୍ରଥମାଷ୍ଟମୀ ପର୍ବ’ ।

enduripithaeodishaorg

ପୂର୍ବେ ମାର୍ଗଶୀର ମାସକୁ ବର୍ଷର ପ୍ରଥମ ମାସ ଭାବରେ ବିବେଚନା କରାଯାଉଥିଲା । ତେଣୁ ଏହି ମାସର ଅଷ୍ଟମୀକୁ ‘ପ୍ରଥମାଷ୍ଟମୀ’ କୁହାଯାଉଥିଲା । ଯେପରି ଜନ୍ମାଷ୍ଟମୀ, ରାଧାଷ୍ଟମୀ, ଅଶୋକାଷ୍ଟମୀ ବିଭିନ୍ନ ଦେବଦେବୀଙ୍କ ଜନ୍ମ ଦିବସ, ପ୍ରଥମାଷ୍ଟମୀ ସେପରି ନୁହେଁ; ଏହି ଦିନ ପିତାମାତାଙ୍କ ପ୍ରଥମ ସନ୍ତାନ ‘ପଢୁଆଁ’ ହୁଅନ୍ତି ।

ଏହି ପର୍ବ ଦିନ ବଡ଼ପୁଅ ବା ବଡ଼ଝିଅଙ୍କୁ ନୂଆ ବସ୍ତ୍ର ପିନ୍ଧିବାକୁ ଦିଆଯାଏ ଓ ତାଙ୍କୁ ପିଢାରେ ବସାଯାଏ । ତାଙ୍କ ଆଗରେ ପୂର୍ଣ୍ଣ କଳସ ସ୍ଥାପନ କରି ତା’ ଉପରେ ଆମ୍ବ ଡ଼ାଳ, ପଇଡ଼ ରଖାଯାଏ ଏବଂ ଗୃହର ଇଷ୍ଟ ଦେବତା ଓ ଷଷ୍ଠୀଦେବୀଙ୍କୁ ପୂଜା କରାଯାଏ, ଯିଏ କି ସନ୍ତାନସନ୍ତତିଙ୍କର ରକ୍ଷା କରନ୍ତି । ତା’ପରେ ମାଆ କିମ୍ବା ପରିବାରର ଅନ୍ୟ କେହି ମାତୃସ୍ଥାନୀୟା ପଢୁଆଁ ପୁଅ/ଝିଅଙ୍କୁ ସିନ୍ଦୁର, ଚନ୍ଦନ ଲଗାଇ ନିରୋଗ ଓ ଦୀର୍ଘ ଜୀବନ କାମନା କରି ଦୂବ, ଅରୁଆ ଚାଉଳ, ଦୀପରେ ତାଙ୍କର ବନ୍ଦାପନା କରନ୍ତି । ବନ୍ଦାପନା ପରେ ଏହି ପର୍ବ ଅବସରରେ ତିଆରି କରାହୋଇଥିବା ଓଡ଼ିଆଙ୍କର ସ୍ୱତନ୍ତ୍ର ବ୍ୟଞ୍ଜନ ଏଣ୍ଡୁରି ପିଠା, ଚକୁଳି ପିଠା, ହଳଦୀ ପତ୍ର ପିଠା, ଖିରି ତାଙ୍କୁ ଖାଇବାକୁ ଦିଅନ୍ତି ଓ ଅନ୍ୟ ସମସ୍ତେ ମଧ୍ୟ ଖାଆନ୍ତି ।
Prathastami - odia festival -  eodisha.org

ପ୍ରଥମାଷ୍ଟମୀ ଦିନ ମାମୁଁ, ମାଇଁମାନେ ମଧ୍ୟ ବଡ଼ ଭଣଜା, ଭଣିଜୀଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ଖିରିପିଠା ଖୁଆଇ ପଢୁଆଁ କରିଥାଆନ୍ତି । ଭୁବନେଶ୍ୱରର ମହାପ୍ରଭୁ ଲିଙ୍ଗରାଜ ମଧ୍ୟ ଏହି ଦିନ ପଢୁଆଁ ହୋଇଥାଆନ୍ତି ।

ପ୍ରଥମାଷ୍ଟମୀ ଓଡ଼ିଶାର ନିଜସ୍ୱ ପର୍ବ, ଏକ ପାରିବାରିକ ପର୍ବ । ଏହି ପର୍ବ ପରିବାର ମଧ୍ୟରେ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା, ସ୍ନେହ, ଶ୍ରଦ୍ଧାଶୀଳ ହେବା, ସାମାଜିକ ଜୀବନକୁ ମାର୍ଜିତ କରିବାର ଶିକ୍ଷା ଦିଏ ।
Enduri Pitha recipe – The typical Odia pitha prepared on Prathamastami !!


No comments.

Leave a Reply