mini-banner-gif

ଭୂଲି ଯାଏ ଆପଣାର ନାଆଁ

Spread the love

କେତେ ସହଜ ରେ,
ସବୁ କିଛି ବଦଳି ଯାଏ ଏଠି,
ସମୟ ର ପବନ ରେ,
ଜୀବନ ର ବାଲି ସବୁ,
ଏଇଠୁ ଉଡି ଯାଏ,
ପୁଣି ଏକ ନୁଆ ଜାଗାରେ,
ଜମା ହୋଇ ଯାଏ,
ନୁଆ ଏକ ବାଲି କୁଦ,
ନୁଆ ଏକ ପରିଚୟ ନେଇ ।

ଆକାର ବଦଳି ଯାଏ, ପରିଚୟ ବି,
ଚିହ୍ନା ଚିହ୍ନା ଲାଗେ, ହେଲେ,
ପଚାରିବାକୁ ସାହସ ହୁଏ ନା,
ତୁମେ କଣ ସେହି ଚିହ୍ନା ମଣିଷ ଟି ?
ଅନେକ ସମୟ ରେ ଦର୍ପଣ ବି
ଧୋକା ଖାଇ ଯାଏ,
ଭ୍ରମିତ ହୋଇ ଯାଏ,
ଦୋ ଦୋ ଚିହ୍ନା ହୁଏ,
ନିଜର ମୁହଁ କୁ ନିରେଖି ରହି ଯାଏ,
ନିଜକୁ ଚିହ୍ନିବାରେ ଏତେ ବିଳମ୍ବ କାହିଁକି ହୁଏ ?

ନାଆଁ ବି ବଦଳି ଯାଏ ଏଠି,
ନିଜ ପରିଚୟ ବି,
ଆତ୍ମିୟତା ତ ବହୁ ଦୂର କଥା,
ପିଲା ଦିନ ବାନ୍ଧୁ ବି, ସଂକୋଚ ରେ
ଦୂରେ ଠିଆ ହୁଏ,
କିମ୍ବା କବାଟ ରେ ଠକ୍ ଠକ୍ କରେ,
ଭିତର କୁ ଆସିବାକୁ ଅନୁମତି ମାଗେ ।
ବୁଝି ହୁଏନା, ମୋ ବନ୍ଧୁ କୁ,
ମୋର ଅନୁମତି କେବେ ଠାରୁ ଲୋଡା ହେଲା?
ପିଲା ଦିନେ, ମୋ ଟିଫନ୍ ବାକ୍ସରୁ,
ଖାଇବାର ବେଳେ, କେବେ ବି ପଚାରିନି ସିଏ,
କିମ୍ବା ତାର ସେ ଦେଶି ଘିଅ ଆଳୁ ପରଟା ର ଟିଫିନ,
ମୋତେ ଜବରଦସ୍ତ ଖୁଆଇଲା ବେଳେ,
କେବେ ବି ତ ପଚାରିନି ସିଏ,
ମୋତେ ଭୋକ ଅଛି କି ବା ନାହିଁ,
କୃଷ୍ଣ ସୁଦାମା ର ଗପ ମନେ ପଡେ ।
ଭାବେ, କି ଲାଭ କୁହନି,
ଏତେ ଉପରେ ଉଡିବା,
ଯଦି ମୋର ବନ୍ଧୁ କେବେ,
ମୋର, ଆଲିଙ୍ଗନ କୁ ଡରେ?

ପିଲା ଦିନ ଡାକ ନାଆଁ,
କେବ ଠାରୁ ଭୁଲି ସାରିଲିଣି,
ବାପା ମାଆ ଚାଲି ଗଲା ପରେ,
ମୋର ସେ ନାଆଁଟି ବି ହଜି ଗଲା ।
କେବେ କେମିତି କେହି ବୟସ୍କ ସଂପର୍କୀୟ,
ଯଦି କିଏ ଡାକି ଦିଏ ପୁଣି ସେଇ ନାଆଁ,
ଚାରି ଦିଗକୁ ଦେଖେ, ଖୋଜି ବୁଲେ,
କିଏ କାହାକୁ ଡାକୁଛି,
ହଠାତ୍ ପଡେନା ମନେ,
ଏଇଟା ମୋ ପିଲା ଦିନ ନାଆଁ !
ଘରେ ମୁଁ ତ, ‘ଏଇ ଶୁଣୁଚ’, କିମ୍ବା ‘ବାପା’
ବନ୍ଧୁ ମାନେ ନାଆଁ ବି ନିଅନ୍ତି ନାହିଁ,
‘ଅମୁକ ବାବୁ’ ପରିଚୟ ମୋର,
ଅଫିସ ରେ ଜି. ଏମ୍ ସାହାବ,
ଆଜି, ମୋର ନାଆଁଟି ର ଆବଷ୍ୟକତା,
କେବଳ, ଦସ୍ତାବେଜ ଲେଖିବାରେ କାମ ଆସେ ।

ମୋର ତ ମନେ ନାହିଁ,
ମୋ ନାଆଁ ଶେଷ ଥର ପାଇଁ,
କିଏ କେବେ ଡାକି ଥିଲା ମତେ,
କେତେ ସପ୍ତାହ, ମାସ କିମ୍ବା ବରଷ ଆଗ ରୁ ।
ନିଜ ଫୋନ ନମ୍ବର କୁ କେବେ ଡାଏଲ କରେନି
ସେଥି ପାଇଁ ନିଜ ଫୋନ ନମ୍ବର,
କେବେ ମୋର ମନେ ରୁହେ ନାହିଁ,
ମୁଁ କେବେ ବି ତ ନିଜକୁ ଡାକେନା,
ବିଚିତ୍ର ହେବନି, ଯଦି କେବେ ଭୁଲି ଯାଏ,
ଆପଣା ର ନାଆଁ ।

No comments.

Leave a Reply