mini-banner-gif

​ପରିଚୟ – ନିଜ ପରିଚୟର ସ୍ରଷ୍ଟା ନିଜେ ହେଲେ ସମାଜ ସଚେତ ହୁଏ ଆଉ ସ୍ୱାଭିମାନ ମହକି ଉଠେ! #OdiaLekha by Prabir Kumar Sahoo

Spread the love

  “ଜାଣିଛ ସରିତା, ଆମ ଗେଲ୍ଲୀ କଲେକ୍ଟର ହେବ। ସିଏ ଆଇଏଏସ କ୍ଲିଅର କରିଛି। ମୁଁ କହୁ ନଥିଲି କଠିନ ପରିଶ୍ରମ କେବେ ବୃଥା ଯାଏନି। କେତେ ରାତି ଆଉ କେତେ ଦିନର ଅଧ୍ୟବସାୟ ବଳରେ ଆଜି ବିଚାରୀର ସ୍ବପ୍ନ ସାର୍ଥକ ହେଲା। ସିଏ ଅସମ୍ଭବ କୁ ସମ୍ଭବ କରିକି ଦେଖେଇଲା ନା ଆଉ! ଗେଲ୍ଲୀ କୁଆଡେ ଗଲା କି”? ଘରକୁ ଭିତରକୁ ପଶିଲା ବେଳେ ଏକ ନିଶ୍ୱାସରେ ସୁଶାନ୍ତ ଏତେ ସବୁ କହିଗଲେ। “ତୁମ ଝିଅ ତୁମ ନାଁ ରଖିବନି? ତାର ଏଇ ସଫଳତା ପଛରେ ତୁମର ବି ବହୁତ ବଡ ଯୋଗଦାନ ଅଛି, ଏକଥା କେବଳ ମୁଁ ଜାଣିଛି। ହଉ ଶୁଣ ଗେଲ୍ଲୀ, ରୁଚି ସହ ମନ୍ଦିର ଯାଇଛି ପୂଜା ଦେବାକୁ। ତମେ ଗଲ ଗାଧୁଆ ପାଧୁଆ କରି ଆସିବ। ଆଜି ତା ଜନ୍ମଦିନ ତୁମର ମନେ ଅଛି କି ନାହିଁ? ଗେଲ୍ଲୀ ତୁମ ପାଇଁ କ୍ଷୀରି ବନେଇଛି” ସରିତା କହିଲେ। ସୁଶାନ୍ତ ତରତର ହେଇ ଗାଧୁଆ ଘରକୁ ଚାଲିଗଲେ।

             ଡ଼ଃ ସ୍ମୃତିସୁଧା ସାହୁ, ସୁଶାନ୍ତ ଓ ସରିତାଙ୍କର ଏକ ମାତ୍ର ଝିଅ ଯିଏ ଦୃଢ଼ ମନୋବଳ ଦ୍ୱାରା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିଲା। ହେଲେ ପିଲାବେଳୁ ସ୍ମୃତିସୁଧା ମାନେ ଗେଲ୍ଲୀ, ସେମିତି ମେଧାବୀ ନଥିଲା। ସେ ଥିଲା ଉଦଣ୍ଡି ଝିଅଟେ, ଯିଏ ପୁଅମାନଙ୍କ ପରି ସବୁ ପ୍ରକାର ଦୁଷ୍ଟାମି ରେ ଆଗୁଆ ଥିଲା। ଗଛରେ ଚଢି ଆମ୍ବ, ପିଜୁଳି, କଇଁଆ ପାରିବା ଠାରୁ ଆରମ୍ଭ କରି ନଈରେ ପହଁରିବା ପର୍ଯ୍ୟନ୍ତ ସବୁ ଉତ୍ପାତରେ ସାମିଲ ହେଉଥିଲା। ଗେଲ୍ଲୀର କିନ୍ତୁ ଗୋଟେ ଭଲ ଗୁଣ ଥିଲା, ସେ ଅନ୍ୟାୟ କରୁନଥିଲା କି ସହୁ ନଥିଲା। କେହି ଭୁଲ କଲେ ମୁହଁରେ ମୁହଁରେ ଜବାବ ଦେଉଥିଲା। ବଡ ସାନ ନିର୍ବିଶେଷରେ ସେ ନିର୍ଭୀକ ଭାବେ ସତ କଥା କହୁଥିଲା। ଅବଶ୍ୟ ଗେଲ୍ଲୀର ଏଇ ଦୁଷ୍ଟାମୀ ପାଇଁ ସୁଶାନ୍ତ ଓ ସରିତାଙ୍କୁ ଅନେକ ସମୟରେ ଅନେକ କଥା ଶୁଣିବାକୁ ପଡୁଥିଲା। ଅଷ୍ଟମ ଶ୍ରେଣୀରେ ପଢିଲାବେଳେ ଏମିତି ଗୋଟେ ଛୋଟ ଘଟଣାରେ ଗେଲ୍ଲୀ ତା ଶ୍ରେଣୀରେ ପଢୁଥିବା ଲିପୁକୁ ଗୋଟେ ଚାପୁଡା ପକେଇଦେଲା। ବାସ ଏଇ କଥାକୁ ନେଇ ଲିପୁର ମା ସୁଶାନ୍ତ ଙ୍କ ଘରେ ପହଞ୍ଚି ଗୋଟେ ଝାମେଲା ଆରମ୍ଭ କରିଦେଲେ। ସୁଶାନ୍ତ ଓ ସରିତାଙ୍କୁ ଗୁଡ଼େ କଥା ଶୁଣେଇଲେ। ଶେଷରେ ଯାଉଯାଉ କହିଲେ “ଝିଅ ପିଲାଟିଏ ହେଇ କେଡେ ସାହସ, ମୋ ପୁଅକୁ ମାରିବ? ନିଜ ପିଲା ହେଇଥିଲେ ସିନା ବାପା ମାଙ୍କ କଥା ଶୁଣିଥାନ୍ତା। ଯାହା ବାପା ମାର ଠିକଣା ନାହିଁ ସେ ପିଲାମାନେ ଏମିତି ହିଁ ହୁଅନ୍ତି”। ଲିପୁର ମା ଯିବା ପରେ ସୁଶାନ୍ତ ଦୁଃଖରେ ଗେଲ୍ଲୀ କୁ ଚାହିଁଲେ। ଗେଲ୍ଲୀ କାନ୍ଦି କାନ୍ଦି କହିଲା “ବାପା ଜାଣିଛ, ସେ ଲିପୁ କଣ କରୁଥିଲା? ରୁଚି ନାଁରେ କଳାପଟାରେ ଖରାପ କଥା ସବୁ ଲେଖୁଥିଲା। ମୁଁ ମନା କଲାରୁ କହିଲା ଆହୁରି ଲେଖିବ, ମୋ ନାଁ ରେ ବି ଲେଖିବ। ମୁଁ ତାକୁ ସେଥିପାଇଁ ମାରିଲି” । ଏତିକି କହି ସେ ଘର ଭିତରକୁ ଯାଇ କାନ୍ଦିବାକୁ ଲାଗିଲା। ସୁଶାନ୍ତ ଓ ସରିତା ଦୁହେଁ ଜାଣନ୍ତି ଗେଲ୍ଲୀଟା ଦୁଷ୍ଟ ସିନା ହେଲେ ମିଛ କହେନି। ସରିତା ସୁଶାନ୍ତଙ୍କୁ କହିଲେ “ହଇ ହେ ଛାଡ ସେକଥା, ପିଲାମାନେ ଦୁଷ୍ଟ ହେବେ ଏଇ କଥାକୁ ଭାବି ମନ ଦୁଃଖ କରୁଚ! ଆଜି ଝଗଡା କରିବେ କାଲି ମିଶିଯିବେ ଆଉ ତମେ ବି ଭୁଲିଯାଅ। ଗଲ ମୁହଁ ହାତ ଧୋଇବ, ମୁଁ କଣ ଟିକେ ଜଳଖିଆ ଆଣୁଚି ଖାଇନେବ”। ସଞ୍ଜ ଯାଇ ରାତି ହେଲା। ହେଲେ ଗେଲ୍ଲୀର କାନ୍ଦ ବନ୍ଦ ହେଉ ନଥାଏ। ସରିତା ବୁଝେଇ ବୁଝେଇ ଥକିଗଲେ। ଶେଷରେ ସୁଶାନ୍ତ ବି ଚେଷ୍ଟା କଲେ। ଗେଲ୍ଲୀ କାନ୍ଦିକାନ୍ଦି ପଚାରିଲା “ବାପା ସତ କୁହ ମୁଁ କଣ ତୁମ ଝିଅ ନୁହଁ”? ହଠାତ ସୁଶାନ୍ତ ଚମକି ପଡିଲେ, କହିଲେ “କିଏ କହିଲା? ତୁ ପରା ଆମରି ଝିଅ। ତୋ ମମିକୁ ପଚାର, ସିଏ କହିବନି। ଆରେ ସରିତା ତାକୁ ବୁଝାଅ। ଲିପୁର ମା କଣ କହିଦେଲା ବୋଲି ଆମେ କଣ ପର ହେଇଗଲୁ। ସେକଥା ଛାଡ଼, ଆସିଲୁ ଆମେ ମିଶିକି ଖାଇବା”? ଗେଲ୍ଲୀ କିନ୍ତୁ ଜିଦ ଧରିଲା “ବାପା ମମି, ତମେ ମୋ ମୁଣ୍ଡ ଛୁଇଁ ସତ କଥା କୁହ, ମୁଁ କାହା ଝିଅ”?

             ସୁଶାନ୍ତ ନିମିଷକ ମଧ୍ୟରେ ଯେମିତି ଅତୀତର ସେଇ ପୃଷ୍ଠାକୁ ଫେରିଗଲେ ଯୋଉଠି ତାଙ୍କ ଜୀବନର ମୋଡ ବଦଳି ଯାଇଥିଲା। ଚଉଦ ବର୍ଷ ତଳର କଥା। ସରିତା ପ୍ରଥମ ଥର ମାତୃତ୍ଵ ଲାଭ କରିଥାନ୍ତି। ସହରରେ ସୁଶାନ୍ତଙ୍କ ସାଙ୍ଗ ଡ଼ଃ ସାଗରଙ୍କ କ୍ଲିନିକରେ ସରିତା ଗର୍ଭରୁ ପୁଅଟେ ଜନ୍ମ ନେଇଥିଲା। କିନ୍ତୁ ସେ ପୁଅ ଥିଲା ଏ ସଂସାରରେ ଅଳ୍ପ ସମୟର ଅତିଥି। ଡାକ୍ତର ମାନଙ୍କ ଶତଚେଷ୍ଟା ସତ୍ତ୍ୱେ ସାଗର ପିଲାଟିକୁ ବଞ୍ଚେଇ ପାରିଲେନି ତା ଛଡା ସରିତା ଆଉ କେବେ ମା ହେଇ ପାରିବେନି ବୋଲି ସାଗର ସୁଶାନ୍ତଙ୍କୁ ଶୁଣେଇ ଦେଇଥିଲେ। ଗୋଟେ ସୁଖୀ ପରିବାରର ସବୁ ଖୁସି ଯେମିତି ପାଣିରେ ମିଳେଇ ଯାଇଥିଲା। ସୁଶାନ୍ତ ବଡ ଦୁଃଖରେ କ୍ଲିନିକରୁ ବାହାରି ଔଷଧ ଆଣିବାକୁ ଯାଉଥାନ୍ତି। ହଠାତ ରାସ୍ତା କଡରୁ ଗୋଟେ ଛୋଟ ଛୁଆର କାନ୍ଦ ଶୁଭିଲା। ସୁଶାନ୍ତ ଦଉଡିଯାଇ ଦେଖିଲେ ନବଜାତ ଝିଅଟେ ଡଷ୍ଟବିନ୍ ପଛପଟେ ପଡି ରାହା ଛାଡି କାନ୍ଦୁଛି। କାନ୍ଦିକାନ୍ଦି ପିଲାଟିର ଦେହ ମୁହଁ ନାଲି ପଡ଼ିଗଲାଣି। ସେ ଇତସ୍ତତଃ ହେଇ ସବୁଆଡେ ଚାହିଁଲେ କାହାକୁ ପାଇଲେନି। କାଳବିଲମ୍ବ ନକରି ପିଲାଟିକୁ ଉଠେଇ ନେଲେ ଆଉ ସିଧା ଦୌଡ଼ିଲେ ସାଗରଙ୍କ କେବିନ କୁ। ସାଗର ସବୁ ଶୁଣି ତୁରନ୍ତ ପିଲାଟିର ଚିକିତ୍ସା ଆରମ୍ଭ କରିଦେଲେ। ଦୁଇ ତିନି ଦିନ ଭିତରେ ପିଲାଟି ସୁସ୍ଥ ହେଇ ଉଠିଲା। ସାଗର ଏଥର ସୁଶାନ୍ତଙ୍କୁ କହିଲେ “ଦେଖ ଭାଇ, ଭାଉଜଙ୍କ ଦେହ ଏବେ ସୁସ୍ଥ ହେଇଗଲାଣି। ତୁ ଚାହିଁଲେ ମୁଁ ଡିସଚାର୍ଜ କରିଦେବି। ହଁ ଆଉଗୋଟେ କଥା ସେ ପିଲାଟି ବି ସୁସ୍ଥ ହେଇଗଲାଣି ତୁ ଚାହିଁବୁ ଯଦି ତାକୁ ବି ନେଇ ପାରିବୁ। ମୁଁ ତୋତେ ଏଥିପାଇଁ ବାଧ୍ୟ କରିବିନି। ତୁମ ଦୁଇଜଣଙ୍କ ଇଚ୍ଛା। ଥରେ ଭାଉଜଙ୍କ ସହ କଥା ହେଇଯା”। ସବୁକଥା ଶୁଣି ସରିତା ସୁଶାନ୍ତଙ୍କୁ ସମ୍ମତି ଦେଇଥିଲେ ସେ ପିଲାଟିକୁ ଆପଣେଇ ନେବା ପାଇଁ। ସେଇ ଝିଅ ହଉଚି ଏ ଗେଲ୍ଲୀ।

              ସୁଶାନ୍ତ ଥରେ ସରିତା ମୁହଁକୁ ଚାହିଁଲେ। ତାଙ୍କ ଅସମ୍ମତି ସ୍ପଷ୍ଟ ବାରି ହେଇ ପଡୁଥିଲା। ତଥାପି ସେ ଛାତିରେ ପଥର ରଖି ଗେଲ୍ଲୀ କୁ ସବୁ ସତକଥା କହି ଦେଇଥିଲେ। କଥା ଶେଷ ହେଲାବେଳକୁ ସୁଶାନ୍ତ ଙ୍କ କଣ୍ଠ ବାଷ୍ପାରୁଦ୍ଧ ହେଇ ଯାଇଥିଲା ଆଉ ସେପଟେ ସରିତାଙ୍କ ଆଖିର ଲୁହ ଆଜି ତାଙ୍କ ବୋଲ ମାନୁ ନଥିଲା। ଗେଲ୍ଲୀର କିନ୍ତୁ କାନ୍ଦ ବନ୍ଦ ହେଇ ଯାଇଥିଲା। ସେ ଯେମିତି ସ୍ଥିର ହେଇ ଯାଇଥିଲା। ଗେଲ୍ଲୀ ଭାବି ଚାଲିଥିଲା, ହୁଏତ ତା ନିଜ ବାପା ମମି ଠାରୁ ବି ଏତିକି ସ୍ନେହମମତା କେବେ ପାଇ ନଥାନ୍ତା ଯେତିକି ଏଇ ପରିବାର ତାକୁ ଦେଇଛି। ଯଦିଓ ସେତେ ବଡ ହେଇ ନଥିଲା ସେ କିନ୍ତୁ ମନେ ପକେଇ ପାରୁଥିଲା କେମିତି ତା ଦେହ ଖରାପ ହେଲେ ବାପା ବ୍ୟସ୍ତ ହେଇ ପଡୁଥିଲେ, ମମି ଖାଇବା ପିଇବା ଛାଡି ତା ସେବା କରୁଥିଲା, ତା ପାଇଁ ବାରବ୍ରତ ଓ ଉପବାସ କରୁଥିଲା। ସେ ଦଉଡି ଯାଇ ତା ବାପାଙ୍କୁ ଭିଡି ଧରିଲା। ଗେଲ୍ଲୀ କାନ୍ଦୁ ନଥିଲା ହେଲେ ତା ଆଖିରେ ଜକେଇ ଆସିଥିବା ଲୁହ ସବୁ ଖସି ପଡ଼ିଲା। ବାସ ତା ପର ଠାରୁ ଗେଲ୍ଲୀ ନିଜ ଅସଜଡା ଜୀବନକୁ ସଜାଡି ନେଇଥିଲା। ଏଥର ପାଠ ପଢ଼ାରେ ମନ ଦେଲା। ସବୁ ଦୁଷ୍ଟାମି ଠୁ ସେ ଦୂରେଇଗଲା। ତା ପରେ ଗେଲ୍ଲୀ କେବେ ପଛକୁ ଚାହିଁନି। ନିଜ ଜୀବନର ଲକ୍ଷ୍ୟପଥରେ ସେ ଆଗେଇ ଚାଲିଲା, ଆଜି ଜୀବନର ଏଇ ମୋଡରେ ପହଞ୍ଚିବା ପର୍ଯ୍ୟନ୍ତ। ଯିଏ ଦିନେ ଗୋଟେ ଝିଅ ହେବା କାରଣରୁ ଏତେ ବଡ ସଂସାରରେ ନିଜ ପିତା ମାତାଙ୍କ ପରିଚୟ ହଜେଇ ଦେଇଥିଲା ସିଏ ଆଜି ନିଜ ପରିଚୟ ନିଜେ ସୃଷ୍ଟି କରି ସାରିଥିଲା। ତା ପରିଚୟ ପାଖରେ, ତାକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିବା ତାର ସୃଷ୍ଟିକର୍ତ୍ତା ଅବୋଧ୍ୟ ସମାଜ ଟା ଲାଜରେ ଭାଙ୍ଗି ପଡିଥିଲା ଆଉ ସେ ଆଜି ଏଇ ସ୍ୱାର୍ଥ କୈନ୍ଦ୍ରିକ ସମାଜକୁ ସନ୍ଦେଶ ନୁହଁ ବରଂ ଗୋଟେ କଡା ଚେତାବନୀ ଦେଉଥିଲା ଯେମିତି! link

 

No comments.

Leave a Reply