mini-banner-gif

Kumara Purnima ≈ କୁମାର ପୂର୍ଣ୍ଣିମା ≈- Odia Typical Traditional Festival #Gajalaxmi #KumarPurnima #India #Festival

Spread the love

Kumara Purnima ≈ କୁମାର ପୂର୍ଣ୍ଣିମା ≈- Odia Typical Traditional Festival #Gajalaxmi #KumarPurnima #India #Festival ଉପସ୍ଥାପନା – ଦୀପକ

କୁମାର ପୂର୍ଣ୍ଣିମା ≈  ନାମକରଣରୁ ଜଣାପଡ଼େ ଯେ ଏହା କୁମାର ବା ତରୁଣମାନଙ୍କର ପୂର୍ଣ୍ଣମୀ ବୋଲି, ମାତ୍ର ବାସ୍ତବରେ ଏହି ପୂର୍ଣ୍ଣମୀରେ କୁମାରୀମାନେ “ଚାନ୍ଦ” କୁ ପୂଜାକରି ସୁନ୍ଦର ତରୁଣ ସ୍ୱାମୀ ପାଇବାର କାମନା କରିଥାନ୍ତି । ଲିଆ(ଖଇ)ରେ ନିର୍ମିତ ହୋଇଥିବା ଏହି ଚାନ୍ଦପୂଜାରେ ସାମାନ୍ୟ ଉଚ୍ଛୁର ହୋଇଗଲେ କୁମାରୀକୁ ବୁଢାବର ମିଳିଯିବାର ଆଶଙ୍କା ଏବେ ମଧ୍ୟ ପ୍ରଚଳିତ ଅଛି ।

Kumara Purnima - Odia Typical Traditional Festival eodisha.org
କୁଆଁର ପୁନେଇଁର ଉଦ୍ଦେଶ୍ୟ ଓ ବୈଶିଷ୍ଟ ସମ୍ପର୍କରେ ଅନେକ ମତଅଭିମତ ରହିଛି । ଏକ ପୌରାଣିକ ଆଖ୍ୟାନାନୁସାରେ ଜଣାଯାଏ ଯେ ଦିନେ ଶ୍ରୀକୃଷ୍ଣ, ରୁକ୍ମିଣୀ ଓ ସତ୍ୟଭାମା ଆଶ୍ୱିନ ପୂର୍ଣ୍ଣିମା ରାତିରେ ବସି ପଶା ଖେଳୁଥିବା ସମୟରେ କଟା ନାମକ ଏକ ରାକ୍ଷସ ଶକ୍ରାଜିତ ମଣି ଲୋଭରେ ସେ ସ୍ଥାନରେ ଉପସ୍ଥିତ ହେଲା । ସତ୍ୟଭାମାଙ୍କ ଆଦରର ଶ୍ରେଷ୍ଠ ଅଳଙ୍କାରରୂପକ ସେଇ ମଣିଟି ରାକ୍ଷସ ଦ୍ୱାରା ଅପହୃତ ହୋଇଯିବ ଭାବି ବାହନ ଗରୁଡ ସେହିଠାରେ କଟାରାକ୍ଷସର ମୁଣ୍ଡ ଗଣ୍ଡି ଅଲଗା କରିଦେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ରାତ୍ର ଶେଷ ବେଳକୁ କଟାରାକ୍ଷସ ପୁନର୍ବାର ବଞ୍ଚିଉଠିଲା । ସତ୍ୟଭାମା କୃଷ୍ଣଙ୍କୁ ଏହାର କାରଣ ପଚାରିବାରୁ କୃଷ୍ଣ କହିଲେ – ଏହା ହେଉଛି ଆଜି ଦିନର ବୈଶିଷ୍ଟ୍ୟ । ଅର୍ଥାତ୍‌ କୁମାର ପୂର୍ଣ୍ଣିମା ରାତିରେ ଚନ୍ଦ୍ରାଲୋକରୁ ଅମୃତ ବୃଷ୍ଟି ହେଉଥିବାରୁ ସେଇ ଅମୃତର ସ୍ପର୍ଶରେ ଦୁର୍ଦ୍ଦାନ୍ତ ରାକ୍ଷସ ପୁନର୍ବାର ଜୀବନ ଲାଭ କରିବା ସମ୍ଭବ ହୋଇଛି । ମୃତବ୍ୟକ୍ତି ଅମୃତ ସ୍ପର୍ଶରେ ପୁନର୍ଜୀବିତ ହେବା କେବଳ କୁମାର ପୂର୍ଣ୍ଣମାରେ ହିଁ ସମ୍ଭବ, ଅନ୍ୟ କୌଣସି ପୂର୍ଣ୍ଣମୀ ରାତିରେ ଏହ ସମ୍ଭବ ନୁହେଁ । ଅତୀତର ଏହି ସ୍ମୃତିକୁ ସ୍ମରଣ କରିବା ପାଇଁ ଆମେ କୁଆଁର ପୁନେଇଁ ପର୍ବ ପାଳନ କରି ଆସୁଛୁ । ଆଶ୍ୱିନ ମାସର ଏହି ପୂର୍ଣ୍ଣିମା ସଂସ୍କୃତରେ କୋଜାଗର ପୂର୍ଣ୍ଣିମା ନାମରେ ଅଭିହିତ ।

ଅନ୍ୟ ଏକ କିମ୍ବଦନ୍ତି ଅନୁସାରେ ଏହି ଦିନଟି “କୁମାର” ବା କାର୍ତ୍ତିକେୟଙ୍କର ଜନ୍ମଦିନ । କାର୍ତ୍ତିକେୟ ହେଉଛନ୍ତି ଶିବଙ୍କର ପୁତ୍ର, ଦେବଗଣଙ୍କ ମଧ୍ୟରେ ସେ ସମସ୍ତଙ୍କଠାରୁ ସୁନ୍ଦର ଏବଂ ସେ ମଧ୍ୟ ଯୁଦ୍ଧର ଦେବତା । ଶ୍ରେଷ୍ଠ, ସୁନ୍ଦର, ଯୁବ କାର୍ତ୍ତିକ ବା କୁମାରଙ୍କ ପରି ବର ପାଇବା ପାଇଁ କୁମାରୀମାନେ ଏହି ପର୍ବ ପାଳନ କରନ୍ତି । ଜୀବନର ସୌନ୍ଦର୍ଯ୍ୟାନୁରାଗ, ପ୍ରାକୃତିକ ଶୋଭାପ୍ରତି ତନ୍ମୟତା, ଜୀବନର ସରସ ସ୍ୱଚ୍ଛଳ ଉପଭୋଗର ଗଭୀର ପ୍ରୀତି ନିଦର୍ଶନ ଏବଂ କୁମାରୀ ଜୀବନର ଆଶା ଆକାଂକ୍ଷାର କବିତ୍ୱପୂର୍ଣ୍ଣ ଅଭିବ୍ୟକ୍ତି ପାଇଁ ଏହି ପର୍ବଟି ପାଳିତ ହୋଇଥାଏ ।

କୁମାରୀମାନେ ସକାଳୁ ଶୁଦ୍ଧପୁତ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରି ସୂର୍ଯ୍ୟଙ୍କର ପୂଜା କରନ୍ତି । କାକୁଡ଼ି କଷି, ଜହ୍ନି କଷି ପ୍ରଭୃତି ଫଳକୁ ଚଉଁରା ମୂଳକୁ ନେଇ ପିଢା ଉପରେ ରଖାଯାଏ ଓ ହଳଦୀ ପାଣି ଢଳାଯାଏ । ତା’ପରେ ବିଧି ଅନୁସାରେ ସାତ ଆଞ୍ଜୁଳି ଧରି ସାତଥର ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ । ସନ୍ଧ୍ୟାବେଳେ କୁମାରୀମାନେ ଚଉଁରା ମୂଳରେ ଚାନ୍ଦପୂଜା କରନ୍ତି । ଲିଆ, କଦଳୀ, ଛେନା ଚକଟି ସେଥିରେ ଚାନ୍ଦ କରି ପୂଜା କରିଥାଆନ୍ତି । ପୂଜାପରେ ଭୋଗକୁ ନେଇ ନଈ କିମ୍ବା ପୋଖରୀରେ ଭସାଇ ଦିଅନ୍ତି ଏବଂ ପାଣିରେ ଗେଣ୍ଡା, ଶାମୁକା କିମ୍ବା ଦାନ୍ତକାଠି ଖୋଜନ୍ତି । ଯାହା ମିଳେ ତାକୁ ଆଣି
ଚାଳ/ଛାତ ଉପରକୁ ଫିଙ୍ଗିଦେଇ ଗାଆନ୍ତି:

ଦାନ୍ତକାଠି, ମୋ ଭାଇ ହେଉ ସୁନାକାଠି !
ଗେଣ୍ଡା, ମୋ ଭାଇ ହେଉ ଭେଣ୍ଡା !

ତା’ପରେ କୁମାରୀମାନେ ଘରକୁ ଫେରି ସାତ୍ୱିକ ଖାଦ୍ୟ ଖାଇଥାଆନ୍ତି । ପୂର୍ଣ୍ଣମୀର ଜ୍ୟୋତ୍ସ୍ନା ବିଚ୍ଛୁରିତ ରାତ୍ରୀରେ ସମସ୍ତେ ମିଳିତ ହୋଇ ନାଚଗୀତ କରନ୍ତି । ସେମାନେ ଏକ ବିଶେଷପ୍ରକାର ଖେଳ ‘ପୁଚି’ ମଧ୍ୟ ଖେଳନ୍ତି । କୁମାର ପୂର୍ଣ୍ଣିମା ଅତ୍ୟନ୍ତ ଉପଭୋଗ୍ୟ ହୋଇଉଠେ ଯେତେବେଳେ କୁଆଁରୀମାନେ ଗାଆନ୍ତି ପାରମ୍ପରିକ ଗୀତ:

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ
କୁଆଁରୀମାନେ ଯେ ପୁଚି ଖେଳୁଛନ୍ତି
ଝୁଣ୍ଟିଆ ଶବଦ ଶୁଣ ଗୋ ଫୁଲ ବଉଳବେଣୀ ।

 


No comments.

Leave a Reply