mini-banner-gif

ହେ ଜୀବନ by ଶ୍ରୀମତି ସଂଯୁକ୍ତା ମହାପାତ୍ର

Spread the love

ହେ ଜୀବନ !!!

କବି : ଶ୍ରୀମତି ସଂଯୁକ୍ତା ମହାପାତ୍ର

 

 

 

 

 

ହେ ଜୀବନ,
ଟିକେ ଆସ, ମୋ ପାଖେ ବସ,
ଦି ଘଡି ସୁଖ, ଦୁଃଖ ହେବା ।
କିଛି ତୁମ କହିବ, କିଛି ମୁଁ କହିବି,
ଏଇ କୁହା ଶୁଣାରେ,
ମନ ଟିକେ ହାଲୁକା ହୋଇ ଯିବ ।

ତୁମ ସାଥେ ଚାଲୁ ଚାଲୁ,
କେତେ ଲୋକ, କେତେ କଥା,
ଏଇ ଚଲା ପଥରେ ଆସିଲେ,
କିଛି ସାଥେ ରହି ଗଲେ, ଆଉ କିଛି
ଅଧା ବାଟେ, ବାଟ ଭାଙ୍ଗି ଚାଲି ଗଲେ ।

 

 

 

 

 

ଯିଏ ଗଲା ଆଉ ଯାହା ନମିଳିଲା,
ତା ପାଇଁ, ଲୁହ ତ ଆସିଛି ଆଖିରେ ।
ହେଲେ, କେବେ ଅଭିଯୋଗ କରିନି ତୁମଠି,
ଅଭିମାନ କରିନି ବି କେବେ ।
ହେ ଜୀବନ, ତୁମେଇ ତ ଏକା
ସବୁ ଠାରୁ ଅନ୍ତରଙ୍ଗ ମୋର,
ତୁମ କାନ୍ଧେ ମଥା ରଖି କାନ୍ଦି ତ ପାରିବି !
ମୋ ଦୁଃଖ ତୁମକୁ କହିବିନି ତ
ଆଉ କା’ ଆଗେ କହିବି ?

ବେଳେ ବେଳେ ଭାବେ ବସି
ହେ ଜୀବନ,
ଯାହା କିଛି ଦେଇ ଅଛ ତୁମେ,
ସେତିକି ବି ମିଳିନି କାହାକୁ,
ଯାହା କିଛି ମିଳିଛି ତୁମ ସଙ୍ଗତରେ
ଅନେକ ସନ୍ତୁଷ୍ଟି ମନରେ ।

ହେ ଜୀବନ ବହୁତ ଧନ୍ୟବାଦ !
ତୁମେ ସଦା ସାଥେ ମୋର ଅଛ,
ତୁମ ବିନା ଅବା କାହିଁ ଅସ୍ତିତ୍ୱ ମୋହର ?
ଯେବେ ତୁମେ ଯେବେ ଯିବାକୁ ଭାବିବ,
ମୋତେ ବି ତୁମ ସାଥି କରି ନେବ ।
ତୁମ ବିନା ମୋର କି କାମ ଆଉ ବାକି?
ହେଲେ, ଗୋଟିଏ ବୀନତି,
ସାଥି ହୋଇ,
ଏଇମିତି ଆମେ କିଛି ଦେଇ ଯିବା
ଆମେ ଗଲା ପରେ,
ଆମ କଥା ଭାବି ଦେଲେ,
କାହା ଓଠେ ହସ ଟିକେ ଖେଳି ଯିବ,
ଅବା ନୟନରେ ଲୁହ ଟୋପେ ଆସି ଯିବ ।

***×***

No comments.

Leave a Reply