mini-banner-gif

କେବେ ଆମ ଗାଆଁ ଆଡେ ଆସ -ରଚନା : ବିନୟ ମହାପାତ୍ର

Spread the love

କେବେ ଆମ ଗାଆଁ ଆଡେ ଆସ

ରଚନା : ବିନୟ ମହାପାତ୍ର

 

 

 

 

 

ଯଦି କେବେ ଆମ ଆଡେ ଆସିବା ର ହୁଏ,
ତେବେ, ଟିକେ ସମୟ ବାହାର କରିବ,
ଆମ ଘର ଆଡେ ଦି ମିନିଟ ପାଇଁ,
ଆସି ମୁହଁ ମାରି ଯିବ ।
ବହୁତ ଦିନ ପରେ ତୁମର
ଆସିବା ହେବ ତ ସେଥି ପାଇଁ,
ତୁମ କୁ ଦି ପଦ କହି ଦିଏ,
ଯେପରି କିଛି ଅସୁବିଧା ନ ହୁଏ ।
ଆଗୁଆ କହି ଦେବା ଟା
ବୋଧେ ଠିକ୍ ହେବ ।
ସବୁ କିଛି ବଦଳି ଯାଇଛି ଏଠି,
ସବୁ କିଛି ଏହି ଜନପଦେ,
ସମୟ ର ସଙ୍ଗେ ସବୁ କିଛି,
ବଦଳି ଯାଆନ୍ତି ଯେପରି ।
ଆଗ ପରି ରାସ୍ତା ସବୁ
ଆଉ ବର୍ଷା ରେ କାଦୁ ପଚ୍ ପଚ୍ ହୁଏନା,
ଝର ବି ଫିଟେନା,
ଗାଆଁ ମଝି ଦାଣ୍ଡ ରେ ପାଣି ବି ଚାଲେନା ।
ରାସ୍ତା ସବୁ ସିମେଣ୍ଟ କଂକ୍ରିଟ ଏବେ,
ପାଣି ବି ରାସ୍ତା କଡ ଡ୍ରେନ୍ ରେ ବୋହୁଛି ।

ଗାଁ ରେ ଏବେ ଚାଳ ଘର
କଁ ଭାଁ ଗୋଟେ ଅଧେ,
କେଉଁଠି କେଇମିତି ଦିଶି ଯିବ ।
ମୋ ଘର କିନ୍ତୁ ତୁମକୁ,
ଯେଉଁଠି ଥିଲା, ସେଇଠି,
ସେଇମିତି ମିଳି ଯିବ ।
ସେଇ ପୁରୁଣା ଧୁସର ପଡି ଯାଇ ଥିବା,
ନଡା ଛପର ଚାଳ,
ଆଉ ମାଟି ଝାଟି ଘର,
ନାଲି ମାଟି ର ଲିପା ଚିକ୍କଣ କାନ୍ଥ,
କାନ୍ଥ ରେ ଚାଉଳ ପିଠଉ ର ଝୋଟି,
ଶେଷ ମଗୁଶିର ଗୁରୁବାର ପାଇଁ,
ଭାଉଜ ପକେଇ ଥିଲା ।
ଗୋବର ଲିପା କସରା ରଙ୍ଗ,
ସେଇ ଚିକ୍କଣ ଉଚ୍ଚ ପିଣ୍ଡା ର,
ଏବେ ବି ଗୋବର ର ସେ ବାସ୍ନା
ସତେ ଏବା ଆତ୍ମା ରେ ପହଞ୍ଚି ଯିବ ।
ଏବଂ
ହୁଏତ ପିଣ୍ଡା ରେ ମୁଁ ମୋର ସେଇ,
ପୁରୁଣା ଶିଶୁ କାଠ ର ଆରାମ ଚଉକି ରେ,
ଖଣ୍ଡେ ପୁରୁଣା ବହି ଅବା
ବାସି ଖବର କାଗଜ ସହିତ,
ତୁମ ସାଥେ ଦେଖା ହୋଇ ଯିବ ।

 

 

 

 

 

 

 

ଏବେ ଏଠି ତୁମ କୁ ଦେଖି କେହି,
ଚିହ୍ନି ପାରିବେ କି ନା ଜାଣେନା,
କାଲି ଯେଉଁ ଲଙ୍ଗଳା ଛୁଆ ସବୁ,
ଏଇ ଦାଣ୍ଡ ରେ ଗୁଲି ଦଣ୍ଡା ଖେଳୁ ଥିଲେ,
ଆଜି ସେମାନଙ୍କର ପିଲା ମାନେ,
ଫୁଲ୍ ପେଣ୍ଟ ପିନ୍ଧି,
ମୋଟର ସାଇକେଲ ରେ ଚକ୍କର କାଟୁଛନ୍ତି ।

ତୁମର ମନେ ଥିବ ବନ୍ଧୁ,
ଆମ ଘର ସାମ୍ନା ର ଦାଣ୍ଡ ରେ,
ଯେଉଁଠି କାଳିଆ କସରା ଦୁଇଟି,
ବଳଦ ବନ୍ଧା ହେଉ ଥିଲେ,
ତାର ଟିକେ ଆଗକୁ ଶଗଡ ଗାଡିଟା,
ଦି ପହର ସାରା ସେମିତି,
ଠିଆ ହୋଇ ଥାଏ, ଆଉ ଆମେ
ତା ଦଣ୍ଡା ରେ ବସି ବଡ ମସ୍ତି କରୁ ଥିଲେ ।
ସେଠି ଆଉ ସେଇ ମିତି ଆଜି କିଛି ନାହିଁ,
ସେଠି ଏବେ କାହାର ଗୋଟେ,
ମାରୁତି କାର ଠିଆ ହୁଏ ।
ତୁମେ ତ ଜାଣିଛ ଆମ ଗାଁ ଚାରି ପାଖେ
ଚାରୋଟି ପୋଖରୀ,
ଏବେ ବି ସେଥି ରେ ପଞ୍ଚାୟତ ମାଛ ଚାଷ ହୁଏ ।
ଖରା ଦିନେ ଯଦି ଆସିବ ଆମ ଗାଆଁ,
ସୁଆଦିଆ ମାଛ ର ତିଅଁଣ ଖାଇବ,
ଚିନ୍ତା ନାହିଁ, ଅନ୍ୟ ଦିନେ ଯଦି ଆସି ଯିବ,
ଗୁରୁବାର କୁ ଛାଡି ଦେଲେ, ଏବେ
ସବୁ ଦିନ ସବୁ କିଛି ମିଳି ତ ଯାଉଛି,
ସାପ୍ତାହିକ ହାଟ ପାଇଁ ଅପେକ୍ଷା ହୁଏନା ।

ମନେ ଅଛି ପିଲା ଦିନେ,
ମାଆ ବାପାଙ୍କୁ କୁହେ,
ଏତେ ବଡ ପରିବାର ଖାଇବାକୁ,
ହାଟ ପରିବା ପାଇଁ ପାଞ୍ଚ ଟଙ୍କା ଦିଅ,
ହାଟ ରୁ ପରିବା ନ ଆଣିଲେ
ଏ ଗାଆଁ ରେ ତ କିଛି ବି ମିଳିବନି,
ପାଞ୍ଚ ଟଙ୍କା ଦେଇ ମାଆ ମୋତେ,
ହାଟ କୁ ପଠାଇ ଦିଏ, ବଡ ବଡ ଦୁଇଟା
ବ୍ୟାଗ୍ ହାତେ ଦିଏ ।
ହାଟ ସଉଦା ବଡ କଷ୍ଟ କର କାମ,
ଦଶ ଜାଗା ଦାମ ବୁଝ, ଭଲ ପରିବା,
ଶସ୍ତାରେ ବାଛି ବାଛି କିଣ ।
ପାଞ୍ଚ ଟଙ୍କା ପରିବା ରେ ଦୁଇ ବ୍ୟାଗ,
ପୁରା ହୋଇ ଯାଏ, ତଥାପି ଆଠଣି ଚାରଣି
ମୋ ପକେଟ ଖର୍ଚ୍ଚ ବଞ୍ଚି ଯାଏ ।
ହାଟ ରୁ ଯେବେ ମୁଁ ଘର କୁ ଫେରଇ
ଉଠାଇ ପାରେନା ପରିବା ର ବ୍ୟାଗ,
ମନେ ମନେ ରାଗି ଯାଏ,
କେତେ କଥା ବକି ଯାଏ,
ମାଆ ବାପା ଦୁହିଁ ଙ୍କ ଉପରେ,
ତିଳେ ହେଲେ ଦୟା ନାହିଁ ମନେ,
ମୁଁ ପରା ଛୋଟ ପିଲା ଟିଏ,
ଛୋଟ ପିଲା ଙ୍କୁ ପାଞ୍ଚ ଟଙ୍କାର ପରିବା ପାଇଁ
କିଏ କଣ ହାଟ କୁ ପଠାଏ?
ପାଞ୍ଚ ଟଙ୍କା ର ପରିବା ମୋତେ,
ଆଣିବାକୁ ଯାହା ପଠାଇ ଦିଅନ୍ତି ।

 

 

 

 

 

 

 

 

 

 

ହେଲେ ବନ୍ଧୁ,
ଆଜି ଆଉ ସେଇ କଥା ନାହିଁ
ଭାବିଲେ ଗପ ପରି ଲାଗେ ।
ପରିବାର ଛୋଟ ହୋଇ ଗଲା,
ହେଲେ ପରିବା ମହଙ୍ଗା,
ହାଟ ପାଳି ରେ ଘରଣୀ ଦୁଇ ଶହ ଦିଅନ୍ତି,
ଆଉ ବ୍ୟାଗ କେବଳ ଗୋଟିଏ,
କୁହନ୍ତି ବୁଢା ହୋଇ ଗଲଣି,
ବେଶି କିଛି ବୋହି ପାରିବନି,
ଏତିକି ଟଙ୍କାରେ ଅଧା ମୁଣି ଭରି ଯିବ,
ଆଣିବାକୁ କଷ୍ଟ ବି ହେବନି।

ଆମ ଗାଆଁ ଏବେ ଆଉ ଗାଆଁ ପରି ଲାଗେନି,
ଛୋଟ ମୋଟ ସହର ରେ ବଦଳି ଗଲାଣି,
ସହର କୁ ଯିବା ପାଇଁ ବସ୍ ଲାଗି ଏବେ ଆଉ
ନୂଆ ବୋହୁ ପାଞ୍ଚ କୋଶ ଶଗଡ ରେ ଯାଏନି,
କଲେଜ ପଢୁଆ ପୁଅ ଛୁଟି ସାରି,
ସହରର ବସ ପାଇଁ,
ସାଇକେଲ ବି ଲୋଡା ହୁଏନି ।,
ଗାଆଁ ଠାରୁ ଏବେ ତିନି ଟାଇମ,
ଆରାମ ରେ ସହରକୁ ସିଧା ବସ ମିଳି ଯାଏ ।

ତୁମ ସହର ର ସୂର୍ଯ୍ୟ ପରି,
ମୋ ଗାଆଁ ସୁରୁଜ,
ଶୁଏ ନାହିଁ ବେଳ ଉଛୁର ଯାଏ,
ମୋ ଗାଆଁ, ଚଞ୍ଚଳିଆ କାଉ,
ସିନ୍ଦୁରା ଫିଟିବା ଆଗରୁ,
କହି ଯାଏ ସୂରୁଜ ଉଇଁ ଯିବ ବୋଲି,
ନୂଆ ବୋହୁ ଏବେ ବି ତ ଅଗଣା ରେ
ଗୋବର ର ପିଣି ସିଞ୍ଚି ଯାଏ ।
ଏବେ ବି ସେମିତି ସହଳ ସକାଳୁ,
ହଳ ବଳଦ ଙ୍କ ସଙ୍ଗେ କ୍ଷେତ ଯୋଚିବାକୁ
ଚାଷି ଯାଏ ଟାକରା ଫୁଟାଇ ।
ସଂଜ ସକାଳେ ସେଇମିତି ମନ୍ଦିର ରେ
ଘଣ୍ଟ ଘଣ୍ଟା ମୁର୍ଦ୍ଦଳ ବାଜଇ,
ଚଉରା ମୂଳ ରେ ବୃନ୍ଦାବତୀ ପାଶେ
ସଂଜ ସଳିତା ଜଳଇ ।

ବାର ମାସେ ତେର ଜାତ
ଏବେ ବି ହେଉଛି ଗାଆଁ ରେ,
ରଥଯାତ୍ରା, ଦୋଳ ମେଲଣ, ରାସ ନାଚ,
ପଣା ସଂକ୍ରାନ୍ତି ର ଜାତ,
ଆଜି କାଲି ବଡ ଧୂମ ଧାମ ରେ ହେଉଛି ।
ସହର ରୁ ପିଲେ ସବୁ ଛୁଟି ରେ ଆସନ୍ତି
ଗାଆଁ ପୁଣି ଭର ପୁର ଲାଗେ,
କିଛି ଦିନ ପାଇଁ, ଗହଳ ଚହଳ ହୁଏ ।
ଆଜି କାଲି ଗାଆଁ ବଡ ଶୁନ୍ ଶାନ୍
ଖାଲି ଖାଲି ଲାଗେ ।
ଯୁଆନ ଭେଣ୍ଡିଆ ଯେତେ କାମ ପାଇଁ
ଗାଆଁ ଛାଡି ଯେ ସହର କୁ ଗଲେ ।

ଗାଆଁ ଏବେ ଅଛି କେବଳ
ବୁଢା ବାପା, ବୁଢି ମାଆଙ୍କର ଜିମେ,
ଘର ଜଗି ବସି ଅଛୁ ବୁଢା ବୁଢି ଆମେ,
ସଂଜ ହେଲେ ଅତୀତ ର କଥା କହୁ ଶୁଣୁ,
ଏଇ ଅଗଣା ରେ ପିଲାଙ୍କ ର ଖେଳ କୁଦ,
ଗହଳ ଚହଳ କଥା,
ଭାଇ ଭଉଣି ର ଖେଣ୍ଟା ଖେଣ୍ଟି,
ଛୋଟ ଛୋଟ ଲଢେଇ,
ରାଗ ଋଷା, ମାନ ଅଭିମାନ,
ୟାର ତାର ଅଭିଯୋଗ କଥା,
ପିଲାଙ୍କ ର ପିଲା ଦିନ କଥା,
ଗପୁ ଥିଲେ ସରେ ନାହିଁ,
ସିଏ ପରା ଆମ ଅସରନ୍ତି ଖୁସିର ଭଣ୍ଡାର ।

ହଉ, ବହୁତ କଥା କହି ଦେଲି,
ଏବେ ମୁଁ ରହୁଛି,
ଯେବେ ଆସିବ ଦି’ ଦିନ ରହିବ,
ବହୁତ ଗପିବା,
ରିଟାୟଡ ପରେ ଏବେ ଆଉ କିଛି କାମ,
କିଛି ବାକି ନାହିଁ କରିବାକୁ ।
ରେଷେଇ ପାଖରେ ବସିବା,
ବହୁତ ଗପିବା, ଭାଉଜ ବି ଶୁଣିବ,
ଦି’ ପଦ ସିଏ ବି କହିବ,
ବଡ ଆନନ୍ଦ ଆସିବ,
ପୁଣି ଥରେ ଅତୀତ କୁ
ମନ ଭରି ଜିଇଁବାର ବାହାନା ମିଳି ଯିବ ।

 

 

 

 

 

 

 

 

***BBSR***

No comments.

Leave a Reply