#ଓଡିଆଲେଖା – କବି ଜ୍ଞାନୀ ଦେବାଶିଷ ମିଶ୍ର ଦ୍ଵାରା ଲେଖା ଆଖିପତା #ଓଡିଆଲେଖ #ଓଡିଆପଢ

Spread the love

#ଓଡିଆଲେଖା – କବି ଜ୍ଞାନୀ ଦେବାଶିଷ ମିଶ୍ର ଦ୍ଵାରା ଲେଖା ଆଖିପତା #ଓଡିଆଲେଖ #ଓଡିଆପଢ 

ଜ୍ଞାନୀ ଦେବାଶିଷ ମିଶ୍ର, ଜଣେ ଓଡ଼ିଆ କବି ଓ ସାହିତ୍ୟ ସମାଲୋଚକ । ସେ ୨୦୧୬ମସିହାରେ “କେନ୍ଦ୍ର ସାହିତ୍ୟ ଏକାଡେମୀ” ଯୁବ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଜ୍ଞାନୀ ଦେବାଶିଷ ୧୯୮୫ମସିହାରେ ନୟାଗଡ଼ ଜିଲ୍ଲାର ଚାହାଳିଠାରେ ଜନ୍ମଗ୍ରହଣ କରିଥିଲେ । ସ୍କୁଲ ଜୀବନରୁ କବିତା ଲେଖିବା ଆରମ୍ଭ କରିଥିବା ଜ୍ଞାନୀ, କଲେଜ ବେଳକୁ କବିତା ପ୍ରତି ବେଶି ଗୁରୁତ୍ଵ ଦେବା ଆରମ୍ଭ କରିଥିଲେ । ସେ ବର୍ତ୍ତମାନ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । କବିତା ବ୍ୟତିତ, ଜ୍ଞାନୀ ନାଟ୍ୟ ସମାଲୋଚନା କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି ।


ଶବ୍ଦଠାରୁ ବି ଗଭୀରତର ତ ନୀରବତା,
ଆଖିଠାରୁ କିଆଁ ବେଶୀ କଥା କହେ ଆଖିପତା !
ସବୁ କଥା ସିନା କହିହୁଏ ନାହିଁ ଓଠ ଥରେ
ଥରିଲା ଓଠେ ବି ଚଳଚଂଚଳ ଆଖିପତା ।
ଯେତେ ବୋହିଲେ ବି ଶୁଖେନାହିଁ ଲୁହ ଛାତିତଳୁ
ଏ କଥାର ସାକ୍ଷୀ ଦେଇପାରେ ଏକା ଆଖିପତା ।
ଦହନ ଦରଜ ଡେଣାରେ ଥିଲେ ବି ଆଜିଯାଏଁ
କାହିଁକି କେଜାଣି ସପନପିଆସୀ ଆଖିପତା !
ତମେ ଭାବୁଥିବ ପଲକ ପଡ଼ୁଚି ବାରବାର
ଖୋଲିହେବା ପାଇଁ ବନ୍ଦ ହେଉଥାଏ ଆଖିପତା ।
ଟୋପାଏ ଦୁଃଖରେ ନିଥର ଦିଶେ ମୋ ଓଠ ସିନା
ଅବୁଝା ଭାଷାରେ କଥା କହୁଥାଏ ଆଖିପତା ।
ଆଖି ମାତିଥାଏ ଭୋକ ମୈଥୁନରେ ନିରନ୍ତର
ତାତିଲା ପାପକୁ ଢାଙ୍କି ଦଉଥାଏ ଆଖିପତା ।
ବନ୍ଧୁ ହେ ତମେ ଚାହିଁନାହଁ ପାଶୁ ଗଲାବେଳେ
ବିଦାୟ ବେଳେ କି ନିଷିଦ୍ଧ ଅଂଚଳ ଆଖିପତା !

Comments are closed.