mini-banner-gif

ଅନ୍ୟ ଏକ ମିରା – A Excellent Odia Short Story by Sai Prakash #OdiaLekha #ShortStory

Spread the love

ଅନ୍ୟ ଏକ ମିରା – A Excellent Odia Short Story by Sai Prakash #OdiaLekha #ShortStory
ମା…ଏ ମା….

କଣ ହେଲା ବାପା?
ତଳକୁ ଆସ,କିଏ ଜଣେ ବାବୁ ଆସିଛନ୍ତି
କଣ କାମ..?
ଆରେ ତାଙ୍କ ଝିଅକୁ ନାଚ ଶିଖାଇବା ପାଇଁ କଥା ହେବେ…
ମୋହନ ବାବୁ ଆପଣ ବସନ୍ତୁ, ଝିଅ ଆସୁଥିବ…
ମୋହନ…
ଆଗକୁ ବଢ଼ିଥିବା ପାଦଦୁଇଟି ମିରାର ହଠାତ ଅଟକି ଗଲା….
ଫ୍ଲାସବ୍ୟାକରେ ଗଲାପରି କିଛିକ୍ଷଣ ନୀରବ ହୋଇଗଲା,ଏ ଆଉ ସେଇ ମୋହନ ନୁହେଁତ??
ଭାବନା ରାଇଜରେ କିଛି ସମୟ ପାଇଁ ମନେପକାଇବାକୁ ଚେଷ୍ଟା କଲା ତାଙ୍କ ମୁହଁ…
ଆରେ ଏତେ ସମୟ କଣ ଲାଗୁଛି,ବାପାଙ୍କ ଡାକରେ ମିରା ପୁଣି ବର୍ତ୍ତମାନକୁ ଫେରିଆସିଥିଲା..
ନମସ୍କାର ଆଜ୍ଞା…
ଛୋଟ ଛୋଟ ନିଶ ଦାଢୀ ରଖିଥିବା ବ୍ୟକ୍ତି ଜଣକ କଣ ମୋହନ…
ନମସ୍କାର କହି ଯେତେବେଳେ ଆଖି ମିଶିଲା…
ଏଇ ତ ସେଇ ଆଖି… ତାକୁ କଣ ଏତେ ଶୀଘ୍ର ଭୁଲିପାରିବ ମିରା? ଯେଉଁ ଆଖିରେ ଦିନେ ସେ ଅନେକ ସ୍ବପ୍ନ ଦେଖିଥିଲା, ଯେଉଁ କଥାକୁହା ଆଖିକୁ ଅନାଇ ସେ ଦିନେ ନିଜ ମନର କଥା କହିଥିଲା…
କିନ୍ତୁ ମୋହନ କଣ ଚିହ୍ନିପାରିଲେ ?
ନାଁ…ବୋଧେ…
କେମିତି ଭୁଲିଗଲେ ସେ ମିରାକୁ,ଶେଷ ଦେଖା ବାର ବର୍ଷ ତଳେ କଲେଜରେ।
ଇଂଜିନିୟରିଂ ସରିଲା ପରେ କୋୖଣସି ଏକ କାମରେ ମୋହନ ଯାଇଥାଏ କଲେଜ, ଡିପାର୍ଟମେଣ୍ଟର ସାରମାନଙ୍କୁ ଦେଖାକରି ଯେବେ ଅଫସରୁ ବାହାରୁଛି ହଠାତ ତା ସାମନାକୁ ଦୌଡ଼ି ଆସିଥିଲା ମିରା…
କାନ୍ଦି କାନ୍ଦି ପ୍ରଥମ ପ୍ରଶ୍ନ କଲା… କାହିଁକି ସେଦିନ କାହାକୁ କିଛି ନକହି ରୁମ ଛାଡି ଚାଲିଯାଇଥିଲେ…?
ଅପ୍ରତ୍ୟାଶିତ ମିରାକୁ ଭେଟିବ ବୋଲି ଆଶା କରୁନଥିଲା ମୋହନ ସିଏବି ନିଜ କଲେଜରେ ଆଉ ନିଜ ଡିପାର୍ଟମେଣ୍ଟରେ,
ଉତ୍ତର କଣ ଦେବ ଭାବୁଥାଏ ମୋହନ,ଆଗରୁ ବହୁତ ଚେଷ୍ଟା କରିଛି ମିରାକୁ ବୁଝାଇବା ପାଇଁ ହେଲେ ସେ କାହିଁକି ବୁଝିବ,ବାପା ମାର ଏକମାତ୍ର ଝିଅ, ବାପା ତାଙ୍କର ଆର୍ମିରେ ଡାକ୍ତର, ରୁହନ୍ତି ମିଜୋରାମରେ,କେଉଁ କଥାରେ ସେ ମିରାକୁ ମନାକରି ନାହାନ୍ତି, କିନ୍ତୁ ସବୁକଥାରେ ତାର ଜିଦି…
ଆରେ ମୋହନ…
ତମକୁ ସାର ଡାକୁଛନ୍ତି, ପଛରୁ ଦୀପକ ସାରଙ୍କ ପାଟି ଶୁଣି, ମୁଁ ଆସୁଛି କହି ମୋହନ ଚାଲିଯାଇଥିଲା ମିରାର ପ୍ରଶ୍ନର ଊତ୍ତର ନଦେଇ…..
ମୋହନ ସେତେବେଳେ ନୂଆକରି ଇଂଜିନିୟରିଂ ପଢିବାକୁ ରାଜଧାନୀକୁ ଆସିଥାଏ,ସାଙ୍ଗ ମାନଙ୍କ ସହ ରୁମ ଗୋଟେ ଭଡ଼ା ନେଇ ରହୁଥାଏ,ଖୁବ୍ କମ୍ ସମୟରେ କଲୋନୀର ସମସ୍ତଙ୍କ ସହ ଭଲ ଚିହ୍ନାପରିଚୟ ହୋଇଯାଇଥିଲା,କ୍ରିକେଟ ଖେଳ ଓ ଚିତ୍ର ଆଙ୍କିବା ଏ ଦୁଇଟି ତାର ମୂଖ୍ୟ କାମ..କଲୋନୀର ପ୍ରାୟ ସବୁ ଛୋଟ ପିଲାଙ୍କୁ ସ୍କୁଲ ପାଇଁ ଚିତ୍ର ଆଙ୍କିବାରେ ସାହାଯ୍ୟ କରେ ସେ..
ଦିନେ କଲେଜରୁ ଫେରି ମୋହନ ଶୋଇଥାଏ,
କଲିଂ ବେଲର ଘଣ୍ଟିରେ ନିଦ ଭାଙ୍ଗିଲା, କିଏ ବୋଲି ପଚାରି ଯେବେ କବାଟ ଖୋଲେ ଦେଖିଲା ପାଖ ସ୍କୁଲର ଝିଅଟିଏ,
ଖାତା ଖଣ୍ଡେ ଆଗକୁ ବଢାଇ କହିଲା ମୋ ସ୍କୁଲ ପ୍ରୋଜେକ୍ଟ ପାଇଁ କିଛି ଚିତ୍ର ଆଙ୍କିଦେବେ?
ହଁ କହି ନିଦ ବାଉଳାରେ କବାଟ ବନ୍ଦ କଲା,
ଖାତାର ଭିତର ଫର୍ଦ୍ଦ ଓଲଟେଇ ଦେଖିଲା ନାଁ ମିରା,ନାଇନ୍ଥ ଷ୍ଟାଣ୍ଡାର୍ଡ।
ତାପର ଦିନ ଯେତେବେଳେ ଖାତା ନେବାକୁ ଆସିଲା କିଛି ନ କହି ଖାତା ନେଇ ଚାଲିଗଲା, ମହୋନ ଭାବୁଥାଏ ଅଜବ ଝିଅ?
ଥାଙ୍କ ୟୁ ବି କହିଲାନି…
ଦିନେ ସଂଧ୍ୟାରେ ସାଙ୍ଗ ମାନଙ୍କ ସହ ପାହାଡ଼ ଉପରେ ଥିବା ମନ୍ଦିର ପାଖରେ ମୋହନ ଖଟି କରୁଥାଏ, ଝିଅଟିଏ ସ୍କୁଟିରେ ଆସି ପହଞ୍ଚିଲା,ସିଧା ମୋହନ ଆଗରେ ପହଞ୍ଚି କହିଲା ମୋତେ ସେ ଚିତ୍ର ପାଇଁ ସ୍କୁଲରୁ ବହୁତ ପ୍ରଶଂସା ମିଳିଛି, ଏଇ ନିଅ ଚକଲେଟ,
ପୁଣି ଗାଡ଼ି ଷ୍ଟାର୍ଟ କରି ଚାଲିଲା।
ଆଶ୍ଚର୍ଯ୍ୟ……
ସାଙ୍ଗ ମାନଙ୍କ ଟାପରା ଶୁଣି ଫେରି ଆସିଥିଲା ରୁମକୁ,
ଭାବିଥିଲା କେମିତି ଝିଅ ଖଣ୍ଡେ ଚିତ୍ର ପାଇଁ ଥାଙ୍କ ୟୁ ନାହିଁ ଚକଲେଟ !!
କିଛି ଦିନ ପରେ ହଠାତ ଦିନେ ମୋହନ ମିରାକୁ ଫୁଲ ଦୋକାନରେ ଦେଖିଲା,ଗୋଲାପ କିଣୁଥିବା ମିରା ହସିଦେଇ ହାଏ କହି ଚାଲିଯାଇଥିଲା ଆଉକିଛି କଥା ହେବା ଆଗରୁ।
ଗୋଲାପ କିଣୁଛି କାହାପାଇଁ ପ୍ରଶ୍ନର ଉତ୍ତର ପାଇଁ ମିରାକୁ ଫଲୋ କରି ଯାଇ ପହଞ୍ଚି ଥିଲା ଏକ ବସ୍ତିରେ,ସେଠି ଥିବା ଛୋଟ ଛୋଟ ପିଲାଙ୍କୁ ଗୋଲାପ ବାଣ୍ଟୁଥିବା ଦେଖି ମୋହନ ଆଶ୍ଚର୍ଯ୍ୟ ହୋଇଗଲେ।
ଏଠି କଣ ? ମୋ ପିଛା କରୁଥିଲେ.. ହା ହା…
ନାଇଁ… ମୁଁ…
ହଉ ମୁଁ ଚାଲିଲି…ବାଏ… କହି ଚାଲିଯାଇଥିଲା ମିରା।
ଏମିତି ପ୍ରାୟ ଅନେକ ଚିତ୍ର ଆଙ୍କି ଦେଇଥିଲା ମିରା ପାଇଁ,
ଆଉ ଧିରେ ଧିରେ ମିରା ବି ମୋହନ ରୁମକୁ ଆସିବା ଆରମ୍ଭ କରିଦେଇଥିଲା,କେବେ ଚିତ୍ର ପାଇଁ ତ କେବେ କେଉଁ ବିଷୟରେ ଡାଉଟ କ୍ଲିୟର ପାଇଁ,ଆସ୍ତେ ଆସ୍ତେ ଦୁଇଜଣଙ୍କ ଭିତରେ ଏକ ବନ୍ଧୁତାର ସଂପର୍କ ଗଢିଉଠିଥିଲା।
ହେଲେ ମୋହନକୁ ଏସବୁ ଭଲ ଲାଗୁନଥାଏ,ଝିଅ ଜଣେ ରୁମକୁ ଆସୁଛି, କିଏ କଣ ଭାବିବ..କିଏ କଣ କହିବ.. ଥରେ ସାହସ କରି ମିରାକୁ କହିଲା,କିନ୍ତୁ ମିରାର ରୋକଠୋକ ଜବାବ ଯାହା କହିବେ ମୋତେ କହିବେ ତମର କଣ ? ମୁଁ ଆସିବି ତମ ରୁମକୁ..
ଅଜବ ଅବୁଝା ଝିଅ ଖଣ୍ଡେ…
ସେଦିନଠାରୁ କେବେ କିଛି କହିନାହିଁ,ବନ୍ଧୁତାର ସୁତା ମଜବୁତ ହୋଇଚାଲିଥାଏ,ଥଟ୍ଟା ମଜା ହସଖୁସିରେ ସମୟ ବିତି ଚାଲିଥିଲା…
ଦିନେ ସକାଳୁ କଲେଜ ଯିବା ପାଇଁ ମୋହନ ପ୍ରସ୍ତୁତ ହେଉଥାଏ ହଠାତ ମିରା ପହଞ୍ଚି ଯାଇ ଗୋଲାପ ଫୁଲ ଓ କାର୍ଡ ଦେଇ କହିଲା ଖୋଲି ପଢିବ..
ଆଜି କଣ କିଛି ସ୍ପେଶାଲ?
ଓହୋ ଭାଲେଣ୍ଟାଇନ ଡେ ପରା,ହେଲେ ଏସବୁ କଣ ?
ତମେ ପଢ ଆଗ,ମୁଁ ସ୍କୁଲ ଯାଉଛି ଆସିଲେ କଥା,
ରାସ୍ତା ଯାକ ମିରା ମନରେ ଅସରନ୍ତି ପ୍ରଶ୍ନ ଆଉ ଉତ୍ତର।
କାର୍ଡ ଖୋଲି ପଢିଥିବେ?
ହଁ…
କଣ ଭାବୁଥିବେ ?
ଭାବୁଥିବେ କି ପାଗଳୀ ଝିଅ…ହେ…
କଣ ମୋତେ ମନାକରିବେ??
ନା…
ସ୍କୁଲ କାନ୍ଥଘଣ୍ଟାର କଣ୍ଟା ଆଜି ବହୁତ ଧୀରେ ବୁଲୁଛି,
ଗାଡ଼ି ଛୁଟାଇ ମିରା ପହଞ୍ଚିଲା ମୋହନ ରୁମ ସାମନାରେ,
ଏ କଣ,ତାଲା ପଡିଛି?
କଲେଜରୁ ଫେରି ନାହାନ୍ତି ?
ଏକ୍ସଟ୍ରା କ୍ଲାସ୍??
ସଂଧ୍ୟା ୭, ଏପର୍ଯ୍ୟନ୍ତ ଦେଖାନାହିଁ?
ନିଦ ବା କେମିତି ଆସିବ,ସକାଳୁ ଯାଇ ମୋହନ ରୁମର ବେଲ୍ ଚିପିଲା ମିରା,ହେଲେ ଏ କଣ କବାଟ ଖୋଲୁନାହାନ୍ତି କେହି?
ମୋହନର ସାଙ୍ଗ ଜଣେ କବାଟ ଖୋଲିଲା,
ମୋହନ କାହାନ୍ତି ?
ବ୍ୟାଗ ପ୍ୟାକ୍ କରି ସକାଳୁ ଯାଇଛି ଏଯାଏଁ ଫେରିନି…
ହେଲେ କାହିଁକି….??
ଏ ପ୍ରଶ୍ନର ଉତ୍ତର ପାଇଁ ଏପର୍ଯ୍ୟନ୍ତ ଅପେକ୍ଷା କରିଛି ମିରା……
ମିରାର କାର୍ଡ଼ ପଢି ମୋହନର ମନରେ ଥିଲା ଅନେକ ପ୍ରଶ୍ନ ଆଉ କିଛି ର ଉତ୍ତର।
ମିରା କଣ ସତରେ ତାକୁ ଭଲପାଏ?
ନହେଲେ ଲେଖିଥାନ୍ତା କାହିଁକି?
ହେଲେ ସେ କଣ ମିରାକୁ ଆପଣାର କରି ପାରିବ?
ଏତେ ବଡ ଘରର ଏକମାତ୍ର ଝିଅ, ତାର ସମକକ୍ଷ କଣ ସେ ହୋଇପାରିବ?
ଦଶମ ଶ୍ରେଣୀ ହେଲା ଏବର୍ଷ, ପିଲାଳିଆମିରେ ଏମିତି କରିନାହିଁ ତ?
ଆଗକୁ ଶେଷ ପରୀକ୍ଷା ତାର, କ୍ୟାମ୍ପସ ସିଲେକସନ୍ ଅଛି କିଛି ଦିନ ପରେ,ଯଥାଶୀଘ୍ର ଚାକିରୀ ଖଣ୍ଡେ ପାଇବା ତାର ଅଦମ୍ୟ ଇଚ୍ଛା,ପରିବାରର ବଡ଼ପୁଅ ସେ,ସମସ୍ତଙ୍କ ଆଶା ତାରି ଉପରେ, ଆଉ ସେ ଯଦି ନିଜ ଲକ୍ଷ୍ୟରୁ ବିଚ୍ୟୁତ ହେବ ତାହେଲେ ତା ଉପରେ ଆଶା ରଖିଥିବା ପରିବାରକୁ କଣ କହିବ?
ନା….ପ୍ରେମ ପାଇଁ ତା ପାଖରେ ସାହସ ନାହିଁ, ହେଲେ ମିରାକୁ କଣ କହିବ??
ଏମିତି ସେ ଅବୁଝା,ସବୁ କଥାରେ ଜିଦ,ତା କଥା କଣ ବୁଝିବ?
ନା….
ମିରାର ପ୍ରେମ ଓ ନିଜ ପରିବାରର ଲୋକଙ୍କ ଆଶାକୁ ନିଜ ହୃଦୟ ନିକିତିରେ ତଉଲିବାକୁ ଲାଗିଥିଲା ମୋହନ, ବୋଧେ ଦ୍ବିତୀୟ ଟା ଭାରି ଲାଗିଥିଲା, ସେଥିପାଇଁ ପଳାତକ ସାଜିବାକୁ ଠିକ୍ ଭାବିଥିଲା..
ବାପା… ବାପା.. ମୋ ପାଇଁ ଚିତ୍ର ଆଙ୍କିଦେବ?
ତମେ ଭଲ ଚିତ୍ର ଆଙ୍କ ବୋଲି ଆମ ନାଚ ଦିଦି କହୁଥିଲେ..
୧୫ ବର୍ଷ ଧରି ରଙ୍ଗ ତୁଳୀ ଧରିନଥିଲା ମୋହନ,ଭାବନା ରାଇଜକୁ ଚାଲିଯାଇଥିଲା ଝିଅର ପ୍ରଶ୍ନ ଶୁଣି, ମିରା କଣ ଏପର୍ଯ୍ୟନ୍ତ ଅପେକ୍ଷା କରିଛି ତା ପ୍ରଶ୍ନର ଉତ୍ତର ପାଇଁ??

 

Note – You can send your article to admin@eodisha.org 

No comments.

Leave a Reply