Meera (ମିରା) – A Excellent Odia Short Story by Prabir Kumar Sahoo #OdiaPost

Spread the love

Meera (ମିରା) – A Excellent Odia Short Story by Prabir Kumar Sahoo #OdiaPost

           ମିରା! ମୋ ଜୀବନ ଇତିହାସର ଗୋଟିଏ ସ୍ୱପ୍ନିଳ ଅଧ୍ୟାୟ, ଅଲିଭା ଅତୀତ ଆଉ ଅପାଶୋରା ଚଇତାଳୀ। ଏବେ ବି ଅବଶ୍ୟ ମିରାର ଫୋନ ଆସିଲେ ସେମିତି ଖୁସି ଲାଗେ ଯେମିତି ଆଗେ ତାକୁ ପାଖରେ ପାଇଲେ ଲାଗୁଥିଲା। ନିୟମିତ ଅନ୍ତରାଳରେ ସିଏ କେମିତି ମନେ ପକାଏ କେଜାଣି? ତା ପରେ ଅଧଘଣ୍ଟା ଯାଏ ଗପର ପସରା ଖୋଲିଯାଏ। ମୋ ବିଷୟରେ ମିରା ପଚାରିବସେ। ମୁଁ ଯାହା କହିଲେ ସେ ଶୁଣେ କି ନାହିଁ କେଜାଣି, ଥରଟିଏ ତା ଘରସଂସାର ବିଷୟରେ ପଚାରିଦେଲେ ସିଏ ସବୁ ସୁଖଦୁଃଖ ଗାଇ ପକାଏ। ସିଏ କଲେଜ ବେଳୁ ହିଁ ସେମିତି, ଶୁଣେ କମ ଆଉ କହେ ବେଶି। ଆମ ସାଙ୍ଗ ମାନଙ୍କ ମଧ୍ୟରେ ମୋ ଠାରୁ ବେଶି ତାକୁ କିଏ ଜାଣିଛି ବୋଲି ମୋର ବିଶ୍ୱାସ ନାହିଁ। ମୋରି ବିଭାଗରେ ପଢୁଥିଲା ମିରା। ପ୍ରଥମ ବର୍ଷରେ ଏତେ ପରିଚୟ ନଥିଲା, ପରେ କିନ୍ତୁ ମିରାସହ ମୋର ସମ୍ପର୍କ ବହୁତ ଘନିଷ୍ଠ ହେଇ ଯାଇଥିଲା। ମୁଁ ମେସରେ ରହୁଥିଲି ଆଉ ସେ ରହୁଥିଲା ତାର ଜଣେ ସମ୍ପର୍କୀୟଙ୍କ ଘରେ। ପ୍ରଥମବର୍ଷର ପରୀକ୍ଷା ପରେ ଗୋଟିଏ ବିଷୟରେ ଫେଲ ହେଇଥିବା ମିରା ଦୁଃଖରେ ଭାଙ୍ଗି ପଡିଥିଲା।

ମୁଁ ସାହସ ଦେଲି “ଚିନ୍ତା କରନି, ସବୁ ଠିକ ହେଇଯିବ”। “ତମେ ସାହାଯ୍ୟ କର ରାକେଶ, ନହେଲେ ମୁଁ ଆଉଥରେ ଫେଲ ହେଇଯିବି। ମୋର ସବୁ ଆଶା, ଆଶାରେ ରହିଯିବ”! ସେଇ ନିର୍ଦ୍ଦିଷ୍ଟ ବିଷୟରେ ଯଦିଓ ମୁଁ ଆଭରେଜ ନମ୍ବର ରଖି ପାସ ହେଇଥିଲି ତଥାପି ମୁଁ କଥା ଦେଲି ତାକୁ ସାହାଯ୍ୟ କରିବି ବୋଲି। ବେଳେବେଳେ ମିରା ମୋ ମେସକୁ ଆସେ ତା ସନ୍ଦେହ ମୋଚନ ପାଇଁ ଆଉ ଆମ ମେସର ପ୍ରାୟ ସମସ୍ତେ ମିରାକୁ ମୋ ପ୍ରେମିକା ଭାବୁଥିଲେ। ମୋତେ ଏସବୁ ଭଲ ଲାଗିଲାନି। ମିରାକୁ ଏ ବିଷୟରେ ଜଣେଇଲି, ସିଏ କିନ୍ତୁ ନଛୋଡବନ୍ଧା। “ରାକେଶ ତମେ ଯଦି ଖରାପ ନ ଭାବିବ ତେବେ ଟିକେ ସମୟ ବାହାର କରି ମୋ ଘରକୁ ଆସନ୍ତନି”? ମୁଁ ତାକୁ ସାହାଯ୍ୟ ପାଇଁ କଥା ଦେଇଥିଲି, ତେଣୁ ସପ୍ତାହରେ ଦୁଇଦିନ ତା ଘରକୁ ଯିବି ବୋଲି ସ୍ଥିର କଲି। ମୋର ଦୁଇଟି ସର୍ତ୍ତ ଥିଲା, ପ୍ରଥମ ସିଏ ମୋର ବେଶି ସମୟ ନ ନେଇ କେବଳ ତାର ପଢାରେ ଯେତିକି ସନ୍ଦେହ ଦୂର କରିବ। ଦ୍ବିତୀୟ ସର୍ତ୍ତ ଥିଲା ମୁଁ ମାଗଣାରେ ଏସବୁ କରିବିନି, ମୁଁ ତା ଘରକୁ ଗଲେ ସିଏ ମୋତେ କିଛି ଖାଇବାକୁ ଦେବ। ପରୀକ୍ଷାରେ ମିରା ସେଇ ବିଷୟରେ ବହୁତ ଭଲ ନମ୍ବର ସହ ପାସ କଲା। ମୁଁ ଆଶ୍ଚର୍ଯ୍ୟ ହେଲି ଆଉ ସେ କହିଲା “ମୋର ତୁମ ଉପରେ ପ୍ରଗାଢ ବିଶ୍ୱାସ ଥିଲା”।

କୁହନ୍ତି ଅନ୍ଧ ସହ ବନ୍ଧୁତା କଲେ ତାକୁ ତା ଘର ପର୍ଯ୍ୟନ୍ତ ଛାଡିବାକୁ ପଡେ! ମିରା ସହ ମୋ ବନ୍ଧୁତ୍ୱ ବି କିଛି ସେମିତି ଥିଲା। ଇଞ୍ଜିନିୟରିଂ ର ବାକି ବର୍ଷତକ ତାର ଡ୍ରଇଂ ସବୁ ମୋତେ ହିଁ କରିବାକୁ ପଡିଥିଲା। ମୋ ନୋଟ ନେଇ ସେ ସୁନ୍ଦରକରି ଉନ୍ନତ ନୋଟସବୁ ଲେଖୁଥିଲା। ମିରା ଭଲ ନମ୍ବର ରଖି ପାସ କଲା। ଏମିତି କଲେଜ ସମୟସବୁ ସରି ଆସିଲା। ପରସ୍ପର ଠାରୁ ଦୂରେଇଯିବାର ଦୁଃଖ ମନରେ ଥାଏ। ମେସ ଛାଡିବାର କିଛିଦିନ ପୂର୍ବରୁ ମିରା ମୋ ପୁରୁଣା ନୋଟ ଖାତାଟିଏ ଫେରେଇବାକୁ ଆସିଥାଏ। ମୋ ହାତକୁ ବଢ଼େଇ ଦେଇ କହିଲା “ତୁମ ପାଇଁ କିଛି ଲେଖିଥିଲି। ଏଇ ଖାତା ଭିତରେ ଅଛି ପଢିବ। ଭଲ ଲାଗିଲେ ଉତ୍ତର ଦେବ”। ମିରା ଗଲାପରେ ଖାତା ଖୋଲି ଦେଖେ ତ ଗୋଟେ କାଗଜରେ ସୁନ୍ଦର ଅକ୍ଷରରେ ଲେଖା ପ୍ରେମ ପତ୍ରଟିଏ ଥିଲା। ଥରେ ନୁହେଁ ଦଶଥର ତାକୁ ପଢ଼ିଲି। ମୋ ଘରର ଅବସ୍ଥା ଆଉ ମୋ ଭବିଷ୍ୟତ କୁ ନେଇ ମୁଁ ଦେଖୁଥିବା ସ୍ୱପ୍ନରେ ଯେମିତି ଗୋଟେ ପୂର୍ଣ୍ଣଛେଦ ଥିଲା ଏଇ ପ୍ରେମପତ୍ର। ରାତିସାରା ଭାବିଲା ପରେ ନିର୍ଣ୍ଣୟ ନେଲି ଯେ ପ୍ରେମ ପାଇଁ ମୋ ଜୀବନରେ ସ୍ଥାନ ନାହିଁ। ମୋ ଜୀବନ ଓ ଘର ପରିସ୍ଥିତି ସଜାଡ଼ିବାକୁ ହେଲେ ମୋତେ ବହୁତ କିଛି ତ୍ୟାଗ କରିବାକୁ ପଡିବ ବୋଲି ନିଶ୍ଚୟ କଲି। ମୁଁ ମିରାକୁ ତା ପରଦିନ ହିଁ ମୋ ମନକଥା ଜଣେଇ ଦେଇଥିଲି। ସବୁ ଶୁଣିଲା ପରେ ସେ କହଲା, “ଆଜି ମୋ ମନରେ ତୁମପାଇଁ ଅନେକ ଶ୍ରଦ୍ଧା। ତୁମେ ଉତ୍ତର କଣ ଦେବ ସେକଥା ନଭାବି ମୁଁ ତୁମକୁ ଭଲ ପାଇଛି। ତେଣୁ ମୋର ଦୁଃଖ ନାହିଁ। ଭବିଷ୍ୟତରେ ଯଦି କେବେ ମୋ କଥା ମନେପଡେ ତେବେ ନିଶ୍ଚୟ ଜଣେଇବ। ଯେତେଦିନ ସମ୍ଭବ ମୁଁ ତୁମ ଉତ୍ତରକୁ ଅପେକ୍ଷା କରିବି”। ମିରା କଥା ଶୁଣି ମୋ ଆଖିରେ ଦି ଟୋପା ଲୁହ ଆସି ଯାଇଥିଲା। ଅବଶ୍ୟ ସେ ଲୁହ ଦେଖିବା ପୂର୍ବରୁ ସେ ମୋତେ ଏକା ଛାଡି ଚାଲି ଯାଇଥିଲା।

ଗତକାଲି ସନ୍ଧ୍ୟାରେ ମୁମ୍ବାଇରୁ ଦେବ ଫୋନ କଲା। ଆମେ ଦୁହେଁ ଥିଲୁ କଲେଜ ବନ୍ଧୁ, ଅବଶ୍ୟ ଅଲଗା ବିଭାଗରୁ। ଗପସପ କରିବାକୁ ଇଚ୍ଛା ହେଲେ ସିଏ ମୋତେ ଫୋନ କରେ। “ଆରେ ରାକେଶ ଆଜି ମିରା ଘରକୁ ଯାଇଥିଲି। ଛୁଟିଦିନ ବୋଲି ସମର ବି ଘରେ ଥିଲା। ତୋ କଥା ବି ପଡିଲା। ସମର କହିଲା ତୁ କୁଆଡେ ହାତ ଧୋଇକି ମିରା ପଛରେ ପଡିଥିଲୁ ଆଉ ମିରା ତୋତେ ଧରା ଦେଲାନି। ଶେଷରେ ସମରକୁ ଭଲପାଇ ସିଏ ବାହା ହେଲା”। ମୁଁ ହସିଲି ଆଉ କହିଲି “ଛାଡ଼ ସେ କଥା ପୁରୁଣା ହେଲାଣି। ଆଉ କାହିଁକି ମାଜୁଛୁ କହିଲୁ। ସେ ଦିଜଣଙ୍କ ସହ ମୋର ବହୁତ ଭଲ ସମ୍ପର୍କ। ସମୟେ ସମୟେ ସେ ଦୁହେଁ ଫୋନ କରି କଥା ହୁଅନ୍ତି ମୋ ସହ। ସମର ଯଦି ଏମିତି କହିଲା କହୁ, ଆଉ କଣ କରିବା”? ଦେବ କହିଲା “ସତକଥା କଣ କହ, ଆଜି ମୋତେ ସବୁ ଜାଣିବାକୁ ଇଚ୍ଛା ହଉଛି”। ମୁଁ ଯେତେ ମନା କଲେ ବି ଦେବ ମାନିଲାନି…

ଆମରି ବିଭାଗରେ ପଢୁଥିବା ସମର କଲେଜର ପ୍ରଥମ ଦିନରୁ ହିଁ ମିରାକୁ ଭଲ ପାଉଥିଲା। ମିରା କିନ୍ତୁ ସମରକୁ ଆଡ ଆଖିରେ ବି ଚାହେଁନି। ଆରମ୍ଭରୁ ହିଁ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସହିତ ଖୁବ ଶୀଘ୍ର ଅଭ୍ୟସ୍ତ ହେଇ ଯାଇଥିଲା ସମର। ମିରା ଥିବା ଯାଏ ସେ କ୍ଲାସରେ ରହେ ଆଉ ମିରା କ୍ଲାସ ନ ଆସିଲେ ତାର ବି ଛୁଟି। ଆମର କଲେଜ ରେ ଶେଷବର୍ଷ ଚାଲିଥାଏ। ଦିନେ ସନ୍ଧ୍ୟାରେ ସମର ଆସି ମୋ ପାଖରେ ପହଞ୍ଚିଲା। ମୁଁ ସବୁ ହାଲଚାଲ ପଚାରି ବୁଝିଲା ବେଳକୁ ସମର ହଠାତ ପଚାରି ବସିଲା, “ତୋର ମିରା ସହ ସମ୍ପର୍କ କଣ”? ମୁଁ କ୍ଷଣେ ସ୍ତବ୍ଧ ହେଇଗଲି, କହିଲି “ତୋ ସହ ଯେମିତି ସମ୍ପର୍କ ଠିକ ସେମିତି”। ସମର ଟିକେ ଥଙ୍ଗେଇ କହିଲା “ନା ମାନେ ମୋ କହିବା କଥା ହେଲା, ତୁ ତାକୁ ଭଲ ପାଉ”? ମୁଁ ଟିକେ ଚିଡେଇବା ପାଇଁ କହିଲି “ହଁ ଭଲପାଏ, ମୁଁ କଣ ତୋତେ ଭଲ ପାଏନି କି”? ସମରର ଚେହେରା ଦେଖିଲା ଭଳିଆ ଥିଲା। “ମାନେ ମୁଁ ତୁମ ଦୁଇଜଣଙ୍କ ପ୍ରେମସମ୍ପର୍କ ବିଷୟରେ ପଚାରୁଥିଲି”।

ମୁଁ ହୋ ହୋ ହେଇ ହସି ଉଠିଲି। କହିଲି “ନାଇଁରେ ସେମିତି କିଛି ବି ନାହିଁ ଆମ ଭିତରେ। ଆମ ଦୁହିଁଙ୍କ ମନରେ ପରସ୍ପର ପ୍ରତି ବହୁତ ସମ୍ମାନ ଅଛି। ତେଣୁ ମୋ ତରଫରୁ ପ୍ରେମ ସମ୍ଭବ ନୁହଁ”। ସମର ଆଖିରେ ଯେମିତି ଗୋଟେ ଚମକ ଆସିଗଲା। ସିଏ ଟିକେ ଖୁସି ହେଲା ଭଳିଆ ଲାଗିଲା। ମୁଁ ପଚାରିଲି “ମୋତେ ଏସବୁ କାହିଁକି ପଚାରୁଛୁ କିରେ, କହୁନୁ ତୋ ମନରେ କଣ ଚାଲିଛି”? ସମର ମୋ ହାତ ଧରି କହିଲା “ଭାଇ ଆଜି ମୋ ମନରୁ ଗୋଟେ ବଡ ବୋଝ ଓହ୍ଲେଇଗଲା ଭଳିଆ ଲାଗୁଛି। ମୂଳରୁ ହିଁ ମୁଁ ଭାବୁଥିଲି ଯେ ତୁ ମିରାକୁ ପ୍ରେମକରୁ ବୋଲି। ହଉ ଏଥର ଟିକେ ବାହାରି ପଡେ, ମିରା ଘରକୁ ଯିବା”। ମୁଁ ଆଗରୁ ଜାଣେ ମିରା ସମରକୁ ବିଲକୁଲ ପସନ୍ଦ କରେନି ଆଉ ମୁଁ ଯଦି ତାକୁ ନେଇ ମିରା ଘରକୁ ଗଲି ମୋ ସହ ମିରାର ତୃତୀୟ ବିଶ୍ଵଯୁଦ୍ଧ ସୁନିଶ୍ଚିତ। ମୁଁ ଇତସ୍ତତଃ ହେବା ଦେଖି ସମର ବୁଝିଗଲା ପରି କହିଲା “ଭାଇ ତୁ ବିଲକୁଲ ବ୍ୟସ୍ତ ହୁଅନା, ମୁଁ କେବଳ ଏଇ ସ୍ଲାମବୁକ ଲେଖେଇବାକୁ ଯିବି ଆଉ ତୁ ମୋ ସହ ଏଇଥି ପାଇଁ ଯିବୁ ଯେହେତୁ ମୁଁ ତା ଘର ଦେଖିନି”। ଏଥର ସମର କଥା ଟିକେ ତର୍କସଙ୍ଗତ ଲାଗିଲା। ଦୁହେଁ ମିଶି ମିରା ଘରକୁ ଗଲୁ। ମିରା ଆମକୁ ସ୍ୱାଗତ କଲା ଆଉ କିଛି ସମୟ ଆମର ଗପସପ ଭିତରେ କଟିଗଲା। ମିରା ୟା ଭିତରେ ସମର ର ସ୍ଲାମବୁକ ବି ଲେଖି ଦେଇଥିଲା।

ଦୁଇଦିନ ଛୁଟି ପରେ କଲେଜରେ ମିରା ସହ ଦେଖା ହେଲା। ଏଇ ଯେମିତି ବାଦଲ ଫାଟି ଅସରା ବରଷା ହେଇଯିବ, ସେଇ ଭଳିଆ ମୁହଁ କରିଥାଏ ମିରା। ମୁଁ ଚିହ୍ନିପାରୁଥାଏ ତା ଚେହେରାର ଭାବଭଙ୍ଗୀକୁ, ଜାଣିପାରୁଥାଏ ତା ରାଗକୁ। ପଚାରିଲି, କିଛି କହିଲାନି। ଆଉଥରେ ପଚାରିଲି, ଏଥର ମୋ ଉପରେ ବର୍ଷିଗଲା ମିରା। ମୁଁ ଚୁପଚାପ ଶୁଣୁଥାଏ। ଅସଲକଥା ହେଲା ମୋତେ ସିଏ ବହୁତ ଆପଣାର ଲାଗେ ବୋଲି ମୁଁ ତାର କିଛି କଥା ଧରେନି। “ତମେ ନେଇକି ଆସିଥିଲ ନା ସେ ବାତେରା ସମର କୁ? ଜାଣିଛ ସିଏ କଣ କଲା? ସେଦିନ ତୁମ ସହ ଆସି ଫେରିଗଲା ପରେ ସିଏ କାଲି ଆସିଥିଲା ମୋ ଘରକୁ। କହିଲା ସିଏ କାଳେ ମୋତେ ଭଲ ପାଉଛି! ମୋତେ ବାହାହେବ, ମୋ ସହ ଘରସଂସାର କରିବ! ଏଡ଼େ ନିର୍ଲ୍ଲଜ ତମ ସାଙ୍ଗ”? ମୋତେ ତା କଥା ଶୁଣି ଯେତିକି ରାଗ ଲାଗୁ ନଥାଏ ତାଠାରୁ ବେଶି ହସ ଲାଗୁଥାଏ। କହିଲି “ଭଲକଥା, ଏବେଠୁ ବର ଠିକ ହେଇଗଲା। ତୁମ ବାପାଙ୍କର ଚିନ୍ତା ଗଲା, ଖାଲି ତୁମ ପାଠ ସରିବା ବାକି ରହିଲା”! ଏବେ ସେ ଆହୁରି ବେଶି ଚିଡିଗଲା। ମୁଁ ମିରାକୁ ଶାନ୍ତ କରିବାକୁ ଯାଇ କହିଲି “ହଉ ଛାଡ଼, ତମେ କଣ ଉତ୍ତର ଦେଲ କୁହ”? ମିରା କହିଲା “ତାକୁ ଦେଇଛି ପାନେ, ଆଉ ସେ କେବେ ମୋ ପାଖ ମାଡିବନି”। ପରେ ସମର ବୋଧେ ମିରାକୁ ଭୁଲିଯାଇଥିଲା କିମ୍ବା ଭୁଲିବାର ଅଭିନୟ କରିଥିଲା ମୋର ଠିକ ଭାବେ ମନେ ପଡୁନି। ୟା ଭିତରେ ଆମେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ହେଇ ଯାଇଥିଲୁ।

କଲେଜ ଛାଡିବାର ପ୍ରାୟ ପାଞ୍ଚବର୍ଷ ବିତି ଯାଇଥାଏ। ଦୂରରେ ଥାଇ ବି ଆମେ ସବୁସାଙ୍ଗ ପ୍ରାୟ ପରସ୍ପରର ସମ୍ପର୍କରେ ଥିଲୁ। କେତେଥର ଅଫିସ କାମରେ ମିରା ରହୁଥିବା ସହରକୁ ଯିବାର ସୁଯୋଗ ବି ମିଳିଥିଲା ଆଉ ମିରା ସହ ଦେଖା ବି ହେଇଥିଲା ହେଲେ ଆମ ସମ୍ପର୍କର ଗାଡି ପୂର୍ବପରି ସେଇ ଅଜଣା ଷ୍ଟେସନରେ ଅଟକି ରହିଥିଲା। ସିଏ ସେମିତି ମୋତେ ଭଲ ପାଉଥିଲା ଆଉ ମୁଁ ତାକୁ ଭଲ ପାଇ ପାରୁ ନଥିଲି। ହଠାତ ଦିନେ ସନ୍ଧ୍ୟାରେ ସମର ଫୋନ କରି ମିରାର ନମ୍ବର ମାଗିଲା। ମୁଁ ଇତସ୍ତତଃ ହେଲି। ଭାବିଲି ଦେବି କି ନାହିଁ। ମୁଁ କହିଲି “ମିରାର ନମ୍ବର ମୋ ପାଖରେ ନାହିଁରେ ସମର”! ସମର ଏଥର ଆତ୍ମବିଶ୍ବାସର ସହ କହିଲା “ଆଉ କା ପାଖେ ଥାଉ କି ନଥାଉ ରାକେଶ ପାଖରେ ମିରାର ନମ୍ବର ନାହିଁ କହିଲେ ମୋର ବିଲକୁଲ ବିଶ୍ୱାସ ହେଉନି”।

ମୁଁ ପରିସ୍ଥିତି କୁ ସମ୍ଭାଳିବାକୁ ଯାଇ କହିଲି “ମୋତେ ଟିକେ ସମୟ ଦେ ମୁଁ ଖୋଜିକି ଦେବି”। ତାପରେ ମୁଁ ମିରାକୁ ଫୋନ କଲି ଓ ସମର ବିଷୟରେ କହିଲି। ଶୁଣିଲା ପରେ କହିଲା “ମୁଁ କଣ କହିବି, ତୁମ ଇଚ୍ଛା”! ଯୋଉଦିନ ସମରକୁ ମିରାର ନମ୍ବର ଦେଇଥିଲି ସେଇ ସନ୍ଧ୍ୟାରେ ମିରା ଫୋନ କଲା। “ରାକେଶ, ମୁଁ ଯେବେଠାରୁ ଭଲପାଇଛି ତୁମକୁ ହିଁ ଭଲପାଇଛି। ଆଜି ତୁମଠାରୁ ଥରୁଟିଏ ଶୁଣିବାକୁ ଚାହୁଁଛି, ତମେ ମୋତେ ଭଲ ପାଅ”? ହୃଦୟରୁ ବାହାରି ଆସୁଥିବା ହଁ ଟା ଯେମିତି ତଣ୍ଟି ପାଖରେ ଅଟକିଗଲା। କହିଲି “ମୁଁ ତୁମ ଭଳିଆ କେବେ ଭାବିନି ମିରା। ନିଜ ବଳୟ ବାହାରକୁ ଆସିବାକୁ ସମୟ ପାଇନି, କେମିତି କହିବି ଯେ ତୁମକୁ ଭଲପାଏ କି ନାହିଁ”? ମିରା ବଡ଼ ଦୁଃଖର ସହ କହିଲା “ଆଉ ମୋ ପ୍ରତି ଏତେ ସ୍ନେହ, ମୋ ପାଇଁ ଚିନ୍ତା ଏସବୁ କଣ ଥିଲା ରାକେଶ? ଆଜି ନୁହଁ ମୁଁ ସବୁଦିନ ଅପେକ୍ଷା କରିବି ତୁମ ପ୍ରେମ ପାଇବାକୁ, ତମେ ଥରେ ତ ହଁ କୁହ”। ମୁଁ ମିରା ପ୍ରଶ୍ନର ଉତ୍ତର ଖୋଜି ପାଉନଥିଲି।

ଗୋଟେ ସପ୍ତାହ ପରେ ମିରା ପୁଣିଥରେ ଫୋନ କଲା। ଏଥର ତା ସ୍ୱରରେ ବଡ ଶାନ୍ତି ଥିଲା। ସେ କହିଲା “ତମ ନିର୍ଣ୍ଣୟ କଣ ରାକେଶ”? ମୋ ନିଜ ପରିବାରର ଅସୁବିଧା ସବୁ ମିରା ଜାଣିଥିଲା ଆଉ ନିଜେ ନିଜ ତରଫରୁ ଅପେକ୍ଷା କରିବ ବୋଲି କଥା ବି ଦେଇଥିଲା। ଏମିତି ବିଚଳିତ ହେବାର କାରଣ ମୁଁ ମନେମନେ ଖୋଜୁଥିଲି। ମିରା ଏଥର କହିଲା “ମୁଁ ଯେମିତି ଦୀର୍ଘ ପାଞ୍ଚବର୍ଷରୁ ତୁମ ‘ହଁ’ ଅପେକ୍ଷାରେ ଅଛି ଠିକ ସେମିତି ସମର ଗତ ଆଠ ନ ବର୍ଷରୁ ମୋ ହଁ ଅପେକ୍ଷାରେ ଅଛି! ମୁଁ ଯଦିଓ ସମରକୁ କେବେ ଭଲ ପାଇନି ତେବେ ତା ଭଲପାଇବା ଆଉ ତା ପ୍ରତୀକ୍ଷା ମୋ ମନକୁ ଆନ୍ଦୋଳିତ କରୁଛି ରାକେଶ। ସେ ବି ମୋରି ଭଳିଆ ଗୋଟେ ଘଡିସନ୍ଧି ମୁହୂର୍ତ୍ତରେ ଅଟକି ଯାଇଛି”! ମୁଁ ମିରାକୁ ଶେଷଥର ପାଇଁ ନିଜ ପାଖରେ ପାଇଥିଲି ଭଳିଆ ଲାଗିଲା। ମୁଁ ମିରାକୁ ସମରର ପ୍ରେମକୁ ଗ୍ରହଣ କରିବାକୁ ଆଗ୍ରହ କଲି। ମିରା ଭାଙ୍ଗିପଡ଼ିଲା, କାନ୍ଦିଲା କିନ୍ତୁ ମୋ ପାରିବାରିକ ସ୍ଥିତି ନେଇ ମୋ ପାଖରେ ଅନ୍ୟୋପାୟ ନଥିଲା। ତା ପରଦିନ ହିଁ ସମର ମୋତେ ଫୋନ କଲା। “ଆରେ ରାକେଶ ଆଜି ମୁଁ ମିରା ପାଖକୁ ଯାଉଛି। ଭାଇ ତା ନମ୍ବର ଦେଇଥିବାରୁ ତୋତେ ବହୁତ ଧନ୍ୟବାଦ, ତୋରି ପାଇଁ ଆଜି ସିଏ ମୋର ହେଇପାରିଲା”। ମୁଁ ଫୋନ ରଖିଲାବେଳେ ହସୁଥିଲି ଆଉ ଭାବୁଥିଲି ଖାଲି ମିରାର ଫୋନ ନମ୍ବର ନୁହଁ ମୁଁ ତା ମନର ଠିକଣା ବି ସମର କୁ ଦେଇ ଦେଇଥିଲି।

Comments are closed.