mini-banner-gif

ଦରିଦ୍ରର ଜାତି

Spread the love

* ଦରିଦ୍ରର ଜାତି *

ରଚନା: ବିନୟ ମହାପାତ୍ର

 

 

 

 

 

 

 

 

 

 

ନିଷ୍ପାପ ପିଲାଟି,
ଆଣ୍ଠୋଉ ଆଣ୍ଠୋଉ ଦିନେ
ଠିଆହେବାକୁ ଚେଷ୍ଟା କରୁଥିଲା ।
ବାପ ଦେଖିଲା, ଡରିଗଲା,
ଭାବିଲା, ଠିଆ ହେଲେ ପୁଣି ଚାଲିବ,
ଚାଲିଲେ ବାହାରକୁ ଯିବ,
ପେଣ୍ଟ ସାର୍ଟ ମାଗିବ, ପାଠ ପଢିବାକୁ କହିବ,
ଅଧିକ ଖାଇବ, ଖର୍ଚ୍ଚ ବଢିଯିବ ।
ଏତିକି ଟଙ୍କାରେ ଏବେ ଘର ତ ଚଳୁନି,
ଆଗକୁ କେମିତି ଚଳିବ?
ବଡ ବିକଳ ଲାଗିଲା, ନିରାଶେ କହିଲା,
ନା’ରେ ପୁଅ, ଠିଆ ହୁଅନା
ଠିଆ ହେବା ଭଲ କଥା ନୁହେଁ,
ଏଇ ସଂସାରଟା ଭଲ ଜାଗା ନୁହଁ,
ଚାଲି ବୁଲି ଦୌଡି ଖେଳିବାକୁ ।
ଯେମିତି ଅଛୁ, ଭଲରେ ଅଛୁ,
ସେମିତି ସବୁଦିନ ଆଣ୍ଠୋଉଥା ।

ବଡଭାଇ ଦେଖିଲା,
ରାଗ ତମ ତମ ହୋଇ ଦଉଡି ଆସିଲା,
ମାରିଲା ଗୋଇଠାଟାଏ, କହିଲା,
ଶଳା ଭାବୁଛି ଠିଆ ହେବ !
ତୁ ଠିଆ ହେଲେ ମୋ ଭେଳା ବୁଡିଯିବ,
ମୋ ଭାଗ କମ୍ ହେବ ।
ସେମିତି ଆଣ୍ଠୋଉ ଥା ସବୁଦିନ,
ଠିଆ ହେବାକୁ ଚେଷ୍ଟା କଲେ,
ଶଳା ତୋର ଗୋଡ ଭାଙ୍ଗିଦେବି ।

ମାଆ ତାର ବାହୁନି କାନ୍ଦିଲା,
ବିଚରା ଛୁଆଟାକୁ କେହି
ଠିଆ ହେବାକୁ ଦେଉ ନାହାନ୍ତି ।
କେମିତି ସେ ବଡ ହେବ?
ନିଜ ଗୋଡେ ଠିଆ ହେବ,
କେମିତି ଆଗକୁ ବଢିବ?
ବିଚରା ସବୁଦିନ କଣ ଏମିତି ଗୁରୁଣ୍ଡୁ ଥିବ ?

 

 

 

 

 

 

 

 

 

 

ଏଇଠି ଦରିଦ୍ରତା ମାପଦଣ୍ଡ ନୁହେଁ,
ଭୋଟ ବ୍ୟାଙ୍କର ଯେ ହିସାବ ଚାଲିଛି,
କିଏ ପଚାରୁଛି ଗରୀବକୁ
ତୁମ ଘରେ ଖାଇବାକୁ ଅଛି କି ନାହିଁ ।
ଜାତିଆଣ ସାର୍ଟିଫିକେଟ ଅଛି ତ
କେହି ପଚାରିବନି,
ତୁମେ ପାଠ ପଢିଚକି ନାହିଁ,
ତୁମ ପାଇଁ ଯୋଗ୍ୟତାର କିଛି ଲୋଡା ନାହିଁ ।
ତୁମେ ଅତ୍ୟନ୍ତ ଯୋଗ୍ୟ ସବୁ କାମ ପାଇଁ,
ତୁମ ପାଇଁ ସବୁ କିଛି ଅଛି ।

ଗରିବର ଖାଲି ଭୋକ ଥାଏ ଜାତି ତ ନଥାଏ
ତାର ନା’ ବାପା ଥାଏ ନା’ ଥାଏ ମାଆ,
ଥାଏ ଖାଲି ବଡଭାଇ, ଲୁଟି ଖାଇବାକୁ ।
ଆଉ କୁମ୍ଭୀରର ଲୁହ ଦେଖାଇ,
ଅନେକ ସ୍ୱପ୍ନ ଦେଇ ସତ୍ତାସୁଖ ଭୋଗିବାକୁ,
ଛୋଟ ଆଉ ବଡ କେତେ ରାଜନେତା ।
ତୋର ତ କେବଳ ସେ ଭଗବାନ ଭରଷା
ତାଙ୍କରି ଆଶ୍ରାରେ ଆକାଶକୁ ଦେଖୁଥା ।

***$***

No comments.

Leave a Reply