mini-banner-gif

#ମହାବିଷୁବ ସଂକ୍ରାନ୍ତି; ଏକ ସ୍ମୃତିଚାରଣ – ଓଡ଼ିଆଙ୍କ ସ୍ମୃତିରେ ପଣା ସଂକ୍ରାନ୍ତି ଏବଂ #ଓଡ଼ିଆ ନବବର୍ଷର ମାହାତ୍ମ୍ୟ #OdiaLekha by Prabir Kumar Sahoo #Odia

Spread the love

​ଜଗନ୍ନାଥ ପରମ୍ପରାରେ ସଂସ୍କୃତ ଓ ପ୍ରତିପାଳିତ ଆମ ଓଡ଼ିଆଙ୍କର ତିଥି, ବାର ଇତ୍ୟାଦି ଜଗନ୍ନାଥ ପଞ୍ଜିକା ଅନୁସାରେ ବା ସୌରମାସ ଅନୁସାରେ  ଗଣନା କରା ଯାଇ ମହାବିଷୁବ ସଂକ୍ରାନ୍ତି କୁ ଓଡ଼ିଆ ନୂଆବର୍ଷ ଭାବେ ପାଳନ କରାଯାଏ। ଏହି ଗଣନା ଅନୁସାରେ ଆମେ ବାରମାସରେ ବାରଟି ସଂକ୍ରାନ୍ତି ପାଳନ କରିଥାଉ। ଏହି ବାରଟି ସଂକ୍ରାନ୍ତି ବାରଟି ରାଶି ନାମରେ ନାମିତ କରା ଯାଇଥାଏ। ଗୋଟିଏ ସଂକ୍ରାନ୍ତି ରୁ ପରବର୍ତ୍ତୀ ସଂକ୍ରାନ୍ତି ପର୍ଯ୍ୟନ୍ତ ଗୋଟିଏ ମାସ ହେଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏହି ଦିନ ମେଷରାଶିରେ ପ୍ରବେଶ କରୁଥିବାରୁ ଏହି ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହି ବିଷୁବ ସଂକ୍ରାନ୍ତି ଠାରୁ ସୌରମାସର ପ୍ରଥମ ମାସ (ବୈଶାଖ) ଗଣନା କରାଯାଏ ଓ ଏହା ହିଁ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ଏହିଦିନ ଠାରୁ ଓଡ଼ିଶାରେ ନୂଆ ପଞ୍ଜିକା ପ୍ରଚ଼ଳନ ହୁଏ ଓ ସେହି ପଞ୍ଜିକା ଅନୁସାରେ ବର୍ଷ ସାରା ବିଭିନ୍ନ ପ୍ରକାର ବିବାହ ବ୍ରତ ଏବଂ ଅନ୍ୟାନ୍ୟ ଶୁଭକର୍ମ ସବୁ ସ୍ଥିର କରାଯାଏ। ସୌରତାପ ପ୍ରଖରରୁ ପ୍ରଖରତର ହୁଏ, ତେଣୁ ଏହି ସମୟରେ ସୂର୍ଯ୍ୟ ଉପାସନା ସହ ମନ୍ଦିରରେ ହେଉଥିବା ପୂଜାର୍ଚ୍ଚନାରେ ଭଜା ବୁଟ, ଭଜା ଗହମ, ଭଜା ଚୁଡା ଓ ଅରୁଆ ଚାଉଳରୁ ପ୍ରସ୍ତୁତ ଛତୁଆ ଭୋଗ ସହ “ବେଲପଣା” ଭୋଗ ମଧ୍ୟ କରାଯାଏ। ପଣାରେ ପାଚିଲା ବେଲ, ପାଚିଲା କଦଳୀ, ଛେନା, ଦହି, ବୁନ୍ଦିଆ, ଗୋଲମରିଚ ଗୁଣ୍ଡ, ନଡ଼ିଆ, ଗୁଡ଼ ବା ଚିନି ମିଶା ହୁଏ।

କିଛି ସ୍ଥାନରେ କଞ୍ଚା ଆମ୍ବରୁ ମଧ୍ୟ ପଣା ପ୍ରସ୍ତୁତ କରାଯାଏ। ପଣା ଭୋଗ ଭୋଗ ଛତୁଆ ଭୋଗକୁ ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ଏହାର ସାମଗ୍ରିକ ଦିଗଟି ଜଣାପଡ଼େ। ଦେହକୁ ଗ୍ରୀଷ୍ମାଗ୍ନି ରୁ ରକ୍ଷା କରିବା ପାଇଁ ପଣା ସେବନ ବିଧିକୁ ପୂଜାର୍ଚ୍ଚନା ସହ ଯୋଗକରି, ମାନବ ସମାଜକୁ ଆମ ପୂର୍ବଜ ମାନେ ଶିକ୍ଷା ଦେଇଛନ୍ତି । ଏହି ଗ୍ରୀଷ୍ମ ଋତୁରେ ପ୍ରବଳ ମାତ୍ରାରେ ଜଳଗ୍ରହଣ ଦ୍ୱାରା ମାନବ ସମାଜର କଲ୍ୟାଣ ପାଇଁ ଶିକ୍ଷା ଦିଆ ଯାଇଛି । ଏ ସମୟରେ ବୃକ୍ଷଲତା ଓ ଅନ୍ୟାନ୍ୟ ଜୀବଜଗତର ମଧ୍ୟ ପ୍ରଚୁର ଜଳ ଆବଶ୍ୟକ ହୋଇଥାଏ। ଅନ୍ୟସବୁ ଧର୍ମୀୟ ଚେତନା ସହିତ ଆଉ ଏକ ରୀତି ହେଲା ତୁଳସୀ ଚଉରାର “ତୁଳସୀ ପୂଜନ”। ଏହିଦିନ “ତୁଳସୀ” ଗଛ ଉପରେ ନଡ଼ିଆ ପତ୍ରର ଚାଳି ଟିଏ କରି, ସେଥିରେ ତୁଳସୀ ଗଛ ଉପର ପର୍ଯ୍ୟନ୍ତ ସୁତୁଲି ଦ୍ୱାରା ମାଟି ଠେକି ବା ଛୋଟ କଳସ ଟିଏ ବାନ୍ଧି ଝୁଲେଇ ଦିଆଯାଏ। ଏହି ଠେକିର ନିମ୍ନାଂଶରେ ଛୋଟ କଣାଟିଏ ଥାଏ। ଠେକିରେ ପାଣି ଭରିଦେଲେ ଅନେକ ସମୟଧରି ସରୁ ଜଳଧାର ବା ଟୋପା ଟୋପା ପାଣି ପଡି ତୁଳସୀ ମୂଳକୁ ଭିଜଉ ଥାଏ ଓ ତାପରୁ ରକ୍ଷାକରେ।
ଆମ ଓଡ଼ିଆଙ୍କର ବାରମାସରେ ତେରପର୍ବ ମଧ୍ୟରୁ ମହାବିଷୁବ ସଂକ୍ରାନ୍ତି ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପର୍ବ ଭାବେ ପାଳିତ ହୋଇଥାଏ। ସୂର୍ଯ୍ୟ ଉପାସନା ନିମନ୍ତେ ଏହିଦିନ ଠାରୁ ଏକମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ଘର ଚଉରାରେ ଠେକି ବସାଯାଇ ପାଣି ଢଳାଯାଇଥାଏ, ତେଣୁ ଏହି ସଂକ୍ରାନ୍ତି ଜଳ ସଂକ୍ରାନ୍ତି ନାମରେ ବି ଜ୍ଞାତ । ଏହି ସମୟରେ ପଣାଦାନ କରାଯାଉଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ।

କେତେକ ଗାଁ ମାନଙ୍କରେ ଏଇ ଦିନ ସନ୍ଧ୍ୟାରେ,  ଗାଁ ମନ୍ଦିରରେ ପୂଜା ସରିଲା ପରେ କୀର୍ତ୍ତନିଆ ମାନେ ଗାଁରେ ବୁଲି କୀର୍ତ୍ତନ ବା କୀର୍ତ୍ତନ ଫେରି କରନ୍ତି। ବୈଶାଖ ମାସକ ଯାକ ପ୍ରତିଦିନ ସନ୍ଧ୍ୟାରେ ଏଭଳି ଫେରି କରାଯାଏ। ଗାଁ ଦାଣ୍ଡ ସବୁ ରାମନାମ ଓ କୃଷ୍ଣନାମ ରେ କମ୍ପିତ ହୁଏ। ଶ୍ରଦ୍ଧାଳୁ ଭକ୍ତମାନେ ବିଭିନ୍ନ ପ୍ରକାର ଫୁଲର ହାର ଓ ଦୀପଧୂପ ସହ କୀର୍ତ୍ତନିଆ ଙ୍କୁ ସ୍ୱାଗତ କରନ୍ତି। ପ୍ରତିଦିନ କେହି ନା କେହି ଗ୍ରାମବାସୀ ଏଇ କୀର୍ତ୍ତନିଆ ମାନଙ୍କ ପାଇଁ ପଣା ଭୋଗର ବ୍ୟବସ୍ଥା କରିଥାନ୍ତି।
ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ବିଭିନ୍ନ ପ୍ରକାରେ ଏଇ ସଂକ୍ରାନ୍ତିକୁ ପାଳନ କରାଯାଏ। ଚନ୍ଦନେଶ୍ୱର (ବାଲେଶ୍ୱର) ଓ ମୟୁରଭଞ୍ଜ ଅଞ୍ଚଳ ରେ ଚଡକ ଯାତ୍ରା, ଉଡା ଯାତ୍ରା, ହିଙ୍ଗୁଳା ଯାତ୍ରା ଇତ୍ୟାଦି ପାଳନ କରାଯାଏ। ଅନ୍ୟ ଜିଲ୍ଲା ଗୁଡିକରେ ଝାମୁ ଯାତ୍ରା, ପାଟୁଆ ଯାତ୍ରା ଇତ୍ୟାଦି ପାଳନ ହୁଏ।

ଠିକ ସେହିପରି ଗଞ୍ଜାମ ଅଞ୍ଚଳରେ ଦଣ୍ଡ ଯାତ୍ରା ପାଳନ ହୁଏ। ଏଇ ସବୁଯାକ ଯାତ୍ରା ପ୍ରାୟ ସମାନ ଧାରାରେ ପାଳିତ ହୁଏ। ଦଣ୍ଡୁଆ ବା ପାଟୁଆ ମାନେ ମାନସିକ ପୂରଣ କାମନା କରି ନିଜ ଶରୀରକୁ ଅସହ୍ୟ କଷ୍ଟ ବା ଦଣ୍ଡ ଦେଇଥାନ୍ତି। ଉଡା ଯାତ୍ରାରେ ନିଜ ଦେହକୁ ଓ ଜିଭକୁ ଲୁହା କଣ୍ଟା କିମ୍ବା ଲୁହାର ହୁକ ସାହାଯ୍ୟରେ ଫୋଡିଥାନ୍ତି। ଜଳନ୍ତା ଅଗ୍ନି ବା କଣ୍ଟା ଉପରେ ଚାଲି ଏମାନେ ତାଙ୍କ ସାଧନା କୁ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନେଇଥାନ୍ତି। ଏସବୁ କଷ୍ଟ କୁ ସ୍ୱୀକାର କରି ପାଟୁଆ ମାନେ ଦେଖଣାହାରୀ ଙ୍କ ମନରେ ବିସ୍ମୟ ସୃଷ୍ଟି କରନ୍ତି। ଦଣ୍ଡୁଆ ମାନେ ଭୀଷଣ ଖରାରେ ସବୁ ପ୍ରକାର ଦଣ୍ଡ ପ୍ରଦର୍ଶନ କରିଥାନ୍ତି। ଦୀର୍ଘ ତେର ଦିନ କିମ୍ୱା ଏକୋଇଶ ଦିନ ଧରି ବିଭିନ୍ନ ଜାଗାରେ ଏମାନେ ଦଣ୍ଡ ପରିବେଷଣ କରନ୍ତି। ଏହି ଦିନ ଗୁଡିକରେ ସେମାନେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ସହ କେବଳ ଅରୁଆ ଅନ୍ନ ଓ ପଣା ସେବନ କରନ୍ତି। କୋରାପୁଟ ଅଞ୍ଚଳରେ ଚୈତ୍ର ମାସର ଶେଷ ସପ୍ତାହରେ ଚୈତ ପରବ ପାଳନ କରାଯାଏ। ଚୈତ ପରବରେ ମୁଖ୍ୟତଃ ପ୍ରକୃତି ପୂଜନ କରାଯାଏ। ଆସନ୍ତା ବର୍ଷଗୁଡିକ ପାଇଁ ସଞ୍ଚିତ ବିହନ ଓ ମଞ୍ଜି ସବୁକୁ ଏକତ୍ରିତ କରି ମୁଖ୍ୟତଃ ଦେବୀସ୍ଥଳ ଗୁଡିକରେ ପୂଜା କରନ୍ତି। ଦିଶାରି ବା ଦେହୁରୀ ଦ୍ୱାରା ଏ ସବୁ ପୂଜନବିଧି ପାଳିତ ହୁଏ। ନାଚଗୀତ ଖୁସି ଉଲ୍ଲାସରେ ଆଦିବାସୀ ଲୋକେ ଚୈତ ପରବ ପାଳନ୍ତି ଓ ‘ବେଣ୍ଟ’ ପାଇଁ ଜଙ୍ଗଲ କୁ ଶିକାର ଖେଳିବାକୁ ଯାଆନ୍ତି।
ସେହିପରି ଏହି ଅବସରରେ କେତେକ ସ୍ଥାନରେ ବିଷୁବମିଳନ ଆୟୋଜନ କରାଯାଏ। ସାହିତ୍ୟିକ ଓ କବିମାନଙ୍କୁ ଆମନ୍ତ୍ରଣ କରି ସାହିତ୍ୟ ଆଲୋଚନା ଏବଂ କବିତା ପାଠ ଆଦି କରାଯାଇଥାଏ। ବାସ୍ତବିକ ଧର୍ମୀୟ ଚେତନା, ବିଜ୍ଞାନସମ୍ବନ୍ଧୀୟ ତତ୍ତ୍ବ, ପରିବେଶ ସଚେତନତା ଓ ଶରୀରଚର୍ଯ୍ୟାପାଇଁ ଖାଦ୍ୟପେୟ ନିର୍ଦ୍ଧାରଣ ଆଦି ସବୁ ଦୃଷ୍ଟିକୋଣରୁ ଏହି ସଂକ୍ରାନ୍ତି ର ମହତ୍ତ୍ବ ଗୁରୁତ୍ବପୂର୍ଣ୍ଣ।
ଆମ ଓଡ଼ିଆଙ୍କ ପାଇଁ ଏହା ଅତି ବିଡ଼ମ୍ବନାର ବିଷୟ ଯେ ଆମେ ଓଡ଼ିଆମାନେ ଆମ ନବବର୍ଷକୁ ସେମିତି ହର୍ଷୋଲ୍ଲାସ ର ସହ ପାଳନ କରୁନୁ। ଇଂରାଜୀ ସଭ୍ୟତାର ଚକଚକ୍ୟ ଦ୍ୱାରା ପ୍ରଭାବିତ ହେଇ ଆମେ ଧୀରେ ଧୀରେ ନିଜସ୍ୱ ପରମ୍ପରା କୁ ଭୁଲିବାକୁ ବସିଛୁ। କିଛି ବର୍ଷ ହେଲା ଓଡିଶା ସରକାରଙ୍କ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏହି ଓଡ଼ିଆ ନବବର୍ଷ ପାଳନ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଚେତନତା ସୃଷ୍ଟି କରାଯାଉଛି। ଆମ ଅଭୁଲା ସଂସ୍କୃତି ଓ ପରମ୍ପରାର ସ୍ମୃତି ଆମ ପର ପିଢ଼ି କୁ ହସ୍ତାନ୍ତର କରିବାର ଉଚିତ ସମୟ ଆସିଛି।Pic Courtesy: Anonymous

No comments.

Leave a Reply