mini-banner-gif

ମୁହୁର୍ତ୍ତ by ବିନୟ ମହାପାତ୍ର

Spread the love

ମୁହୁର୍ତ୍ତ

ରଚନା : ବିନୟ ମହାପାତ୍ର

 

 

 

 

 

କେବେ କେମିତି
ମୁହୁର୍ତ୍ତ ମାନେ, ନବ ବଧୁ ର
ପାଉଁଜୀ ର ତାଳେ ତାଳେ
ଧୀର ମନ୍ଥର ଗତିରେ,
ଲାଜେଇ ଲାଜେଇ ଆସନ୍ତି ।
ମନ ହୁଏ,
ଜାବୁଡି ଧରନ୍ତି କି ସେମାନଙ୍କୁ,
ନିବିଡ ବାହୁ ବନ୍ଧନ ରେ,
ଏବଂ ସେମାନଙ୍କ କାନ ରେ
ଚୁପି ଚୁପି କହି ଦିଅନ୍ତି,
ବଡ ମୁସ୍କିଲ୍ ରେ ଧରା ଦେଇଛ,
ତୁମକୁ ମୁଁ ଆଉ କେବେ ବି,
ଯିବାକୁ ଦେବିନି ।
ହେଲେ, ନୁଆ ବୋହୁ ଲାଜେଇ ଯାଏ,
ଆଲିଙ୍ଗନ ରୁ ମୁକୁଳିବାକୁ ଛାଟି ପିଟି ହୁଏ।
ଏବଂ ମୁହୁର୍ତ୍ତ ମାନେ
ବେଗମତୀ ନଦୀ ଟିଏ ପରି
ଫିସଲି ଯାଆନ୍ତି ତୈଳାକ୍ତ ହାତରୁ ।
ଜଣା ପଡେନି, ସୁଖର ମୁହୁର୍ତ୍ତ ମାନେ,
ସତରେ କେବେ ଜୀବନରେ,
ଆସି ଥିଲେ କି ନାହିଁ ।

 

 

 

 

 

 

 

 

ବେଳେ ବେଳେ ମନେ ହୁଏ
ଏଇ ଦୁଃଖର ମୁହୁର୍ତ୍ତ ମାନେ,
ନ ଆସନ୍ତେ ହେଲେ,
ଦେଖିବାକୁ ମନ ହୁଏନା,
ସେ ପୋଡା ମୁଁହା ମୁହୁର୍ତ୍ତ ମାନଙ୍କୁ ।
ମନ ହୁଏ ତାଙ୍କ ମୁଁହ ଉପରେ
କବାଟ ବନ୍ଦ କରି ଦିଅନ୍ତି,
ଠିକ୍ ଅଛି, ଆସିଲେ ଯଦି ଆସନ୍ତୁ,
ସକାଳ ର କୁଣିଆଁ,
ସଂଜରେ ବାହୁଡି ଗଲେ ଭଲ ।
ହେଲେ, ଏ ଦୁଃଖର ମୁହୁର୍ତ୍ତ ମାନେ,
ପ୍ରହାରେଣ ଧନଞ୍ଜୟ ଠାରୁ ବି ନିଲଠା ।
ଧକ୍କା ମାରିଲା ପରେ ବି
ଖୁବ୍ ଧୀରେ ଚାଲୁ ଥାନ୍ତି ।

***$***

 

No comments.

Leave a Reply