ପଖାଳ – A Blog by Prabir Kumar Sahoo #PakhalaDibasa #ପଖାଳଦିବସ

Spread the love

ପଖାଳ – A Blog by Prabir Kumar Sahoo #PakhalaDibasa #ପଖାଳଦିବସ

      ବର୍ଷସାରା ଚାଷକାମରେ ଲାଗି ରହୁଥିବା ବିଜୁ, ଏଇ ତିନିମାସ ଗାଁ ମୁଣ୍ଡ ହାଇୱେ ପାଖରେ ଥିବା ବରଗଛ ମୂଳେ ଦହିବରା ବେପାର କରେ, ଯେ ପର୍ଯ୍ୟନ୍ତ ମାଟିରେ ହଳଫାଳ ଲାଗିବା ପାଗ ହେଇନି। ତା ମନ ଜାଣି ଭଗବାନ ତାକୁ କୁନି ପରି ସ୍ତ୍ରୀ ଟିଏ ଦେଇଛନ୍ତି। ବିଜୁ ଯେମିତି ଚାଷକାମରେ ମାଟି ସହ ମାଟି ହେଇ ଚଷିପାରେ, କୁନି ସେମିତି ଘରକାମଠୁ ଆରମ୍ଭ କରି ପୁନେଇଁ ପରବ ଓଷାବ୍ରତ ପର୍ଯ୍ୟନ୍ତ ସବୁ କାମକୁ ସୁରୁଖୁର ରେ ଚଳେଇ ନିଏ। ଥରେ ମୁଁ ଗୋଟେ ବିଶେଷ କାମରେ ଗାଁ କୁ ଯାଉଥାଏ। ସେତେବେଳକୁ ଦିନ ଦୁଇଟା ହେଲାଣି। ପାଞ୍ଚ ଘଣ୍ଟା କାର ଡ୍ରାଇଭ କଲାପରେ ଭୋକ ବି ଲାଗିଲାଣି। ବିଜୁ ର ଦହିବରା ଚାଳଟି ଦେଖି ଗାଡି ଛିଡା କରି ପଚାରିଲି, “ଆରେ ଭାଇ ଆଗରେ ହୋଟେଲ କୋଉଠି ଅଛି”? ବିଜୁ କହିଲା “ବାବୁ, ଭଲ ହୋଟେଲ ତ ଛାଡ଼ିକି ଆସିଲ। ଆଗକୁ ସେମିତି ଭଲ ହୋଟେଲ ନାହିଁ, ହଁ ଢାବା ସବୁ ମିଳିବ। ଢାବାର ଖାଇବା ଆପଣଙ୍କୁ ଭଲ ଲାଗିପାରେ ହେଲେ ଆମ ପାଟିକୁ ଖରାଦିନେ ପଖାଳର ସୁଆଦ ସବୁଠୁ ବେଶି”। ବିଜୁ କଥାରେ କେମିତି ଗୋଟେ ମମତା ଥିଲା। ମୁଁ ଟିକେ ତାତ୍ସଲ୍ୟ କରି କହିଲି “ସେ କଥା ଠିକ ଯେ ହେଲେ ଏବେ ମୁଁ ଚାହିଁଲେ ବି କଣ ପଖାଳ ମିଳିବ? ଛାଡ଼, ଭାଇ ଦହିବରା ଗୋଟେ ପ୍ଲେଟ ଦିଅ”। ଠିକ ସେତିକି ବେଳେ କୁନି ବିଜୁ ପାଇଁ ପଖାଳ ହାଣ୍ଡିଟା ନେଇ ପହଁଚିଲା। ବିଜୁର ଆଖିରେ ଗୋଟେ ଚମକ୍ ଆସିଗଲା। ଖୁସି ହେଇ କହି ପକେଇଲା “ଆପଣ ଯଦି ଚାହିଁବେ ପଖାଳ ନିଶ୍ଚୟ ମିଳିବ”। ମୁଁ ହାତ ଧୋଉ ଧୋଉ ପ୍ରଶ୍ନିଳ ଆଖିରେ ତାକୁ ଚାହିଁଲି। ମୋତେ ପାଖ ବେଞ୍ଚରେ ବସିବାକୁ ନିର୍ଦ୍ଦେଶ ଦେଇ କୁନିକୁ ପଖାଳ ବାଢିବାକୁ କହିଲା। ମୁଁ ଆନମନା ହେଲାରୁ ମୋତେ ବୋଧଦେଇ ବିଜୁ କହିଲା “ବାବୁ, ବୈଶାଖ ମାସ ଖରା, ତୋରାଣି ମୁନ୍ଦେ ପିଇ ଦେଇ ଯାଅ ଆଗକୁ ଦମ ଧରିବ”। ମୁଁ ବିଜୁ କଥାର ଗୁରୁତ୍ୱ ହୃଦୟଙ୍ଗମ କରୁ କରୁ କୁନି ଆଣି ମୋ ଆଗରେ ପଖାଳ କଂସାଟା ଥୋଇଦେଲା ଓ ତା ସହ ଦୁଇ ପ୍ରକାର ଶାଗ, ବଡି ଚୁରା, କଲରା ଆଳୁ ଭଜା, ପିଆଜ, କଞ୍ଚା ଲଙ୍କା ବି ଦେଲା। ମୋ ଦ୍ଵିଧା କୁ ଦୂର କରିବା ପାଇଁ ବିଜୁ କହିଲା “ବାବୁ ଚିନ୍ତା କରନି, ତମେ ଖାଅ। ଏ କୁନି ମୋ ପାଇଁ ସବୁବେଳେ ବେଶି ଆଣିଥାଏ”। 

         ସେଇ ପଖାଳ ଖିଆ ଅନୁଭୂତି ବଡ ନିଆରା ଥିଲା। କୁନିର ହାତରନ୍ଧା ପଖାଳରେ କି ସୁଆଦ ଥିଲା କେଜାଣି। ଖାଇସାରି ପର୍ସ କାଢି କହିଲି “କେତେ ଦେବି”? ବିଜୁ ହସି ହସି କହିଲା “ଏଇଟା ମୋ ଘର ଖାଦ୍ୟ ବାବୁ, ବେପାର ନୁହଁ”। ନିଜ ମନର ବୋଝ କମ କରିବାକୁ ବିଜୁ କୁ କହିଲି “ତମେ ଦହିବରା ସହ ପଖାଳ ବେଉସା ବି କରୁନ। ସତ କହୁଛି ଏମିତି ସୁଆଦିଆ ପଖାଳ ମୁଁ କେବେ ଖାଇନି”। ପ୍ରଶଂସା ଶୁଣି ଦୁହେଁ ହସିଲେ ଓ ବିଜୁ କହିଲା “ବାବୁ ତମେ ଭଲ ମଜା କଥାଟିଏ କହିଲ! ‘ପଖାଳ ବେଉସା’ କଣ ସମ୍ଭବ”? ଏଥର ମୋତେ ସୁଯୋଗ ମିଳିଗଲା। ମୁଁ ପର୍ସ ରୁ ଗୋଟେ ପଚାଶ ଟଙ୍କିଆ ନୋଟ କାଢି କହିଲି “ତମେ ଏଇଟା ରଖ, ପଖାଳ ବେଉସା ଆରମ୍ଭ କର, ଯଦି ଚାଲିଲା ତା ହେଲେ ମୁଁ ହେଲି ତମ ପ୍ରଥମ ଗ୍ରାହକ। ଆଉ ଯଦି ନ ଚାଲେ, ତାହେଲେ ମୋ ପଇସା ଫେରେଇ ଦେବ”। ଏଥର ବିଜୁ ଅମଙ୍ଗ ହେଲେ ମଧ୍ୟ ମନା କରି ପାରିଲାନି। ମୁଁ ତା ପକେଟରେ ଟଙ୍କାଟା ଗୁଞ୍ଜିଦେଇ ବାହାରିଗଲି।

       ୟା ଭିତରେ ଚାରି ବର୍ଷ ବିତିଯାଇଛି। ଗରମ ଆରମ୍ଭ ହେଇଗଲାଣି, ଗୁଳୁଗୁଳି ଯଦିଓ ନୁହଁ ତେବେ ଗତ ସପ୍ତାହ ରୁ ଖରାତାତି ଗ୍ରୀଷ୍ମାରମ୍ଭର ସୂଚନା ଦେଲାଣି। ପିଲାମାନଙ୍କ ପରୀକ୍ଷା ଚଉଦ ତାରିଖରୁ ସରିଥିଲା କିନ୍ତୁ ଛୁଟି ସୁବିଧା କରି ପରିବାରକୁ ନେଇ କୋଡିଏ ତାରିଖ ରେ ଗାଁ କୁ ବାହାରିଲି। ଦିନ ଗୋଟାଏ ପାଖାପାଖି ହବ, ଠିକ ବିଜୁ ହୋଟେଲ ପାଖରେ ଘରଣୀ କହିଲେ “ଗାଡି ରଖ, ଆମେ ଏଇଠି ଖାଇ ନବା”। ଜାଗାଟା ଢାବା ଭଳିଆ ହେଇଚି ଦେଖି ମୁଁ ଟିକେ ଇତସ୍ତତଃ ହେଲି। ଢାବା ଭିତରକୁ ପଶିଲା ବେଳକୁ ବିଜୁ ବାହାରି ଆସି ହାତ ଯୋଡି ଛିଡା ହେଲା। ମୁଁ ବିଜୁ କୁ ଚିହ୍ନି ପାରିଲି କିନ୍ତୁ  ଆମ ଘରଣୀ ଟିକେ ଆଶ୍ଚର୍ଯ୍ୟ ହେଉଥାଆନ୍ତି। ଆମକୁ ଗୋଟେ ଟେବୁଲରେ ବସେଇଲା ପରେ ବିଜୁ ଆରମ୍ଭ କଲା “ମା ଜାଣିଛ, ତମ ବାବୁ ଏଇ ହୋଟେଲର ପ୍ରଥମ ଗ୍ରାହକ!” ତା ପରେ ଚାରି ବର୍ଷ ପୁରୁଣା କଥା ସବୁ ଗାଇଗଲା। ମୁଁ ଟେବୁଲ ଉପରେ ଥୁଆ ହେଇଥିବା ମେନୁ କାର୍ଡ ଉପରେ ନଜର ପକେଇଲି। ସେଥିରେ ବିଭିନ୍ନ ପ୍ରକାରର ଭଜା, ଛଣା, ପୋଡା, ସିଝା, ଛେଚା, ସନ୍ତୁଳା, ଶାଗ, ଚଟଣି ସହ ଆଚାର ସାଲାଡ ତ ଥିଲା କିନ୍ତୁ ସବୁଠୁ ବେଶି ମଜା କଥା ହେଲା ସେଠି ବିଭିନ୍ନ ପ୍ରକାର ପଖାଳର ମେନୁ ବି ଥିଲା। ଯେମିତି କି:

  • ସଜ ପଖାଳ
  • ବାସି ପଖାଳ
  • ଜିରା ପଖାଳ
  • ଦହି ପଖାଳ
  • ଧନିଆ ପୋଦିନା ପଖାଳ 
  • ଆମ୍ବକଷିଆ ଅଦା ପଖାଳ
  • କଞ୍ଚାଆମ୍ବ ପଖାଳ
  • କାକୁଡ଼ିକୋରା ପଖାଳ
  • ବଡ଼ି ପଖାଳ ଇତ୍ୟାଦି

ଆମେ ସମସ୍ତେ ପଖାଳ ଖାଇଲୁ। ଖାଇଲାବେଳେ ମୋର ପୁରୁଣା କଥା ସବୁ ମନେ ପଡୁଥାଏ। ଖାଇସାରିଲା ପରେ କେତେ ଟଙ୍କା ହେଲା ବୋଲି ପଚାରିଲାରୁ ବିଜୁ କହିଲା “ବାବୁ ତମ ହାତରୁ ଏ ବେପାର ଆରମ୍ଭ କରିଥିଲି ବୋଲି ଆଜି ଏତେ ବଢିଗଲା। ତମ ଠାରୁ କଣ ପଇସା ନେବି”? ସେଠୁ ଫେରି ଗାଡି ଷ୍ଟାର୍ଟ କରୁ କରୁ ବିଜୁର ଢାବା ଆଗରେ ଲାଗିଥିବା ଫ୍ଲେକ୍ସ ଟା ଆଖିରେ ପଡ଼ିଲା ଯୋଉଠି ବଡ ବଡ ଅକ୍ଷରରେ ‘ପଖାଳ ଦିବସ’ ର ସ୍ୱାଗତ ସମ୍ବାଦ ଲେଖା ହେଇଥାଏ। ମୋର ମନେ ପଡ଼ିଲା ଓଃ ଆଜି ପରା ‘ମାର୍ଚ୍ଚ କୋଡିଏ’।

Picture Courtesy: Swetapadma Satpathy

Comments are closed.