#ଓଡିଆଲେଖା – ସଞ୍ଜୟ କୁମାର ବିଶ୍ଵାଳଙ୍କ ଦ୍ଵାରା ଲେଖା ” ଅଭିମାନ ” – ପଢନ୍ତୁ ଓ ପଢାନ୍ତୁ #OdiaStory

Spread the love

#ଓଡିଆଲେଖା – ସଞ୍ଜୟ କୁମାର ବିଶ୍ଵାଳଙ୍କ ଦ୍ଵାରା ଲେଖା ” ଅଭିମାନ ” – ପଢନ୍ତୁ ଓ ପଢନ୍ତୁ #OdiaStory

ରାତ୍ରି ପ୍ରାୟ ୨-୩ ଟା ହେବ , ଖଟ ଉପରେ ଆଖି ବୁଜି ପଡିଥାଏ ସିନା ହେଲେ ମନ ବିଚଳିତ ଥାଏ | ଲାଗୁଥିଲା ସାରା ଶରୀର ସତେଯେପରି ବରଫ ପରି ଜମି ଯାଇଛି ଆଉ କେହି ଜଣେ ମତେ ଆଖି ବଡ ବଡ କରିକି ଅନେଇକି ବସିଛି | ଯେତେ ଚେଷ୍ଟା କଲେ ବି ସାହସ ହେଉ ନଥିଲା ଆଖି ଖୋଲିବାକୁ | ହୃଦୟ ର ଦୁଆର ମୁହଁ ରେ ଯେମିତିକେହି ଜଣେ ଠକଠକ କରୁ ଥାଏ | ହଠାତ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା , ଦେଖିଲି ବାପା ଠିଆ ହେଇଛନ୍ତି ଏବଂ ତାଙ୍କ ମୁହଁ ରେ ଥାଏ ବିଷାଦର କାଳିମା, କିଛି ସ୍ୱର ଆସିକି ବାଜୁଥାଏ ମୋ କାନ ରେ “କଣ ପାଇଁ ଏତେ ଅଭିମାନ କରୁଛୁ ?” …

ମୁ ଅଣନିଶ୍ୱାସୀ ହେଇ ଉଠିପଡିଲି | ପାଖ ରେ ସୋଇଥିବା ମୋ ସ୍ତ୍ରୀ ମଧ୍ୟ ଉଠିପଡ଼ିଲା ଆଉ ପଚାରିଲା କଣ ହେଲା? ଅକୁହା ଯନ୍ତ୍ରଣାରେ ଶୀହରିଉଠୁଥିଲା ମୋ ଦେହ, ଆଖି ରେ ଥାଏ ଲୁହ ଆଉ ଲାଗୁଥାଏ ଯେମିତି ବଡ ଭୁଲ ଟିଏ କରି ଦେଇଛି | ବୋଝ କୁ ହାଲୁକା କରିବା ପାଇଁ କହିବାକୁ ଚାହୁଁ ନଥିବା ସତ୍ତ୍ୱେ , ସବୁ କହିବାକୁ ସ୍ଥିର କଲି |
ଛୋଟ ବେଳେ ଆଲୋକ ବୋଲି ଜଣେ ବହୁତ ନିବିଡ ବନ୍ଧୁ ଥିଲା | ଆମ ଦୁଇ ଜଣ ଙ୍କ ଘର ପାଖ ପାଖି ଥିବା ହେତୁ, ସେ ଆମ ଘର ର ଆଉ ଗୋଟେ ସଦସ୍ୟ ପରି ଥିଲା | ଏକା ସହ ପାଠ ପଢିବା , ସ୍କୁଲ ଯିବା , ଖେଳିବା ରେ ହିଁ ଦିନ ଗଡି ଚାଲି ଥାଏ | ଆଜି ବି ମନେ ଅଛି ଯେବେ ମୁ ଇଞ୍ଜିନିଅରିଂ କରିବା ପାଇଁ ବାହାରକୁ ଯିବା କୁ ନିଷ୍ପତି ନେଲି , ସେ ମୋ ସହ ୧୫ ଦିନ କଥା ହେଲାନି | ହେଲେ କ୍ୟାରିଅର କୁ ଆଗରେ ରଖି ମୁ ବାହାରକୁ ଆସି ଗଲି ଏବଂ ସେ ଘରେ ରହି +୩ ପଢିଲା | ସେତେବେଳେ ମୋବାଇଲ ବି ନଥିଲା, କଥାବାର୍ତ୍ତା ବି ହେଇ ପାରୁନଥିଲୁ | ଯେବେ ଛୁଟି ରେ ଘର କୁ ଯାଏ ତା ସହ କେତେ ବେଳେ ସମୟ ପଳାଏ ଜଣା ପଡ଼େନି | ପଢା ସରିଲା , ମୁ ଓଡିଶା ବାହାରକୁ ଗଲି ଚାକିରୀ ଖୋଜିବା ପାଇଁ | ବାପାଙ୍କ ପାଖ ରୁ ଦିନେ ଜାଣିବାକୁ ପାଇଲି ତାର ସରକାରୀ ଚାକିରୀ ହେଇ ଯିବା କଥା | ଏତେ ଭଲ ସାଙ୍ଗ ହେବ ସତ୍ତ୍ୱେ ବି ମୋତେ କାହିଁ କେଜାଣି ଟିକେ ଖରାପ ଲାଗିଲା | ଆଜି ଲାଗୁଚି ଯେମିତି ସେ ବି ଜାଣିଥିଲା ଯେ ତା ଚାକିରୀ କଥା ଶୁଣିକି ମୋତେ ଖରାପ ଲାଗିବ , ସେଇଥିପାଇଁ ବୋଧେ କହି ନଥିଲା ତା ଚାକିରୀ କଥା | କିଛି ଦିନ ପରେ ସେ ମୋତେ ଫୋନ କଲା | ମୋ ପରିସ୍ଥିତି ସେତେ ଭଲ ନଥାଏ ସେବେ | ସେ ତାର ଚାକିରୀ, ରୋଜଗାର ବିଷୟ ରେ କହୁ ଥାଏ; ବହୁତ ଖୁସି ଥାଏ ସେ , ମୋତେ ବି ଧର୍ଯ୍ୟ ରଖିବାକୁ କହୁ ଥାଏ | ତା ଖୁସି ରେ କିନ୍ତୁ ମୁଁ ଖୁସି ହେଇ ପାରୁ ନଥାଏ, ଖାଲି ଭାବୁଥାଏ କେତେବେଳେ ଫୋନ ଟି କୁ ରଖିବି | ମା ବି ମଝି ମଝି ରେ ଫୋନ କରିକି ତା ପ୍ରଶଂସା କରେ ଆଉ ମତେ ନିନ୍ଦେ | ସେ ସବୁ ଶୁଣି ଆଶଙ୍କାର କଳାବାଦଲ ଉଙ୍କିଆସେ ମୋ ମନତଳେ | ଧୀରେ ଧୀରେ ମୁ କଥା ହେବ ବନ୍ଦ କରି ଦେଲି ତା ସହ |

୨ ବର୍ଷ ବିତିଗଲା ଏମିତି , ମୋର ଭି ଭଲ ଜାଗାରେ ଚାକିରୀ ହେଇ ଗଲା , ସେତେବେଳ କୁ ତା ବାହାଘର ବି ହେଇ ଯାଇ ଥାଏ | ଧୀରେ ଧୀରେ ସମୟ ଗଡିବାକୁ ଚାଲିଲା , ମୋ ବାହାଘର ପରେ ମୁ ବି ଚାକିରୀ , ବ୍ୟକ୍ତିଗତ ଜୀବନ ଆଉ ସୋସିଆଲ ଜୀବନ ରେ ବ୍ୟସ୍ତ ହେଇ ଗଲି | କିଛି ଦିନ ପୂର୍ବ ରୁ ବାପା ଙ୍କ ସହ କଥା ହେଉ ଥିଲି | ସେ ମୋତେ ତା ଦେହ ଖରାପ ଥିବା କଥା ଓ ତାକୁ ଥରେ ଦେଖା କରିବା କଥା କହିଲେ, ମୁ ମନା କରି ଦେବାରୁ ମତେ କହି ଥିଲେ ..କଣ ପାଇଁ ଏତେ ଅଭିମାନ କରୁଛୁ ??

ଆଜି ଜାଣିବାକୁ ପାଇଲି ଆଉ ତା ପୃଥିବୀରେ କେବେ ଦିନେ ସୂର୍ଯ୍ୟ ଉଇଁବେନି କିମ୍ବା ସକାଳ ହେବନି | ଅନ୍ଧକାର ଭିତରେ ଗୁମୁରି ଗୁମୁରି ସେ ଚାଲି ଯାଇଛି ଏ ସଂସାରରୁ | ଶେଷ ଥର ପାଇଁ ତାକୁ ଟିକେ ଦେଖି ବି ପାରିଲିନି | ନିଜ ପ୍ରତି କାହିଁ ଆଜି ବୈରାଗ୍ୟ ଜାତ ହେବାରେ ଲାଗିଛି | ମୋତେ ସବୁ ଆଡେ ଅନ୍ଧକାର ହିଁ ଅନ୍ଧକାର ଦିଶୁଚି | ମୁଁ ତ ମୋ ନିଜକୁ ସବୁ ବେଳେ ସ୍ୱାଭିମାନୀ ଭାବୁ ଥିଲି , ହେଲେ ଏ ଅଭିମାନ ଆସିଲା କୁଆଡୁ? ଏ ପ୍ରଶ୍ନ ଟି ମୋ ନିଦ ହଜେଇ ଦେଇଛି | ଚାକିରୀ କରିକି ଦୁଇ ପଇସା ରୋଜଗାର କଲି ବୋଲି ନ କଣ ?

ନିଜ ଦୁଃସ୍ଥିତିର ମୁକାବିଲା କରିବାର କ୍ଷମତା ନଥିଲା ବୋଲି ଦିନେ ମୁଁ ତା ସହ କଥା ହେବ ବନ୍ଦ କରି ଦେଇ ଥିଲି | ଯେଉଁ ଅଭିମାନ ମୋ ବାପା ଙ୍କୁ ଦିଶିଲା ମୋତେ କଣ ପାଇଁ ଦିଶିଲାନି ? ଆଜି କାହିଁ ଇଚ୍ଛା ହଉଚି ତା ସହିତ ଢେର୍ ଗପିବାକୁ..ନିଜ ବିଷୟରେ, ଅନ୍ୟସବୁ ବିଷୟରେ | ହେଲେ ଗୋଟେ ତୀବ୍ରନିରବତା, ତାର ସର୍ବାଙ୍ଗକୁ ଗ୍ରାସ କରି ସାରିଛି | ସେଦିନ ଯଦି ଏତେ ଅଭିମାନ କରି ନଥାନ୍ତି , ବୋଧ ହୁଏ ଆଜି ଏମିତି ଅଶାନ୍ତ ନଥାନ୍ତି |

Note :Mail Us your article at ” admin@eodisha.org / eodisha.org@gmail.com ” , we will Publish the same as well as we will mention as article written by YOUR NAME.

Comments are closed.