#OdiaLekha ଗପ ହେଲେ ବି ସତ : ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ; ଲେଖା ସୁଲଗ୍ନା ମହାନ୍ତି #PanaSankranti

Spread the love

#OdiaLekha ଗପ ହେଲେ ବି ସତ : ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ ; ଲେଖା ସୁଲଗ୍ନା ମହାନ୍ତି #PanaSankranti

ଗପ ହେଲେ ବି ସତ #୪
ସମସ୍ତଙ୍କୁ ଓଡ଼ିଆ ନବବର୍ଷ ଓ ପବିତ୍ର ପଣା ସଂକ୍ରାନ୍ତିର ହାର୍ଦ୍ଦିକ ଅଭିନନ୍ଦନ l ଗତବର୍ଷର କଥା। ପଣା ସଂକ୍ରାନ୍ତି। ଛୁଟିଦିନ। ଏକା ସାଙ୍ଗରେ ପଣା ସଂକ୍ରାନ୍ତି ପାଳିବାପାଇଁ ଓଡ଼ିଆ ବାନ୍ଧବୀ ଜଣେ ଆମନ୍ତ୍ରଣ କଲେ। ତାଙ୍କ ଘରେ ବସିଛୁ। ଗପୁଛୁ। ବାନ୍ଧବୀ ବଢିଆ ବେଲପଣା ଆଣିକି ଦେଲେ। ମନଭରି ପିଆ ହେଲା। ଆହା ବେଲ ଆଉ ଗୋଲ ମରିଚର କି ଅପୂର୍ବ ବାସ୍ନା!! ପଣା ସଂକ୍ରାନ୍ତି ପାଳିବା ସାର୍ଥକ ହେଇଗଲା। କିନ୍ତୁ ବାନ୍ଧବୀଙ୍କ କୁନି ପୁଅଟିକୁ ଯେତେ ବାଧ୍ୟ କଲେ ବି ସେ ପଣା ପିଇଲାନି। ଆଜିକାଲିକା ଛୁଆ। ସେ କଣ ମାନିବ ଏଗୁଡା! ବୋଧହୁଏ ଆମ ପିଢୀ ହିଁ ଶେଷ ପିଢୀ ଯିଏ ନିଜ ସଂସ୍କୃତିକୁ ବଞ୍ଚେଇ ରଖିଛି!

ଓଡିଶା ବାହାରେ ରହି ନିଜ ସଂସ୍କୃତିର କୌଣସି ପର୍ବକୁ ପାଳନ କଲେ ଭାରି ଗର୍ବ ଅନୁଭବ ହୁଏ। ସେଇ ଗର୍ବଟା ଆଉରି ଜୋରରେ ଅନୁଭବ ହୁଏ ଯେତେବେଳେ ସେଇ ପର୍ବ ପାଳନ କଲାବେଳକୁ ଯେଉଁମାନେ ତାକୁ ପାଳନ ନ କରନ୍ତି ତାଙ୍କ ବିରୁଦ୍ଧରେ ଭାଷଣ ଦେଉ। ନିଜକୁ ଭାରି ବଡ ମନ ହୁଏ। ସେମିତି ଆମର ବି ପଣା ସଂକ୍ରାନ୍ତି ଉପରେ ବହୁତ ଚର୍ଚ୍ଚା ଚାଲିଲା। କେବେ ଆରମ୍ଭ ହେଲା, କାହିଁକି ଆରମ୍ଭ ହେଲା, ଓଡ଼ିଆ ନୂଆବର୍ଷର ମହତ୍ତ୍ୱ କଣ ଇତ୍ୟାଦି ଇତ୍ୟାଦି। ତାପରେ ପୁଣି କଥା ହେଲୁ କେମିତି ଓଡ଼ିଆ ଲୋକେ ଧୀରେ ଧୀରେ ନିଜ ସଂସ୍କୃତି ଭୁଲିବାରେ ଲାଗିଛନ୍ତି। ଓଡ଼ିଆ ନୂଆବର୍ଷ ବୋଲି କିଛି ଅଛି ବୋଲିି ଭୁଲି ଯାଉଛନ୍ତି। କେମିତି ପାଶ୍ଚାତ୍ୟ ସଭ୍ୟତା ଆମକୁ ପୁରାପୁରି ଅନ୍ଧ କରି ସାରିଲାଣି ଇତ୍ୟାଦି ଇତ୍ୟାଦି।

ପଣା ପିଇସାରି ବସିକି କଥା ହଉଛୁ ଦେଖିଲୁ ବାନ୍ଧବୀଙ୍କ କୁନି ପୁଅଟି ଗୋଟିଏ ଛୋଟିଆ ବୋତଲରେ ପାଣି ନେଇ ବାହାରକୁ ଯାଉଛି। ପୁଣି ଫେରୁଛି। ପୁଣି ପାଣି ନେଉଛି। ବାନ୍ଧବୀ ରାଗିଗଲେ। ପୁଅ ବାହାରେ ଥିଲା ସେ ମୋ ଆଗରେ ପୁଅକୁ ଗାଳିଦେଲେ ଏମିତି ପାଣି ନଷ୍ଟ କରୁଥିବାରୁ। କହିଲେ ଏମିତିରେ ତ ପାଣିର ଯେଉଁ ଅସୁବିଧା ତା ଉପରେ ୟାର ଏମିତି ପାଣି ନଷ୍ଟ। କେମିତି ଚଳିବ ମଣିଷ। ତାମିଲନାଡୁରେ ପାଣିର ଘୋର ଅଭାବ। ଯେବେ ସହର ଭିତର ଦେଇ ମୁଁ ଯାଏ ସକାଳୁ ଆଉ ସନ୍ଧ୍ୟାରେ ଦେଖେ ବାଲଟି ଆଉ ଗରା ଗୁଡିକର ଧାଡି ମ୍ୟୁନ୍ସିପାଲଟି ପାଇପ୍ ସାମ୍ନାରେ। ୮ ନଭେମ୍ବର ପରେ ATM ଆଗରେ ଆଉ Jio Sim ପାଇଁ ଦୋକାନ ଆଗରେ ଯେଉଁ ଧାଡି ତାର ପାଞ୍ଚଗୁଣ ଲମ୍ବା ଧାଡି ପାଣିପାଇଁ ଏଠି। ତେଣୁ ବାନ୍ଧବୀଙ୍କ ଦୁଃଖ ମୁଁ ବୁଝିପାରିଲି।

ଇତିମଧ୍ୟରେ ତାଙ୍କ କୁନି ପୁଅ ଘର ଭିତରକୁ ଫେରିଲା। ବାନ୍ଧବୀ ପୁଅ ଉପରେ ପାଟି କରିଉଠିଲେ। ପୁଅ କହିଲା, “ମାମା ମୁଁ ପାଣି ନଷ୍ଟ କରୁନି। ଆସ ଦେଖିବ।” ଆମେ ଦୁଇଜଣ ବାହାରକୁ ଗଲୁ। ଦେଖିଲୁ ଘର ଦାଣ୍ଡରେ କେତେଗୁଡିଏ ନଡ଼ିଆ ଖୋଳରେ ପାଣି ଭର୍ତ୍ତି କରିଛି ଛୁଆଟି। ଛୁଆଟି ପୁଣି କହିଉଠିଲା, “ମାମା, ସ୍କୁଲରେ ମିସ୍ କହିଛନ୍ତି ଗରମରେ ଚଢ଼େଇଗୁଡା ପାଣି ନ ପାଇ ମରିଯାଉଛନ୍ତି। ସେଥିପାଇଁ ତାଙ୍କୁ ଆମେ ପାଣି ଦବାକଥା। ମୁଁ ତାଙ୍କୁ ପାଣି ଦେଉଛି ଏଠି।” ସତକୁ ସତ ସେତେବେଳକୁ ଛୋଟ ଚଢ଼େଇଟିଏ ଉଡ଼ିଆସି ସେଠି ବସିଲା ଆଉ ନଡ଼ିଆ ଖୋଳରୁ ପାଣି ପିଇଲା। ମୁଁ ଆଉ ମୋ ବାନ୍ଧବୀ ପରସ୍ପରକୁ ଦେଖିଲୁ। ଆଉ କିଛି କହିବାକୁ ବାକି ନଥିଲା।

ମୁଁ ଘରକୁ ଫେରିଲି। କିନ୍ତୁ ଘଟଣାଟିକୁ ଭୁଲି ପାରିଲିନି। କାହିଁକି କେଜାଣି ଘଟଣାଟି ମୋ ଆଖି ସାମ୍ନାରେ ଖାଲି ନାଚି ଉଠୁଥିଲା। କୁନି ପୁଅ ଆଉ ଚଢ଼େଇଟି। କେଜାଣି କାହିଁକି ଓଡିଶା ବାହାରେ ପଣା ସଂକ୍ରାନ୍ତି ପାଳିବାର ସବୁ ଗର୍ବ କୁଆଡେ ଉଭେଇ ଯାଇଥିଲା। ଭାବୁଥିଲି ପଣା ସଂକ୍ରାନ୍ତିକୁ ନେଇ ଏତେ ଗର୍ବ କରୁଥିବା ମଣିଷ ଆମେ କଣ କେବେ ସତରେ ଭାବିଛନ୍ତି ୟାକୁ ପାଳିବାର ଉଦ୍ଦେଶ୍ୟ?? ଆଉରି ବି ଭାବୁଥିଲି ଆଜି ସତରେ କିଏ ପାଳିଲା ପଣା ସଂକ୍ରାନ୍ତି। ବେଲପଣା ପିଇ ହାକୁଟି ମାରୁଥିବା ଆମେ ଉଚ୍ଚଶିକ୍ଷିତ ଯୁବପିଢ଼ି ନା ଚଢ଼େଇକୁ ପାଣି ପିଅଉଥିବା ସେ କୁନି ପୁଅଟି??

ଏପ୍ରିଲ ୧୪। ବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ହନୁମାନଙ୍କ ଜନ୍ମଦିନ। ଆସାମରେ ବିହୁ, ପଶ୍ଚିମବଙ୍ଗରେ ପୋଇଲା ବୈଶାଖ, କେରଳରେ ବିଶୁ, ତାମିଲନାଡୁରେ ପୁତଣ୍ଡୁ। କିନ୍ତୁ କାହିଁକି ଆମ ଓଡିଶାରେ ଏଇଟା ପଣାସଂକ୍ରାନ୍ତି ବି? କଣ ଦରକାର ପଣା ପିଇବା? ନା କିଛି ଦରକାର ନାହିଁ ପଣା ପିଇବା! କିନ୍ତୁ ହଁ! ବହୁତ ଦରକାର ଅଛି କାହାକୁ ପଣା ପିଏଇବା! ପଣା କଥା ଆସିଲେ ସେ ମନେପକେଇ ଦିଏ ବୈଶାଖ ମାସର କଥା। ଆଉ ବି ମନେ ପକେଇଦିଏ ବିତିଲା ଦିନର ପଥିକଙ୍କ କଥା, ଆମ ବାଟୋଇ ଭାଇଙ୍କ କଥା। ଉଦୁଉଦିଆ ଖରାଦିନ ଦିପହର। ଚାଲିଛନ୍ତି ସେମାନେ। ଖରାଦିନ। ତଣ୍ଟି ଶୁଖିଯାଉଛି। ସୂର୍ଯ୍ୟ ମୁଣ୍ଡ ଉପରେ। ଅଂଶୁଘାତ ହେଇଯିବ କି ଆଉ? ଆଉ ସେତେବେଳକୁ ଓଡ଼ିଆ ପୁଅ ବଢ଼େଇ ଦଉଛି ପଣା, ସର୍ବତ, ଥଣ୍ଡାପାଣି ତାଙ୍କ ହାତକୁ। ସ୍ଥାନେ ସ୍ଥାନେ ଜଳଛତ୍ର। ଆଉ ତାଆରି ଭିତ୍ତିଭୂମି ହେଲା ପଣା ସଂକ୍ରାନ୍ତି। ସେଇଟା ହିଁ ହେଲା ଆମ ସଂସ୍କୃତି, ସେଇଟା ହେଲା ଆମ ପରମ୍ପରା।

କିନ୍ତୁ କେତେ ମନେଅଛି ଆମକୁ ଆମ ପରମ୍ପରା?? ଶିବଙ୍କ ଉପରେ ଦୁଇ ଲିଟର କ୍ଷୀର ତ ଆମେ ଢାଳିଦେଲେ ହେଲେ ଦିନ ଦିପହରେ ଆମ ଏସି କି କୁଲର୍ ଠିକ୍ କରିବାକୁ ଆସିଥିବା ଲୋକକୁ ଥଣ୍ଡାପାଣି ଗ୍ଲାସେ ଦେଲେ କି? ସାଙ୍ଗସାଥୀଙ୍କୁ ଡାକି ଭାଙ୍ଗପଣା ତିଆରି କରି ନାଚକୁଦ ତ କରିଦେଲେ କିନ୍ତୁ ହାଡ଼ଭଙ୍ଗା ଶୀତରାତିରେ ଆପାର୍ଟମେଣ୍ଟ ଜଗୁଥିବା ସିକ୍ୟୁରିଟି ଗାର୍ଡକୁ ଚା କପେ ଯାଚିଲେ କି ଆମେ? ଘରକୁ ଆସିଥିବା ଦାମୀ କୁଣିଆକୁ କୋଲ୍ଦ ଡ୍ରିଂକ୍ସ ତ ଯାଚିଲେ ହେଲେ ଶୋଷିଲା ଚଢେଇ କି ବୁଲା କୁକୁରପାଇଁ ପାଣି ଟିକିଏ ରଖିଲେ କି ଆମେ ନିଜ ଘର ସାମ୍ନାରେ??

ଯଦି ଏହାର ଉତ୍ତର ନା ତାହେଲେ ଆସନ୍ତୁ ବନ୍ଦ କରିଦେବା ଆମ ପଣା ସଂକ୍ରାନ୍ତି। ବନ୍ଦ କରିଦେବା ମିଛ ଲୋକ ଦେଖାଆଣି। ବନ୍ଦ କରିଦେବା ଏଇ ଫାର୍ସ। ଦେବପୂଜା ଚାଲିଛି ଚାଲିଥିବ। ଆମେ ନ କଲେ ଆଉ କିଏ କରିବ। ପୁଣ୍ୟ କମେଇବାକୁ ଲୋକଙ୍କ ଅଭାବ ନାହିଁ। ହେଲେ ଜନପୂଜା? ସକଳ ଘଟେ ଯେ ନାରାୟଣ!! ତାଙ୍କ ପୂଜା କିଏ କରିବ? କିଏ ବୁଝିବ ମୂକ ଜୀବର ମନକଥା?

ମୁଁ ଭାବୁଛି ବୋଧେ ସେଇ କୁନି ପିଲା କରିବ। ତା କୁନିକୁନି ସାଙ୍ଗମାନେ କରିବେ। ନିରୀହ ଜୀବଙ୍କ ଦୁଃଖ ବୁଝିବେ। ତାଙ୍କ ଦୁଃଖ ଦୂର କରିବେ। ଆଉ ଆମେ ବଡମାନେ ମିଛ ସଂସ୍କୃତିର ଦ୍ୱାହିଦେଇ ଆଉ ଟିକିଏ ମଜା ମଜଲିସ କରିଦେବା। ପିଲାଙ୍କୁ ଆମ ସଂସ୍କୃତି ଆଉ ଆମ ପରମ୍ପରା ସାଙ୍ଗରେ ପରିଚିତ କରେଇବା ପ୍ରତି ପିତାମାତାଙ୍କ କର୍ତ୍ତବ୍ୟ କିନ୍ତୁ ତାଠୁ ବଡ କର୍ତ୍ତବ୍ୟ ସେଇ ସଂସ୍କୃତି ପଛରେ ନିହିତଥିବା ସତ୍ୟ ସାଙ୍ଗରେ ତାଙ୍କୁ ପରିଚିତ କରେଇବା।

କିନ୍ତୁ ଦୁଃଖର କଥା ଆଜିର ସେଇ ସ୍ମାର୍ଟ ଫୋନ ଛୁଆ ଆମକୁ ପରିଚିତ କରଉଛନ୍ତି ଆମ ପରମ୍ପରାର ପ୍ରାଚୀନ ସତ୍ୟ ସାଙ୍ଗରେ। ଆଉ ଆମେ ବଡ଼ମାନେ ତାଙ୍କୁ ନିଜ ସଂସ୍କୃତିକୁ ଭୁଲି ଯାଉଥିବାର ଅପବାଦ ଦେଇ ନିଜେ ଠେକା ଭିଡ଼ିଛୁ ସଂସ୍କୃତିକୁ ବଞ୍ଚେଇ ରଖିବାର। ଆଉ ଏଇଟା ଆଉରି ଦୁଃଖର ବିଷୟ ଯେ ଆମର ସେଇ ସଂସ୍କୃତି ଆଉ ପରମ୍ପରା କେବଳ ଫେସବୁକ ଆଉ ହ୍ଵାଟ୍ସଆପରେ “Happy Panaa Sankranti” ଲେଖିବାରେ ହିଁ ସୀମିତ ରହିଯାଇଛି। ତେଣୁ ଏଥର ପଣା ସଂକ୍ରାନ୍ତିରେ ନିଜ ଲୋକକୁ ଉପରଠାଉରିଆ ଶୁଭେଚ୍ଛା ବାର୍ତ୍ତା ପଛେ ନ ଯାଉ କିନ୍ତୁ କେଉଁଠି ଗୋଟେ ଶୋଷିଲା ଲୋକର ଶୋଷ ମେଣ୍ଟୁ। ଶୋଷିଲା ପ୍ରାଣୀ ପାଣି ମୁନ୍ଦେ ପାଉ ଆଉ ବଦଳରେ ଢ଼ାଳି ଦେଉ ଦୁଇ ବୁନ୍ଦା ହସ ଆଉ ଗୋଟିଏ ବୁନ୍ଦା ଆଶୀର୍ବାଦ!!

ହଉl ପୁଣି ଦେଖା ହବ। ସାନଙ୍କୁ ସ୍ନେହ। ସାଙ୍ଗଙ୍କୁ ଶୁଭେଚ୍ଛା। ଗୁରୁଜନଙ୍କୁ ପ୍ରଣାମ।

Comments are closed.