mini-banner-gif

ଚନ୍ଦ୍ରମୂଖୀ

Spread the love

ଚନ୍ଦ୍ରମୂଖୀ

 

 

 

 

 

 

 

 

 

 

ବିନୟ ମହାପାତ୍ର

ତୁମେ ମୋତେ ଦୂରରୁ ଦେଖୁଥିଲ,
ସୁନ୍ଦର ଦିଶୁଥିଲି ତୁମ ଆଖିକୁ ।
ସେଥି ପାଇଁ ମନା କରିଦେଲି
ପାଖକୁ ଆସିବାକୁ ।
ହେଲେ ତୁମେ ରାଗିଗଲ
ସମ୍ପର୍କ ତୁଟେଇ ଦେଲ ।

 

 

ସେଥିପାଇଁ ଦୁଃଖ ନାହିଁ,
ତୁମେ ଦୂରେଇ ଗଲ ବୋଲି,
କେବେ ମନ ଦୁଃଖ କରିବିନି ।
ଏମିତି ଦୁଃଖ ତ ଠିକ୍ ଅଛି,
କିନ୍ତୁ ବେଶି ଦୁଃଖ ଲାଗିଥାନ୍ତା,
ଯଦି ତୁମେ ପାଖକୁ ଆସିଥାନ୍ତ,
ଏବଂ ଦେଖିଥାନ୍ତ
ମୋର ଏ ବିଭତ୍ସରୂପ ।
କଣ୍ଡାଝୁଣ୍ଟା ଅରମା ଏ ବଣ
କଙ୍କରିତ ବକ୍ଷ ମୋର
ରକ୍ତାକ୍ତ ମୋ ମୁହଁ ।

ପ୍ରତି ରାତି ଜହ୍ନ ରୋଷଣୀରେ,
ଚକ୍ ମକ୍ କେତେ ରଙ୍ଗବୋଳା
ମୋର ଗୋଲାପି ଅଧର ।
ଜୁଇ ଜାଇ ନାନାଜାତି
ଫୁଲର ବାସ ମହକରେ
ମହକିତ ମୋ ଅଳିନ୍ଦ ।
ତୁଳିତଳ୍ପ ଶେଜ,
ପ୍ରତିରାତି ନୂତନ ଅତିଥି,
ପ୍ରତି ପ୍ରଭାତରେ,
ମୋର ରଙ୍ଗଶାଳାରୁ
ରତିକ୍ଳାନ୍ତ ସୂର୍ଯ୍ୟ ଉଠେ,
ଚୁପ୍ ଚାପ୍ ପାଦଚିପି ଚାଲିଯାଏ
ରକ୍ତମୂଖା ଲାଲ ମୁଁହ ନେଇ ।
ରାତି ବି ବାହୁଡି ଯାଏ,
ଲୁଚାଇ ତା କଳାମୁହଁ
ଚମକି ଯାଉଥିବା ତାର,
ତାରାର ପଣତ ତଳେ ।
ହେଲେ, କିଏ ଦେଖେ
ଆଂଶୁଘାତ ପରେ ମୋର ଏଇ
ଦରଜଳା ରକ୍ତାକ୍ତ ହୃଦୟକୁ ?

ସେଥି ପାଇଁ ମନା କରିଥିଲି,
ପାଖକୁ ଆସିବାର ପାଇଁ ।
ପାହାଡ ତ ଦୂରରୁ ଦିଶେ,
ଅତି ମନୋରମ, ଚିତ୍ରକରର
ସବୁଜ କାନଭାସ ଉପରେ ।
ଦୂରରୁ ଦେଖ ମୋର କାନ୍ତି
ପାଖକୁ ଆସନା ମୋର,
ଜଳିଯିବ ଅଜଣା ନିଆଁରେ ।
ନିଆଁକୁ ଅଣ୍ଟିରେ ରଖିବା
କିଛି ଭଲକଥା ନୁହେଁ ।

*****#*****

No comments.

Leave a Reply