mini-banner-gif

#ଓଡିଆ କବିତା – ପଥ – ଲେଖକ ବିନୟ ମହାପାତ୍ର

Spread the love

#ଓଡିଆ କବିତା – ପଥ – ଲେଖକ ବିନୟ ମହାପାତ୍ର 

।। ପଥ ।।

odia-writer-bijay-mahapatraପଥ ମୁଁ ଖୋଜୁଛି ଅନେକ ଦିନରୁ
ଯିବି କେଉଁଠିକୁ ଜାଣେନା ନିଜେ,
ବାଉଳା ହୁଏ ମୁଁ ଦିନ ଦିପହର
ସକାଳ ସଞ୍ଜ,
ଅଜଣା ରାଇଜେ ଯିବା ପାଇଁ ମୁହିଁ,
ପଥ ଯେ ଖୋଜେ ।

ଚଉ ରାହା ପରେ ଠିଆ ହୋଇ ମୁହିଁ
ପଥ ପଚାରେ,
ଯାହାକୁ ପଚାରେ ପଥ କାହିଁ ବୋଲି
ଓଲଟାଇ ସିଏ ମୋତେ ପଚାରେ,
ଯିବ କେଉଁଠିକୁ କୁହ ତ ଥରେ?
ପଥ ମେଲି ଅଛି ଅଗକୁ ପଛକୁ
ବାମେ ଓ ଡାହାଣେ,
ତଳେ ଏ ପୃଥିବୀ ଉପରେ ଆକାଶ,
ଦଶ ଦିଗେ ପଥ ଯିବି କେଉଁ ଦିଗେ
କହି ଦେବ କିଏ, ମୁଁ ତ ନ ଜାଣେ?

ପଚାରେ ନିଜକୁ ଥକି ହାରି ମୁହିଁ
କାହିଁକି ଖୋଜୁଛି ପଥ ମୁଁ ଏଠି ?
କେଉଁ କାମ ପାଇଁ କାହାକୁ ଖୋଜୁଛି
କି ନାମ ତାହାର, କିଏ ଅବା ସିଏ,
କେଉଁଠି ଥାଏ?

ନା’ ମୋତେ କିଛି ଜାଣିବାକୁ ଅଛି
ନା’ ମୋତେ ଅଛି କହିବାକୁ,
ନା’ ଅବା କିଛି ଶୁଣିବାକୁ ଅଛି,
ନା’ ମୋର କିଛି ମାଗିବାକୁ,
ନା’ କିଛି ଅଛି ଦେଇ ଦେବାକୁ?
କିଛି ବି ତ ନାହିଁ କାମ ମୋହର,
ଥରେ ଖାଲି ମୋର ଦେଖିବାର ଇଚ୍ଛା,
ସତରେ କେମିତି ଦିଶଇ ସିଏ,
ଜାଣିବାର ଇଚ୍ଛା କେଉଁଟି ରହେ ସେ,
କି ନାମ ତାହାର, କିଏ ବା ସିଏ??

ଦୁନିଆର ଏଇ କୋଳାହଳ ମେଳେ
ଶହେ ଆଠ ଅବା ସହସ୍ର ନାମ,
ହେ ପରମେଶ୍ଵର,
ତୁମ ନାମ ବିଷ୍ଣୁ ଅବା ମହେଶ୍ଵର,
ରାମ ଅବା କୃଷ୍ଣ, ଆଲ୍ଲା ଅବା ଖ୍ରୀଷ୍ଟ
ବୁଦ୍ଧ ଅବା ଜୈନ ମହାବୀର?
ତୁମକୁ ଖୋଜିବି କେଉଁଠି ଇଶ୍ଵର
ମସଜିଦ, ପଗୋଡା ଅବା ମନ୍ଦିର
ଗିର୍ଜା କିମ୍ବା କେଉଁ ଗୁରୁଦ୍ୱାର?

ଆଗକୁ ଦେଖିଲି ପଛକୁ ଦେଖିଲି,
ବାମକୁ ଚାହିଁଲି ଡାହାଣେ ଚାହିଁଲି,
ଦେଖିଲିନି କିଛି ପଥ,
ତଳକୁ ଦେଖିଲି ରୁକ୍ଷ ଧରଣୀ,
ଆକାଶେ ବତାସେ ପଞ୍ଚଭୂତ ।
ଆଖି ଦୁଇ ମୋର ବୁଜି ହୋଇଗଲା
ଅନ୍ତରୁ ଡାକିଲା କିଏ,
ଚୁପି ଚୁପି ମୋର କାନେ କହିଗଲା,
କାହାକୁ ଖୋଜୁଛୁ ପାଗଳଙ୍କ ପରି,
ଅନ୍ତରେ ତୋର ରହିଛି ସିଏ।
ରଙ୍ଗ ରୁପ ନାହିଁ, ନାହିଁ ଗନ୍ଧ, ବାସ
ସର୍ବ ବ୍ୟାପି ସନାତନ,
ନାହିଁ ତାର ନାମ ସେଇତ ସର୍ବ ନାମ ।

ତୁ ତାକୁ ଖୋଜୁଛୁ,
ସେ ତୋତେ ଖୋଜୁଛି,
ଏଇ ତ ଅଜବ ଖେଳ,
ତୁ ତା ଭିତରେ ସେ ତୋ ଭିତରେ,
କେମିତି ହେବ ରେ ମେଳ ?
ହଜି ଯାଇନି ସେ ଖୋଜୁଛୁ କାହିଁକି ?
ଭୁଲି ଯାଇଛୁ ତୁ ଠିକଣା ତାର,
କାଲି ଥିଲା ଏଠି ଆଜି ବି ରହିଛି,
ରହିଥିବ ସବୁ ଦିନ,
ଏଇଠି ପରା ତା ଘର।
ଆଖି ର ପରଦା ଖୋଲିଲେ ଦେଖିବୁ
ଅନ୍ତରେ ତୋର ଭଲ ରେ ଖୋଜିବୁ
ମିଳି ଯିବ ତୋତେ ସବୁ ଉତ୍ତର ।

******

No comments.

Leave a Reply