mini-banner-gif

ଅମୃତତ୍ୱ by ବିନୟ ମହାପାତ୍ର

Spread the love

ଅମୃତତ୍ୱ

 

 

 

 

 

ରଚନା- ବିନୟ ମହାପାତ୍ର

ମୁଁ ଠିଆ ହୋଇଥିବା ଏଇ ଧରିତ୍ରୀ
ମୋ ମୁଣ୍ଡ ଉପରର ଏ ଆକାଶ,
ମୋ ନିଶ୍ୱାସରେ ଏଇ ପବନ
ଏ ସବୁ ତ ମୋର,
ମୋର ଏକାନ୍ତ ନିଜର ।
ପାରିବ ତ ମୋ ଠାରୁ ଛଡାଇ ନିଅ,
ଚେଷ୍ଟା କର,
ଲଗାଇ ତୁମର ସମସ୍ତ ସାମର୍ଥ୍ୟ ।
ଅମୃତର ସନ୍ତାନ ମୁଁ
ମୃତ୍ୟୁ ମୋର ସଦା ସହଚର ।
ଇଚ୍ଛାମୃତ୍ୟୁ ବରଦାନେ ମିଳିନାହିଁ ସତ୍ୟ,
କିନ୍ତୁ ମୃତ୍ୟୁ ମୋର ଇଚ୍ଛାଧୀନ ସଦା,
ମୃତ୍ୟୁ କେବେ ମାରି ପାରେନାହିଁ ।
ହୋଇପାରେ,
ଅସ୍ଥି, ମେଦ, ମଜ୍ଜାର ଏ ଦେହ
କାଳର କରାଳ ସ୍ରୋତରେ,
ଭାସି ଯିବ ଅବେଳରେ ଦିନେ ।

 

 

 

 

 

 

ହେଲେ, ମୁଁ ତ ଦେହାତୀତ,
ଦେହ ମୋର ଧାରକ କେବଳ ।
ମୁଁ କେବଳ ଏକ ନାମ ମାତ୍ର,
ମୁଁ ଜାଗ୍ରତ, ଚିର ଜୀବିତ ।
କାହାର ବି ଅନ୍ତ ନାହିଁ,
ଏଇ ଅନନ୍ତ ବ୍ରହ୍ମାଣ୍ଡେ,
କେବଳ ସ୍ୱରୂପ ବଦଳି ଯାଏ ।
କାଠ ଜଳିଯାଏ ସିନା,
ହେଲେ କାଠ ସରେନାହିଁ,
କେବଳ ସ୍ୱରୂପ ବଦଳିଯାଏ,
କେଇ ଖଣ୍ଡ ଅଙ୍ଗାରର ରୂପ ନେଇନିଏ ।
ଜଳ ଯଦି ବରଫ କି ବାଷ୍ପ ହୁଏ
ଜଳ ତେବେବି ଥାଏ
ଖାଲି ରୂପ ବଦଳିଯାଏ ।

ରୂପ, ଅରୂପ, ଅପରୂପ
ଆକାର, ସାକାର, ନିରାକାରର
ଗୁଣେ ଗୁଣି ଣୁଣି,
ନିର୍ଗୁଣର ଗୁଣାତୀତ ସତ୍ତାର ସନ୍ଧାନେ,
ଅବଗୁଣ ନେଇ,
ଆକାରେ, ନିରାକାର ଖୋଜେ,
ଭାବେ ମିଳିଗଲା, ପୁଣି
ଭାବଶୂନ୍ୟ ଅଭାବେ ଖୋଜୁଛି !
ଦୁଃଖ ନାହିଁ,
କେହି ମୋତେ ଦେଖେ ଅବା
କେହି ମୋତେ ଅଦୃଶ୍ୟ ମଣଇ ।
ମୁଁ ତ ଏଇଠି ଅଛି, ଏଇଠି ନାହିଁ,
ଦେଖି ପାରିବାର ଦୃଷ୍ଟି ଅଛି ତ’ ଦେଖ,
ଏଇଠି, କିଛି ବି ଅସମ୍ଭବ ନୁହେଁ ।

*****

No comments.

Leave a Reply