mini-banner-gif

ବାଇଡ଼ଙ୍କ

Spread the love
         ସନ୍ଧ୍ୟା ପ୍ରାର୍ଥନା ସାରିଯାଇଥିଲା। ସାତଟା ବେଳକୁ ହଠାତ ହଷ୍ଟେଲ ମନିଟର ରୁମ ପାଖ ଘଣ୍ଟି ବାଜି ଉଠିଲା। ସବୁ ଅନ୍ତେବାସୀ ପ୍ରାୟ ପଢାପଢିରେ ବ୍ୟସ୍ତ ଥିଲେ। ମୁଁ ବି କିଛି ଗୋଟେ ଅଙ୍କ କଷାରେ ବ୍ୟସ୍ତ ଥିଲି। ଦେବୁ ଆସି ଡାକିଲା “ଆରେ ସେ ମନିଟର ଡାକିଲାଣି। କଣ ହେଇଛି କେଜାଣି କର ସାର ବି ଆସିଛନ୍ତି। କିଛି ଗୋଟେ ଜରୁରୀ କଥା ଥିବ ବୋଧେ। ତୁ ଜଲଦି ବହାରିକି ଆସେ ମୁଁ ଯାଉଛି”। ମୁଁ ଭାବିଲି ସାର ଆସିଥିବେ ଅପ୍ରତ୍ୟାଶିତ ପରିଭ୍ରମଣ ରେ। ସେ ଏମିତି ବେଳେବେଳେ ଦେଖିବାକୁ ଆସନ୍ତି, କିଏ କିଏ ଉପସ୍ଥିତ ଅଛନ୍ତି ଆଉ ଯୋଉ ମାନେ ନାହାନ୍ତି ସେମାନେ ଛୁଟି ଦରଖାସ୍ତ ଦେଇଛନ୍ତି କି ନାହିଁ। ଅନିଚ୍ଛା ସତ୍ତ୍ୱେ ବି ରୁମରୁ ବାହାରି ହଷ୍ଟେଲ ବାରଣ୍ଡାରେ ସମସ୍ତଙ୍କ ସହ ଧାଡି ବାନ୍ଧି ଛିଡା ହେଲି। ଯୋଉମାନେ ଉପସ୍ଥିତ ଥିଲେ ସମସ୍ତେ ଆସିଲେ। ଆମ ରୋଷେଇୟା ବାଇନଭାଇ ବି ଆସିଲା। କୌଣସି ଅନ୍ତେବାସୀ ବିଷୟରେ କିଛି କହିବାକୁ ଥିଲେ ବା ଅଭିଯୋଗ ଥିଲେ ବାଇନ କୁ ବି କହିବାକୁ ସୁଯୋଗ ମିଳେ। ଯା ହେଉ ପାଞ୍ଚ ମିନିଟ ମଧ୍ୟରେ ସମସ୍ତେ ଏକତ୍ରିତ ହେଲୁ। କର ସାର ବଡ ବିବ୍ରତ ଦେଖା ଯାଉଥିଲେ। କର ସାର ମାନେ ଆମ ସ୍କୁଲର ଇଂରାଜୀ ଶିକ୍ଷକ ଓ ତା ସହ ଆମ ହଷ୍ଟେଲର ତତ୍ତ୍ୱାବଧାରକ। ଭାରି ହସଖୁସିଆ ମିଜାଜ୍ ତାଙ୍କର ହେଲେ ଚିଡିଗଲେ ପିଠିରୁ ଚମଡା ଉତାରି ଦେବା ଲୋକ ସେ। ସାରଙ୍କ ସରକାରୀ ବାସଭବନ ବି ଆମରି ହଷ୍ଟେଲ କୁ ଲାଗିକି। ତାଙ୍କ ଘରେ ମୋଟ ପାଞ୍ଚ ପ୍ରାଣୀ; ସ୍ୱାମୀ, ସ୍ତ୍ରୀ, ଦୁଇଟି ପିଲା ଓ ବାର ତେର ବର୍ଷର କୁନି ବୋଲି ଝିଅଟିଏ। କୁନି ସାରଙ୍କ ଗାଁ ଝିଅ। ଖାସ ଏଇ ପିଲା ଦୁଇଟିର ଯତ୍ନ ନେବା ପାଇଁ ସାର ତାକୁ ଗାଁରୁ ଆଣିଥିଲେ। ପିଲା ଦୁଇଟିର ଯତ୍ନ ସହ ସିଏ ଘର ପାଇଟିରେ ବି ସାହାଯ୍ୟ କରେ।
ସାର କଣ କହିବେ ବୋଲି ଆମେ ଅପେକ୍ଷା କରିଥାଉ, ଚନ୍ଦ୍ର ଭାଇ, ଆମ ହଷ୍ଟେଲ ମନିଟର ବକ୍ତବ୍ୟ ଆରମ୍ଭ କଲେ। “ସବୁ ଅନ୍ତେବାସୀ ମାନେ ଧ୍ୟାନ ଦିଅନ୍ତୁ। କୁନି ତାର ଡ୍ରେସ ସଫାକରି ଆମ ହଷ୍ଟେଲ ତାରବାଡ଼ରେ ଶୁଖେଇଥିଲା। ସେଇ ଡ୍ରେସକୁ ସେ ପିନ୍ଧିଲା ପରେ ତା ଦେହହାତ କୁଣ୍ଡେଇ କୁଣ୍ଡେଇ ଫଳି ଗଲାଣି ଓ ସାରଙ୍କ ପିଲାମାନଙ୍କ ଦେହ ବି କୁଣ୍ଡଉଚି। ଏଥିରେ ଆମ ହଷ୍ଟେଲ ପିଲାଙ୍କ ହାତ ଥାଇପାରେ। ତେଣୁ କେହି ଯଦି ଏମିତି କାମ କରିଥାନ୍ତି, ସାରଙ୍କ ସମ୍ମୁଖରେ ମାନିଗଲେ ହୁଏତ ସାର ଦଣ୍ଡ କୋହଳ କରିପାରନ୍ତି। ନହେଲେ ଆଗକୁ କଠିନ ଶାସ୍ତି ପାଇଁ ପ୍ରସ୍ତୁତ ରୁହନ୍ତୁ”। ଏତିକି ଶୁଣି ସାରିଲା ପରେ ଆମର ସବୁ ଅନ୍ତେବାସୀଙ୍କ ମଧ୍ୟରେ ଗୋଟେ ଚାପା ଗୁଞ୍ଜରଣ ଆରମ୍ଭ ହେଇଗଲା। ସମସ୍ତେ ପରସ୍ପରକୁ ଅନାଉଥାନ୍ତି ହେଲେ କେହି ନିଜ ଦୋଷ ସ୍ଵୀକାର କଲେନାହିଁ। ଶେଷରେ ସାର ବାଇନକୁ କହିଲେ “କିରେ ତୁ ଦେଖିନୁ, ଏ କାଣ୍ଡ କାହାର? ଏମାନେ ତ କେହି କିଛି କହୁନାହାନ୍ତି ତୁ ହେଲେ କହ”। ବାଇନଭାଇ କହିଲା “ସାର କାହାକୁ ତ ଦେଖିନି ଏମିତି କିଛି କରିବାର ତଥାପି କିଛି ଖବର ପାଇଲେ ଆପଣଙ୍କୁ ନିଶ୍ଚୟ ଜଣେଇବି”। ଏଥର ସାର କଡା ଶବ୍ଦରେ କହିଲେ “ଯିଏ ବି ହେଇଥାଉ ଦଣ୍ଡ ନିଶ୍ଚିତଭାବେ ପାଇବ, ଖାଲି ମୁଁ ଜାଣିବା ଡେରି”। ଏତିକି କହି ସାର ଚାଲିଗଲେ ହେଲେ ଆମ ଭିତରେ ଚର୍ଚ୍ଚା ଆରମ୍ଭ ହେଇଗଲା। ଆଜି ପର୍ଯ୍ୟନ୍ତ କୌଣସି ପିଲା ଏମିତି ଦୁଷ୍ଟାମି କରିବାର ନଜିର ନାହିଁ ତେଣୁ ସମସ୍ତେ ବିସ୍ମିତ ହେଉଥିଲୁ।

ତା ପରଦିନ ସ୍କୁଲରୁ ଆସି କିଛି ପିଲା ମନିଟର ପାଖରେ ଅଭିଯୋଗ କଲେ ସେମାନଙ୍କ ଦେହ ମଧ୍ୟ କୁଣ୍ଡେଇ ହେଉଛି। ସଂଧ୍ୟାସୁଧା ସମସ୍ତଙ୍କର ସେଇ ଏକା ଅଭିଯୋଗ। କଣ ହେଇଛି କିଏ କରିଛି କିଛି ବୁଝା ପଡୁ ନଥାଏ। ଦୁଇଦିନ ପର୍ଯ୍ୟନ୍ତ ଏଇ ଅସୁବିଧା ଦେଇ ସମସ୍ତେ ଗତି କଲା ପରେ ରବିବାର ଆସିଲା। ରବିବାର ଦିନ ହଷ୍ଟେଲ ପରିପାର୍ଶ୍ବ ସଫେଇ ହୁଏ। ସମସ୍ତେ ମିଶି ସଫେଇ କାର୍ଯ୍ୟ ଆରମ୍ଭ କଲୁ। ବାଇନ ବି ସଫେଇରେ ଆମକୁ ସାହାଯ୍ୟ କରେ। କିଛିସମୟ ପରେ ବାଇନ, ଚନ୍ଦ୍ରଭାଇଙ୍କୁ ଡାକ ପକେଇଲା। ଚନ୍ଦ୍ର ଭାଇ ଗୋଟେ ପୁରୁଣା ଖବରକାଗଜ ନେଇ ଧାଇଁ ଗଲେ। ଆମେ ବି ପଛେ ପଛେ ଗଲୁ। ଆମେ ପହଞ୍ଚିଲା ବେଳକୁ ବାଇନ ଗୋଟେ ଜାଗାରେ ଖବରକାଗଜକୁ ଘୋଡେଇ ନିଆଁ ଲାଗେଇଦେଲା। ଆମେ ସମସ୍ତେ ପଚାରିଲୁ କଣ ବୋଲି ହେଲେ ବାଇନ କିଛି କହିଲାନି କି ଚନ୍ଦ୍ର ଭାଇ ମଧ୍ୟ କିଛି କହିଲେନି। “ସେ କିଛି ନୁହଁ” କହି ବାଁରେଇ ଦେଲେ। କଥାଟା ବଡ ରହସ୍ୟମୟ ଲାଗୁଥାଏ। ସବୁ ଅନ୍ତେବାସୀ କିଛି କିଛି ମନଗଢା କାହାଣୀ ବଖାଣୁ ଥାନ୍ତି। ମାନେ ଯାହା ମନକୁ ଯାହା ଆସିଲା। ସେ ରହସ୍ୟମୟ ବସ୍ତୁଟି କଣ ବୋଲି ଜାଣିବାର ଉତ୍କଣ୍ଠା ବଢି ଚାଲିଥାଏ ଆମ ସମସ୍ତଙ୍କ ମନରେ।

ସନ୍ଧ୍ୟା ପ୍ରାର୍ଥନା ପାଇଁ ଘାଣ୍ଟି ବାଜିଲାରୁ ଆମେ ସମସ୍ତେ ବାରଣ୍ଡାରେ ଏକତ୍ରିତ ହେଲୁ। ଆମେ ଆସିଲା ବେଳକୁ ଦେବୁ ସେଠି କାନ ଧରି ଛିଡା ହେଇଥାଏ। ମୁଁ ଆଶ୍ଚର୍ଯ୍ୟ ହେଲି ଓ ଦେବୁ ପାଖକୁ ଯାଇ ପଚାରିଲି “କିରେ କଣ ହେଇଛି କି, ଏମିତି କାନଧରି କିଆଁ ଛିଡା ହେଇଛୁ”? ସେ ଧୀରେ ଧୀରେ କହିଲା “ମୁଁ ଜାଣିନି, ହେଲେ ସାର କହିଛନ୍ତି ଏମିତି ଛିଡାହେବା ପାଇଁ”। ସନ୍ଧ୍ୟାପ୍ରାର୍ଥନା ସରିଲା। ସାର ଆସି ପହଞ୍ଚିଲେ। ସାର ଆରମ୍ଭ କଲେ, “କିରେ ଦେବୁ ଇଏ ସବୁ କି ପ୍ରକାର ଦୁଷ୍ଟାମି? କୋଉଠୁ ଆଣିଲୁ ପୁଣି ହଷ୍ଟେଲରେ କାଇଁ ରଖିଥିଲୁ ତାକୁ”? ଦେବୁ ଜଳକା ହେଇ ଚାହିଁଥାଏ। ଆମେ ବି ଅବୁଝା ହେଇ ଥରେ ସାରଙ୍କ ମୁହଁ ତ ଥରେ ଦେବୁ ମୁହଁକୁ ଅନାଉଥାନ୍ତି। ସାରଙ୍କ ପ୍ରଶ୍ନ ସରିଲା ପରେ ଦେବୁର ଓଲଟା ପ୍ରଶ୍ନ “କୋଉ କଥା କହୁଛନ୍ତି ସାର, ମୁଁ ବୁଝିପାରୁନି”। ଏଥର ବାଇନ କହିଲା “ତମେ ଲୁଲୁଙ୍ଗ (ସିମିଳିପାଳ) ଜଙ୍ଗଲକୁ ଯୋଉ ପିକନିକ ଯାଇଥିଲ, ସେଇଠୁ ବାଇଡ଼ଙ୍କ କାଇଁ ଆଣିଥିଲ, ସେଇକଥା ସାର ପଚାରୁଛନ୍ତି”। ଦେବୁ କହିଲା ସାର “ମୁଁ ବାଇଡ଼ଙ୍କ କଣ ଦେଖିନାହିଁ କି ସିଏ କୋଉ କାମରେ ଲାଗେ ଜାଣିନାହିଁ ଅଥଚ ମୋ ଉପରେ ମିଛ ଦୋଷାରୋପ କରହେଉଛି”। “ଇରେ ସେଇ ବାଇଡ଼ଙ୍କ ପାଇଁ ପରା ସମସ୍ତେ ହଇରାଣ ହେଇ ସାରିଲେଣି, ତୁ କହୁଚୁ ଜାଣିନୁ! ହଉ ହେଲା କାନ ଛାଡ଼ ଏଥର। ତୁ ଯୋଉ ପିକନିକ ଯାଇଥିଲୁ ସେଠୁ କଣ ଆଣିଥିଲୁ ମନେ ପକା” ସାର କହିଲେ। କିଛି କ୍ଷଣ ମନେ ପକେଇ ଦେବୁ କହିଲା “ସାର ମୁଁ ଜଙ୍ଗଲରୁ ଗୋଟେ ସବୁଜ ରଙ୍ଗର ସୁନ୍ଦର ସାଉଁଳିଆ ଫଳଟିଏ ଆଣିଥିଲି”! “ଇରେ ସେଇ ଗୋଟିକ ପରା ବାଇଡ଼ଙ୍କ! ସବୁ କୁଣ୍ଡିଆର କାରଣ ସିଏ” ସାରାଂକହିଲେ। ଆମେ ସମସ୍ତେ ହସିଉଠିଲୁ, ଯଦିଓ ଆମ ଭିତରୁ ଅଧିକାଂଶ ପିଲା ବାଇଡ଼ଙ୍କ କଣ ଜାଣିନଥିଲୁ। ନିଜ ଜୀବନକାଳ ମଧ୍ୟରେ ଆମେ କେବେ ବାଇଡ଼ଙ୍କ ଦେଖି ନଥିବା ପିଲାସବୁ ଭକୁଆ ଭଳିଆ ଅନେଇଥିଲୁ ଆଉ ବାଇଡ଼ଙ୍କର ସବୁଜ ସୁନ୍ଦର ରଙ୍ଗରେ ମୋହିତ ହେଇ ତାକୁ ନିଜ ସହ ନେଇ ଆସିଥିବା ଦେବୁ ହୁଏତ ବାଇଡ଼ଙ୍କର ମୂଳରୂପ ସହ ଗତ ଚାରିଦିନର ଉତ୍କଟ ପରିସ୍ଥିତିକୁ ତୁଳନା କରୁଥିଲା!
-ଗୋଟିଏ ସତଘଟଣା

No comments.

Leave a Reply