mini-banner-gif

#ଓଡିଆଗଳ୍ପ #BhalaManisha ଭଦ୍ରଲୋକ ହେବା ନିଶାରେ କେମିତି ଆମେ ନିମ୍ନତମ ମାନବିକତା ହରେଇ #ଭଲମଣିଷ ଟିଏ ହେବା କଥା ଭୁଲି ଯାଉ! #ଓଡିଆ by Prabir Kumar Sahoo

Spread the love

#BhalaManisha ଭଦ୍ରଲୋକ ହେବା ନିଶାରେ କେମିତି ଆମେ ନିମ୍ନତମ ମାନବିକତା ହରେଇ #ଭଲମଣିଷ ଟିଏ ହେବା କଥା ଭୁଲି ଯାଉ! #ଓଡିଆ

      ସନ୍ଧ୍ୟା ସାଢ଼େ ପାଞ୍ଚଟାକୁ ଅଫିସ ରୁ ବାହାରିଲା ବେଳକୁ ମୋ ଅଫିସ ପିଓନ, ଗିରି ଧାଇଁ ଆସି ଏକା ନିଶ୍ୱାସରେ କହିଗଲା “ସାର ଗୋଟେ କଥା ଜାଣନ୍ତି, ସେଇ ଯୋଉ ପ୍ଲମ୍ବର ପିଲାଟି ଆମ ଅଫିସକୁ ଆସୁ ନଥିଲା, କିଛି ସମୟ ପୂର୍ବରୁ କଲେଜ ଛକ ପାଖରୁ ପୋଲିସ ତାକୁ ଉଠେଇ ନେଇଛି। ମନେ ପଡ଼ିଲା ସାର! ସେଇ ଯୋଉ ବୁନୁ ବୋଲି ଟୋକା ଟା ମ, ଥରେ ଆପଣଙ୍କ ଘର କୁ ବି ଯାଇଥିଲା”। ମୁଁ ପଚାରିଲି “ଆରେ ତୁ କେମିତି ଜାଣିଲୁ”? ମୋ ହାତକୁ ଦୁଇ ଖଣ୍ଡ ପାନ ବଢ଼େଇ ଦେଇ ଗିରି କହିଲା “ସାର, ଋଣ ବାବଦରେ ବୁଝାବୁଝି ପାଇଁ ବ୍ୟାଙ୍କ ଯାଇଥିଲି। ଫେରିଲା ବେଳକୁ କଲେଜ ଛକରୁ ଆପଣଙ୍କ ପସନ୍ଦର ମିଠା ପାନ ଦୁଇ ଖଣ୍ଡ ଭାଙ୍ଗିବାକୁ ଗଲି ଯେ ସେଠି ପୋଲିସ ବୁନୁ କୁ ନେଇ ଗାଡ଼ିରେ ବସେଇବାର ଦେଖିଲି। ଲୋକଙ୍କ ମୁହଁରୁ ଶୁଣିଲି ଯେ ସିଏ କୁଆଡେ କୋଉ କଲେଜପିଲା କୁ ମରାମରି କରୁଥିଲା”। ଘରକୁ ଶୀଘ୍ର ଫେରିବାର ଥିଲା ତେଣୁ ଗିରିକୁ ବେଶି କିଛି ନ ପଚାରି ବୁନୁ କଥା ଭାବିଭାବି କାର ଷ୍ଟାର୍ଟ କଲି।

      ଟ୍ରାଫିକର ନାଲି ସିଗନାଲ ହଠାତ ମୋତେ ମୋ ପୁରୁଣା ଦିନକୁ ଫେରେଇ ନେଇଥିଲା। ବୁନୁ ସହ ମୋର ପରିଚୟ ବଡ ସଂକ୍ଷିପ୍ତ କିନ୍ତୁ ଅବିସ୍ମରଣୀୟ। ଆମ ଅଫିସ ର କୌଣସି ପ୍ରକାର ପାଣିଲାଇନ କାମ କରିବାକୁ ସିଭିଲ ବିଭାଗକୁ କଲ୍ କଲେ ସେମାନେ ବୁନୁ କୁ ପଠେଇ ଦେଉଥିଲେ। ଥରେ ମୋ ଘରେ ପାଣିଟ୍ୟାପ ବଦଳ କରିବା ପାଇଁ ଗିରିକୁ କହିଥିଲି ଓ ସେ ବୁନୁ କୁ ପଠେଇଥିଲା ମରାମତି କରିବାକୁ। ବୁନୁ ଆମ ଘରେ ପହଞ୍ଚିଲା ବେଳକୁ ମୁଁ ଘରେ ନଥାଏ। ସେତିକି ବେଳେ ଗୋଟେ ବାଇକ ଆସି, ବାହାରେ ଖେଳୁଥିବା ମୋ ପାଞ୍ଚ ବର୍ଷର ପୁଅକୁ ଧକ୍କା ଦେଲା। ବୁନୁ କାଳବିଲମ୍ବ ନକରି ମୋ ପଡିଶା ପଣ୍ଡା ବାବୁଙ୍କ ସହ ବାଇକରେ ପୁଅ କୁ ହସ୍ପିଟାଲ ନେଇଗଲା। ଫୋନ ପାଇ ହସ୍ପିଟାଲ ପହଞ୍ଚି ଦେଖେ ତ ପୁଅ ମୁଣ୍ଡରେ ତିନିଟା ଷ୍ଟିଚ ଆଉ ବାମ ହାତରେ ବ୍ୟଣ୍ଡେଜ ଲାଗିଥିଲା। ଡକ୍ଟର ସହ କଥା ହେଇ ଜାଣିଲି ଯେ ଦୁର୍ଘଟଣାର ବହୁତ କମ ସମାୟାନ୍ତରେ ପୁଅ ହସ୍ପିଟାଲ ପହଞ୍ଚି ଯାଇଥିଲା। ଫଳରେ ତା ମୁଣ୍ଡରୁ ବେଶି ବ୍ଳିଡିଙ୍ଗ ହେଇ ନଥିଲା ଆଉ ପୁଅ ବିପଦମୁକ୍ତ ଥିଲା। ବାସ ଏତିକି ପରିଚୟ ଥିଲା ବୁନୁ ସହ।

       ଏଇ କଥା ସବୁ ମନେ ପକେଇବା ଭିତରେ ଟ୍ରାଫିକର ସବୁଜ ସଙ୍କେତ ଆସିଯାଇ ଥିଲା। ବୁନୁ ବିଷୟରେ ମୁଁ ବେଶି ଜାଣେନି ତଥାପି କାଇଁ ମନଟା ଜମାରୁ ବୁଝୁ ନଥାଏ। ଭାବିଲି ଭୁଲ ହଉ କି ଠିକ, ମୁଁ ଥରେ ବୁଝିବା ଉଚିତ ଯେ ପ୍ରକୃତ ଘଟଣା ଟା କଣ ବୋଲି। ଆଗ ବୁଲାଣିରୁ ଗାଡି କଲେଜ ଛକ ପୋଲିସ ଷ୍ଟେସନ ଆଡକୁ ମୋଡିଲି। ଥାନାର ଇନଚାର୍ଜ ସୋରେନ ବାବୁ ମୋର ଚିହ୍ନା। ମୁଁ ସିଧା ଯାଇ ବୁନୁ ଘଟଣା ବିଷୟରେ ପଚାରିଲି। ସୋରେନ ବାବୁ କହିଲେ “ସାର ଏଇଟା ଗୋଟେ ଇଭ ଟିଜିଙ୍ଗ କେସ। ସେଇ କଲେଜର ଗୋଟେ ଛାତ୍ରନେତା ତା ସାଙ୍ଗ ମାନଙ୍କ ସହ ମିଶି ସବୁଦିନ ସେଇ କଲେଜ ପାଖ ବସଷ୍ଟପ ରେ ଝିଅଙ୍କୁ କମେଣ୍ଟ କରେ। ଆଜି କୁଆଡେ ହାତ ଧରାଧରି ବି କରୁଥିଲା। ଏସବୁ ଦେଖି ଏ ଟୋକା ସେମାନଙ୍କୁ ବାରଣ କଲା ଆଉ ବାସ ତାଙ୍କ ଭିତରେ ବାଡିଆବାଡ଼ି ହେଇଗଲା। ସେ ତିନିଟା ଟୋକା ଆମେ ପହଞ୍ଚିବା ପୂର୍ବରୁ ଖସି ଗଲେ” ! ମୁଁ ଧୈର୍ଯ୍ୟ ହରେଇ ପଚାରି ବସିଲି “ଆପଣ ଏବେ ବୁନୁ ସହ କଣ କରିବେ”? ସୋରେନ ବାବୁ କହିଲେ “ଏ ଟୋକା ଆଇନ ହାତକୁ ନେଇଛି। ଭାବୁଚି ଆଜି ରାତିଟା ଭିତରେ ରଖିଦେବି। ଟିକେ ଅକଲ ଆସିବ ଆଉ ମୁଣ୍ଡ ତାତି ବି କମିବ”। ମୁଁ ଅନୁରୋଧ କରିବା ସ୍ୱରରେ କହିଲି “ସୋରେନ ବାବୁ ଏଇ ଯୋଉ ପିଲାଟି, ବୁନୁ, ସିଏ ମୋର ଚିହ୍ନା। ଆମ ଅଫିସ ରେ କାମ କରେ। ଆପଣ ତାକୁ ଯିବାକୁ ଦିଅନ୍ତୁ। ଆପଣଙ୍କ ତଦନ୍ତ ବେଳେ ଯଦି ଦରକାର ହୁଏ ତାକୁ ଡାକିଲେ ସିଏ ଆସିବ, ସେ ଦାୟିତ୍ୱ ମୋର”। ଏମିତି ପୋଲିସବାଲା କାହା କଥା ଶୁଣନ୍ତିନି। କିନ୍ତୁ ଆମ ଅଫିସ ରେ ପୋଲିସ ବାଲାଙ୍କର ଶହେ କାମ ତେଣୁ କାଳବିଲମ୍ବ ନକରି ସୋରେନ ବାବୁ ବୁନୁ କୁ ରିଲିଜ କରିଦେଲେ।

         ବୁନୁ କୁ ଗାଡ଼ିରେ ବସେଇ ଥାନା ରୁ ଫେରୁଥାଏ, ବୁନୁ କହିଲା “ସାର ସେ ଟୋକା ମାନଙ୍କ ବହପ ଜମା କମ ନୁହଁ। ସର୍ବ ସାଧାରଣରେ କଲେଜ ପଢୁଆ ଝିଅଙ୍କୁ କମେଣ୍ଟ କରିବା, ତାଙ୍କ କାନି ଟାଣିବା, ହାତ ଧରିବା ସେ ଟୋକାଙ୍କ ନିତିଦିନିଆ କାମ। ଆଗରୁ ଥରେ ଅଧେ ଦେଖିଛି ହେଲେ ସାମ୍ନାସାମ୍ନି ହେଇ ନଥିଲି। ଆଜି ମଉକା ଭଲ ଥିଲା, ଶଳାଙ୍କୁ ପାନେ ଦେଇଛି। ଏ ପୁଲିସ ଵାଲା କୋଉ କମ କି? ଏତେ ପାଖରେ ଥାଇକି ବି ଏସବୁ କୁ ନିଘା ନାହିଁ। କଣ ନା ଆମେ ଡ୍ୟୁଟି କରୁଛୁ”। ପଚାରିଲି “ସେଠି କଣ ତୋ ଛଡା କେହି ନ ଥିଲେ”? ବୁନୁ କହିଲା “ଥିଲେ ସାର, ପିଲା ଠାରୁ ବୁଢା ଯାଏ ସବୁ ବୟସର ଭଦ୍ର ବ୍ୟକ୍ତି ମାନେ ଥିଲେ! ହୁଏତ ସେମାନଙ୍କ ମଧ୍ୟରେ ସେ ଝିଅମାନଙ୍କର କେହି ନିଜର ନଥିଲେ!”

      ବୁନୁ କୁ ଛାଡି ମୁଁ ଘର କୁ ଫେରିଲାବେଳେ ମୋର କଲେଜ ଦିନର କଥା ମନେ ପଡୁଥାଏ। ଆମ ଗାଁ ନକୁଳ କକାଙ୍କ ଝିଅ ପିଙ୍କି ମୋର କ୍ଲାସମେଟ ଥିଲା। ସେ ଭଲ ପଢୁଥିଲା ଆମେ ଏକା ସହିତ କଲେଜ ରେ ଆଡ଼ମିଶନ ନେଲୁ। କଲେଜ ଯିବା ଆସିବା ସମୟରେ ପିଙ୍କି କୁ କେତେ ଥରେ ଏମିତି ପରସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥାଏ। ସେତେବେଳେ କିଛି ବାଳୁଙ୍ଗା ଟୋକାଙ୍କ ଏମିତି ଅଭାଦ୍ରାମି ପାଇଁ ପିଙ୍କିକୁ ଶେଷରେ ପଢା ଛାଡିବାକୁ ପଡିଲା। ମୋରି ଆଖି ସାମ୍ନାରେ ଗୋଟେ ଭଲ ଝିଅର କ୍ୟାରିଅର ନଷ୍ଟ ହେଇଗଲା ଆଉ ମୁଁ ସମାଜକୁ ନିଜର ଭଦ୍ରାମିର ପରିଚୟ ଦେଇ ଭଦ୍ରଲୋକ ଟିଏ ହେଇଗଲି ସିନା ସାହସ କରି ବୁନୁ ଭଳିଆ ଭଲ ମଣିଷଟିଏ ହେଇ ପାରିଲିନି। ଘରେ ଆସି ପହଞ୍ଚିଲା ପର୍ଯ୍ୟନ୍ତ ବୁନୁର ସେଇ ଶେଷ ପଦେ କଥା ହିଁ ମୋର ମନେ ପଡୁଥାଏ!

No comments.

Leave a Reply