mini-banner-gif

ଶାନ୍ତ ପୃଥିବୀ

Spread the love

ଶାନ୍ତ ପୃଥିବୀ

 

 

 

 

 

 

 

ରଚନା-ବିନୟ ମହାପାତ୍ର

ଜୀବନ ଏ ଏଇମିତି,
ଶାନ୍ତ ପୃଥିବୀ ଟିଏ,
ସମୟର ଧାରା ବୋହି ଚାଲେ,
ନିରତେ, ଅବିରତେ, ନିଶବ୍ଦେ ।
କେବେ ସୁଖ, କେବେ ଦୁଃଖ,
କେତେ ଝଡ ଝଞ୍ଜା ଜୀବନରେ,
ମଳୟ ବି ବୋହେ,
ଚଇତାଳି, ବୈଶାଖୀ ବି,
ମଉସୁମୀ ବାରି ବାରି ଆସେ ।
ନା ମଳୟ ରହେ ନା ବଇଶାଖୀ,
ରହେ ଖାଲି ସର୍ବସଂହା ଧରିତ୍ରୀ,
ଆଉ ଏଇ ମଣିଷ ଜୀବନ ।
ବାର ବାର ହସିବାକୁ, କାନ୍ଦିବାକୁ,
କେବେ ପ୍ରେମରେ ପୁଲକିତ,
କେବେ ବିରହରେ ଜଳିବାକୁ ।

ଜୀବନର ଚଲାପଥେ
କେବେ ମିଳିଯାଏ ସାଥୀଟିଏ,
କେତେ ମିଠା ପ୍ରତିଶୃତି ଦେଇଯାଏ
ବାଣ୍ଟି ନେବାକୁ
କିଛି ସୁଖରୁ, କିଛି ଦୁଃଖରୁ
କିଛି ହସରୁ, କିଛି କାନ୍ଦରୁ ।
ହେଲେ, ଅଧାବାଟେ
ରାସ୍ତା ସରି ଯାଏ,
ସହଯାତ୍ରୀ ଓହ୍ଲାଇ ଯାଏ,
ଗଲାବେଳେ ବିଦାୟର
ହାତ ହଲାଇ ଦିଏ,
ପୁଣିଥରେ ଆସିବ ବୋଲି
ମିଛ ସପନ ଦେଇଯାଏ,
କେବେ ସବୁ ହସ
ତା ସାଥୀରେ ନେଇ
ମୁଁହ ମୋଡି ଦିଏ ।

ଧରିତ୍ରୀ ପରି ଏ ଜୀବନ,
ଧରିତ୍ରୀର ଗୁଣ ହିଁ ଅବଲମ୍ବନ ।
ସବୁକିଛି ସହିଯାଏ ହସି ହସି,
କେବେ କାନ୍ଦେନା ନିରବରେ ବସି ବସି,
ବର୍ଷା ଆସେ, ବୈଶାଖ ଆଉ
ବସନ୍ତ ବି ଆସେ,
ଏଇ ତ ଜୀବନ ହସ ଆଉ ଲୁହର ।
ସ୍ୱାଗତଂ ହେ ଜୀବନ,
ତୁମର ସବୁ ରୂପକୁ ସ୍ୱଗତ,
ତୁମକୁ ସପ୍ରେମ ପ୍ରଣାମ ।

 

 

 

 

 

**×**

No comments.

Leave a Reply