mini-banner-gif

ମାତାଲ # MAATAAL # Odia Short Story

Spread the love

sujataମଧ୍ୟରାତ୍ରିର ଅସରାଏ ବର୍ଷା ପରେ ରାତ୍ରିର ନିଶବ୍ଦ ପ୍ରହରଟା ବେଙ୍ଗ ମାନଙ୍କର କେଁ କଟର ରଡିରେ କୋଳାହଳମୟ ହୋଇ ଉଠୁଥାଏ । ସାରା ଗାଁ ର ସରଳ ଲୋକ ଗୁଡାକ ଶୋଇ ଗଲେଣି ଅନେକ ବେଳୁ । ଗାଁ ର ଶେଷ ମୁଣ୍ଡରେ ରାଜମହଲ ଭଳି ଛାତଘରଟିଏ । ରାତ୍ରିର ଘନ ଅନ୍ଧକାରକୁ ଦୂର କରି ସେଇ ଘରଟିର ଦାଣ୍ଡପଟ ଝର୍କା ଦେଇ ବାହାରି ଆସୁଛି ଉଜ୍ଜଳ ବିଦ୍ୟୁତ ଆଲୋକ । କଣ କେହି ଶୋଇ ନାହାନ୍ତି ଏଯାଏଁ ! ସୁଜାତା ଆଖିରେ କିନ୍ତୁ ନିଦ ନାହିଁ । ଲୋକେ କଣ ଭାବିବେ ? ଏକୁଟିଆ ଏତେ ବଡ ଘରର ବୋହୁଟେ ରାତି ଅଧରେ ଝର୍କା ଖୋଲି ଚେଇଁ ରହିଛି । କିଏ କଣ ଭାବୁଛି ନଭାବୁଛି ସେଥିରେ ତା’ର ତିଳେ ହେଲେ ଖିଆଲ ନାହିଁ । କାରଣ ସେ ତାର କର୍ତ୍ତବ୍ୟ କରୁଛି । ସୀତା ଭଳି ପବିତ୍ର ସେ, କାହା ଭାବନାରୁ ତାକୁ କଣ ମିଳିବ ! ଆଉ ବାପା ମାଆଙ୍କ ବୋଝ ବି ହାଲୁକା ହେଇଯାଇଛି । ବିଜନ କୋଉ ଗୁଣରେ ବା କମ ଥିଲେ ! ଆଭିଜାତ୍ୟ ଆଉ ପରମ୍ପରାର ଦ୍ଵାହି ଦେଇ ବିଜନ ଆଉ ସୁଜାତାର ଶାଶ୍ଵତ ପ୍ରେମକୁ ନିଜ ହାତରେ କଫିନ ଦେଇ ଦେଲେ ବାପା । ହେଲେ ଆଜି ସେ ଆରପାରିରେ । ଅତି ଅଲିଅଳି ଗେଲବସର ଝିଅର ଦୁଃଖ ଦେଖିବାକୁ ସେ ଆଜି ନାହାଁନ୍ତି । ମଦ୍ୟପ ବିକ୍ରମ ହାତରେ ଟେକି ଦେଇ ସେ ଆଜି ଖୁବ ଆଶ୍ଵସ୍ତ ଆଉ ଆରପାରିରେ ଖୁବ ଶାନ୍ତିରେ ଅଛନ୍ତି । ମାଆ ସେଦିନ ବାପାଙ୍କୁ କେତେ ବୁଝେଇଥିଲା, “ବିଜନ ଗୋଟେ ସାଧାରଣ ପରିବାରର ହେଲେବି ତା’ପାଖେ ମଣିଷ ପଣିଆର ଅଭାବ ନାହିଁ । କେତେ ଭଦ୍ର, ନମ୍ର ଆଉ ମେଧାବୀ ସେ । ଆମ ଝିଅର ପସନ୍ଦ କିଛି ଖରାପ ନୁହେଁ ।‘ ଏକଥା ଶୁଣି ବାପା ଖୁବ ଗର୍ଜି ଉଠିଥିଲେ ମାଆ ଉପରେ । ଆଉ ଘରେ ସେଦିନ ଚୁଲିବି ଜଳି ନଥିଲା । ଆଭିଜାତ୍ୟର ସାମନ୍ତବାଦରେ ବାପା ସେଦିନ ଅନ୍ଧ ପାଲଟି ଯାଇଥିଲେ । ଆଉ ନିଜ ଆଭିଜାତ୍ୟକୁ ସାମ୍ନା କରିବାକୁ ଯାଇ ସୁଜାତାକୁ ଟେକି ଦେଲେ ଲଫଙ୍ଗା ମଦୁଆ ବିକ୍ରମ ହାତରେ ।

bikramସୁଜାତାର ଛାତିରେ ଖୁବ ଯନ୍ତ୍ରଣା ହେଉଛି ଆଜି । ରୋକି ପାରୁନି ସେ ନିଭୃତ ହୃଦୟର ଅସହ୍ୟ କୋହକୁ । ଚିତ୍କାର କରି କାନ୍ଦିବାକୁ ଇଚ୍ଛା ହେଉଛି ତା’ର । କିନ୍ତୁ କିଏ ବ ଶୁଣିବ ? ଖୁବ ମନେ ପଡୁଛି ଆଜି ବିଜନଙ୍କ କଥା । ସେଦିନ ସେ କେତେ ଆକୁଳ କଣ୍ଠରେ ନିବେଦନ କରିଥିଲେ, “-ସୁଜାତା, ତମେ ବାପାଙ୍କୁ ବୁଝାଅ । ମତେ ପଛେ ବାହା ନହୁଅ॰॰ କିନ୍ତୁ ବିକ୍ରମ ଭଳି ଗୋଟେ ଲମ୍ପଟ, ଚରିତ୍ରହୀନ ମଦୁଆ ସହିତ ବାହା ହେବାକୁ ମନାକର ।“ ହେଲେ ବାପାଙ୍କୁ ବୁଝେଇବାର କୌଣସିବି ଶକ୍ତି ନଥିଲା ସୁଜାତା ପାଖରେ । ବିଜନଙ୍କ ସହ ସେଇ ଶେଷ ଦେଖାରେ ସେଦିନ ସୁଜାତା ଲକ୍ଷ କରିଥିଲା ତାଙ୍କ ଆଖିର ଉଜାଣିକୁ॰॰ ଅନୁଭୋବ କରିଥିଲା ତାଙ୍କ ଶାନ୍ତ ସରଳ ହୃଦୟର ଲୁକକାୟିତ କୋହକୁ । କେତେ ବ୍ୟସ୍ତ ହେଉଥିଲେ ବିଜନ । ଏହି ଦୀର୍ଘ ୧୦ ବର୍ଷ ଭିତରେ କେବେବି ଦେଖା ହେଇନି ବିଜନଙ୍କ ସହ । ହୋମ ନିଆଁକୁ ସାକ୍ଷୀ ରଖି ଜଣେ ପୁରୁଷ ହାତରୁ ସିନ୍ଦୁର ପିନ୍ଧିବା ପରେ ପର ପୁରୁଷ କଥା ଚିନ୍ତା କରିବା ପାପ ବୋଲି ବୁଝିଥିଲା ସୁଜାତା । ସ୍ଵାମୀ ବୋଲି ଗ୍ରହଣ କରି ନେଇଥିଲା ସେ ବିକ୍ରମକୁ । ଆଉ ସେଇ ଦିନଠୁ ସେ ଭୁଲି ଯାଇଛି ତା ପ୍ରେମର ଠିକଣା । ଆଜି କିନ୍ତୁ ମଦ୍ୟପ ବିକ୍ରମଙ୍କ ଅକଥନୀୟ ଅତ୍ୟାଚାର ତାକୁ ଖୁବ ଅସହ୍ୟ କରି ଦେଉଛି । ପ୍ରାଚୁର୍ଯ୍ୟର ମୀନାର ଉପରେ ଠିଆ ହୋଇ ସେ ଆଜି ଟିକେବି ଶାନ୍ତି ପାଇ ପାରୁନି । ପାର୍ଟି, କ୍ଲବ ଇତ୍ୟାଦିରେ ସମୟ କଟେଇ ଖୁବ ନିଶାଶକ୍ତ ଅବସ୍ଥାରେ ପ୍ରତିଦିନ ଘରକୁ ଫେରନ୍ତି ବିକ୍ରମ । ପ୍ରତିବାଦ କଲେ ସୁଜାତାର ନିସ୍ତାର ନାହିଁ । ଏହା ସୁଜାତାର ନୀତିଦିନର ଜୀବନଚର୍ଯ୍ୟା । ପ୍ରତିଦିନ ଭଳି ଆଜିବି ଏମିତି ଝର୍କାର ପର୍ଦ୍ଦା ଆଡେଇ ବାହାରର ଘମାଘୋଟ ଅନ୍ଧକାର ଆଡକୁ ଅନେଇ ବସିଛି ସୁଜାତା । ହଠାତ ଧଳା ରଙ୍ଗର କାରଟିଏ ହର୍ଣ୍ଣ ବଜେଇ ପୋର୍ଟିକୋରେ ବ୍ରେକ କଷିଲା । କଲିଂ ବେଲଟି ବାଜି ଉଠିବା ପୂର୍ବରୁ ଦ୍ଵାର ଖୋଲି ଦେଇଥିଲା ସୁଜାତା । ବିଦେଶୀ ମଦର ବାସ୍ନାରେ ମହକି ଉଠୁଥିଲା ଶୀତତାପ ନିୟନ୍ତ୍ରିତ କୋଠରୀ ଗୁଡାକ । ବିକ୍ରମ ଖୁବ ମାତାଲ ଥିଲେ । କାଳ ବିଳମ୍ବ ନକରି ତାଙ୍କର ନିସ୍ତେଜ ଶରୀରଟି ଢଳି ପଡିଥିଲା ଖୁବ ଦାମୀ ମୂଲାୟମ ଶେଯ ଉପରେ । ଆଉ ସୁଜାତା କେବଳ ବାପାଙ୍କ ଆଭିଜାତ୍ୟର ସୁରକ୍ଷା କରିବା ଛଡା ତା’ ପାଖରେ ଆଉ କିଛି ଉପାୟ ନଥିଲା ।

ଗଳ୍ପ ରଚନା : ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡି, ଖୋରଧା ।


Trackbacks/Pingbacks

  1. ମାତାଲ – ଓଡିଆ ଲେଖିବା ଓଡିଆ ପଢିବା (Write Odia Read Odia) - July 14, 2016

    […] eOdisha.org ଇ-ଓଡିଶା ଡଟ ଅର୍ଗ ଦ୍ଵାରା ପ୍ରକାଶିତ […]

Leave a Reply