ନନ୍ଦନକାନନ ପ୍ରାଣୀ ଉଦ୍ୟାନ

Spread the love

ନନ୍ଦନକାନନର ପ୍ରତିଷ୍ଠା ପଛରେ ଏକ ରୋଚକ କାହାଣୀ ରହିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନନ୍ଦନକାନନ ପ୍ରାଣୀଉଦ୍ୟାନର ପରିକଳ୍ପନା ପ୍ରଥମେ ଯୋଜନାବଦ୍ଧ ଭାବେ କରାଯାଇ ନଥିଲା । କେତେକ ବନ୍ୟପ୍ରାଣୀମାନଙ୍କୁ ସେମାନଙ୍କର ଅସ୍ଥାୟୀ ଆଶ୍ରୟସ୍ଥଳୀରୁ ନୂତନ ତଥା ସ୍ଥାୟୀ ନିବାସ କେନ୍ଦ୍ରକୁ ସ୍ଥାନାନ୍ତରଣ କରିବା ଉଦ୍ଦେଶ୍ୟରେ ଏହାର ସୃଷ୍ଟି କରାଯାଇଥିଲା । ୧୯୬୦ ମସିହାର ଘଟଣା । ନୂଆଦିଲ୍ଲୀରେ ବିଶ୍ୱ କୃଷି ମେଳା ଅନୁଷ୍ଠିତ ହେବାକୁ ଥାଏ ଓ ଏଥିନିମନ୍ତେ ସେଠାରେ ପ୍ରଦର୍ଶିତ ହେବାକୁ ଥିବା ଓଡ଼ିଶାର ଏକ ମଣ୍ଡପକୁ ଅଧିକ ଆକର୍ଷଣୀୟ ତଥା ଜନପ୍ରିୟ କରିବା ନିମିତ୍ତ ସେଥିରେ ଏକ କ୍ଷୁଦ୍ର ଚିଡିଆଖାନା ମାଧ୍ୟମରେ କେତେକ ବିରଳ ପ୍ରଜାତିର ଜୀବଜନ୍ତୁ ତଥା ଉଦ୍ଭିଦର ପ୍ରଦର୍ଶନର ନିଷ୍ପତ୍ତି ଗ୍ରହଣ କରାଯାଇ ସେଥିନିମିତ୍ତ ଯୋଜନା ପ୍ରସ୍ତୁତ କରାଗଲା । ଯେହେତୁ ବନ୍ୟ ହିଂସ୍ରଜନ୍ତୁଙ୍କୁ ଧରିବା ଓ ସେମାନଙ୍କୁ ନୂଆଦିଲ୍ଲୀକୁ ନେବା ଏକ ବ୍ୟୟବହୁଳ ବ୍ୟାପାର ଥିଲା, ତେଣୁ ନିଷ୍ପତ୍ତି ନିଆଗଲା ଯେ ଏଥିପାଇଁ କେବଳ କେତେକ ଛୋଟ ଜୀବଜନ୍ତୁଙ୍କୁ ହିଁ ଧରାଯିବ ଯେଉଁମାନଙ୍କୁ କି ସହଜରେ ନୂଆଦିଲ୍ଲୀକୁ ନିଆଯାଇପାରିବ । ଯେହେତୁ ଏଥିନିମିତ୍ତ ଖୁବ କମ ସମୟ ହାତରେ ଥିଲା, ତେଣୁ ନିଷ୍ପତ୍ତି ନିଆଗଲା ଯେ ଜୀବଜନ୍ତୁଙ୍କ ଅଧିଗ୍ରହଣ ପାଇଁ ସେହି ଲୋକମାନଙ୍କୁ ଯୋଗାଯୋଗ କରାଯିବ ଯେଉଁମାନେ କି ନିଜ ପାଖରେ ଜୀବଜନ୍ତୁ ମାନଙ୍କୁ ରଖିଛନ୍ତି ଏବଂ ସେମାନଙ୍କ ଠାରୁ ଧାର ସୂତ୍ରରେ ହେଉ କିମ୍ବା କ୍ରୟ କରି ଏହି ଜୀବଜନ୍ତୁ ମାନଙ୍କର ଅଧିଗ୍ରହଣ କରାଯିବ ।

ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କେତେକ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଦାୟିତ୍ୱ ଦିଆଗଲା ଏବଂ ଏକ ମାସ ମଧ୍ୟରେ ଅନେକ କ୍ଷୁଦ୍ର କ୍ଷୁଦ୍ର ଜୀବଜନ୍ତୁଙ୍କୁ ଏକାଠି କରାଯାଇ ସେମାନଙ୍କୁ ନୂଆଦିଲ୍ଲୀକୁ ନିଆଯିବାର ବ୍ୟବସ୍ଥା କରାଗଲା । ସେହି ଜୀବଜନ୍ତୁ ଗୁଡିକ ମଧ୍ୟରୁ ଅନ୍ୟତମ ଥିଲେ ଦୁଇଟି ଛୋଟ ହରିଣ, ଦୁଇଟି କୃଷ୍ଣସାର ମୃଗ, ଏକ ଉଡ଼ନ୍ତା ଗୁଣ୍ଡୁଚି, ଦୁଇଟି ଶୁଆ, ଗୋଟିଏ ନେଉଳ, ଗୋଟିଏ ମୟୁର, ଗୋଟିଏ କୋଚିଲାଖାଇ, ଗୋଟିଏ କଜଳପାତି ଇତ୍ୟାଦି । ଏହାବ୍ୟତୀତ ଏହି ଯୋଜନା ନିମିତ୍ତ ଦେବଗଡ଼ର ପ୍ରଭାଗୀୟ ବନ ଅଧିକାରୀ ସ୍ବର୍ଗତ ଜି.ଏମ.ଦାସ ମହୋଦୟ ଜଙ୍ଗଲରୁ ଦୁଇଟି ଝିଙ୍କ ତଥା ଗୋଟିଏ ବଜ୍ରକାପ୍ତା ଧରିଥିଲେ ଓ ପୁରୀର ପ୍ରଭାଗୀୟ ବନ ଅଧିକାରୀ ସ୍ବର୍ଗତ ପି.ମହାପାତ୍ର ଜଙ୍ଗଲରୁ ଗୋଟିଏ ଅଜଗର ସାପ ଓ ଏକ ଯୋଡ଼ା ବନ୍ୟ ବାରାହା ଧରିଥିଲେ । ଏବଂ ଏ ସମସ୍ତ ଜୀବଜନ୍ତୁଙ୍କୁ ନୂଆଦିଲ୍ଲୀକୁ ନିଆଯାଇ ପୂର୍ବ ଯୋଜନା ଅନୁଯାୟୀ ସେଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ କୃଷି ମେଳାର ଓଡ଼ିଶା ମଣ୍ଡପରେ ଏକ କ୍ଷୁଦ୍ର ଚିଡିଆଖାନା ମାଧ୍ୟମରେ ଜନସାଧାରଣଙ୍କୁ ପ୍ରଦର୍ଶିତ କରାଗଲା ।

ଓଡିଶା ସରକାରଙ୍କର ଏତାଦୃଶ ଉଦ୍ୟମ ତ ସଫଳ ହେଲା, ମାତ୍ର ଅସୁବିଧା ଦେଖାଦେଲା ସେହି ସବୁ ଜୀବଜନ୍ତୁଙ୍କ ଓଡିଶା ପ୍ରତ୍ୟାବର୍ତ୍ତନ ପରେ ସେମାନଙ୍କ ଥଇଥାନ ସମୟରେ । କାରଣ ରାଜ୍ୟର ଅର୍ଥ ବିଭାଗ ଏଥିପାଇଁ ଏକ ନୂତନ ପ୍ରାଣୀଉଦ୍ୟାନର ପ୍ରତିଷ୍ଠା ନିମନ୍ତେ ସହମତ ନ ଥିଲେ, ଯେହେତୁ ଏହାର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ଅନେକ ପରିମାଣର ଅର୍ଥବ୍ୟୟ ଓ ବିଧାନସଭାରେ ଏକ ସ୍ୱତନ୍ତ୍ର ବଜେଟ ଅନୁମୋଦନର ନୀତିଗତ ଆବଶ୍ୟକତା ରହିଥିଲା । କ୍ରମେ ସେହିସବୁ ଜୀବଜନ୍ତୁଙ୍କର ଦୈନିକ ରକ୍ଷଣାବେକ୍ଷଣରେ ମଧ୍ୟ ଧୀରେ ଧୀରେ ଅସୁବିଧା ଦେଖାଦେଲା ଯାହାର ଦାୟିତ୍ୱ ନେଉଥିଲେ ରାଜ୍ୟ ଜଙ୍ଗଲ ବିଭାଗ ।

ସୌଭାଗ୍ୟ କ୍ରମେ ସେତେବେଳର ପୁରୀ ତଥା ଦେବଗଡ଼ର ପ୍ରଭାଗୀୟ ବନ ଅଧିକାରୀ ଏ ଦିଗରେ ଜଙ୍ଗଲ ବିଭାଗକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ଓ ସେମାନଙ୍କ ସହାୟତାରେ ଜୀବଜନ୍ତୁଙ୍କ ପାଇଁ କାଠ ଓ ଛଣଛପର ଚାଳିଆର ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭୁବନେଶ୍ୱର ନିକଟବର୍ତ୍ତୀ ଖଣ୍ଡଗିରି ଠାରେ ନିର୍ମିତ ହୋଇଥିଲା । ଖଣ୍ଡଗିରି ଠାରେ ବାସ କରୁଥିବା ଜୈନ ସମ୍ପ୍ରଦାୟ ମଧ୍ୟ ଜୀବଜନ୍ତୁଙ୍କ ଖାଦ୍ୟପେୟ ବ୍ୟବସ୍ଥା ଯେପରି ସୁରୁଖୁରୁରେ ହୋଇପାରିବ, ସେଥିପାଇଁ ସାହାଯ୍ୟ ସହଯୋଗ କରିଥିଲେ । କ୍ରମେ ଏହି ଜୀବଜନ୍ତୁଙ୍କୁ ଦେଖିବା ପାଇଁ ସେଠାରେ ଭୁବନେଶ୍ବର ଓ ନିକଟବର୍ତ୍ତୀ ଗ୍ରାମ ସମୁହର ଜନସାଧାରଣଙ୍କ ଭିଡ଼ ଲାଗିରହିଲା, ଏପରିକି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ମଧ୍ୟ ଏହି ଜୀବଜନ୍ତୁଙ୍କୁ ଦେଖି ଖୁସି ହୋଇଥିଲେ ଓ ସେମାନଙ୍କ ପାଇଁ ଏକ ପ୍ରାଣୀଉଦ୍ୟାନର ସ୍ଥାପନା ନିମିତ୍ତ ବିହିତ ପଦକ୍ଷେପ ଗ୍ରହଣ କରିଥିଲେ ।

ଏହାପରେ ନୂତନ ପ୍ରସ୍ତାବିତ ପ୍ରାଣୀଉଦ୍ୟାନର ସ୍ଥାପନା ପାଇଁ ସ୍ଥାନ ଚୟନ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ପ୍ରଥମେ ଖଣ୍ଡଗିରି ଓ ଉଦୟଗିରି ନିକଟସ୍ଥ ଘାଟିକିଆକୁ ଏଥିନିମିତ୍ତ ଅନୁମୋଦିତ କରାଯାଇଥିଲା । ମାତ୍ର ପ୍ରାଣୀଉଦ୍ୟାନର ରକ୍ଷଣାବେକ୍ଷଣ ନିମିତ୍ତ ବିପୁଳ ପରିମାଣର ଜଳର ଆବଶ୍ୟକତା ଥିବାରୁ ପରେ ଏଥିପାଇଁ ବାରଙ୍ଗ ରେଳଷ୍ଟେସନ ନିକଟବର୍ତ୍ତୀ କାଞ୍ଜିଆ ହ୍ରଦକୁ ଲାଗିରହିଥିବା ସ୍ଥାନକୁ ଅନୁମୋଦିତ କରାଯାଇ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥିଲା । ତେଣୁ ଏହି ସ୍ଥାନରେ ନୂତନ ପ୍ରାଣୀଉଦ୍ୟାନର ସ୍ଥାପନା ସହିତ ଏହାକୁ ଲାଗିରହିଥିବା ନିକଟବର୍ତ୍ତୀ ସ୍ଥାନରେ ଏକ ଉଦ୍ଭିଦ ଉଦ୍ୟାନର ସ୍ଥାପନା ନିମିତ୍ତ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥିସହିତ କାଞ୍ଜିଆ ହ୍ରଦରେ ମଧ୍ୟ ଜନସାଧାରଣଙ୍କ ମନୋରଞ୍ଜନ ନିମିତ୍ତ ବୋଟିଂର ସୁବିଧା ଯୋଗାଇ ଦିଆଯିବାର ପରିକଳ୍ପନା କରାଯାଇଥିଲା । ଶେଷରେ ସମସ୍ତ ଆଶା ଓ ଉତ୍କଣ୍ଠାର ପରିସମାପ୍ତି ଘଟାଇ ୧୯୬୦ ମସିହା ଡିସେମ୍ବର ମାସ ୨୯ ତାରିଖରେ ଭାରତ ସରକାରଙ୍କ ତତ୍କାଳୀନ ଖାଦ୍ୟ ଓ କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ଏସ୍.କେ.ପାଟିଲଙ୍କ ଦ୍ୱାରା ଏହି ପ୍ରାଣୀଉଦ୍ୟାନଟି ଉଦ୍ଘାଟିତ ହେଲା ଓ “ନନ୍ଦନକାନନ” ନାମରେ ନାମିତ ହେଲା । ୧୯୬୩ ମସିହାରେ ପ୍ରସ୍ତାବିତ ଉଦ୍ଭିଦ ଉଦ୍ୟାନଟି ମଧ୍ୟ ଉଦ୍ଘାଟିତ ହୋଇଥିଲା । ଛୋଟ ଛୋଟ ବନ୍ୟଜନ୍ତୁଙ୍କୁ ନେଇ ସୃଷ୍ଟି ହୋଇଥିବା ଏହି ପ୍ରାଣୀଉଦ୍ୟାନ କ୍ରମେ ବଡ଼ ବଡ଼ ତଥା ଅନେକ ବିରଳ ପ୍ରଜାତିର ବନ୍ୟଜନ୍ତୁଙ୍କୁ ନିଜ ପରିସରରେ ସ୍ଥାନ ଦେଇଥିଲା ଓ ଆମ ଦେଶର ଏକ ଗୌରବ ରୂପେ ନିଜପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ଏହା ଦେଶର ପ୍ରଥମ ପ୍ରାଣୀଉଦ୍ୟାନ ଥିଲା ଯାହାକି “ୱାର୍ଲଡ଼ ଆସୋସିଏସନ ଅଫ ଜୂସ ଆଣ୍ଡ ଆକ୍ୱାରିୟମସ୍” ର ସଦସ୍ୟତା ଲାଭ କରିଥିଲା ।

ନନ୍ଦନକାନନର ଏକ ବିଶେଷତ୍ଵ ହେଉଛି ଏଠାରେ ପ୍ରାଣୀମାନଙ୍କ ରହିବା ନିମିତ୍ତ ଉପଲବ୍ଧ ଥିବା ପ୍ରାକୃତିକ ତଥା ମୁକ୍ତ ପରିବେଶ ଯାହାକି ଉଭୟ ଜୀବଜନ୍ତୁ ତଥା ଦେଖଣାହାରୀ ମାନଙ୍କୁ ଆକୃଷ୍ଟ କରିଥାଏ । ସେଇଥିପାଇଁ ତ ଏହାମଧ୍ୟକୁ ଲମ୍ଫ ପ୍ରଦାନ କରି ରହିବାକୁ ଚାଲିଆସିଥିଲେ ଜଙ୍ଗଲର ମୁକ୍ତ ହିଂସ୍ର ପଶୁ, ସେ “କାନନ” ନାମରେ ନାମିତ ବାଘୁଣୀ ହୁଅନ୍ତୁ କି “ନନ୍ଦନ” ନାମରେ ନାମିତ ବାଘ, ଉଭୟଙ୍କ ପାଇଁ ନନ୍ଦନକାନନର ଆକର୍ଷଣ ଥିଲା ସ୍ବର୍ଗୀୟ, ସେହି ଦେବତାମାନଙ୍କ ଉଦ୍ୟାନ ସଦୃଶ । ନନ୍ଦନକାନନର ମର୍ଯ୍ୟାଦା ଏହିପରି ଅକ୍ଷୁର୍ଣ୍ଣ ରହିଥାଉ ଓ ଏହା କ୍ରମେ ଆହୁରି ଗାରୀମାମୟ ହୋଇଉଠୁ, ଏହି କାମନା ସହିତ ଏହି ସ୍ୱତନ୍ତ୍ର ଉପସ୍ଥାପନାଟି ଏଇଠି ଶେଷ କରୁଛୁ ।

କୁମାର ଅରୋଜ୍ୟୋତି

Comments are closed.