mini-banner-gif

ନିଜକୁ ଦେଖ ନିଅ ପରଖ – ବିନୟ ମହାପାତ୍ର

Spread the love

।। ନିଜକୁ ଦେଖ ନିଅ ପରଖ ।।

ନିଜକୁ ଦେଖ ନିଅ ପରଖ - ବିନୟ ମହାପାତ୍ର

ଆରେ ହେ ବାଟୋଇ, ଅଟକି ଯାଆ,
ଅବାଟେ ଏମିତି ଆନମନା ହୋଇ,
ଯାଉଛୁ ଚାଲି ।
ଆଖିରେ କି ତୋର ପଟି ବାନ୍ଧି ଅଛୁ
କି ଅବା ପବନ ନେଉଛି ପେଲି?

ପାଦ ଦୁଇ ମୋର ଅଟକି ଗଲା,
ସମ୍ମୋହନ ଭାଙ୍ଗି ସଚେତ ହୋଇ ମୁଁ
ପଛକୁ ଚାହିଁଲି ଆଗକୁ ଚାହିଁଲି
ଏ କଣ ହେଲା?
ଅନାବନା ଏଇ କଣ୍ଟା ଝୁଣ୍ଟା ବଣେ
ଚାଲୁଛି ମୁହିଁ ।
କିଏ ସିଏ ବନ୍ଧୁ ପଛରୁ ଡାକିଲା
ଆଗରୁ କେବେ ମୁଁ ଦେଖି ତ ନାହିଁ।।

କୋମଳ ସ୍ୱର ରେ ଆଦର ଭରି
ପାଖକୁ ଡାକିଲେ ବାଟୋଇ ଭାଇ,
ପଚାରିଲେ ଆରେ କ’ଣ ହେଲା,
ଏମିତି କି କିଏ ଅବାଟେ ଚାଲଇ ଅନ୍ଧ ପରି?

ପାଖେ ବସାଇଲେ ଶରଧା କରି
ପଚାରିଲେ ମୋତେ
କାହିଁକି ତୁମର ଶୁଖିଲା ମୁହଁ,
ମନ ରୋଗଣା ନା ରୋଗଣା ଦେହ?

କଣ୍ଠରେ ଥିଲା ବାପାର ତାଗିଦ୍
ସୁର ରେ ଥିଲା ମାଆର ସ୍ନେହ।
ଛଳ ଛଳ ମୋର ଆଖି ଦୁଇ ହେଲା,
ହୃଦୟ ଫାଟି ଛୁଟିଲା କୋହ ।।

କାନ୍ଦ କାନ୍ଦ ହୋଇ କହି ପକାଇଲି
ଜୀବନଟା ମୋର ନିରାଶ ଭରା
ଭଗବାନ ମୋର ଦୁଃଖ ଶୁଣିଲେନି
ଆଉ କାହା ଆଗେ ଦୁଃଖ ଜଣାଇବି
ଦୁନିଆଟା ମୋର ବଇରୀ ପରା ।।

ମୁରୁକି ହସି ଆଉଜାଇ ନେଲେ
ପାଖକୁ ତାଙ୍କର ପିଠି ଥାପୁଡାଇ
ଦେଲେ ଆଉଁଷି।
ପଚାରିଲେ କହ କି ହେଲା ତୋର,
ଭଗବାନ ତୋ ଡାକ ଶୁଣିଲେନି,
ଦୁନିଆଟା ତୋର କେମିତି ପର?
କହି ଦେ ଦୁଃଖ,
ବୋଲି ଦେଲେ ସିନା ବୋଝ କମିଯିବ
ମିଳିଯିବ କିଛି ପଥ।
ଭାବି ବସିଲେ କି ଦୁଃଖ ଦୁର ହେବ
ବସିଥିଲେ ଦେଇ ହାତରେ ହାତ।।

କହିଲି ଶୁଣ;
ସକାଳେ ଆଜି ମୁଁ ଭୋକିଲା ଥିଲି,
ମନ୍ଦିର ପାଖରେ ଖିର ବାଣ୍ଟୁଥିଲେ
ଭକତ ଗଣ ।
ବଡ କଷ୍ଟରେ ଘଡିଏ କାଳ,
ଧାଡି ମଝିର ମୁଁ ଠିଆ ହୋଇଲି।
ଆସିଗଲା ଶେଷେ ପାଳି ମୋହର
ଠିଆ ହେଲି ଯାଇ ଆଗେ ତାଙ୍କର
କହିଲି ଦିଅ ଭୋକିଲା କାଲିଠୁ
ଖିର ପିଇ ଭରୁ ପେଟ ମୋହର।।

ମୁହଁ କୁ ମୋ ଚାହିଁ ବଣ୍ଟାଳୀ ଭାଇ
କହିଲେ ଦେଖାଅ ପାତ୍ର ତୁମର
କଥା ଶୁଣି ଦେଲି କାନି ପତାଇ।
ମୁରୁକି ହସି ବଣ୍ଟାଳୀ ଭାଇ
କହିଲେ ଅପାତ୍ରେ
ନ ପାରେ ଦେଇ।।

ତାପରେ ଗଲି ମୁଁ ଚାକିରି ପାଇଁ
ହେଲେ ଆଉ ଜଣେ ନେଲା ଛଡାଇ
ଯୋଗ୍ୟ ପାତ୍ର ବୋଲି ତାକୁ ମିଳିଲା
ଅପାତ୍ରେ ଚାକିରି କେହି ନଦେଲା।

କିଛି ବରଷ ଆଗୁ
ମୋର ପ୍ରେମିକା ପିତା
ଅପାତ୍ର କହି ମନା କଲା ମୋତେ
ଦେଲାନାହିଁ ମୋତେ ତାର ଦୁହିତା ।

ମୋ କଥା ଶୁଣି ବାଟୋଇ ଭାଇ
ମୁରୁକି ହସିଲେ ମୋ ମୁହେଁ ଚାହିଁ।
କହିଲେ ହସି ଯାହା ପଚାରୁଚି,
ଭାବି ଚିନ୍ତି ତାର ଉତ୍ତର ଦେ।।

ଯଦି;
ଖିର ଦେଇଥାନ୍ତା ତୋ କାନିରେ ଢାଳି
ବୁନ୍ଦା ବୁନ୍ଦା ହୋଇ ବୋହି ଯାଇ ଥାନ୍ତା
କାନିରୁ ଗଳି ।।

ଯଦି
ଚାକିରି ଟି ତୋତେ ଥାଆନ୍ତା ମିଳି
ସମ୍ଭାଳି ନ ପାରି ଦୁଇ ଦିନ ପରେ
ଯାଇ ଥାଆନ୍ତ ଚାଲି।।

ଯଦି
ମିଳି ଥାଆନ୍ତା ତୋତେ ତୋର ପ୍ରେମିକା
ତେବେ ପାରି ଥାଆନ୍ତୁ ଜାଣି;
କେତେ ଫରକ
ପତି, ପ୍ରେମିକ,
ପ୍ରେମ ପ୍ରୀତି ଆଉ ପେଟର ଭୋକ ।
ଦି ଦିନ ପରେ ସିଏ ତୋତେ ଅବା ତୁ ତାକୁ ଛାଡି
ଯୋଗୀ ହୋଇ ଥାନ୍ତୁ ବଢାଇ ଦାଢି ।

ମନ ଦେଇ ଶୁଣ କହୁଛି ତୋତେ ମୁଁ
ଗହନ କଥା;
ଖିର ବାଲା ଭାଇ
ଚାକିରୀ ବାବୁ
ଆଉ ତୋର ପ୍ରେମିକା ପିତା,
ମୁଁ ହିଁ ଥିଲି ସବୁ ଦେଖିଲି
ଅପାତ୍ର ଜାଣି ମୁଁ କିଛି ନ ଦେଲି।।

ଯିଏ ଯାହା ମାଗେ ଭଲ ଲାଗେ ବୋଲି
ଦିଏନା କେବେ।
ବାଛି ବାଛି ଦିଏ ତମ ଭଲ ପାଇଁ,
ସବୁରି ଆଗେ ।
ନିଜକୁ ଦେଖ ନିଅ ପରଖ ଉତ୍ତମ ଶିଖ
ନିଜକୁ ଗଢ, ସତପାତ୍ର କରି
ଆଗକୁ ବଢ ।।

ହାତ ପାତି କେବେ ମାଗିବ ନାହିଁ
ତୁମ ଭଲ ପାଇଁ ସବୁ କିଛି ମୁହିଁ
ଦେବି ଯୋଗାଇ ।
ମୋ ଗନ୍ତା ଘରେ,
କେବେ ପଡେ ନାହଁ ତାଲା
ନିଜର ନିଜର ପାତ୍ର ଅନୁସାରେ
ନିଅ ଯେତେ ଯିଏ ନେଇ ପାରିଲା ।

**** 25/06/2016****

No comments.

Leave a Reply